କାଳ କବଳେ ସିନା ଏ ରୂପେ ଭାଇ!

ଅଭିମନ୍ୟୁ ଧଳ

ମଣିଷ ଜନ୍ମ ନେଇଥାଏ ସାତ୍ତ୍ୱିକ ମାର୍ଗରେ ଜୀବନ ଉତ୍ସର୍ଗକରି ଲୋକଙ୍କ ମନରେ ସବୁଦିନ ପାଇଁ ମନେ ରହିବା ; ପରନ୍ତୁ ଆମ୍ଭେ ଅଳୀକ ସ୍ୱାର୍ଥ ଓ ମୋହଗ୍ରସ୍ତ ହୋଇ କାଳର କରାଳ ଗର୍ଭରେ ପତିତ ହୋଇ ନିଶ୍ଚିତ ମୃତ୍ୟୁ ନିକଟକୁ ଧାଉଁଥିଲେ ମଧ୍ୟ ତାହାକୁ ପାସୋରି ଦେଉ। ଅନ୍ୟାୟ, ଅନୀତି, ଅପକାରରେ ବୁଡ଼ି ଆତ୍ମସନ୍ତୋଷ ଲାଭ କରୁ।

ଗୀତାରେ ଉଲ୍ଲେଖ ଅଛି, ଠିକ୍‌ ଭୁଲ୍‌ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାର ଜ୍ଞାନଶକ୍ତି ବିଚାରଣ କୁହାଯାଏ। ଏହି ବିଚାର ଶକ୍ତି ବୁଦ୍ଧିରେ ରହିଥାଏ; କିନ୍ତୁ କାମନା ଏପରି ଏକ ବିରୋଧୀ ତତ୍ତ୍ୱ ବୁଦ୍ଧିର ଏହି ବିଚାର ଶକ୍ତିକୁ ଆବୃତ କରିଦିଏ। ଶ୍ରୀକୃଷ୍ଣ ଏହାକୁ ବର୍ଣ୍ଣନା କରିବାକୁ ଯାଇ ତିନିଟି ସ୍ତରର ଉଦାହରଣ ଦେଇଛନ୍ତି। ଅଗ୍ନି ଯାହା ଆଲୋକର ଉତ୍ସ ଅଟେ, ଧୂଆଁ ଦ୍ୱାରା ଆବୃତ ହୋଇଯାଏ। ଏହି ଆଂଶିକ ଅସ୍ପଷ୍ଟତା ସତ୍ତ୍ୱଗୁଣୀ କାମନା ଦ୍ୱାରା ସ୍ପଷ୍ଟ ପତଳା ମେଘ ସଦୃଶ ଅଟେ। ଦର୍ପଣର ସ୍ୱାଭାବିକ ଗୁଣ ପ୍ରତିବିମ୍ୱ ସୃଷ୍ଟି କରିବା; କିନ୍ତୁ ଧୂଳିଦ୍ୱାରା ଏହା ଅସ୍ପଷ୍ଟ ହୋଇଯାଏ। ଏହି ଅର୍ଦ୍ଧସ୍ୱଚ୍ଛତା, ବୁଦ୍ଧି ଉପରେ ରାଜସିକ କାମନାର ପ୍ରଭାବ ସଦୃଶ ଅଟେ। ‘ଭ୍ରୂଣ’ ଜରାୟୁ ଦ୍ୱାରା ଲୁକ୍‌କାୟିତ ରହିଥାଏ। ଏହି ପୂର୍ଣ୍ଣ ଲୁକ୍‌କାୟିତ ଅବସ୍ଥା, ତାମସିକ ଗୁଣଦ୍ୱାରା ବିଚାର ଶକ୍ତିର ପୂର୍ଣ୍ଣ ବିଲୁପ୍ତି ଅଟେ। ଏହିପରି ଭାବରେ ଆମ କାମନାର ସ୍ତର ଅନୁଯାୟୀ, ଆମେ ଶୁଣୁଥିବା ବା ପଢ଼ିଥିବା ଆଧ୍ୟାତ୍ମିକ ଜ୍ଞାନ ଆଚ୍ଛନ୍ନ ହୋଇଯାଏ।

