ନୂତନ ଯୁଗର ଅତ୍ୟାଧୁନିକ ସମ୍ପର୍କ

ସୁକାନ୍ତ କୁମାର ପଟେଲ

ପ୍ରାଚ୍ୟ ଜଗତର ଭାରତରେ କେଉଁ ଆବହମାନ କାଳରୁ ବିବାହ ଏକ ସ୍ବତନ୍ତ୍ର ଏବଂ ପବିତ୍ର ଅନୁଷ୍ଠାନ ଭାବେ ସ୍ବୀକୃତିପ୍ରାପ୍ତ। ସମଗ୍ର ବିଶ୍ବରେ ଆମ ବିବାହ ପରମ୍ପରାକୁ ଏକ ଅଦ୍ବିତୀୟ ସ୍ଥାନ ଦିଆଯାଇଛି। ଏହି ବ୍ୟବସ୍ଥା ଦ୍ବାରା ଉଭୟ ପୁରୁଷ ଓ ନାରୀ ପତି-ପତ୍ନୀ ରୂପେ ନିଜକୁ ସ୍ବୀକାର କରିନେବା ପରେ ପରେ ସେମାନେ ପାରସ୍ପରିକ ଦାୟିତ୍ବବୋଧ, ସମ୍ମାନ ତଥା ନିବିଡ ପ୍ରେମ ବନ୍ଧନରେ ଆଜୀବନ ବାନ୍ଧି ହୋଇଯାଆନ୍ତି। ତେବେ ଏହା ପାରିବାରିକ ତଥା ସାମାଜିକ ସୁଖ ଶାନ୍ତି ପାଇଁ ଅପରିହାର୍ଯ୍ୟ। ଯୌଥ ପରିବାର ଏଥିରୁ ଉତ୍ପତ୍ତି। ଯଦିଓ ଭାରତରେ ବର୍ତ୍ତମାନ ଯୌଥ ପରିବାର ନିଶ୍ଚିହ୍ନ ହେବାକୁ ବସିଲାଣି; ତଥାପି ବିବାହ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ମର୍ଯ୍ୟାଦାପ୍ରାପ୍ତ ।

ପାଶ୍ଚାତ୍ୟ ବିବାହ ପଦ୍ଧତି ସଂପୂର୍ଣ୍ଣ ଭିନ୍ନ। ସେଠାରେ କେବଳ ‘ଲିଭ୍‌-ଇନ୍‌-ରିଲେସନସିପ’ ଅଥବା ବିବାହ ପୂର୍ବରୁ ପୁରୁଷ-ନାରୀ ସ୍ବାମୀ ସ୍ତ୍ରୀ ଭାବେ ଏକତ୍ର ରହିବା ପ୍ରଚଳିତ। ଏଥିରେ ତଥାକଥିତ ସ୍ବାମୀ ଓ ସ୍ତ୍ରୀର ପରସ୍ପର ପ୍ରତି ଦାୟିତ୍ବବୋଧତା ନ ଥାଏ। ସେମାନେ ନିଜର ବ୍ୟକ୍ତିଗତ ସ୍ବାଧୀନତାକୁ ତ୍ୟାଗ କରିବାକୁ ଆଦୌ ପ୍ରସ୍ତୁତ ନ ଥାନ୍ତି ଯାହା ପାରମ୍ପରିକ ବିବାହର ଏକ ଅନିର୍ବାର୍ଯ୍ୟ ସର୍ତ୍ତ। ସେଥିପାଇଁ ପାଶ୍ଚାତ୍ୟରେ ବିବାହ ଦୀର୍ଘଦିନ ତିଷ୍ଠି ରହିପାରେନାହିଁ।

