mission shakti banner

ଜାପାନ ସହ ସମ୍ପର୍କ ଜରୁରୀ କାହିଁକି

ଲଳିତେନ୍ଦୁ ପଲାଉରୀ

BSKY banner  750×100

ବିଶ୍ବର ବୃହତ୍‌ ଗଣତାନ୍ତ୍ର ଦେଶ ଭାରତ,ଏସିଆର ଦ୍ରୁତ ବିକଶିତ ରାଷ୍ଟ୍ର ଜାପାନ ମଧ୍ୟରେ ସାଂସ୍କୃତିକ,ସାମାଜିକ ଓ ଅର୍ଥନୈତିକ ସଂପର୍କ ବହୁ ପୁରୁଣା । ବୁଦ୍ଧଙ୍କ ଉପାସନାର ଦେଶ ଜାପାନରେ “ବୁଦ୍ଧଂ ଶରଣଂ ଗଚ୍ଛାମି”ର ବାର୍ତ୍ତା ପ୍ରଥମେ ଭାରତୀୟଙ୍କ ଦ୍ବାରା ହିଁ ପହଞ୍ଚିଥିଲା । ସେ କଳିଙ୍ଗ ସମ୍ରାଟ ଅଶୋକଙ୍କ ସୁପୁତ୍ର ମହିନ୍ଦା ହୁଅନ୍ତୁ ବା କନ୍ୟା ସଂଘମିତ୍ରା କିମ୍ବା ୭୫୨ ଖ୍ରୀଷ୍ଟାବ୍ଦରେ ଜାପାନର ‘ନାରା’ ସହରରେ ପ୍ରତିଷ୍ଠିତ ଟୋଡାଇଜି ବୁଦ୍ଧ ମନ୍ଦିରରେ ପ୍ରମାଣ ଖୋଜିଲେ ଭାରତୀୟ ବୁଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ବାରା ସେଠାରେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାପନ ଓ ପୂଜନର ପ୍ରମାଣ ମିଳେ । ସେହିଭଳି ସ୍ବାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭକରି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର, ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଠାରୁ ଶିଳ୍ପପତି ଜେ.ଆର .ଡି ଟାଟା, ବିଚାରପତି ରାଧାବିନୋଦ ପାଲଙ୍କ ପର୍ଯ୍ୟନ୍ତ ମହାନ ଭାରତୀୟ ବିଦ୍ବାନ ଓ ଦେଶଭକ୍ତମାନେ ଜାପାନ ସହ ଘନିଷ୍ଠ ସଂପର୍କ ଯୋଡିଛନ୍ତି । ତେଣୁ ଭାରତ ଓ ଜାପାନ ମଧ୍ୟରେ ସୁସଂପର୍କ ବର୍ତ୍ତମାନର ନୁହେଁ ବରଂ ଏହା ୧୪ଶହ ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଏଭଳି ଦୀର୍ଘ ଶତାବ୍ଦୀର ସଂପର୍କ ମଧ୍ୟରେ ଏହି ଉଭୟ ଦେଶ ମଧ୍ୟରେ ମତାନ୍ତରର ଅନୁଭୂତି ନଗଣ୍ୟ ; କିନ୍ତୁ ମିତ୍ରତାର ପରିଭାଷା ବିସ୍ତୀର୍ଣ୍ଣ ରହି ଆସିଛି । ବର୍ତ୍ତମାନ ସମୟରେ ବିଶ୍ବରେ ଅସ୍ଥିରତା, ଯୁଦ୍ଧଖୋର ମନୋଭାବ, ଚୀନର ବିସ୍ତାରବାଦୀ ନୀତିକୁ ଉଭୟ ଭାରତ ଓ ଜାପାନ ମିଳିତ ଭାବେ ବିରୋଧ କରି ଆସୁଛନ୍ତି । ଶକ୍ତିଶାଳୀ ଆମେରିକା ଓ ଅଷ୍ଟ୍ରେଲିଆ ସହ ମିଶି ଭାରତ ଓ ଜାପାନ କ୍ବାଡ ଦେଶସମୂହ ଗଠନକରି ଏସିଆ ପ୍ରଶାନ୍ତ କ୍ଷେତ୍ରରେ ବିସ୍ତାରବାଦୀ ଚୀନକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛନ୍ତି । ୧୯୦୩ ମସିହାରେ ପ୍ରତିଷ୍ଠା ହୋଇଥିବା ଜାପାନ-ଇଣ୍ଡିଆ ଆସୋସିଏସନ୍ ବର୍ତ୍ତମାନ ସମୟରେ ଜାପାନର ସବୁଠାରୁ ପୁରୁଣା ଅନ୍ତର୍ଜାତୀୟ ବନ୍ଧୁତା ସଂଗଠନ ଭାବେ ଗଣା ଯାଉଛି । ଜାପାନ ହେଉଛି ବିଶ୍ବର ସେହି ଦେଶ ଯିଏକି ଭାରତକୁ ସବୁଠାରୁ ଅଧିକ ଅଫିସିଆଲ ଡେଭଲପମେଣ୍ଟ ସହାୟତା ପ୍ରଦାନ କରିଛି । ଜାପାନ ଭାରତରେ ତୃତୀୟ ବୃହତ୍‌ ନିବେଶକାରୀ ଦେଶ । ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ୨୦୦୦-୨୦୧୯ ମସିହା ମଧ୍ୟରେ ୩୦.୨୭ ବିଲିୟନ ଡଲାର ରହିଛି । ଭାରତରେ ମୋଟ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ୭.୫ପ୍ରତିଶତ ଜାପାନରୁ ହିଁ ଆସିଛି । ଏହା ସହ ଜାପାନ ମଧ୍ୟ ଭାରତର ୧୪ତମ ବୃହତ୍‌ ଆମଦାନୀ ଅଂଶୀଦାର ରହିଆସିଛି । ଭାରତର ସାମରିକ ବିକାଶ କ୍ଷେତ୍ରରେ ଜାପାନର ସହଯୋଗ ଅତୁଳନୀୟ । ଭାରତ ମହାସାଗର ଓ ଏସିଆ ପ୍ରଶାନ୍ତ ମହାସାଗରରେ ଚୀନକୁ ଚାଲେଞ୍ଜ ଦେବାକୁ ହେଉ ବା ଅନ୍ତର୍ଜାତୀୟ ସମୁଦ୍ର ପଥରେ ଅପରାଧ ରୋକିବା, ନକଲି ଚାଲାଣ, ଆତଙ୍କବାଦ ପ୍ରତିରୋଧ କ୍ଷେତ୍ରରେ ଉଭୟ ଦେଶ ମିଳିତ ସମରାଭ୍ୟାସ ନିୟମିତ ବ୍ୟବଧାନରେ ଜାରି ରଖିଛନ୍ତି। ଭାରତୀୟ ନୌସେନା ଓ ଜାପାନ ମେରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ସମୟ ବ୍ୟବଧାନରେ ମାଲାବାର ନୌଭ୍ୟାସ ହେଉଛି।

ଜାପାନ ସହ ଆମର କେବଳ ଦ୍ବିପାକ୍ଷିକ ବୈଦେଶିକ ସଂପର୍କ ନୁହେଁ ଭାରତୀୟ ସିନେମା ମଧ୍ୟ ଜାପାନରେ ଖୁବ ଲୋକପ୍ରିୟ। ସୁପରଷ୍ଟାର ରଜନୀକାନ୍ତ ଜାପାନବାସୀଙ୍କର ଅତ୍ୟନ୍ତ ପ୍ରିୟ ଷ୍ଟାର । ଅଭିନେତା ରଜନୀକାନ୍ତଙ୍କ “ମୁଥୁ୍” ସିନେମା ଜାପାନରେ ବ୍ଲକବ୍ଳଷ୍ଟର ମୁଭିର ମାନ୍ୟତା ପାଇଛି । ଜାପାନର ଲୋକକ୍ରିୟ ଭିଡିଓ ଗେମ୍ ସିରିଜ୍ ଷ୍ଟ୍ରିଟ ଫାଇଟରରେ ଭାରତୀୟ ଯୋଗୀ ଧଲସିମ୍ ମଧ୍ୟ ଜାପାନରେ ଲୋକପ୍ରିୟତାର ଶୀର୍ଷରେ । ଭାରତର ପ୍ରଥମ ଆନିମେଟେଡ ଫିଲ୍ମ ରାମାୟଣ ଦି ଲିଜେଣ୍ଡ ଅଫ ପ୍ରିନ୍ସ ରାମ୍ ମଧ୍ୟ ଜାପାନବାସୀଙ୍କ ମନକୁ ଛୁଇଁ ପାରିଛି । ସେହିଭଳି ଡିଜନି ଚ୍ୟାନେଲରେ ଶିଶୁମାନଙ୍କ ପାଇଁ ପ୍ରସାରିତ ଜାପାନିଜ୍ ଆନିମେସନ ଧାରାବାହିକ “ଡୋରେମନ” ଏମତି କୌଣସି ଭାରତୀୟ ଶିଶୁ ନାହାନ୍ତି ଯାହାକୁ ବା ପସନ୍ଦ ନଆସିଛି। ୨୦୧୪ ମସିହାରୁ ଭାରତୀୟଙ୍କ ପଇଁ ମଲ୍ଟି ଏଣ୍ଟ୍ରି ଭିସାକୁ ମଧ୍ୟ ଜାପାନ ସରକାର ଅନୁମତି ପ୍ରଦାନ କରିଛନ୍ତି । ଯାହା ଦ୍ବାରା ଭାରତୀୟ ନାଗରିକମାନେ ସ୍ବଳ୍ପ ସମୟ ପାଇଁ ଜାପାନରେ ପ୍ରବେଶ ପ୍ରସ୍ଥାନ ନେଇ କୌଣସି ଅସୁବିଧା ହେବନି । ୨୦୧୭ ମସିହାରେ ଭାରତର ଉତ୍ତରପୂର୍ବ ରାଜ୍ୟର ବିକାଶ ପାଇଁ ଜାପାନ ଇଣ୍ଡିଆ କୋଅପରେସନର ଫୋରମ୍ ପ୍ରତିଷ୍ଠା ହୋଇଛି । ୨୦୦୭ରେ ଉଭୟ ଦେଶ ମଧ୍ୟରେ ଇଣ୍ଡୋ ଜାପାନାୀସାଂସ୍କୃତିକ ରାଜିନାମା, ଉଭୟ ଦେଶର ପର୍ଯ୍ୟଟନ ବିକାଶ ଓ ପ୍ରୋତ୍ସାହନ, ସାଂସ୍କୃତିକ ଆଦାନ ପ୍ରଦାନ ନେଇ ରାଜିନାମା ସ୍ବାକ୍ଷର ହୋଇଛି । ୨୦୧୪ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତର ସାଧାରଣତନ୍ତ୍ର ଦିବସରେ ରାଷ୍ଟୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହି ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇ ସ୍ବତନ୍ତ୍ର ଦ୍ବିପାକ୍ଷିକ ବିଶ୍ବ ସହମତି ରାଜିନାମାରେ ସ୍ବାକ୍ଷର କରିଥିଲେ । ୨୦୧୬ରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇ ଉଭୟ ଦେଶ ମଧ୍ୟରେ ସିଭିଲ୍ ନ୍ୟୁକ୍ଲିୟର ରାଜିନାମା ସ୍ବାକ୍ଷର କରିଥିଲେ। ଏହା ସହ ୨ ଦେଶ ମିଳିତ ଭାବେ ମହାକାଶ ଗବେଷଣା, ଭୂବିଜ୍ଞାନ, କୃଷି, ଜଙ୍ଗଲ ବିକାଶ, ଉନ୍ନତ ସହରୀକରଣ ନେଇ ରାଜିନାମା ସ୍ବାକ୍ଷର କରିଥିଲେ। ୨୦୨୨ ମାର୍ଚ୍ଚ ୧୯ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ମଧ୍ୟରେ ୪୨ ବିଲିୟନ୍ ଡଲାର ଭାରତରେ ନିବେଶ ନେଇ ଜାପାନ ଚୁକ୍ତି ସ୍ବାକ୍ଷର କରିଛି । ଅକ୍ଟୋବର ୨୦୦୮ ଦିଲ୍ଲୀରୁ ମୁମ୍ବଇ ରେଳ ବିକାଶ ପରିଯୋଜନା ପାଇଁ ସବୁଠୁ କମ ସୁଧରେ ପାଖାପାଖି ୪.