www.samajalive.in
Tuesday, December 9, 2025
15.1 C
Bhubaneswar

ଆମ ଇତିହାସ ଆମକୁ ଗାଇବାକୁ ହେବ

ଆଜ୍ଞା ତରକାରିଟା ଖାଇବା ଯେତେବେଳେ କାହାକୁ ନା କାହାକୁ ବେସରତକ ବାଟିବାକୁ ପଡିବ। ବଡ ବଡ ଫସର ଫାଟିଲେ ବୋଲି ସାନମାନେ ଯଦି ଆଗକୁ ନ ବାହାରନ୍ତି ତାହେଲେ ଆମ ତରକାରି ଖିଆଟା ହେଇପାରିବନି। ଏଇ ଯେମିତି କିଛି ଦିନ ତଳେ ଭାରତର ଜଣେ ବଡ ଶିଳ୍ପପତି ତାଙ୍କ ଟ୍ୱିଟରରେ ଇତିହାସରୁ ପ୍ରସଙ୍ଗଟିଏ ପରଷିଲେ ଯାହା ତୁଣ୍ଡ ବାଇଦ ଭଳି ଦେଶ ସାରା ଖେଳିଗଲା। ପଢିଲା ଲୋକେ ଚମତ୍କୃତ ପୁଲକିତ ହେଇ ଆଉ ଦଶ ଜଣଙ୍କୁ ତାହା ବାଣ୍ଟିଲେ। ଶିଳ୍ପପତି ଜଣକ ଲେଖିଲେ ଯେ ଆମ ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟର ସମୁଦ୍ର ପାରି ଦେଶମାନଙ୍କୁ ଯୁଦ୍ଧ ଓ ବାଣିଜ୍ୟ ଅଭିଯାନ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡୁଛି ଓ ମନରେ ଗର୍ବ ଆସୁଛି। କଥାଟି ଭାରତୀୟ ଭାବରେ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ନିଶ୍ଚିତ; କିନ୍ତୁ ଜଣେ ଓଡ଼ିଆ ଭାବରେ ମୋ ମନରେ ଆସିଲା ଯେ କାହିଁ କେହି କଳିଙ୍ଗ ସାମ୍ରାଜ୍ୟ ବାବଦରେ ଏଇଭଳି କଥାଟିଏ କହୁ ନାହିଁ ତ?

ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଘଟଣାଟି ଘଟିଥିଲା ଖ୍ରୀଷ୍ଟପୂର୍ବ ୨୬୧ ରେ ଓ ଚଣ୍ଡାଶୋକ ଧର୍ମାଶୋକ ହୋଇ ନିଜ ପୁତ୍ର କନ୍ୟାଙ୍କୁ କଳିଙ୍ଗର ସାଧବମାନଙ୍କ ବୋଇତରେ ବୁଦ୍ଧଙ୍କ ବାଣୀ ପ୍ରଚାର ପାଇଁ ସିଂହଳ ପଠାଇବା କଥା ଆମେ ସମସ୍ତେ ଜାଣିଛନ୍ତି। କଳିଙ୍ଗ ସାଧବମାନେ ଦରିଆ ପାରି ଜାଭା ବୋର୍ଣ୍ଣିଓ ସୁମାତ୍ରା ଆଦି ଦେଶକୁ ଯିବା ଘଟଣା ଆମେ ଘରେ ଘରେ ଜାଣୁ ଓ ପ୍ରତିବର୍ଷ ବୋଇତ ଭସାଇବା ଓ ବାଲି ଯାତ୍ରା ପାଳିବାରେ ଏଇ କଥାକୁ ମନେ ପକାଉ। ଓଡ଼ିଶା ଯେ ଉତ୍କୃଷ୍ଟ କଳା ପାଇଁ ଉତ୍କଳ ନାମରେ ବିଖ୍ୟାତ ଥିଲା ତା ବି ଆମେ ଜାଣୁ। ଅଥଚ ୯୫୦ AD(ନବମ ଶତାବ୍ଦୀ) ରେ ଖ୍ୟାତ ଚୋଳମାନଙ୍କୁ ନେଇ ଗର୍ବ କଲା ବେଳେ ତା’ର ଏକ ହଜାର ବର୍ଷ ପୂର୍ବର କଳିଙ୍ଗ ସାମ୍ରାଜ୍ୟ କଥା କେମିତି ଓଡ଼ିଶା ବାହାରେ ଅଜଣା ଅଶୁଣା ହେଇ ରହିଛି ? ଏମିତି ନୁହେଁ ତ ଯେ ଚୋଳମାନେ କଳିଙ୍ଗ ଜୟ ଉତ୍ତାରୁ ଏଇ ସାମୁଦ୍ରିକ କୌଶଳ ସବୁ ଶିଖି ଆମଠୁ ଅଧିକା ନାଁ କମେଇଲେ ?