ଏବେ କିନ୍ତୁ ପାଶ୍ଚାତ୍ୟରେ ଭାରତୀୟ ବିବାହର ଗୌରବ ଏବଂ ମହତ୍ତ୍ବକୁ ଉପଲବ୍ଧି ପୂର୍ବକ ଆପଣାଇବାକୁ ଇଚ୍ଛା କରୁଥିବାବେଳେ ଭାରତର ଯୁବପିଢି ପାରମ୍ପରିକ ପ୍ରଥାର ବ୍ୟତି​‌େ​‌ରକ ପାଶ୍ଚାତ୍ୟର ‘ଲିଭ-ଇନ-ରିଲେସନସିପ’ ଅଥବା ଲିଭ- ଇନ-ସମ୍ପର୍କକୁ ଆପଣାଉଛନ୍ତି। ମହାନଗରୀଗୁଡିକରେ ଏହା ଅଧିକ ମାତ୍ରାରେ ଦେଖାଦେଉଛି। ଭାରତୀୟ ସମାଜରେ ପ୍ରେମ ବିବାହ ଏ ପର୍ଯ୍ୟନ୍ତ ସ୍ବୀକୃତି ଲାଭ କରିନାହିଁ। ଯେଉଁଠାରେ ପୂର୍ବରୁ ଗାନ୍ଧାର ବିବାହର ପରମ୍ପରା ପ୍ରଚଳିତ। ଏବେ ପ୍ରେମ ବିବାହ ଏବଂ ‘ଲିଭ-ଇନ-ରିଲେସନସିପ’ ସମ୍ପର୍କ ପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।
ଲିଭ-ଇନ-ରିଲେସନସିପରେ ଉଭୟ ପୁରୁଷ ଏବଂ ମହିଳା ଏକତ୍ର ବାସ କରିବା ସହ ଶାରୀରିକ ସମ୍ପର୍କ ରଖନ୍ତି ଯେଉଁଥିରେ ଉଭୟଙ୍କ ସହମତି ଥାଏ। ଉଭୟ ସାବାଳକ ତଥା ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଉଭୟ ବିବାହିତ ହୋଇଥାଇପାରନ୍ତି। ତେବେ ଏହି ସମ୍ପର୍କ ଭାରତୀୟ ସଂସ୍କୃତି, ବିଚାରଧାରା ଏବଂ ଆଇନ ମଧ୍ୟରେ ଏବେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ସମ୍ବିଧାନର ଧାରା ୨୧ ଅନୁଯାୟୀ ନାଗରିକର ଜୀବନ ଧାରଣର ମୌଳିକ ଅଧିକାର ରହିଛି ଏବଂ ଏହାର ପରିଧି ବଳୟ ଅନ୍ତର୍ଗତ ହେଉଛି ଲିଭ-ଇନ-ରିଲେସନସିପ୍‌। ସୁତରାଂ ନ୍ୟାୟାଳୟ ଏହି ସମ୍ବିଧାନର ମୌଳିକ ଅଧିକାରକୁ ବିଚାର କରି ରାୟ ପ୍ରଦାନ କରିଛନ୍ତି ଯେ ଯଦି ଦୁଇଜଣ ସାବାଳକ ଲିଭ-ଇନ-ରିଲେସନସିପରେ ରୁହନ୍ତି, ଏହା ବେଆଇନ ନୁହେଁ; କିନ୍ତୁ ଆମ ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଛି। କାରଣ ଏହାର ବିଧିବଦ୍ଧ ନିୟମ ପ୍ରଣୟନ କରାଯାଇ ନ ଥିବା ବେଳେ ନ୍ୟାୟିକ ବ୍ୟବସ୍ଥା ଏହା ବିପକ୍ଷରେ ସ୍ବର ଉତ୍ତୋଳନ କରେନାହିଁ। ସୁତରାଂ ଯଦିଓ ଏହା ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ଆଦୃତି ଲାଭ କରିଛି ତଥାପି ନ୍ୟାୟିକ ଶାସ୍ତ୍ରରେ ଏଥିଲାଗି ନିୟମ ନ ଥିବାରୁ ଉଭୟଙ୍କୁ ଏଥିରେ ସୁରକ୍ଷା କବଚ ପ୍ରଦାନ କରିବାରେ ପ୍ର​‌େ​‌ତ୍ୟକ ରାଜ୍ୟ ବିଫଳ।