ବୁଦ୍ଧଦେବ କହିଛନ୍ତି, ‘‘କାମ ଅର୍ଥ କାମନା, ଦୁଷ୍କ୍ୱରେଣ ଅର୍ଥ ଅତୃପ୍ତ, ଆନନ୍ଦ ଅର୍ଥାତ୍‌ ‘‘ଯାହା ଲିଭେ ନାହିଁ’’। କାମନା ଜ୍ଞାନୀମାନଙ୍କର ବିଚାର ଶକ୍ତିକୁ ବଶୀଭୂତ କରି ସେମାନଙ୍କୁ ତାହାର ପୂର୍ତ୍ତି ନିମନ୍ତେ ପ୍ରଲୋଭିତ କରିଥାଏ। ଏହି କାମନାକୁ ଲିଭାଇବା ପାଇଁ ସେମାନେ ଯେତେ ପ୍ରୟାସ କରନ୍ତି, ତାହା ସେତେ ଅଧିକ ଜଳେ, କାରଣ ‘ମୋହ’ ନାମକ ଘୃତରେ କ’ଣ ଏହି ଅଗ୍ନି ନିର୍ବାପିତ ହୋଇପାରେ ?’’

ଜଣେ ଲୋକ ପ୍ରତିଦିନ ସଂଧ୍ୟାରେ ପାଖଜଙ୍ଗଲ ନିକଟରେ ବୁଲିବାକୁ ଯାଆନ୍ତି। ଦିନେ ସଂଧ୍ୟା ଆଗମନ ପୂର୍ବରୁ ଭ୍ରମଣ କରୁ କରୁ ଗହଳ ଲତା ବୃକ୍ଷ ମଧ୍ୟକୁ ଚାଲିଗଲେ। ଏହି ସମୟରେ ସୂର୍ଯ୍ୟାସ୍ତ ହେବାରୁ ଅଦ୍ଧାର ମାଡ଼ି ଆସିଲା। ସେ ପଛକୁ ଫେରି ଦେଖନ୍ତି ତ ତାଙ୍କ ପଛରେ ଦଳେ ହିଂସ୍ର ପଶୁ ତାଙ୍କୁ ଆକ୍ରମଣ କରିବା ପାଇଁ ସଜାଗ ହୋଇ ରହିଛନ୍ତି। ପଛକୁ ଫେରିବେ କ’ଣ ଭୟରେ ଆଗକୁ ଦୌଡ଼ିବାରେ ଲାଗିଲେ। କିଛି ପଥ ଅତିକ୍ରାନ୍ତ ପରେ ଦେଖିଲେ ତାଙ୍କ ଆଗରେ ଗୋଟିଏ ଡାହାଣୀ ତାଙ୍କୁ ଧରିବା ପାଇଁ କର ପ୍ରସାରଣ କରି ରହିଛି। ଆଗକୁ ଓ ପଛକୁ ଯିବା ମହା ବିପଦ। ତେଣୁ ସେ ତତ୍‌କ୍ଷଣାତ୍‌ ଦିଗ ବଦଳାଇ ଦୌଡ଼ିଲେ। ଅନ୍ଧାର ବଢ଼ି ବଢ଼ି ଚାଲିଥାଏ, ରାସ୍ତା ଭଲ ନ ଦିଶିବାରୁ ସେ ଏକ ବିରାଟ ବୃକ୍ଷର ଓହଳଦ୍ୱାରା ଆଚ୍ଛାଦିତ ଏକ ଗର୍ତ୍ତରେ ଖସିପଡ଼ିଲେ। ଖସିବା ସମୟରେ ତାଙ୍କ ପାଦ ଦୁଇଟି ଓହଳରେ ଛନ୍ଦି ହୋଇଯିବାରୁ ମୁଣ୍ଡତଳକୁ ହୋଇ ସେଥିରେ ଝୁଲି ରହିଲେ। ତାଙ୍କର ହୋସ୍‌ ଆସିବା ପରେ ସେ ଦେଖିଲେ ତାଙ୍କ ମୁଣ୍ଡ ତଳେ ଏକ ବିଷଧର ସର୍ପ ଫଣା ଟେକି ତାଙ୍କୁ ଦଂଶନ କରିବାକୁ ପ୍ରସ୍ତୁତ। ଏହି ସମୟରେ କଳା ଧଳା ଦୁଇଟି ମୂଷା ସେଠାରେ ପହଞ୍ଚି ସେ ଲଟିକି ରହିଥିବା ଓହଳକୁ କାଟିବାକୁ ଲାଗିଲେ। ଏହି ସମୟରେ କେତୋଟି ବିରୁଡ଼ି ଆସି ତାଙ୍କ ମୁହଁକୁ ଦଂଶନ କରିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଲେ। ପରନ୍ତୁ କେତୋଟି ମୁହୂର୍ତ୍ତ ମଧ୍ୟରେ ବ୍ୟକ୍ତି ଜଣକ ମୁହଁରେ ସ୍ମିତ ହାସ୍ୟ ପ୍ରକଟିତ ହେଲା, ଏହାର କାରଣ ଥିଲା ଉପରେ ଥିବା ମହୁ ଫେଣାରୁ ଟୋପା ଟୋପା ମହୁ ତାଙ୍କ ଓଠରେ ପଡ଼ୁଥିଲା। ଯାହାର ସ୍ୱାଦ ଆସ୍ୱାଦନରେ ବିଭୋର ହୋଇ ସେ ନିକଟ ମୃତ୍ୟୁକୁ ପାସୋରି ଦେଇଥିଲେ।