- Advertisement -

ଏଇଠି ଆସୁଛି ଫସର ଫାଟିବାର କଥା। ଆମେ ଓଡ଼ିଆଏ ନିଜ କୃତିକୁ ନେଇ କେବେ ବି ମୁଖର ହୋଇ ଆଲୋଚନା କରିନାହୁଁ। ଅନ୍ୟମାନେ ନିଜ ଇତିହାସର ଛୋଟରୁ ଛୋଟ ଘଟଣାକୁ ବଡରୁ ବଡ ଭାବେ ଦର୍ଶାଇ ହାଲ୍ଲା କରିବା ବେଳେ ଆମେ ନିଜ ବିଷୟରେ ବାହାର ଲୋକଙ୍କୁ କହିବା ଛାଡ, ନିଜ ପର ପିଢ଼ିଙ୍କୁ ବି କହିବାରେ କାର୍ପଣ୍ୟ ଅନୁଭବ କରୁଛୁ। ଆମର ଇତିହାସକାରମାନେ କଳିଙ୍ଗ ବା ଉତ୍କଳର ଗାଥାକୁ ବିଶ୍ୱ ଦରବାରରେ ଜାହିର କରିବାରେ ଯୋଉ ଭଳି ମୁଖର ବା ପ୍ରଗଳ୍ଭ ହେବା କଥା ତାହା କରିନାହାନ୍ତି। ତେଣୁ ବାଧ୍ୟ ହୋଇ ଆମ ଭଳି ସାନ ଓ ଇତିହାସର ‘ଇ’ ଅକ୍ଷର ବିଷୟରେ ଜ୍ଞାନଶୂନ୍ୟ ଲୋକ ଓଡ଼ିଶା ଇତିହାସ ଭଳି କ୍ଲିଷ୍ଟ ବିଷୟରେ ଆଲୋଚନା କରିବାକୁ ବା ବେସର ବାଟିବାକୁ ଆଗ୍ରହୀ। କିଛି ନହେଲେ ବି ଆମ ପର ପିଢ଼ି ଆମ ଗୌରବ ମଣ୍ଡିତ ରାଜ୍ୟ ବିଷୟରେ ଟିକେ ତ ଜାଣିବ।