୨୦୧୭ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, କେ.ଏସ.ପୁଟ୍ଟୁସ୍ବାମୀ ବନାମ ଭାରତୀୟ ସଂଘ ମାମଲାରେ ପ୍ରାଇଭେସି ଅଥବା ଗୋପନୀୟତାକୁ ମୌଳିକ ଅଧିକାର ଚିହ୍ନଟ କରିଥିଲେ। ସେହିପରି ୨୦୧୪ରେ ନାଲସା ବନାମ ଭାରତୀୟ ସଂଘ ମାମଲାରେ ନ୍ୟାୟାଳୟ ସମଲିଙ୍ଗୀଙ୍କ ଅଧିକାର ସପକ୍ଷରେ ରାୟ ପ୍ରଦାନ କରିଥିଲେ। ୨୦୧୮ରେ ନଭଜୋତ ସିଂହ ଜୋହାର ବନାମ ଭାରତୀୟ ସଂଘ ମାମଲାରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୭୭କୁ ଅାପରାଧିକ ବିଷୟ ନୁହେଁ ବୋଲି ରାୟ ପ୍ରଦାନ କରିଥିଲେ। ସାମାଜିକ ପରିବର୍ତ୍ତନ ଅନୁଯାୟୀ ନ୍ୟାୟାଳୟ ଦ୍ବାରା ଅନେକ ରାୟ ପ୍ରଦାନ କରାଯାଇଥିଲେ ମଧ୍ୟ ଆମ ପିତୃକୈନ୍ଦ୍ରିକ ପରିବାରରେ ଏ ପର୍ଯ୍ୟନ୍ତ ସାମାଜିକ ସତ୍ୟକୁ ଅନୁମୋଦିତ କରାଯାଇନାହିଁ ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଲିଭ-ଇନ-ରିଲେସନସିପ।

