ଶ୍ରୀକ୍ଷେତ୍ରରେ ଶୀତଳଷଷ୍ଠୀର ଶୈବ ପରମ୍ପରା

ରମାକାନ୍ତ କର

ଶୈବ ପରମ୍ପରା ଅନୁସାରେ ଶିବ ହିମାଳୟ ରାଜକନ୍ୟା ପାର୍ବତୀଙ୍କୁ ବିବାହ କରିଥିବାରୁ ଏହାକୁ ‘ଶୀତଳଷଷ୍ଠୀ’ ଦିବସ କୁହାଯାଏ। ଏହି ଦିନ ଶିବ ରୁଦ୍ର ରୂପକୁ ତ୍ୟାଗକରି ପାର୍ବତୀଙ୍କ ପ୍ରଭାବରେ ଥଣ୍ଡା ବା ଶୀତଳ ହୋଇପଡ଼ିଥିବାରୁ ଏହି ଜ୍ୟୋଷ୍ଠ ମାସର ଶୁକ୍ଳଷଷ୍ଠୀକୁ ‘ଶୀତଳଷଷ୍ଠୀ’ କୁହାଯାଏ। ଶିବ ପୁରାଣ ଅନୁସାରେ ଧରାପୃଷ୍ଠରେ ‘ତାଡ଼କାସୁର’ ନାମକ ଏକ ପ୍ରତାପୀ ଅସୁର ବ୍ରହ୍ମାଙ୍କଠାରୁ ବରପାଇ ଅଧିକ ପରାକ୍ରମୀ ହୋଇଯିବା ଫଳରେ ଗର୍ବରେ ଅତ୍ୟାଚାରୀ ହୋଇ ପଡ଼ିଲା। ତା’ର ଅତ୍ୟାଚାରରେ ମାନବ ଓ ଦେବତା ଉଭୟେ ଅତିଷ୍ଠ ହୋଇ ପଡ଼ିଲେ। ଦେବତାମାନେ ଏହାକୁ ବିଷ୍ଣୁଙ୍କୁ ଜଣାଇ ସେହି ଅସୁରକୁ ନିପାତ କରିବାପାଇଁ ସ୍ତୁତି କଲେ ମଧ୍ୟ ବିଷ୍ଣୁ ତାକୁ ନିହତ କରିପାରିଲେ ନାହିଁ। କାରଣ ସେ ଶିବଙ୍କ ପୁତ୍ର ଦ୍ବାରା ନିହତ ହେବେ ବୋଲି ବ୍ରହ୍ମାଙ୍କଠାରୁ ବର ପାଇଥିଲା। ଶିବଙ୍କର ପ୍ରଥମପତ୍ନୀ ସତୀଙ୍କ ମୃତ୍ୟୁ ପରେ ଶିବ ସନ୍ତାନହୀନ ହୋଇ ସନ୍ନ୍ୟାସ ଗ୍ରହଣ କରି ଅରଣ୍ୟରେ ତପସ୍ୟା କରି ବସିଲେ। ତାଡ଼କାସୁରର ଅତ୍ୟାଚାର ବଢ଼ିବଢ଼ି ଚାଲିଲା। ବିଷ୍ଣୁ ଦେବତାମାନଙ୍କୁ ଶକ୍ତିଙ୍କୁ ଧ୍ୟାନ କରିବାକୁ କହିବାରେ ଦେବତାମାନଙ୍କ ଧ୍ୟାନରୁ ଶକ୍ତି (ପାର୍ବତୀ) ଜାତ ହେଲେ। ଶିବ ଓ ପାର୍ବତୀଙ୍କ ବିବାହ ଦିବସକୁ ‘ଶୀତଳଷଷ୍ଠୀ’ ଓ ତାଙ୍କ ଔରସରୁ କାର୍ତ୍ତିକମାସ ପଞ୍ଚୁକ ପ୍ରଥମ ଦିବସରେ କାର୍ତ୍ତିକଙ୍କ ଜନ୍ମ ହେବାରେ କାର୍ତ୍ତିକ ସେହି ତାଡ଼କାସୁରକୁ ବଧ କଲେ। ଏଣୁ ଏହି କାର୍ତ୍ତିକମାସର ପ୍ରଥମ ଦିବସରେ କାର୍ତ୍ତିକେଶ୍ବରଙ୍କର ମୃଣ୍ମୟମୂର୍ତ୍ତି ପୂଜାର ପରମ୍ପରା ରହି ଆସିଛି। ଶୀତଳଷଷ୍ଠୀ ପାଳନ ଶ୍ରୀକ୍ଷେତ୍ରରେ ପ୍ରଥମ। ପରେପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ତ୍ତିକେୟ ପୂଜା ପାଇଲେ। ବିଶେଷତଃ ଓଡ଼ିଶାରେ ଶୀତଳଷଷ୍ଠୀ ପୁରୀ ଶ୍ରୀକ୍ଷେତ୍ର ଓ ସମ୍ବଲପୁରରେ ସ୍ବତନ୍ତ୍ର ଭାବରେ ପାଳିତ ହୋଇଆସୁଛି।

