www.samajalive.in
Sunday, December 14, 2025
23.1 C
Bhubaneswar

ବର୍ଣ୍ଣ, ଧ୍ବନି ଏବଂ ଅକ୍ଷର

ମା, ମାତୃଭୂମି ଓ ମାତୃଭାଷାର ପବିତ୍ରତାକୁ ଯିଏ ବୁଝି ନାହିଁ, ସିଏ ମୂଢ଼। ମା ଜନନୀ, ମାତୃଭୂମି ଆଶ୍ରୟଦାୟିନୀ ଆଉ ମାତୃଭାଷା ପରିଚୟ ପ୍ରଦାୟିନୀ। ମା’ଠାରୁ ଅଲଗା ହୋଇ ଜନ୍ମିତ ଶିଶୁ ଭୂମିଷ୍ଠ ହୁଏ। ଏହା ହିଁ ପ୍ରଥମ ଉପଲବ୍ଧି। ଶ୍ରେଷ୍ଠ ପ୍ରାପ୍ତି। ଅସମାପ୍ତ ମହାକାଶ, ଆଖି ସାଉଁଟି ଆଣିଲେ ବିଶାଳ ବିଶ୍ବ, ବିସ୍ତୀର୍ଣ୍ଣ ପରିସୀମାରେ ଆବଦ୍ଧ ସ୍ବଦେଶ, ଦେଶରେ ପ୍ରଦେଶ ଏବଂ ପ୍ରଦେଶ ଭିତରେ ସ୍ବତନ୍ତ୍ର ଅଞ୍ଚଳ। ପରିସୀମା କିମ୍ବା ପରିଭାଷା ମଧ୍ୟରେ କିନ୍ତୁ ମଣିଷ ଆବଦ୍ଧ ନୁହେଁ।

ପ୍ରଜ୍ଞା ପ୍ରବୋଧତା ହିଁ ଅସଲ ପରିଚୟ। ଭାବଧାରାକୁ ନାବ ଭାଷା। ମାଆ ସହିତ ପ୍ରଥମ ସଂଯୋଗ, ସମ୍ପର୍କ ଘଟାଇ ଶିଶୁର ଓଷ୍ଠ, ମୁଖ, ଜିହ୍ବା କ୍ରମଶଃ କିଛି ମାସ ପରେ ଦନ୍ତର ବିକାଶ ସାଙ୍ଗକୁ ଭାଷାର ନିବିଡ଼ ତାତ୍ପର୍ଯ୍ୟ। କହିବା ବାହୁଲ୍ୟ ଯେ କୁଆଁ କୁଆଁ ରାବ ଧ୍ବନି ମଧୁର ଶ୍ରୁତି ଏବଂ ଶ୍ବାସ ପ୍ରଶ୍ବାସ ସମ୍ବନ୍ଧିତ କିନ୍ତୁ ବର୍ଣ୍ଣ ଆକାରରେ ଅକ୍ଷର ବିଭାଜିତ ହୁଏ। ସ୍ବର ବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣ।

- Advertisement -

ଛବିଳ ମଧୁ ବର୍ଣ୍ଣବୋଧ ହିଁ ଓଡ଼ିଆ ଅକ୍ଷର ଜ୍ଞାନର ଆଦ୍ୟ ସୋପାନ। ସ୍ବର ବର୍ଣ୍ଣ ମୁଖ ମଧ୍ୟରେ ବାୟୁ ଚଳାଚଳ ସମୟରେ ଉତ୍ପନ୍ନ ହୁଏ। କିନ୍ତୁ, ମୁଖର ବିଭିନ୍ନ ଅଂଶ ଭିନ୍ନଭିନ୍ନ ଅଂଶ ସହିତ ସଂଯୋଗ ହେବା ସମୟରେ ବାୟୁ ଚଳାଚଳ ଯୋଗୁଁ ଯେଉଁ ବର୍ଣ୍ଣ ସବୁ ଅକ୍ଷର ଆକାରରେ ସଜା ହୋଇଛି, ତାହା ବ୍ୟଞ୍ଜନ ବର୍ଣ୍ଣ।