୫ ବିଲିୟନ ଡଲାର ଋଣ ସହାୟତା ପ୍ରଦାନ କରିଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଚଳିତ ବର୍ଷ ମେ ମାସରେ ହିରୋସୀମାରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଭାରତ ପକ୍ଷରୁ ମଧ୍ୟ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ବୈଠକରେ ଜାପାନର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଫୋମିଓ କିସିଦାଙ୍କୁ ନିମନ୍ତ୍ରଣ କରିଛନ୍ତି । ଭାରତର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ୧୯୮୦ ମସିହାରେ ଜାପାନ ଭାରତ ମିଳିତ ସହଯୋଗରେ ମାରୁତି ସୁଜୁକିର ମେଗା ନିବେଶ ଭାରତୀୟ ଅଟୋ ମୋବାଇଲ ଶିଳ୍ପକୁ ବିକାଶର ନବଦିଗନ୍ତ ଦେଇଛି । ୧୯୯୧ ମସିହା ଭାରତର ଅତ୍ୟନ୍ତ ଖରାପ ଅର୍ଥନୀତି ସ୍ଥିତିକୁ ସୁଧାର ଆଣିବାରେ ଜାପାନ ହିଁ ଏକମାତ୍ର ଦେଶ ଯେ କି ପ୍ରଚୁର ଅନୁଦାନ ପ୍ରଦାନ କରିଥିଲା । ୨୦୧୭ରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଗୁଜରାଟ ଅହମ୍ମଦାବାଦ ଗସ୍ତକରି ମୁମ୍ବଇ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ସହଯୋଗ ଯୋଗାଇବା ଏକ ଐତିହାସିକ ପଦକ୍ଷେପ । ଭାରତ ବିକାଶ କାର୍ଯ୍ୟରେ ଜାପାନ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଓ ଋଣ ଅନୁଦାନ ୧୯୫୮ ମସିହାରେ ୬,୯୭୮ ବିଲିୟନ ଜାପାନିଜ୍ ୟନ୍ ବା ୪,୧୦,୪୯୩ କୋଟି ରହିଥିଲା । ଯାହାକି ଆମ ଦେଶର ୩୧୦ଟି ସର୍ବସାଧାରଣ ପରିଯୋଜନାରେ ବିନିଯୋଗ ହୋଇଛି। ଭାରତର ଦ୍ରୁତ ଅର୍ଥନୈତିକ ବିକାଶ କ୍ଷେତ୍ର, ଗରିବୀ ନିରାକରଣ ଏବଂ ପରିବେଶ ସୁରକ୍ଷା ପାଇଁ ଜାପାନ ପ୍ରଦତ୍ତ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଋଣ ବିଶେଷ ସହାୟକ ହୋଇଛି । ବିଶେଷ କରି ପରିବହନ, ଜଳ, ତନ୍ତ, ଶକ୍ତି, ଜଙ୍ଗଲ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହୋଇଛି। ଏହି ଯୋଜନାରେ ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରପ୍ରଦେଶ, ତ୍ରିପୁରା ମେଘାଳୟ ଭଳି ରାଜ୍ୟ ଉପକୃତ ହୋଇଛନ୍ତି । ଭାରତରେ ବର୍ତ୍ତମାନ ମୋଟ ୧୪୩୯ ଜାପାନୀ କମ୍ପାନୀ ପଞ୍ଜିକୃତ ସହ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ଜାପାନ ସହ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ସଂପର୍କ ନିବିଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଜାପାନ ଗସ୍ତ କାଳରେ ଆଗାମୀ ଦିନରେ ଜାପାନରୁ ୨୬ହଜାର କୋଟି ଟଙ୍କାର ପୁଞ୍ଜି ଓଡିଶାକୁ ଆସିବା ନେଇ ଜାପାନର ପ୍ରତିଷ୍ଠିତ କମ୍ପାନୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷ କରି ଜାପାନର ଷ୍ଟିଲ୍ ଜ୍ୟାଣ୍ଟ ନିପନ୍ ଷ୍ଟିଲ ଉଭୟ କେନ୍ଦ୍ରାପଡା ଓ ଜଗତସିଂପୁରରେ ସର୍ବବୃହତ୍‌ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ରାଜିନାମା ସ୍ବାକ୍ଷର କରିଛନ୍ତି ।

ସେହିପରି ଭାରତୀୟ ଆଇ.ଟି ପ୍ରଫେସନାଲଙ୍କ ପାଇଁ ୱାର୍କ ଭିସା ସିଷ୍ଟମକୁ ସରଳ ଓ ସହଜ କରିଛି ଜାପାନ । ଦୀର୍ଘବର୍ଷ ଧରି ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ରାଜିନାମା ସ୍ବରୂପ ଜାପାନ ଛାତ୍ରଛାତ୍ରୀମାନେ ଭାରତରେ ବିଭିନ୍ନ ସ୍କଲାରସିପ୍ ମଧ୍ୟମରେ ପଢିବାର ସୁଯୋଗ ପାଇ ଆସୁଛନ୍ତି । ୨୦୦୯ ମସିହାରେ ଜାପାନର ଟୋକିଓରେ ଖୋଲାଯାଇଥିବା ବିବେକାନନ୍ଦ କଲଚରାଲ ସେଣ୍ଟରରେ ଯୋଗ, ତାବଲା, ଭାରତନାଟ୍ୟମ୍‌, ଓଡିଶୀ, ସମ୍ବଲପୁରୀ ଭଳି ନୃତ୍ୟ ଓ ବାଦ୍ୟ ସଂଗୀତ ଶିକ୍ଷା ପ୍ରଦାନ କରାଯାଉଛି । ପାଖା ପାଖି ୪୨ ହାଜାରରୁ ଅଧକ ଭାରତୀୟ କୁଶଳୀ ବ୍ୟକ୍ତି ବର୍ତ୍ତମାନ ଜାପାନର ବିଭିନ୍ନ ସଂସ୍ଥାନରେ କାର୍ଯ୍ୟ କରିବା ସହ ଜାପାନର ଅର୍ଥନୀତି, ଶିକ୍ଷା, ପରିଚାଳନା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଠି କରିଛନ୍ତି । ଟୋକିଓର ନିଶିକାସେଇ ଅଞ୍ଚଳରେ ଏତେ ସଂଖ୍ୟାରେ ଭାରତୀୟ ବାସ କରୁଛନ୍ତି ଯେ ଏହାକୁ ଜାପାନର ମିନି ଇଣ୍ଡିଆର ମାନ୍ୟତା ଦିଆଯାଇଛି । ଭାରତୀୟମାନଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଟୋକିଓ ୟୋକହାମାରେ ୩ଟି ଭାରତୀୟ ସ୍କୁଲ ଖୋଲା ଯାଇଛି । ଶେଷରେ ଏତିକି କୁହାଯାଇପାରେ ଧର୍ମନିରପେକ୍ଷ ଭାରତ ଓ ବୁଦ୍ଧଙ୍କ ଦେଶ ଜାପାନ ମଧ୍ୟରେ ସହଯୋଗିତା ଓ ସହଭାଗିତାର ଦୀର୍ଘ ସଂପର୍କ ଏକ ନିଆରା ଉଦାହରଣ ସୃଷ୍ଟି କରିଥିବାବେଳେ ସମସ୍ତ ଏସୀୟ ରାଷ୍ଟ୍ର ମିଳିତ ହୋଇ ଏକ ସହବନ୍ଧନରେ ବାନ୍ଧିହେଲେ ଆମ ବିଶାଳ ଏସିଆ ଭୂଖଣ୍ଡ ଅଧିକ ଶକ୍ତିଶାଳୀ ହୋଇପାରନ୍ତା।

Comments are closed.