ବାସ୍ତବିକ କାମନା ଓ ଏଥିରୁ ଜନ୍ମ ‘ମୋହ’ କବଳରେ ପଡ଼ି ମଣିଷ ମାୟା ଦ୍ୱାରା ଭ୍ରମିତ ହୋଇ ନିଜର ଜ୍ଞାନ ଶକ୍ତି ହରାଇ କାଳର କରାଳ ମୁହଁରେ ମୃତ୍ୟୁ ଅପେକ୍ଷାରେ ଥିଲେ ମଧ୍ୟ ଶୋଷଣ ଲୁଟ୍‌, ଶଠତା, ବିଶ୍ୱାସହୀନ, ହତ୍ୟା ଆଦି ଜଘନ୍ୟ ଅପରାଧରେ ବୁଡ଼ିଯାଉଛେ। ହିଂସ୍ର ପ୍ରାଣୀମାନେ ଯେଉଁମାନେ ଲୋକଟିର ପଶ୍ଚାତ୍‌ ଧାବନ କରୁଥିଲେ ସେମାନେ ରୋଗ ବ୍ୟାଧି। ଯାହା କବଳରେ ନିଶ୍ଚିତ ଦିନେ ଆମେ ପଡ଼ିବା। ଡାହାଣୀ ବାର୍ଦ୍ଧକ୍ୟର ପ୍ରତୀକ, ସମୟକୁ ଅପେକ୍ଷା କରି ରହିଥାଏ ଆମକୁ କୋଳେଇ ନେବାପାଇଁ, ଧଳା କଳା ମୂଷା, ଦିନ ଓ ରାତ୍ରିର ପ୍ରତୀ। ଆମ ବୟସ ରୂପକ ବର ଓହଳକୁ ସେମାନେ କାଟିବାରେ ବ୍ୟସ୍ତ। ବିରୁଡ଼ି ଆମ ମନରେ ସୃଷ୍ଟି ହେଉଥିବା ଅସରନ୍ତି କାମନା ଯିଏ ମୃତ୍ୟୁ ପର୍ଯ୍ୟନ୍ତ ଯନ୍ତ୍ରଣା ଦେଇଚାଲେ। ସର୍ପ ହେଉଛି ମୃତ୍ୟୁର ପ୍ରତୀକ। ସମସ୍ତଙ୍କୁ ଦିନେ ନା ଦିନେ ସେ ଦଂଶନ କରିବ। ମହୁ ସୂଚିତ କରେ ସଂସାରର ବିଷୟ ବାସନାକୁ, ଯାହା ମୋହରେ ପଡ଼ି ଆମେ ସମସ୍ତ ଶତ୍ରୁଙ୍କୁ ଭୁଲିଯାଇ ଏହାର ସ୍ୱାଦ ଆସ୍ୱାଦନରେ ଲାଗିପଡ଼ୁ ଏହା ହିଁ ତ ଆମମାନଙ୍କର ଅଂଧକାରରେ ଆଚ୍ଛନ୍ନ ଜ୍ଞାନ। ଏହିପରି ଆସକ୍ତି ଯୁକ୍ତ କାମନା ଦ୍ୱାରା ଆମର ବିଚରଣ ଶକ୍ତି ଆବୃତ ହୋଇଯାଏ।