ଜିହ୍ବାର ଭିନ୍ନଭିନ୍ନ ଅଂଶ ଦାନ୍ତ, ତାଳୁର ଭିନ୍ନଭିନ୍ନ ଅଂଶ ସହିତ ସଂଯୋଗ ହେବା, ମୂର୍ଦ୍ଧନା ଛୁଇଁ ପବନ ବାହାରିବା ସମୟରେ ଧ୍ବନି ସୃଷ୍ଟିକୁ ଲକ୍ଷ୍ୟ କରି ଆମର ଓଡ଼ିଆ ଭାଷାରେ ଅକ୍ଷର ସଜା ଏବଂ ତଦନୁଯାୟୀ ଅକ୍ଷର, ଶବ୍ଦ ଓଡ଼ିଆରେ ଭାଷା ଶିକ୍ଷା ପ୍ରାରମ୍ଭ ବ୍ୟବସ୍ଥା ଅତ୍ୟନ୍ତ ବିଜ୍ଞାନ ସମ୍ମତ ଏବଂ ଉନ୍ନତ ମଧ୍ୟ।

ଯୁକ୍ତାକ୍ଷରଗୁଡିକର ତାତ୍ପର୍ଯ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯୁକ୍ତାକ୍ଷରଗୁଡ଼ିକର ଅପଭ୍ରଂଶ ଅଥବା ବନାନ୍‌ ଶୁଦ୍ଧ ନ ରଖିଲେ ତାହା ଉଚ୍ଚାରଣଗତ ଭୁଲ୍‌ ନହେଲେ ମଧ୍ୟ ନିହାତି ଭାଷାତତ୍ତ୍ବ ଅନୁଯାୟୀ ସମ୍ପୂର୍ଣ୍ଣ ଭୁଲ୍‌ ଅଟେ। କେଉଁଠାରେ ଏବଂ କାହିଁକି ଯୁକ୍ତାକ୍ଷର ଅନିବାର୍ଯ୍ୟ ତାହା ଶିକ୍ଷା ମାଧ୍ୟମରେ ଶୈଶବ ଅବସ୍ଥାରୁ ନହେଲେ ମଧ୍ୟ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସମୟରେ ପାଠ୍ୟକ୍ରମ ହିସାବରେ ଅନ୍ତର୍ଭୁକ୍ତ କରାଗଲେ ମାତୃଭାଷା ପ୍ରତି ପ୍ରୀତି ଏବଂ ପ୍ରଗାଢ଼ ଭାବ ସୃଷ୍ଟି ହେବ। ଭାବରୁ ଜ୍ଞାନ ବୃଦ୍ଧି ହେବ, ଫଳରେ ବନାନଗତ, ବର୍ଣ୍ଣ ଅଶୁଦ୍ଧ ଇତ୍ୟାଦି ରହିବ ନାହିଁ।

ସରଳ ଶବ୍ଦ, ପ୍ରତିଶବ୍ଦ ଏବଂ ବାକ୍ୟଗଠନ ଶୈଳୀ ମଧ୍ୟ ଭାବପୂର୍ଣ୍ଣ ଅଟେ। କଠିନ ଶବ୍ଦ ସବୁ ବିଶ୍ଳେଷଣ ସାପେକ୍ଷ। ଆଜିର ଯୁଗରେ ବାଲ୍ୟାବସ୍ଥାରୁ ଓଡ଼ିଆଭାଷା ଜ୍ଞାନ ନିରନ୍ତର ଶିକ୍ଷା ମାଧ୍ୟମରେ ବ୍ୟାପକ ହେବା ଆବଶ୍ୟକ। ନହେଲେ ଗୁଣାତ୍ମକମାନ ବୃଦ୍ଧି ଅଭାବରୁ କ୍ରମଶଃ ବ୍ୟବହାର କ୍ଷୀଣ ହୋଇ ହୋଇ ଓଡ଼ିଆ ଭାଷା ଅବକ୍ଷୟ ଅବସ୍ଥାର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବହୁଳ ବ୍ୟବହାର, କଥିତ ଏବଂ ଲିଖିତ ନହେଲେ ଓଡ଼ିଆ ଭାଷାର ଭବିଷ୍ୟତ ସଙ୍କଟାପନ୍ନ ହୋଇପାରେ। କଥନ, ଲିଖନ ବ୍ୟତୀତ ଆଲୋଚନା ଜରିଆରେ ଭାଷାର ବ୍ୟାପକତା ସମ୍ଭବ। ସରଳ କଥିତ ଭାଷା, ଉନ୍ନତ ଲିଖିତ ଭାଷା ଉଭୟ ଜରୁରୀ। କାବ୍ୟ, କବିତା, ରଚନା, ଗଳ୍ପ, ନାଟକ, ଏକାଙ୍କିକା ଇତ୍ୟାଦି ବିଷୟରେ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ସ୍ତରଯାଏ ବାଧ୍ୟତାମୂଳକ ପାଠ୍ୟକ୍ରମ ନ ରହିଲେ ବର୍ତ୍ତମାନ ପିଢ଼ି ମାତୃଭାଷା ଜ୍ଞାନରେ ଦୁର୍ବଳ ରହିବେ ନିଃସନ୍ଦେହ। ଆଗାମୀ ପିଢ଼ି କଥା ଦେଖିଛି କିଏ?