୨୦୨୧ରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟରେ ଦୁଇଟି ବିବାଦୀୟ ରାୟ ଯୋଗୁଁ ଘଟଣାର ମୋଡ ଭିନ୍ନ ହୋଇଥିଲା। ପ୍ରଥମତଃ ଗୁଲଜର କୁମାରୀ ବନାମ ପଞ୍ଜାବ ରାଜ୍ୟ ଏବଂ ଉଳ ବନାମ ହରିୟାନା ରାଜ୍ୟ ମାମଲାରେ ଲିଭ-ଇନ-ରିଲେସନସିପରେ ଥିବା ପୁରୁଷ ଏବଂ ମହିଳାଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ବାରଣ ନ୍ୟାୟାଳୟ କରି ରାୟ ପ୍ରଦାନ କରିଥିଲେ ଯେ ଏହା ସାମାଜିକ ଭାବେ ଅନୁମୋଦିତ ନୁହେଁ। ଏହାଦ୍ବାରା ଭାରତୀୟ ସାମାଜିକ ପରମ୍ପରା ନଷ୍ଟ ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି। ଏହାର କିଛି ଦିନ ପରେ ସେହି ଉଚ୍ଚ ନ୍ୟାୟାଳୟ ଏକ ଲିଭ-ଇନ-ରିଲେସନସିପ ମାମଲାର ବିଚାର କରି ରାୟ ପ୍ରଦାନ କରିଥିଲେ ଯେ ନିଜ ସାଥୀ ଚୟନ କରିବା ସେମାନଙ୍କର ନିଜସ୍ବ ଅଧିକାର ଏବଂ ଜୀବନ ଧାରଣାର ମୌଳିକ ଅଧିକାର। ଏହି ଐତିହାସିକ ରାୟକୁ ପାଥେୟ କରି ଅନେକ ଉଚ୍ଚ ନ୍ୟାୟାଳୟ ଏବେ ଲିଭ-ଇନ-ରିଲେସନସିପରେ ଥିବା ପୁରୁଷ ଏବଂ ମହିଳାଙ୍କୁ ସମ୍ବିଧାନର ଧାରା ୨୧ ଅନୁସାରେ ଜୀବନଧାରଣ ଅଧିକାର ଏବଂ ନିଜସ୍ବ ସ୍ବାଧୀନତା ଅନୁସାରେ ପୁଲିସ ସୁରକ୍ଷା ପ୍ରଦାନ ପାଇଁ ନି​‌େ​‌ର୍ଦଶ ପ୍ରଦାନ କରୁଛନ୍ତି। ଏଥିରେ ମଧ୍ୟ କେତେକ ଦ୍ବନ୍ଦ୍ବ ଉପୁଜୁଛି। ଏଗୁଡିକ ହେଲା ବିଚ୍ଛେଦ ପରେ ଭରଣପୋଷଣ ଅଧିକାର, ଉତ୍ତରାଧିକାରୀ ଭାବେ ସମ୍ପତ୍ତି ଅଧିକାର ଏବଂ ଜନ୍ମିତ ସନ୍ତାନ ସନ୍ତତି ଉପରେ ଅଧିକାର ଇତ୍ୟାଦି। ଉକ୍ତ ସମସ୍ୟାକୁ ନେଇ ୨୦୨୨ର କୁସୁମ ବନାମ ଉତ୍ତର ପ୍ରଦେଶ ରାଜ୍ୟ ମାମଲାରେ ଅଭିଯୋଗକାରିଣୀଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ସୁରକ୍ଷା ପ୍ରଦାନ ପାଇଁ ଅନୁମତି ଦେଇ ନ ଥିଲେ। କାରଣ ତାଙ୍କର ପୂର୍ବ ବିବାହ ଆଇନତଃ ବିଚ୍ଛେଦ ଘଟି ନ ଥିଲା। ରେଶମା ବେଗମ ବନାମ ମହାରାଷ୍ଟ୍ର କେସରେ ମୁମ୍ବଇ ଉଚ୍ଚ ନ୍ୟାୟାଳୟ ପାରିବାରିକ ହିଂସା ଆଇନର ମହିଳା ସୁରକ୍ଷା ନିମନ୍ତେ ଧାରା ୨ (ଚ) ଅନୁଯାୟୀ ଭରଣ ପୋଷଣ ପ୍ରଦାନ ପାଇଁ ଅଗ୍ରାହ୍ୟ କରିଥିଲେ କାରଣ ଏହା ପ୍ରକୃତ ବିବାହ ନ ଥିଲା । ଚିନ୍ମୟୀ ଜେନା ବନାମ ଓଡ଼ିଶା ରାଜ୍ୟ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଥିଲେ ଯେ ସମଲିଙ୍ଗୀ ଲିଭ-ଇନ-ରିଲେସନସିପ୍‌ରେ ରହିପାରିବେ; କିନ୍ତୁ ୨୦୧୦ର ଭେଲୁସ୍ବାମୀ ବନାମ ପଟାଚାଇମାଲ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କଲେ ଯେ କେବଳ ଶାରୀରିକ ସମ୍ପର୍କ ଏବଂ ଆର୍ଥିକ ସମସ୍ୟା ବୁଝାସୁଝା କଲେ ଏହା ବିବାହ ପଦବାଚ୍ୟ ନୁହେଁ ଏବଂ ଦିନେ ଅଧେ କିମ୍ବା ସପ୍ତାହନ୍ତର ଶେଷରେ ଏକତ୍ର ବାସ କଲେ ଏହା ଲିଭ-ଇନ-ରିଲେସନସିପ ନୁହେଁ। ଅର୍ଥାତ୍‌ ଏହା କୌଣସି ପ୍ରକାରର ସମ୍ପର୍କ ପଦବାଚ୍ୟ ନୁହେଁ।

ଆଧୁନିକ ଯୁଗରେ ଭାରତୀୟ ନ୍ୟାୟାଳୟ ଏହି ପ୍ରକାରର ବ୍ୟବସ୍ଥାକୁ ଅନୁମୋଦନ କରିବା ସହ ଅାପରାଧିକ ଆଇନର ଧାରା ୧୨୫ ଅନୁଯାୟୀ ଏଥିରେ ସମ୍ପର୍କିତ ନାଗରିକଙ୍କ ସୁରକ୍ଷା ପାଇଁ ରାୟ ପ୍ରଦାନ କରୁଛନ୍ତି। ତେବେ ଅଧିକାଂଶ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଏବଂ ଜନ୍ମିତ ସନ୍ତାନଙ୍କ ସମ୍ପତ୍ତି ଅଧିକାର ପାଇଁ ମଧ୍ୟ ନ୍ୟାୟାଳୟ ବେଶ୍‌ ତତ୍ପର ଅଛନ୍ତି। କିଛି ଦିନ ପୂର୍ବେ ମାଲିମଥ କମିଟିର ସୁପାରିସ ଅନୁଯାୟୀ ଅାପରାଧିକ ଆଇନର ଧାରା ୧୨୫କୁ ସଂଶୋଧନ କରାଯାଇ ‘ମହିଳା’ ମାନଙ୍କର ସଂଜ୍ଞା ବଦଳାଯାଇ ଭରଣପୋଷଣ ପାଇଁ ଅନୁମତି ପ୍ରଦାନ କରାଯାଉଛି। ୨୦୧୮ରେ କମଲ କୁମାରୀ ବନାମ ମୋହନ କୁମାରଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଥିଲେ ଯେ ଲିଭ-ଇନ-ରିଲେସନସିପରେ ଥିବା ମହିଳାଙ୍କର ଅଧିକାର, ଆଇନ ଅନୁଯାୟୀ ଅନ୍ୟ ବିବାହିତ ମହିଳାଙ୍କ ପରି ଭରଣପୋଷଣର ଅଧିକାର ରହିଛି ଏବଂ ସମ୍ପତ୍ତିରେ ଅଧିକାର ମଧ୍ୟ ରହିଛି।

ବାଲସୁବ୍ରମନିୟମ ବନାମ ସୁରୁତୟାନ ମାମଲାରେ ଲିଭ-ଇନ-ରିଲେସନସିପରୁ ଜନ୍ମିତ ସନ୍ତାନଙ୍କ ନିମନ୍ତେ ପ୍ରଥମକରି ଆଇନତଃ ଅଧିକାର ସାବ୍ୟସ୍ତ କରାଯାଇଥିଲା। ଏବେ କେରଳର ଉଚ୍ଚ ନ୍ୟାୟାଳୟ ମଧ୍ୟ ଏଥିରୁ ଜନ୍ମିତ ସନ୍ତାନକୁ ବିବାହିତ ଦମ୍ପତିଙ୍କ ଜନ୍ମିତ ସନ୍ତାନକ ସଙ୍ଗେ ସମାନ ବୋଲି ମଧ୍ୟ ରାୟ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାରମ୍ପରିକ ହେଉ ଅଥବା ଆଧୁନିକ ସମ୍ପର୍କ ହେଉ ଉଭୟ ପ୍ରଥାର କିଛି ନା କିଛି ଅନ୍ଧକାର ଦିଗ ରହିଥିଲେ ମଧ୍ୟ ତୁଳନାତ୍ମକ ଭାବେ ବିଶ୍ଳେଷଣ କଲେ ଜଣାଯାଏ ଯେ ପାରମ୍ପରିକ ଭାରତୀୟ ବିବାହ ହିଁ ସାମାଜିକ ବନ୍ଧନ ଏବଂ ସୁଖ ଶାନ୍ତି ପାଇଁ ସର୍ବଶ୍ରେଷ୍ଠ। ‘ଲିଭ-ଇନ-ରିଲେସନସିପ’ ଯେ ଅନୁପଯୁକ୍ତ ତାହା ପ୍ରମାଣିତ ହେବାରେ ଲାଗିଛି। ଏଣୁ ସଂସଦରେ ଯଦି ଏଥିପାଇଁ ସ୍ବତନ୍ତ୍ର ଆଇନ କରାଯାଏ, ତେବେ ଭାରତୀୟ ସମାଜରେ ପାରିବାରିକ ସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ନିବିଡତାର ଅତୁଟ ସେତୁ ଯେ ଅଚିରେ ନିଶ୍ଚିହ୍ନ ହେବ ଏଥିରେ ସନ୍ଦେହ ନାହିଁ।

Comments are closed.