ବୁଦ୍ଧଦେବ କହିଥିଲେ, ‘କାମନାର ବିନାଶରେ ଦୁଃଖର ବିନାଶ’। ମୋକ୍ଷ ପ୍ରାପ୍ତି ତାଙ୍କର କାମନା ଥିଲା। ଶ୍ରୀକୃଷ୍ଣଙ୍କର କାମନା ଥିଲା ଅଧର୍ମୀଙ୍କୁ ବିନାଶ କରି ଧର୍ମର ସ୍ଥାପନା କରିବା । ତେଣୁ ପ୍ରତ୍ୟେକ ମଣିଷର କାମନା ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ନ ହୋଇ ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ। ଏହାର ଅପାର ଫଳ ଆମକୁ ପରୋକ୍ଷରେ ମିଳିଥାଏ। ଭଗବାନ ହୁଅନ୍ତୁ ଅବା ମହାପୁରୁଷ, ସନ୍ଥ, ସନ୍ନ୍ୟାସୀ, ବୈଜ୍ଞାନିକ, ସମାଜସେବୀ ଏହାଙ୍କର ଜୀବନ ପୁଷ୍ପ ଶଯ୍ୟାରେ କଟିନାହିଁ। ନାନା ଦୁଃଖ, ଯନ୍ତ୍ରଣା, ବିପଦର ସାମ୍‌ନା କରି ନିଜ ଜୀବନକୁ ପରୋପକାର ପାଇଁ ଉତ୍ସର୍ଗ କରିଛନ୍ତି। ଏମାନେ ମରି ମଧ୍ୟ ଲୋକଙ୍କ ହୃଦୟରେ ଅମର ରହିଥାନ୍ତି। କାହାର ଅମଙ୍ଗଳ କରି ମହୁସ୍ୱାଦ କରିବାରେ ଆମ ଜୀବନ ନିରର୍ଥକ।

‘‘ମୋହ’’ ଏକ ଅଦମ୍ୟ ଅଗ୍ନିଶିଖା ପରି ପ୍ରଜ୍ୱଳିତ ହେବାକୁ ଲାଗିଥାଏ। ଯାହା ଆମ ଜ୍ଞାନକୁ ଜାଳିପୋଡ଼ି ପାଉଁଶ କରିଦିଏ। ଏହାକୁ ଦୁଃଖର ମୂଳ କାରଣ ମନେକରି ଜ୍ଞାନୀମାନେ ଏହାକୁ ବର୍ଣ୍ଣନା କରିଥାନ୍ତି। ଭକ୍ତ କବି ମଧୁସୂଦନ ରାଓ କହିଛନ୍ତି ‘‘ରେ ଆତ୍ମନ୍‌ ! ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ ।’’

Comments are closed.