ଓଡ଼ିଶା, କଳିଙ୍ଗ, କୋଶଳ, ଉତ୍କଳ , ଉଡ୍ର , ଓଡ୍ର ବିଷୟରେ ଆମେ ଯେଉଁ ତଥ୍ୟସବୁ ପଢୁ ବା ଜାଣୁ ସେସବୁ ସର୍ବଭାରତୀୟ ସ୍ତରର ଇତିହାସକାରମାନେ କେତେଦୂର ତାଙ୍କ ଲେଖାରେ ଫୁଟାନ୍ତି ? ଅନେକ ଜାତୀୟ ସ୍ତରରେ ଇତିହାସ ଲେଖକମାନେ ଲେଖିଥିବା ମୋଟା ମୋଟା ଅଭିଧାନରେ ଓଡ଼ିଶା ବିଷୟରେ ଗୋଟିଏ ଗୋଟିଏ ପାରାଗ୍ରାଫରେ କାମ ସାରି ଦେଇଛନ୍ତି ଓ ଆଉ ଜଣେ ଲେଖକ ଭାରତୀୟ ନୌବାଣିଜ୍ୟ ବିଷୟ ରେ ଗ୍ରନ୍ଥ ଲେଖି ଓଡ଼ିଶାର ନୌବାଣିଜ୍ୟ ଓ ସାମୁଦ୍ରିକ ନୌଚାଳନା କୌଶଳ ବିଷୟରେ ଫୁଟନୋଟରେ ଧାଡ଼ିଏ ଧାଡ଼ିଏ ଲେଖି ଅନ୍ୟମାନଙ୍କ ବିଷୟ ରେ ସ୍ୱତନ୍ତ୍ର ପରିଚ୍ଛଦମାନ ଲେଖିଛନ୍ତି। ବରଂ ଧନ୍ୟ କହିବା ସେଇ ଅନେକ ଅଣଭାରତୀୟ ଇତିହାସକାରମାନଙ୍କୁ ଯେଉଁମାନେ ଓଡ଼ିଶା ବିଷୟରେ ତାଙ୍କ ଗବେଷଣାଲବ୍ଧ ତତ୍ତ୍ବ ସବୁ ଲିପିବଦ୍ଧ କରୁଥିବାରୁ। ନଚେତ୍‌ ଆମର ନୀରବତା ଓ ନିସ୍ପୃହତାର ସୁଯୋଗ ନେଇ ଆମ କୃତି ସବୁକୁ ଆମ ପଡୋଶୀମାନେ ପୂରା ଗିଳିଯାନ୍ତେ ।
ବିଶାଖାପାଟଣାର କଳିଙ୍ଗପଟ୍ଟନମ ସାମୁଦ୍ରିକ ମ୍ୟୁଜିଅମକୁ ଯାନ୍ତୁ । ଓଡ଼ିଶା ବିଷୟରେ ସେଠାରେ ଗୋଟିଏ ମାତ୍ର ବସ୍ତୁ ପ୍ରଦର୍ଶିତ ହୋଇଛି ତା ହେଲା ଜଣେ ରାଜା କିପରି ନଦୀରେ ଡଙ୍ଗାରେ ନୌବିହାର କରୁଛନ୍ତି । ତା ବ୍ୟତୀତ କଳିଙ୍ଗପଟ୍ଟନମ୍‌ ଯେ ପ୍ରାଚୀନ ଓଡ଼ିିଶାର ହିଁ ନାମ ଥିଲା ତାହା କୁହାଯାଇ ନାହିଁ । ବରଂ କଳିଙ୍ଗାନ୍ଧ୍ରା ବୋଲି ଏକ ନୂତନ ଶବ୍ଦ ପ୍ରୟୋଗ କରି ସମସ୍ତ ଇତିହାସକୁ ଆନ୍ଧ୍ର ସାଙ୍ଗେ ଯୋଡ଼ା ଯାଇଛି ।

କିଛି ଦିନ ତଳେ ଭୁବନେଶ୍ୱରରେ ଓଡିଶା-ଶ୍ରୀଲଙ୍କା ସମ୍ପର୍କିତ ଏକ ଆନ୍ତର୍ଜାତୀୟ କର୍ମଶାଳାର ୟୁଟ୍ୟୁବ ଭିଡିଓରେ ଶ୍ରୀଲଙ୍କାର ପ୍ରାଧ୍ୟାପକମାନେ ସେମାନଙ୍କ ଦେଶର ପ୍ରାଚୀନତମ ରାଜା ବିଜୟ ଯେ କଳିଙ୍ଗରୁ ଯାଇଥିଲେ ସେ ବିଷୟରେ ଉଲ୍ଲେଖ କରିଥିବା ଶୁଣିବାକୁ ପାଇଛି। କିନ୍ତୁ ବିଶାଖାପାଟନମ୍‌ର ସେହି ମିଉଜିଅମରେ ରାଜା ବିଜୟଙ୍କ ବର୍ଣ୍ଣନା ପଢ଼ିଲେ ଲାଗିବ ଯେମିତି ସେ ଆନ୍ଧ୍ରପ୍ରଦେଶରୁ ସିଂହଳକୁ ଯାଇ ବସତି ସ୍ଥାପନ କରିଥିଲେ । କଲିକତାରୁ ୧୯୧୦ରେ ପ୍ରକାଶିତ ଏକ ପୁସ୍ତକ :‘ଇଣ୍ଡିଆନ ଶିପିଙ୍ଗ’ ରେ ରାଜା ବିଜୟ ବଙ୍ଗଳାରୁ ଯାଇ ସିଂହଳ ବିଜୟ କରଥିଲେ ବୋଲି ଉ​‌େ​‌ଲ୍ଲଖ ଅଛି ।

ଯେଉଁ ସବୁ ଗୌରବ କଳିଙ୍ଗବାସୀମାନଙ୍କ ପ୍ରାପ୍ୟ ତାହା ଆମ ଦେଶର ଐତିହାସିକମାନେ ଆପଣା ଆପଣା ରାଜ୍ୟର ନାଁ କରାଇ ନେବା ଚେଷ୍ଟା କରି ସଫଳ ମଧ୍ୟ ହୋଇଛନ୍ତି । ତା’ର ଏକମାତ୍ର କାରଣ ହେଉଛି ଆମେ ନିଜେ ଆମର ଇତିହାସ ଗାଇବାରେ ନିସ୍ପୃହ।

ସୌଭାଗ୍ୟର କଥା ବିଦେଶୀ ଐତିହାସିକମାନେ ଆମ ବିଷୟରେ ଲେଖିବା ବେଳେ ଅନେକ ଅରୁଚିକର ମନ୍ତବ୍ୟ ଦେବା ବେଳେ ଅନେକ ଭଲ କଥା ମଧ୍ୟ ଲେଖି ଯାଇଛନ୍ତି, ଯେଉଁଥିପାଇଁ ଆମ ଦେଶୀ ଇତିହାସକାରମାନେ କଳିଙ୍ଗ ଓଡିଶାର ପ୍ରାପ୍ୟ ଗୌରବକୁ ସମୂଳ ଆତ୍ମସାତ୍‌ କରିପାରି ନାହାନ୍ତି।

ଏଇ ଯେମିତି ଏକ ବିଦେଶୀ ପୁସ୍ତକ ‘ଫୋକ ଟେଲ୍‌ସ ଅଫ ସେଲୋନ (ସେଲୋନ ର ଲୋକକଥା)‘ ବହି ର ୩୮ ପୃଷ୍ଠା ରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ ରାଜା ବିଜୟ କଳିଙ୍ଗର ସିଂପୁର ନାମକ ଏକ ସ୍ଥାନରୁ ସିଂହଳକୁ ଯାଇଥିଲେ।
ଉଇଲିୟମ ହଣ୍ଟରଙ୍କ ଲିଖିତ ଓଡ଼ିଶା ସମ୍ପର୍କିତ ପୁସ୍ତକର ପ୍ରଥମ ପୃଷ୍ଠାରେ ମହାଶୟ ଜଣକ ଓଡ଼ିଆଙ୍କ ଚରିତ୍ର ଓ ଗରିମା ବିଷୟରେ ଯେଭଳି ବର୍ଣ୍ଣନା ଦେଇଛନ୍ତି ତା ପଢିଲେ ଲଜ୍ଜ୍ୟାରେ ମୁଣ୍ଡ ତଳକୁ ହୋଇଯିବ, କିନ୍ତୁ ଯେଉଁ ଯେଉଁ କୃତି ଗୁଡିକ ପାଇଁ ଓଡ଼ିଶାର ଲୋକେ ହକ୍‌ଦାର ତା ସେ ଉଲ୍ଲେଖ କରିବା ପାଇଁ ପଛାଇ ନାହାନ୍ତି। ନହେଲେ ସେତକ କୃତିକୁ ବି ଆମ ପଡୋଶୀ ମାନେ ନିଜ ନାଁ ରେ କରାଇ ନେଇଥାନ୍ତେ।