ଭାଷା ଏକ ଜାତିର ପରିଚୟ। ଏକ ଜାତିର ସଂଜ୍ଞା ତାହାର ସାହିତ୍ୟ ସର୍ଜନାରୁ ସ୍ପଷ୍ଟ ବାରିହୁଏ। ସମାଜ, ସଂସ୍କୃତି ଏବଂ ସାହିତ୍ୟ ଯେତେ ସମୃଦ୍ଧ ସେ ଜାତି ସେତେ ସୁଦୃଢ଼। ତାହାର ଅବସ୍ଥିତି ସେତିକି ପୁରାତନ କାଳରୁ ପ୍ରବହମାନ। ଭାଷାର ମଧୁରତା, ମନ ଭରି ଉପଭୋଗ ନକଲେ କଦାପି ବ୍ୟବହାର ବ୍ୟାପକ ହେବନାହିଁ। ବ୍ୟବହାରକାରୀ କମିଲେ ଅବସ୍ଥା ସଂକଟାପନ୍ନ ହୋଇଥାଏ।

ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସରଳ ଓଡ଼ିଆ ଭାଷାର ଆବଶ୍ୟକତା ଅନୁଭବ ହୁଏ। କିଛି ଛାତ୍ରଛାତ୍ରୀ ଅଳ୍ପ କଠିନ ଶବ୍ଦ ଉଚ୍ଚାରଣ କରିବାକୁ ଅସମର୍ଥ ଏବଂ ଅର୍ଥ ବୁଝିବାକୁ ମଧ୍ୟ ଅଜ୍ଞାନ। ଏହା ଭବିଷ୍ୟତ ନିମନ୍ତେ ସତର୍କବାଣୀ।

କିଛି ଯୁକ୍ତାକ୍ଷର ଏବଂ କିଛି ଶବ୍ଦ ସଂଯୋଜନା ତାତ୍ପର୍ଯ୍ୟ ବହନ କରିଥାଏ। ତାହା ଶିକ୍ଷା ମାଧ୍ୟମରେ ବ୍ୟାପକ ହେଲେ ଓଡ଼ିଆ ଭାଷା ଅତ୍ୟନ୍ତ ଲୋକପ୍ରିୟ ହୋଇପାରିବ। କାହିଁକି ଆମ୍ବ, ରମ୍ଭା, ଗମ୍ବୁଜ ଏବଂ ରତ୍ନ, ଯତ୍ନ, ତନ୍ତ ଏହିଭଳି ସମସ୍ତ ଶବ୍ଦ ବିଜ୍ଞାନ ସମ୍ମତ। ଶବ୍ଦ କୌଶଳ, ଭାଷା ବିଜ୍ଞାନ ଇତ୍ୟାଦି ବିଷୟରେ ଶିଶୁଙ୍କୁ ପଢ଼ାଇ ପଢ଼ାଇ ଶିକ୍ଷା ସ୍ତରର ଶେଷ ପର୍ଯ୍ୟନ୍ତ ହୃଦୟଙ୍ଗମ କରାଇଲେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ଏବଂ ଆଦର ବୃଦ୍ଧି ପାଇବ। ମାଆର ଭାଷା ହୃଦୟର ଭାଷା ହେବା ଆବଶ୍ୟକ। ମାତୃଭାଷାର ସାହିତ୍ୟ ଗନ୍ତାଘର ଜ୍ଞାନ ତତୋଽଧିକ ଗୁରୁତ୍ବପୂର୍ଣ୍ଣ ଅଟେ। ଏହା ହିଁ ଓଡ଼ିଆ ଜାତିର ଅସଲ ସମ୍ପଦ। ଏହା ସଦା ସର୍ବଦା ଏବଂ ଯୁଗ ପରେ ଯୁଗ ସୁରକ୍ଷିତ ରହିବା ନିହାତି ଆବଶ୍ୟକ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories