mission shakti banner

ପୃଥିବୀ ପାଇଁ କବିତାଟିଏ

ଶୈଳେନ୍ଦ୍ର ଦ୍ବିବେଦୀ

BSKY banner  750×100

ଅବିକଳ ରାଜନୈତିକ ଆନ୍ଦୋଳନ ପରି ନୁହେଁ, ପରିବେଶ ସୁରକ୍ଷା କିମ୍ବା ଜୈବବିବିଧତା ସଂରକ୍ଷଣ ପରି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ମଧ୍ୟ ନୁହେଁ, ତଥାପି ଏକ ନୂଆ ଆନ୍ଦୋଳନ ମୁଣ୍ଡଟେକିବା ଲକ୍ଷ୍ୟ କରାଗଲାଣି। ଏମିତି ଏକ ଅଭିନବ ଆନ୍ଦୋଳନ ଯାହା ପୃଥିବୀ ସହିତ ମଣିଷର ସମ୍ପର୍କକୁ ନେଇ ପୁନଃଅନୁଶୀଳନ ଆରମ୍ଭ କରିଛି। ନା, ପୃଥିବୀ ସହିତ ସମ୍ପର୍କ କହିଲେ ରାଜନୈତିକ ପୃଥିବୀ ନୁହେଁ ବରଂ ଏକ ଗ୍ରହ ହିସାବରେ ଜୀବନ୍ତ ପୃଥିବୀ। ନିକଟରେ ପ୍ରକାଶିତ ଏକ ଆଲୋଚନାରେ ଜଣେ ଗବେଷକ କହିଛନ୍ତି ଯେ ଆଜକୁ ପ୍ରାୟ ୨୫୦୦ବର୍ଷ ପୂର୍ବେ ଗ୍ରୀକ ଦାର୍ଶନିକ ଏମପିଡୋକ୍ଲିସ (ଖ୍ରୀଷ୍ଟପୂର୍ବ୪୯୨-୪୩୨) ଏମିତି ଏକ ବିଶ୍ୱର କଳ୍ପନା କରିଥିଲେ ଯେଉଁଠି ନିରନ୍ତର ଦୁଇଟି ସ୍ରୋତ ଭିତରେ ଆବଦ୍ଧ ଥିଲା ସୃଷ୍ଟି। କେତେବେଳେ ପ୍ରେମରେ ସ୍ନିଗ୍ଧ ରାଜତ୍ୱ ତ କେତେବେଳେ ଆଉ ଏକ ପର୍ଯ୍ୟାୟରେ ସଂଘର୍ଷ/ଯୁଦ୍ଧ/ମୁକାବିଲାର ବିଷାକ୍ତ ବାଦଲ। ଏମପିଡୋକ୍ଲିସଙ୍କ ମତ ଥିଲା, ଥରେ ଯେତେବେଳେ ପ୍ରେମର ରାଜତ୍ୱ ଶିଖରରେ ପହଞ୍ଚିଥିଲା ସେତେବେଳେ ବିଶ୍ୱ ବୃତ୍ତାକାର ଆକୃତି ଧାରଣ କରିଥିଲା ଏବଂ ଏହାର ପ୍ରତିଟି ସତ୍ତା ଭିତରେ ସମନ୍ୱୟ ସ୍ଥାପନ ହୋଇଥିଲା। ଏମପିଡୋକ୍ଲିସଙ୍କ ପରେ ଏମିତି ଚିନ୍ତନର, ପରମ୍ପରାର ଅନ୍ତ ଘଟିନଥିଲା ବରଂ ବ୍ରହ୍ମାଣ୍ଡ ସମ୍ପର୍କିତ ଏକାଧିକ ମଡେଲ ପାଇଁ ତାହା ସଦ୍‌ଭାବ, ସାମଞ୍ଜସ୍ୟ ଓ ସମନ୍ବୟର ଆଧାରଶିଳା ହୋଇରହିଲା। ପାଠକେ, କୁହାଯାଇଛି ଏଇ ପରମ୍ପରାରେ ଆମ ପୃଥିବୀକୁ ଧରିରଖିଛି ଏକାଧିକ ବୃତ୍ତ ବା ସ୍ପିଅର ଯେଉଁ ଶୃଙ୍ଖଳାରେ ଆମ ପୃଥିବୀ ଅଛି ଠିକ୍‌ କେନ୍ଦ୍ରରେ। ପୃଥିବୀ ବାହାରେ ଅନ୍ୟାନ୍ୟ ବୃତ୍ତ ବା ମଣ୍ଡଳ ଇଙ୍ଗିତ କରୁଛି ଅନ୍ୟାନ୍ୟ ଗ୍ରହମାନଙ୍କ ଉପସ୍ଥିତିକୁ। କେବଳ ସେତିକି ନୁହେଁ; ଏଇ ବୃତ୍ତମାନଙ୍କ ଶୃଙ୍ଖଳିତ ଗତି ପ୍ରସ୍ତୁତ କରୁଛି ଏକ ଅନୁପମ, ଲଳିତ ସଂଗୀତ–ମ୍ୟୁଜିକାୟୁନିଭର୍ସାଲିସ। ଆପଣ କହିପାରନ୍ତି ବିଶ୍ୱ ସଂଗୀତ। ପୃଥିବୀର ସଂଗୀତ।

କୁହାଯାଏ ପ୍ରଥମେ ପିଥାଗୋରସ (ଖ୍ରୀ. ପୂ. ୫୭୦-୪୯୦) ବ୍ୟବହାର କରିଥିଲେ ‘ମ୍ୟୁଜିକାୟୁନିଭର୍ସାଲିସ’। ସେ ଯାହା ମନେକରୁଥିଲେ ତାହା ସମ୍ପୂର୍ଣ୍ଣ ବିଜ୍ଞାନ ଆଧାରିତ ହୋଇନଥାଇପାରେ, ତେବେ ଏହାର ଅନ୍ତଃସ୍ୱର ଥିଲା ସୂର୍ଯ୍ୟ, ଅନ୍ୟାନ୍ୟ ଗ୍ରହ ଓ ଚନ୍ଦ୍ରଙ୍କ ପରି ମହାକାଶୀୟ ପିଣ୍ଡ/ସତ୍ତାମାନଙ୍କ ଗତି ଆଧାର କରିଛି ଏକ ସଂଗୀତମୟ ଶୃଙ୍ଖଳାକୁ। ଏହା ଭିନ୍ନ କଥା ଯେ ସେଇ ଅପୂର୍ବ ସଂଗୀତ ଆମ କାନରେ ବାଜୁ ନାହିଁ। ଆପଣ ଏହାକୁ ଭୌତିକ ଆଖ୍ୟାନ ଦେଇପାରନ୍ତି ତେବେ ବିଶ୍ବାସ କରାଯାଏ ଯେ ସେଇ ରାଗିଣୀର ଅଲବତ ରହିଛି ଆଧିଭୌତିକ ପ୍ରସ୍ତଟିଏ। ଏବେ କୁହାଯାଉଛି ଆମ ପ୍ରଜାତି (ମଣିଷ) ଜୈବମଣ୍ଡଳ ବା ବାୟୋସ୍ପିୟର ସହିତ ଯୋଡ଼ିଛନ୍ତି ଆଉ ଗୋଟିଏ ବୃତ୍ତ ଯାହାକୁ କୁହାଯାଉଛି ‘ନୁସ୍ପିୟର’ ଯାହା ଏକ ଗ୍ରୀକ ଶବ୍ଦ। ମୂଳତଃ ଏହା ଗ୍ରୀକ ଶବ୍ଦ ‘ନାଓଜ’ରୁ ଆସିଛି। ଅର୍ଥ: ମନ ବା ବିଚାର। ସେଇ ଅର୍ଥରେ ନୁସ୍ପିୟର ହେଉଛି ମନ ବା ବିଚାରର ଜଗତ। ସରଳ ଅର୍ଥରେ ଆପଣ କହିପାରନ୍ତି ନୁସ୍ପିୟର ହେଉଛି ମନମଣ୍ଡଳ। ଆଧୁନିକ ଜୈବ-ରସାୟନ ଅନୁସାରେ ଲିଥୋସ୍ପିୟର ହେଉଛି ସ୍ଥଳମଣ୍ଡଳ, ହାଇଡ୍ରୋସ୍ପିୟର ହେଉଛି ଜଳମଣ୍ଡଳ ଏବଂ ଆଟମୋସ୍ପିୟର ହେଉଛି ବାୟୁମଣ୍ଡଳ। ଥରେ ଚିନ୍ତା କରନ୍ତୁ, ପରସ୍ପର ସହିତ ସମ୍ବନ୍ଧିତ ଏଇ ମଣ୍ଡଳ ସବୁ ଆମ ଜୈବମଣ୍ଡଳକୁ କେତେ ସୁନ୍ଦର ଓ ସବୁଜ କରିରଖିଛନ୍ତି! ଆଉ ମନମଣ୍ଡଳ? ମନମଣ୍ଡଳ ଏକ କାଳ୍ପନିକ ମଣ୍ଡଳ ଯାହା ମଣିଷର ବିଚାର, ବୁଦ୍ଧିମତ୍ତା, ଚେତନା ଏବଂ ପାରସ୍ପରିକ ସଂପର୍କକୁ ନେଇ ନେଟୱାର୍କିଙ୍ଗ ପାଇଁ ଅଭିପ୍ରେତ। ପୃଥିବୀ ସହିତ ଆମ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଚେଷ୍ଟିତ। ଆମର ଅସ୍ତିତ୍ୱ କେବଳ ଜୈବ/ଶାରୀରିକ ଅସ୍ତିତ୍ୱକୁ ନେଇଁ ନୁହେଁ, ସମ୍ପ୍ରସାରିତ ଅର୍ଥରେ ପୃଥିବୀ ସହିତ ସମ୍ପୃକ୍ତିକୁ ନେଇ ଯାହା ଏକାଧାରରେ ଦୃଢ଼ ତଥା ଲଳିତ ସମ୍ପର୍କ। କବିତାର ପଦ୍ୟମୟ ସମ୍ପର୍କ। ଏହା ‘ଆନ୍ଥ୍ରୋପକେନ’ଠାରୁ ଭିନ୍ନ ଅର୍ଥରେ ଗ୍ରହଣ କରାଯାଇପାରେ କାରଣ ଆନ୍ଥ୍ରୋପକେନ ଶେଷ ୨୦୦ବର୍ଷ ଭିତରେ ସମ୍ପୂର୍ଣ୍ଣ ମନୁଷ୍ୟକୃତ କାରଣରୁ ପୃଥିବୀକୁ ପହଞ୍ଚିଥିବା ପର୍ଯ୍ୟାପ୍ତ କ୍ଷତିକୁ ଚିହ୍ନଟ କରୁଥିବା ସମୟ ଖଣ୍ଡ। ତେବେ ମନମଣ୍ଡଳ ‘ଗାଇଆ’ ସହିତ କେତେକାଂଶରେ ତୁଳନୀୟ କାରଣ ଗାଇଆ ପରିକଳ୍ପନା / ତତ୍ତ୍ବ ଇଙ୍ଗିତ କରୁଛି ଏମିତି ଏକ ବ୍ୟବସ୍ଥାକୁ ଯେଉଁଠି ପ୍ରକୃତି ଏକକ ସତ୍ତା ଭାବରେ ନିରନ୍ତର ଆପଣାକୁ ବ୍ୟବସ୍ଥିତ ରଖିବା ପାଇଁ ଚେଷ୍ଟା କରୁଛି।

କୁହାଯାଉଛି, ଗତ ଶତାବ୍ଦୀର ଦ୍ବିତୀୟ ଦଶକରେ ୟୁରୋପୀୟମାନେ ଭୀଷଣ ସଂକଟକୁ ସାମ୍ନା କରିଥିଲେ। କେବଳ ଯୁଦ୍ଧର ଘଟଘଟା ନୁହେଁ ମହାମାରୀ ଇନଫ୍ଲୁଏଞ୍ଜା ବିଭୀଷିକାର ସଂଜ୍ଞା ଯେମିତି ବଦଳେଇ ଦେଇଥିଲା। ହଁ, ପୃଥିବୀ ପାଇଁ ଖୁବ୍‌ ଆଶାବାଦୀ ହେବାର ଉପଯୁକ୍ତ ସମୟ ତାହା ଅବଶ୍ୟ ନଥିଲା; କିନ୍ତୁ ସେତିକିବେଳେ ଏକାଠି ହୋଇଥିଲେ ଜୈବ ରସାୟନବିତ ଭ୍ଲାଦିମିରଭର୍ନାଡସ୍କି (୧୮୬୩ – ୧୯୧୫), ଫରାସୀ ଦାର୍ଶନିକ ତଥା ଗଣିତଜ୍ଞ ଏଡ଼ୱାଡ଼ଏଲ. ରୟ (୧୮୭୦ – ୧୯୫୪) ଏବଂ ପୁରାତତ୍ତ୍ବବିଜ୍ଞାନୀ ତଥା ଦାର୍ଶନିକ ପିଅର. ଟି. ଚାରଦିନ (୧୮୮୧-୧୯୫୫)। ମୂଳତଃ ତିନିଜଣ ଏହା ଦର୍ଶାଇ ଥିଲେ ଯେ ଜୈବମଣ୍ଡଳର ଆକାର ବୃହତ୍‌ ନ ହୋଇପାରେ (ବସ୍ତୁତ୍ୱ), ତେବେ ଏହା ଏକ ଅଦ୍ଭୁତ ସନ୍ତୁଳନ ରଖିବା ପାଇଁ ସମର୍ଥ ହୋଇଛି ବିଭିନ୍ନ ମଣ୍ଡଳମାନଙ୍କ ମଧ୍ୟରେ, ଯାହା ମଣିଷ ଭଲ ଭାବରେ ବୁଝିଯିବା ଉଚିତ। ଏହା ଥିଲା ନୁସ୍ପିୟର ବା ମନମଣ୍ଡଳର ଆଦ୍ୟକଥନ ବା ଆବିଷ୍କାର। ସେମାନଙ୍କ ମତରେ ଜୈବମଣ୍ଡଳଠାରୁ କେତେ ବିଲିୟନ ବର୍ଷ କନିଷ୍ଠ ଏଇ ନୂତନ ମଣ୍ଡଳ ଜୈବ ବିବର୍ତ୍ତନ, ସାଂସ୍କୃତିକ ବିଘଟନ, ମନସ୍ତାତ୍ତ୍ବିକ ସମନ୍ୱୟ, ବିଜ୍ଞାନ ଓ କାରିଗରୀର ଉତ୍କର୍ଷ ତଥା ଜଗତକରଣର ପରିଣତି। ପରବର୍ତ୍ତୀ ସମୟରେ ନୁସ୍ପିୟରକୁ ନେଇ ଏମାନେ ଅବଶ୍ୟ କିଛି ଭିନ୍ନମତ ପୋଷଣ କରିଥିଲେ; କିନ୍ତୁ ସେମାନେ ଅପାତତଃ ଏକମତ ଥିଲେ ଯେ ମନମଣ୍ଡଳ ଅନ୍ୟାନ୍ୟ ମଣ୍ଡଳ ବାସ୍ପିୟରମାନଙ୍କ ମଧ୍ୟରେ ସାଂଗୀତିକ ସମନ୍ୱୟ ରକ୍ଷା କରୁଛି ଏବଂ ତାହା ହିଁ ମଣିଷକୁ ପୃଥିବୀ ସହିତ ଗଣ୍ଠେଇ ରଖିଛି। ପୃଥିବୀରେ ଭୂଗୋଳର ସୀମା ସରହଦ, ସଂସ୍କୃତି ଓ ଭାଷାର ବ୍ୟାକରଣ ଊର୍ଦ୍ଧ୍ବରେ ଖୁବ୍‌ ଅନୁରାଗର ସହିତ ଯାହା ଲେଖା ହୋଇଛି, ତାହା ହେଉଛି ଚମତ୍କାର କବିତାଟିଏ।

ଆମ ସମୟର ଚିନ୍ତକମାନେ ଏଇ ପ୍ରକରଣରେ ଦୁଇଟି ନୂଆ ଶବ୍ଦ ଯୋଡ଼ିଛନ୍ତି। ‘ଟେକ୍ନୋସ୍ପିୟର’ ବା ପ୍ରଯୁକ୍ତି ମଣ୍ଡଳ ଏବଂ ‘ଇନଫୋସ୍ପିୟର’ ବା ଡିଜିଟାଲଜଗତରେ ତଥ୍ୟମଣ୍ଡଳ; କିନ୍ତୁ ଚିନ୍ତା ବି ପ୍ରକଟ କରାଯାଇଛି, ବେଲଗାମ ପ୍ରଯୁକ୍ତିମଣ୍ଡଳ ଆମ ସଭ୍ୟତାର ନକାରାତ୍ମକ ଚେହେରାରେ ରୂପାନ୍ତରିତ ହୋଇସାରିଛି। ତଥ୍ୟ ମଣ୍ଡଳ ସୂଚନା ବିଜ୍ଞାନ ଡେଣାରେ ଆଧୁନିକ ଜୀବନର ଖସଡ଼ା ବଦଳେଇ ଦେଇଛି। ଟେବୁଲ ଉପରେ ଲ୍ୟାପଟପ ଆଉ ହାତରେ ମୋବାଇଲ ସହିତ ତଥ୍ୟର ପ୍ରଳୟଙ୍କରୀ ବର୍ଷା ଆପଣଙ୍କୁ ସତସତିକା ସିଟିଜେନ ବା ନାଗରିକ କମ ବରଂ ଡିଜିଟାଲ ଜଗତର ବାସିନ୍ଦା ବା ନେଟିଜେନରେ ପରିବର୍ତ୍ତିତ କରିଛି। ଚିନ୍ତାଜନକ ହେଉଛି, ପ୍ରଯୁକ୍ତିମଣ୍ଡଳ ସୌଜନ୍ୟରୁ ପୃଥିବୀପୃଷ୍ଠରେ ଆମ ନିର୍ମାଣ କେବେଠୁ ଆମ ଗ୍ରହର ବାୟୋମାସଠୁ ଭାରିପଡ଼ିଲାଣି। କିଛି ମନେକରନ୍ତି, ତଥ୍ୟମଣ୍ଡଳ ଆମ ସମୟରେ ଲେଭିଆଥ୍ଆଁର ସନ୍ତ୍ରାସ ସୃଷ୍ଟି କରୁଛି। ପରମାତ୍ମାଙ୍କ କଥା ଛାଡ଼ନ୍ତୁ, ଆମେ ପ୍ରକୃତିର ନିୟନ୍ତ୍ରଣରେ ନାହୁଁ, ବରଂ ଆଲଗୋରିଦିମ ନିୟନ୍ତ୍ରଣ କରୁଛି ଆମ ଜୀବନଯାତ୍ରାକୁ। ମଣିଷ କିନ୍ତୁ ଉଭୟ ମଣ୍ଡଳର ଦାସତ୍ୱ ସ୍ୱୀକାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ୨୦ ବର୍ଷ ତଳେ ପଲକ୍ରୁଜେନ ଏବଂ ଇ. ଷ୍ଟରମର ଯେତେବେଳେ ଆନ୍ଥ୍ରୋପକେନର ଅବତାରଣା କରିଥିଲେ ସେମାନେ ଦର୍ଶାଇଥିଲେ ଯେ ପୃଥିବୀରେ ମଣିଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂତାତ୍ତ୍ବିକ ଶକ୍ତି ବା ‘ଜିଓଲୋଜିକାଲ ଫୋର୍ସ’ ଭାବରେ ନିଜକୁ ପ୍ରମାଣିତ କରିସାରିଛି ଏବଂ ସେଇ ଶକ୍ତି ଭାବରେ ସେ ଆମ ଗ୍ରହର ମଙ୍ଗଳ ପାଇଁ ଚିନ୍ତା ନକରି ଏହାର ବିନାଶ ପାଇଁ କାର୍ଯ୍ୟରତ ଯାହା ସୃଷ୍ଟିର ପରିପନ୍ଥୀ। ଏ କଥା ନୁହେଁ ଯେ ଆମ ପାଖରେ କ୍ଷମତା ନାହିଁ, ଆମ ଭିତରେ ସମ୍ଭାବନା ନାହିଁ; କିନ୍ତୁ ବିଜ୍ଞାନ ଡେଣାରେ ଆମେ ନିଜକୁ ଏକ ନୂଆ ସ୍ୱରୂପରେ ଆବିଷ୍କାର କରିଛୁ ଏବଂ କ୍ଷିପ୍ରବେଗରେ ବିନାଶ ଆଡକୁ ମୁହାଁଉଛୁ। ଗ୍ରହ ଭାବରେ ପୃଥିବୀ ଯେ ଗୋଟାପଣେ ଆମର ସେଇ ରଚନାତ୍ମକ ସମ୍ପର୍କକୁ ବୁଝିବା ପାଇଁ ଆମେ ପ୍ରସ୍ତୁତ ନୁହେଁ।

ଗତ ଶତାବ୍ଦୀର ସପ୍ତମ ଦଶକରେ ଜେମ୍ସଲଭଲକ ଏବଂ ଲିନମାରଗୁଲିସ ‘ଗାଇଥା’ ତତ୍ତ୍ବ ମାଧ୍ୟମରେ ଦର୍ଶାଇଥିଲେ: ଏକକ ଜୀବନ୍ତସତ୍ତା ଭାବରେ ‘ଗାଇଥା’ ସର୍ବଦା ସନ୍ତୁଳନ ବା ହୋମିଓଷ୍ଟାସିସ (ସମସ୍ଥିତି) ନିମନ୍ତେ ପ୍ରକ୍ରିୟାରତ। ପୃଥିବୀରେ ଜୈବ ତଥା ରାସାୟନିକ ବ୍ୟବସ୍ଥାମାନଙ୍କରେ ପରିଦୃଷ୍ଟ ସନ୍ତୁଳନ ହେଉଛି ହୋମିଓ ଷ୍ଟାସିସ ଯାହା ପୃଥିବୀର ତାପମାତ୍ରାକୁ ତଥାପି ବ୍ୟବସ୍ଥିତ ରଖିଛି। ଲଭଲକପରେ ଲେଖିଥିଲେ ଯେ ପ୍ରକୃତିର ନିୟମ ଉଲ୍ଲଙ୍ଘନ କରି ଖୁବ କମ ସମୟରେ ପୃଥିବୀରେ ମଣିଷ ଜାତି କ୍ୟାନସର ପରି ମାଡିଗଲେଣି। ତେବେ ସେ ଆଶାବାଦୀ ଥିଲେ ଯେ ଧରିତ୍ରୀ ସହିତ ଆମେ ସମ୍ପର୍କ ପୁନଃପ୍ରତିଷ୍ଠିତ କରିପାରିବା।

ପୁଣି ଫେରିବା ନୁସ୍ପିୟର ବା ମନମଣ୍ଡଳ ପାଖକୁ। ଶବ୍ଦ ପ୍ରୟୋଗ ଭିନ୍ନ ହୋଇପାରେ, ତେବେ ଆମେ ଏମିତି ଏକ ସମୟରେ ପାଦଥାପିଛୁ ଯେଉଁଠି ଚିନ୍ତା କରିବା ବନ୍ଦ କରି ଦେଲେ ପୃଥିବୀ ମରାମତି ଆଉ ସମ୍ଭବ ହୋଇନପାରେ! ଆଗକୁ କୁତ୍ରିମ ବୁଦ୍ଧିମତା (AI) କ୍ବାଣ୍ଟମ କମ୍ପୁଟିଙ୍ଗ ବୈପ୍ଲବିକ ପରିବର୍ତ୍ତନ ଆଣିପାରେ; କିନ୍ତୁ ଥରେ ପୃଥିବୀ ତାର ସନ୍ତୁଳନ ହରେଇବା ପରେ କ୍ଷତିରଭରଣା ସମ୍ଭବ ହେବ ନାହିଁ। କୌଣସି ବୃତ୍ତର ଅନ୍ତଃ ହେବା ଆବଶ୍ୟକ ନାହିଁ, ଲୋଡା ଅଛି ଏକ ଗ୍ରହଣଯୋଗ୍ୟ, ପରିପୋଷଣୀୟ ଏବଂ ପ୍ରକୃତି-ଅନୁକୂଳ ଜୀବନକୁ ‘ହଁ’ କହିବା ପାଇଁ। ପୃଥିବୀ ପାଇଁ ଖୁବ୍‌ ସରାଗରେ କବିତାଟିଏ ଲେଖିବା ପାଇଁ। ଆପଣ ସେଇ ଦାୟିତ୍ବ ନିର୍ବାହ କରିପାରନ୍ତି !

Comments are closed.