ଶ୍ରୀକ୍ଷେତ୍ରରେ ଶୀତଳଷଷ୍ଠୀ ପାଳନ ପ୍ରାୟ ୧୨ଶ ଶତାବ୍ଦୀରୁ ଆରମ୍ଭ ବୋଲି ମନେହୁଏ। ସମ୍ବଲପୁରରେ ଶୀତଳଷଷ୍ଠୀ ପ୍ରାୟ ୧୪ଶ ଶତାବ୍ଦୀରେ ଛତ୍ରପତି ମହାରାଜ ବୀର ବଳୀୟାର ସିଂଙ୍କ ରାଜତ୍ବ କାଳରେ ବୋଲି ପ୍ରମାଣ ମିଳେ। ସେହି ଛତ୍ରପତି ମହାରାଜାଙ୍କ ନିମନ୍ତ୍ରଣ କ୍ରମେ ପୁରୀରୁ କେତେକ ବ୍ରାହ୍ମଣ ଯାଇ ନନ୍ଦଗ୍ରାମରେ ରହିଲେ। ସେମାନଙ୍କ ଦ୍ବାରା ସମ୍ବଲପୁରରେ ଶୀତଳଷଷ୍ଠୀର ପରମ୍ପରା ଆରମ୍ଭ କରାଗଲା। ଶ୍ରୀକ୍ଷେତ୍ରରେ ଶୀତଳଷଷ୍ଠୀ ଦିନ ପ୍ରତ୍ୟେକ ଶିବ ମନ୍ଦିରରେ ଶିବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିଶେଷତଃ ଚନ୍ଦନଯାତ୍ରାରେ ଯୋଗ ଦେଉଥିବା ପଞ୍ଚ ପାଣ୍ଡବ ଯୁଧିଷ୍ଠିର- ଜମେଶ୍ବର, ଭୀମ-ଶ୍ରୀ ଲୋକନାଥ, ଅର୍ଜୁନ- ଶ୍ରୀମାର୍କଣ୍ଡେଶ୍ବର, ନକୁଳ-କପାଳମୋଚନ, ସହଦେବ-ନୀଳକଣ୍ଠେଶ୍ବର। ଏହି ପାଞ୍ଚଜଣଙ୍କ ମଧ୍ୟରୁ ହରିହର ଶ୍ରୀ ଯମେଶ୍ବର ପ୍ରଥମ ଓ ପ୍ରଧାନ।

ଗୌରବାଟ ସାହିରେ ଶିବ ବିବାହ ନୀତି ମହା ଆଡ଼ମ୍ବରରେ ପାଳିତ ହୁଏ। ଏଥିପାଇଁ ଗୌରବାଟ (ଗୌଡ଼ବାଡ଼)ସାହି, ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହିରେ ପିଲାମାନେ ପ୍ରତିଦ୍ବାରେ କୁଣ୍ଢାଇ ବସାଇ ଥାଆନ୍ତି। ସମ୍ମୁଖରେ ପାହାଡ଼, ଝରଣା ଇତ୍ୟାଦି ଚିତ୍ରକରି ସୁସଜ୍ଜିତ ଭାବରେ ଶିବଙ୍କୁ ବସାଇ ରବର ପାଇପ୍‌ ମାଧ୍ୟମରେ ଶିବଙ୍କ ମୁଣ୍ଡରୁ ପାଣି କାଢ଼ି ଏକ ପଲମ ମଧ୍ୟରେ ପାଣିକୁ ପକାଇ ସେହି ପାଣିରେ ହଂସ ଭସାଇ ଆକର୍ଷିତ କରନ୍ତି। ଚାରିଆଡ଼ ଆଲୋକରେ ସଜ୍ଜିତ ହୋଇ ରଙ୍ଗବେରଙ୍ଗ ଦେଖାଯାଏ। ‘ଜୟ ଜୟ’ ଗୀତ ଗାଇ ସେବକ ଓ ଭକ୍ତମାନେ ଶ୍ରୀ ଯମେଶ୍ବରଙ୍କୁ ବିମାନରେ ଧରି ଆଗକୁ ଓ ପଛକୁ ଦୋହଲାଇ ନିଅନ୍ତି। ଏହାକୁ ‘ଯମେଶ୍ବର ଦୋହଲ’ କୁହାଯାଏ। ଏହିପରି ପଞ୍ଚପାଣ୍ଡବ ନଗର ପରିକ୍ରମା କରି ସାହି, ଗଳି, କନ୍ଦିରେ ପନ୍ତିଭୋଗ ଖାଇ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି। ଶ୍ରୀମନ୍ଦିରର କାଶୀ ବିଶ୍ବନାଥଙ୍କ ମନ୍ଦିର ପାର୍ଶ୍ବରେ ପାହାଚ ମାନଙ୍କରେ ପଞ୍ଚପାଣ୍ଡବଙ୍କ ବିମାନ ରଖାଯାଏ। ପ୍ରଭୁ ବିଶ୍ରାମ ନିଅନ୍ତି। ମାଜଣା ମଣ୍ଡପରେ ବସି ଲକ୍ଷ୍ମୀଙ୍କ ଦ୍ବାରା ବନ୍ଦାପନା କରାଯାଏ। ଶିବ ଓ ପାର୍ବତୀ ଉଭୟଙ୍କର ବନ୍ଦାପନା ପରେ ଭୋଗ ହୁଏ। ଶ୍ରୀମନ୍ଦିରରେ ରାତ୍ରିଯାପନ କରି ସକାଳେ ପଞ୍ଚପାଣ୍ଡବ ନିଜନିଜ ବିମାନରେ ବସି ନଗର ପରିକ୍ରମା କରି ନିଜ ଆସ୍ଥାନକୁ ଫେରିଯାଆନ୍ତି। ଏହି ସମୟରେ ଘଣ୍ଟ, ଘଣ୍ଟା, ବାଣ, ବାଦ୍ୟ ଇତ୍ୟାଦି ଶବ୍ଦରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୁଏ। ଚାରିଆଡ଼ ଶିବମୟ ଦେଖାଯାଏ। ଏହି ଶୀତଳଷଷ୍ଠୀ ଓ ଶିବ ବିବାହ ପରମ୍ପରା ଅଦ୍ୟାବଧି ଶ୍ରୀକ୍ଷେତ୍ରରେ ପ୍ରଚଳିତ ଅଛି।

Comments are closed.