ମନେ ଅଛି ତ ଓଡ଼ିଆ ଭାଷା ପାଇଁ ସେହି ସନ୍ଧିକ୍ଷଣର କଥା ଯେତେବେଳେ ‘ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ’ ଭଳି ଏକ ଦୁରଭିସନ୍ଧି ପୂର୍ଣ୍ଣ ପ୍ରଳାପ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ପ୍ରଚାର କରିବାରେ ଲାଗିଥିଲେ ? ପ୍ରଣାମ ସେହି ମହାମନୀଷୀମାନଙ୍କୁ ଯାହାର ଜୋରଦାର ବିରୋଧ ଓ ଓଡ଼ିଆ ଭାଷାର ମୌଳିକତା ଓ ପ୍ରାଚୀନତାକୁ ଜାହିର କରିବାର ପ୍ରୟାସକୁ ଯାହା ଫଳରେ ଆଜି ଓଡ଼ିଆ କେବଳ ଏକ ଭାଷା ନୁହେଁ, ଏକ ମାନ୍ୟତାପ୍ରାପ୍ତ ଭାରତୀୟ ମୌଳିକ ଭାଷା ଭାବେ ସ୍ୱୀକୃତି ପାଇଛି। ସେହି ପ୍ରଚେଷ୍ଟାରେ ଯଦି ଓଡିଆଭାଷାରେ ପାରଦର୍ଶିତା ଥିବା ଜନ୍‌ ଵିମସ୍‌ଙ୍କ ଭଳି ବିଦେଶୀ ଅଧିକାରୀଙ୍କ ଶାଣିତ ଯୁକ୍ତି ମିଶି ନଥାନ୍ତା ହୁଏତ ଭାଷା ଲଢେଇରେ ଆମେ ହାରିଯାଇ ଆଜି ବଙ୍ଗାଳି ଭାଷାକୁ ପଢ଼ୁଥାନ୍ତେ। ଆଜି କିନ୍ତୁ ସମୟ ଆସିଛି ଯେ ଆମ ଭଳି ସାଧାରଣ ଲୋକେ ଓଡ଼ିଆ ଭାଷା ର ବ୍ୟବହାର, ଓଡ଼ିଆ ପତ୍ରପତ୍ରିକା ବହି କିଣିବା ଓ ଓଡ଼ିଆ ଭାଷାରେ ନିଜ ନିଜ କୃତିକୁ ପ୍ରକାଶିତ ନ କଲେ ଆମ ଭାଷା ହୁଏତ କ୍ରମଶଃ ଲୁପ୍ତ ହୋଇଯିବ।

ଇଣ୍ଡୋନେସିଆ ଗସ୍ତ କାଳରେ ଓଡ଼ିଆ ସାଧବମାନଙ୍କ ନୌବାଣିଜ୍ୟ କଥା ଓ ତାର ସ୍ମରଣରେ କଟକ ସହରରେ ପ୍ରତିବର୍ଷ ପାଳିତ ବାଲିଯାତ୍ରା କଥା ଭାରତର ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ସ୍ଥାନ ଦେଇଥିବାରୁ ଆମ ଓଡ଼ିଆଏ ନିଶ୍ଚିତ ରୂପେ ତାଙ୍କ ନିକଟରେ କୃତଜ୍ଞ । ଅନ୍ତତଃ ଇଣ୍ଡୋନେସିଆ ସହ ଭାରତର ସାମୁଦ୍ରିକ ସମ୍ପର୍କ ବିଷୟରେ ବ୍ୟାଖ୍ୟା କରିଲା ବେଳେ ଆମ ଓଡ଼ିଆଙ୍କ ଇତିହାସକୁ ଆଉ କେହି ଅଣଦେଖା କରିବେ ନାହିଁ ବୋଲି ଆଶା ।

କୋଣାର୍କ ମନ୍ଦିରରେ ଗାଇଡ଼ମାନେ ଯାତ୍ରୀମାନଙ୍କୁ ମନ୍ଦିର ବୁଲାଇବା ବେଳେ ବଙ୍ଗୋପସାଗର ବିଷୟରେ କହିଥାନ୍ତି । ଅଥଚ ଦିନେ, ବିଶେଷ କରି କୋଣାର୍କ ନିର୍ମାଣ ସମୟରେ ତାହା କଳିଙ୍ଗ ସାଗର ବା ମହୋଦଧି ନାଁରେ ଜଣାଥିଲା। ଏବେ ତ ଓଡିଶା ସରକାର ବଙ୍ଗୋପସାଗର ନାଁ କୁ ବଦଳାଇ କଳିଙ୍ଗ ସାଗର କରିବା ପାଇଁ ମନସ୍ଥିର କଲେଣି। ମୋଗଲମାନଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ର ରେ ତାହା ମହୋଦଧି, କଳିଙ୍ଗୋଦଧି ଭାବରେ ଦର୍ଶାଯାଇଛି। ଯଦି କୋଣାର୍କ ବୁଲିଆସୁଥିବା ସମସ୍ତ ଯାତ୍ରୀଙ୍କୁ ଗାଇଡ଼ମାନେ ବଙ୍ଗୋପସାଗର ଜାଗାରେ ଏହି ମହୋଦଧି ବିଷୟରେ କୁହନ୍ତେ ତା’ ହେଲେ ଏ ବିଷୟରେ ସଚେତନତା ସୃଷ୍ଟି ହୁଅନ୍ତା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories