ଓଡ଼ିଶାରେ କୃଷକର କ’ଣ ଆବଶ୍ୟକ?
କିଶୋର ସାମଲ
ସାଂପ୍ରତିକ ସମୟରେ, କୃଷି ଓ ଏହାର ସଂପୃକ୍ତ କ୍ଷେତ୍ରରେ ସରକାରଙ୍କର ପୁଞ୍ଜିନିବେଶ କମି କମି ଯାଉଛି। ବିଶେଷତଃ, କେନାଲ ଜଳସେଚନ, ଶୀତଳ ଭଣ୍ଡାର, ଯୋଗାଣ ଶୃଙ୍ଖଳ, କୃଷି ବଜାର ଭିତ୍ତିଭୂମିରୁ ସରକାର ଦୂରେଇ ଯାଉଛନ୍ତି। ଓଡ଼ିଶାରେ କେନାଲ ଜଳସେଚନରେ ସରକାରଙ୍କର ପୁଞ୍ଜି ନିବେଶ ଅତ୍ୟନ୍ତ ନିରୁତ୍ସାହଜନକ; କିନ୍ତୁ କେନାଲ ଜଳସେଚନ ଦ୍ବାରା ଧନୀ ଏବଂ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଗରିବ ଚାଷୀ ଉପକୃତ ହୋଇପାରିବେ। ଜଣେ ଗରିବ ଚାଷୀ, ଖୁବ୍ କମ୍ ଜମି ଥିଲେ ମଧ୍ୟ କମ୍ ଖର୍ଚ୍ଚରେ ଚାଷ କରିପାରିବ।
ଚାଷୀ ପାଖରେ ଚାଷ ଜମି ରହିଲେ, ସେ ଚାଷ କରି, ସଶକ୍ତ ହୋଇପାରିବ; କିନ୍ତୁ ଓଡ଼ିଶାରେ ଅଧିକ କେବଳ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ଶିଳ୍ପ ଗଢ଼ି ଉଠୁଥିବାରୁ ଚାଷୀମାନଙ୍କ ହାତରୁ ତାଙ୍କର ଚାଷଜମି ଚାଲି ଯାଉଛି। ଯାହା କିଛି ଚାଷ ଜମି ଅଛି, ଯେହେତୁ ଚାଷରୁ ବିଶେଷ କିଛି ଲାଭ ହେଉ ନାହିଁ, ଉତ୍ପାଦିତ ଶସ୍ୟର ସନ୍ତୋଷଜନକ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି ହେଉନାହିଁ, ଋଣ ଯୋଗାଣ, ରିଆତି ଅର୍ଥ ଏବଂ ସାର, ବିହନ, କୀଟନାଶକ ଭଳି କୃଷି ଉତ୍ପାଦନ ସାମଗ୍ରୀ ଯୋଗାଣ, ଆନୁଷ୍ଠାନିକ ସଂସ୍ଥାରୁ ଠିକ୍ ସମୟରେ, ଠିକ୍ ପରିମାଣରେ, ଠିକ୍ ମୂଲ୍ୟରେ ମିଳୁନାହିଁ, ଅଧିକାଂଶ କ୍ଷେତ୍ରରେ ଗରିବ ଚାଷୀ, ନିଜେ ଚାଷ ନକରି ନିଜ ଚାଷଜମିକୁ ପଡ଼ିଆ ପକାଇ ଦେଉଛନ୍ତି କିମ୍ବା କେତେକ କ୍ଷେତ୍ରରେ ଇଟାଭାଟି ଭଳି ଅଣ-କୃଷି କ୍ଷେତ୍ରରେ ଉପଯୋଗ କରୁଛନ୍ତି। ଲଗାତାର ଚାଷ ଜମିର ଖଣ୍ଡଖଣ୍ଡ ହୋଇ ପୁନଃବିଭାଜନ ହେଉଥିବାରୁ ଚାଷ ଜମିର ହାରାହାରି ଆକାର କମିବାକୁ ଲାଗିଛି। ଖଣ୍ଡବିଖଣ୍ଡିତ ଚାଷ ଜମି ସମଷ୍ଟିଭୁକ୍ତ ଠିକ୍ ଭାବରେ ହୋଇ ପାରି ନଥିବାରୁ କୃଷିର ଠିକ୍ ଯନ୍ତ୍ରୀକରଣ ହୋଇପାରୁନାହିଁ। ଅର୍ଥନୈତିକ ଓ ସାମାଜିକ ଅବସ୍ଥା ଅତ୍ୟନ୍ତ ଖରାପ ହେବାରୁ ବାଧ୍ୟହୋଇ ଗରିବଚାଷୀ ଓ କୃଷି ଶ୍ରମିକ ଗ୍ରାମଛାଡ଼ି ସହରର ବିଧିହୀନ କ୍ଷେତ୍ରକୁ କିମ୍ବା ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ସ୍ଥାନାନ୍ତର ହେଉଛନ୍ତି।
ରାଜ୍ୟରେ କୌଣସି ଶସ୍ୟ ବିଭିନ୍ନତା ନାହିଁ। ଚାଷ କହିଲେ ଧାନଚାଷ। ଓଡ଼ିଶାରେ ସରକାର ଆଳୁ ମିଶନ୍ ଭଳି ଅନେକ ମିଶନ୍ କଲେ ମଧ୍ୟ, ତାହା ଫଳପ୍ରଦ ହେଉନାହିଁ। ଧାନଚାଷ କ୍ଷେତ୍ରରେ ପୂର୍ବରୁ ପ୍ରାୟ ୧୦୦୦ ପ୍ରକାରରୁ ଅଧିକ ଧାନ ବିହନ ରାଜ୍ୟରେ ଥିଲା ଏବଂ ଜମିର ଅବସ୍ଥିତି ଅନୁସାରେ ବିଭିନ୍ନ ପ୍ରକାର ଧାନ ବିହନ ବ୍ୟବହାର ହେଉଥିଲା। ତେଣୁ ଚାଷୀ ସମସ୍ତ ପ୍ରତିକୂଳ ସ୍ଥିତିକୁ ସମ୍ମୁଖୀନ ହେବାକୁ ସକ୍ଷମ ହେଉଥିଲା; କିନ୍ତୁ ବର୍ତ୍ତମାନ ସମୟରେ ଗୋଟେ, ଦୁଇ ପ୍ରକାର ଉଚ୍ଚ ଉତ୍ପାଦନକ୍ଷମ ବିହନ ଧାନଚାଷ ପାଇଁ ବ୍ୟବହାର କରାଯାଉଛି। ଯଦି କୌଣସି କାରଣରୁ ପୋକ, କୀଟ କିମ୍ବା ଅନ୍ୟ କିଛି ପାଇଁ ବିପତ୍ତି ଦେଖାଦେଲା, ତାହା ହେଲେ, ବିସ୍ମୃତ ଅଞ୍ଚଳରେ ଫସଲ ନଷ୍ଟ ହୋଇଯାଉଛି। କୃଷକ ମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡ଼ୁଛି।
ଅବଶ୍ୟ ବନ୍ୟା, ଅନିୟମିତ ବର୍ଷା, ମରୁଡ଼ି ଓ ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରିବେଶ ନଷ୍ଟ ହେବା ଦ୍ବାରା ଆମ ରାଜ୍ୟର କୃଷି ଉତ୍ପାଦନ ଉପରେ କୁପ୍ରଭାବ ପଡ଼ୁଛି। କେତେକ ଶିଳ୍ପରୁ ନିର୍ଗତ ବିଷାକ୍ତ ପଦାର୍ଥ ପାଇଁ, ତା’ର ଆଖପାଖରେ ଥିବା ଚାଷ ଜମି ଗୁଡ଼ିକ ପ୍ରଦ୍ୟୂଷିତ ହେଉଛି ଓ ତାହାର ଉତ୍ପାଦିକା ଶକ୍ତି କମି ଯାଉଛି। ସେହିଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ଚିଙ୍ଗୁଡ଼ିଚାଷ ପାଇଁ ଚିଙ୍ଗୁଡ଼ି ପୋଖରୀରୁ ନିର୍ଗତ ରାସାୟନିକ ଦ୍ରବ୍ୟଗୁଡ଼ିକ ନିକଟସ୍ଥ ଚାଷ ଜମିର ଉତ୍ପାଦିକା ଶକ୍ତିକୁ ନଷ୍ଟ କରି ଦେଉଛି। ଫଳରେ ଧାନ ଫସଲ କମି ଯାଉଛି।
କୃଷକଙ୍କୁ ସଶକ୍ତୀକରଣ କରିବାକୁ ହେଲେ, ସେମାନେ ସାହୁକାର ଭଳି ବିଧିହୀନ ଋଣ ଉପରେ ନିର୍ଭର ନକରି, ବ୍ୟାଙ୍କ ଭଳି ଆନୁଷ୍ଠାନିକ ଋଣ ସଂସ୍ଥାରୁ ଋଣ ନେବାର ସୁବିଧା ସହଜ, ସରଳ, ହେବା ଆବଶ୍ୟକ; କିନ୍ତୁ ଅଧିକାଂଶ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଭାଗଚାଷୀ ଆନୁଷ୍ଠାନିକ ସଂସ୍ଥାରୁ ଋଣ ପାଇପାରୁ ନାହାନ୍ତି। କାରଣ, (୧) ସେମାନଙ୍କର ଚାଷଜମି ନାହିଁ କିମ୍ବା ଜମି ଥିଲେ ମଧ୍ୟ, ଜମିର ଠିକ୍ ପଟ୍ଟା, ହିସାବ ନାହିଁ ଏବଂ (୨) ଆନୁଷ୍ଠାନିକ ସଂସ୍ଥା ଚଳନ୍ତି ସମ୍ପତ୍ତିକୁ ବନ୍ଧକ ରଖି ଋଣ ଦିଅନ୍ତି ନାହିଁ। ଗରିବ ଚାଷୀ ଆନୁଷ୍ଠାନିକ ସଂସ୍ଥାରୁ ଋଣ ନ ପାଇ ସାହୁକାର ଓ ମହାଜନ ପାଖକୁ ଋଣ ପାଇଁ ଦ୍ବାରସ୍ଥ ହେଉଛନ୍ତି, ଚଳନ୍ତି ସମ୍ପତ୍ତି ବନ୍ଧକ ଦେଇ। ମହାଜନ, ଆନୁଷ୍ଠାନିକ ସୁଧଠାରୁ ଯଥେଷ୍ଟ ଅଧିକ ପ୍ରାୟ ମାସକୁ ତିନି ପ୍ରତିଶତ ସୁଧ ହାରରେ ଋଣ ଦେଇ ଗରିବ ଚାଷୀଙ୍କୁ ଶୋଷଣ କରେ। ତେଣୁ କୃଷକମାନଙ୍କୁ ଆନୁଷ୍ଠାନିକ ଋଣ ସଂସ୍ଥାରୁ ଠିକ୍ ସମୟରେ ଉପଯୁକ୍ତ ପରିମାଣରେ ସରକାର ଋଣ ଯୋଗାଇବାର ଆବଶ୍ୟକ, କୌଣସି ଅନୁଦାନ କିମ୍ବା ରିଆତି ହାରରେ ସୁଧର ଆବଶ୍ୟକତା ନାହିଁ। ତାହା ସହ ଜମିର ମାଲିକାନା ହିସାବକୁ ଆଧୁନିକୀକରଣ ଓ ସମୟ ଉପଯୋଗୀ କରିବାକୁ ହେବ। ଭାଗଚାଷୀ ସରକାର ଚିହ୍ନଟ କରି ଏକ ପ୍ରମାଣପତ୍ର ଦେଲେ, ଭାଗଚାଷୀ ସେମାନଙ୍କର ଉତ୍ପାଦିତ ଶସ୍ୟକୁ ମଣ୍ଡିରେ ସରକାରୀ ସଂସ୍ଥାକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସିଧାସଳଖ ବିକ୍ରୟ କରିପାରିବେ ଏବଂ ସେମାନଙ୍କୁ ସହଜରେ ଠିକ୍ ମୂଲ୍ୟରେ ସାର, କୀଟନାଶକ, ବିହନ ଭଳି ଚାଷ ଉତ୍ପାଦନ ସାମଗ୍ରୀ, ଆନୁଷ୍ଠାନିକ ସଂସ୍ଥାରେ କ୍ରୟ କରିବାକୁ ମିଳିପାରିବ। ଭାଗଚାଷୀ ଚିହ୍ନଟ କାର୍ଡ (ପତ୍ର) ଦେଖାଇ, ସେମାନେ ମଧ୍ୟ ଆନୁଷ୍ଠାନିକ ଋଣ ସଂସ୍ଥାରୁ ଋଣ ପାଇ ପାରିବେ।
ଏସବୁ ଉପରଲିଖିତ ସମସ୍ୟା ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୌଣସି ଠିକ ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟରେ କୃଷି ପାଇଁ ଏକ ପୃଥକ୍ ବଜେଟ କରାଯାଇଛି; କିନ୍ତୁ କାଳିଆ ଯୋଜନା ପାଇଁ ୨୦୨୩-୨୪ ରାଜ୍ୟ କୃଷି ବଜେଟରେ ମାତ୍ର ପାଞ୍ଚକୋଟି ଟଙ୍କା ବୃଦ୍ଧି। ଧାନ ସଂଗ୍ରହବେଳେ ଚାଷୀଙ୍କୁ ଠିକଣା ସମୟରେ ପ୍ରାପ୍ୟ ଦେବା ପାଇଁ ଆବର୍ତ୍ତନ ପାଣ୍ଠି, କୃଷି ଯାନ୍ତ୍ରିକୀକରଣକୁ ରିଆତି ବ୍ୟବସ୍ଥା, ସମବାୟ ସଂସ୍ଥାକୁ ଆର୍ଥିକ ସହାୟତା ବ୍ୟବସ୍ଥା ଇତ୍ୟାଦି ବଜେଟରେ ଅଛି। ସେହିଭଳି କେନ୍ଦ୍ର ବଜେଟରେ, କେନ୍ଦ୍ର ସରକାର କୃଷି ଓ କୃଷକ ପାଇଁ କୃଷିଋଣ ପାଣ୍ଠି, ନାମମାତ୍ର ଚାଷୀଙ୍କ ପାଇଁ ସମବାୟ ବ୍ୟବସ୍ଥା, ମିଲେଟ୍ ସଂସ୍ଥାନ ଗଠନ ଓ ଡିଜିଟାଲ ଭିତ୍ତିଭୂମି ଭଳି କିଛିଟା ପଦକ୍ଷେପ ନେଇଛନ୍ତି; କିନ୍ତୁ ପୂର୍ବରୁ ଆଲୋଚିତ କୃଷିର ମୂଳ ସମସ୍ୟାଗୁଡ଼ିକୁ ଦୂର କରିବାପାଇଁ ଠିକ୍ ପଦକ୍ଷେପ ହେବା ଭଳି ଜଣାପଡ଼ୁନାହିଁ।
ଅନ୍ୟ ଏକ ବିଷୟ ହେଲା, ନିର୍ମାଣ ଶ୍ରମିକ ଓ ପୁରୀର ସେବାୟତଙ୍କ ପାଇଁ ଯେଉଁଭଳି ସାମାଜିକ ନୀତି ଅଛି, ଚାଷୀମାନଙ୍କ ପାଇଁ ସେଭଳି କିଛି ନୀତି ନାହିଁ। ରାଜ୍ୟରେ ଚାଷୀମାନଙ୍କର ଦାରିଦ୍ର୍ୟ ରହୁଛି, ଆୟରେ କୌଣସି ଉନ୍ନତି ହେଉନାହିଁ। ତେଣୁ ରାଜ୍ୟ ସରକାର କ୍ଷୁଦ୍ର, ନାମମାତ୍ର, ଭୂମିହୀନ, ଭାଗଚାଷୀ ଏବଂ କୃଷି ଶ୍ରମିକ ପାଇଁ ଏକ ସାମାଜିକ ନୀତି ଘୋଷଣା କରିବାର ଆବଶ୍ୟକତା ଅଛି।
Comments are closed.