ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର

ଶରତ ଚନ୍ଦ୍ର ରଥ

ଯିଏ ଲେଖିଥିଲେ ଏଇ ଧାଡ଼ିଟି ସେ ଜଣେ କବି
ଥିଲେ, ନାମ ତାଙ୍କର ଭକ୍ତଚରଣ ଦାସ। ମନବୋଧ ଚଉତିଶାର ଏହା ଏକ ଅଂଶ। ପଦଟି ଏହିପରି- ‘ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର/ ଚିରି ଭିତର ଦେଖ କି ନାରଖାର।’ ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନଶାସ୍ତ୍ର ବିଶାରଦ, ସମାଜବିଜ୍ଞାନୀ ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟିକୋଟି ମଣିଷଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ। ଏଥିରେ ଅଛି ଜୀବନଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ସେତେ ଭଦ୍ର ନହୋଇପାରେ, ଦାନୀ ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନହୋଇପାରେ। ଅତଏବ ବାହାରକୁ ସୁନାପରି ଚକ୍‌ଚକ୍‌ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନହୋଇପାରେ।

ସୁତରାଂ ବାହାରୁ ଦେଖି ହଠାତ୍‌ କୌଣସି କଥାକୁ ଅତ୍ୟନ୍ତ ଠିକ୍‌ ଅଥବା ଅତ୍ୟନ୍ତ ଭୁଲ ବୋଲି ବିଚାର କରିବାକୁ ହେବନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍‌ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ। କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବାପାଇଁ। ହଠାତ୍‌ କାହା କଥାରେ ଶତପ୍ରତିଶତ ଭଳିଯିବାକୁ ହେବ ନାହିଁ। ବିଷୟବସ୍ତୁର ଗମ୍ଭୀରତାର ଅନୁସାରେ ସମୟ ନେବାକୁ ହେବ। ଧୀରସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେଇ ବ୍ୟକ୍ତିର ଚାଲିଚଳନ, ଆଚାରବ୍ୟବହାର, କଥା କହିବାର ଶୈଳୀ, ଶବ୍ଦପ୍ରୟୋଗର ଧାରା ସର୍ବୋପରି କଥା କହିଲାବେଳେ ଅଙ୍ଗଭଙ୍ଗୀକୁ। ବିଶେଷତଃ ହସକୁ। ଏଥିପାଇଁ ନିଜକୁ କମ୍‌ କହିବାକୁ ହେବ, ଅଧିକ ଶୁଣିବାକୁ ହେବ। ଶ୍ରୋତା ପାଇଁ ବକ୍ତା ମୁହଁରେ ଅଯଥା ପ୍ରଶଂସା ଥିଲେ ବୁଝିବାକୁ ହେବ ଯେ ତା’ ଭିତରେ ଠକାମି ମନୋବୃତ୍ତି ରହିଛି।

ଏହାରର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଅବିଶ୍ବାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବାନାହିଁ। କଥାଟି ହେଉଚି ଏ ଦିଗରେ ଚିହ୍ନାଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଅନେକ ପ୍ରକାରର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ବାଭାବିକ। ତା’ ବୋଲି ଆମେ ତ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ। ଆମକୁ ଚଳଣିର କଳାଟିକୁ ଖୋଜି କାଢ଼ିବାକୁ ପଡ଼ିବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି, ଅତ୍ୟାଧୁନିକ ସୁବିଧାଥିବା କୋଠାଘରକୁ ନିଜର କୁଡ଼ିଆଟେ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। ସେମାନଙ୍କ ଭିତରେ ଅହଂର ପରିମାଣ ଅଧିକ ବୋଲି କହିଲେ ଭୁଲ୍‌ ହେବ ନାହିଁଁ। ସେମାନଙ୍କ ଚିନ୍ତା ଅତ୍ୟନ୍ତ ସ୍ପର୍ଶକାତର। ଅନ୍ୟର ଦୁଃଖକଷ୍ଟ ଉପରେ ସେମାନେ ଗୁରୁତ୍ବ ଦିଅନ୍ତି ନାହିଁ। ନିଜର କଥା ସରିଲେ ଅଥବା କାର୍ଯ୍ୟ ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ବିଦାୟ ନେଇଯାଆନ୍ତି।

ସେଦିନ କୁମ୍ଭୀରର ଛଳନାପୂର୍ଣ୍ଣ କଥାରେ ଭଳିଯାଇ ମାଙ୍କଡ଼ଟି ସର୍ବନାଶର ଶିକାର ହେବାପୂର୍ବରୁ ନିଜ ବୁଦ୍ଧି ବଳରେ କୁମ୍ଭୀର କବଳରୁ ପାଣିଭିତରୁ ଖସିଆସିଲା ବୋଲି ସିନା, ନହେଲେ ଅବସ୍ଥା କ’ଣ ହୋଇଥାନ୍ତା, ତାହା କଳ୍ପନାର ବାହାରେ। ଆଜିକାଲି ମୋବାଇଲ ଫୋନ୍‌ ବିଭିନ୍ନ ଆପ୍‌ରେ କେତେକେତେ ଚିକ୍କଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଯୁବଶକ୍ତିକୁ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍‌ ବିଶ୍ବାସ କରାଯିବା ଆଦୌ ଉଚିତ ନୁହେଁ। ବିଶ୍ବାସ କରି ମାଟି ଉପରୁ କୁମ୍ଭୀର ପିଠିରେ ବସି ପାଣି ଭିତରକୁ ଚାଲିଗଲେ ଅବସ୍ଥା କେଡ଼େ ଦୟନୀୟ ନହେବ ସତେ! ଲେଡ଼ିଗୁଡ଼ କହୁଣିକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶିଦୂର ନଥିବ। ମଣିଷକୁ ନଜାଣି, ନବୁଝି କାହା କଥାରେ ହଠାତ୍‌ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ, ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନ ମହତକୁ ଭୁଲି ବସିବା। କଥାଟି ଆପଣା ହସ୍ତେ ଜିହ୍ବା ଛେଦି ବା ପରିକା ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍‌ବ୍ୟାକ୍‌ ଥିଓରି ବା ପଶ୍ଚାତଗମନ ତତ୍ତ୍ବ। ଏହି ତତ୍ତ୍ବ ଉପରେ ମନସ୍ତତ୍ତ୍ବବିତ୍‌ମାନେ ଆଜିକାଲି ଅଧିକ ଗୁରୁତ୍ବ ଦେଉଛନ୍ତି।

ମାଅା ସୀତା ହେଉଛନ୍ତି ଦେବୀ, ଦିବ୍ୟଚେତନାର ଅବତାର। ସ୍ବାମୀ ବିବେକାନନ୍ଦ କହନ୍ତି ଯେ ସୀତାଙ୍କ ପରି ଦିବ୍ୟଚରିତ୍ର ଏ ପୃଥିବୀରେ ନାହିଁ। ପୂର୍ଣ୍ଣ ପବିତ୍ରତା ଓ ପୂର୍ଣ୍ଣତାର ଦେବୀ ସୀତା ବନଭୂମିରେ ଛଦ୍ମବେଶୀ ରାବଣର ବାହାର ବେଶ ଦେଖି ତାକୁ ସାଧୁ ବୋଲି ଭାବି ତା’କଥାକୁ ବିଶ୍ବାସ କରି ଭିକ୍ଷା ଦେବା ନିମନ୍ତେ ବାରଣର ଲକ୍ଷ୍ମଣରେଖା ଡେଇଁ ପଡ଼ିଲେ। ପରିଣାମ କ’ଣ ହେଲା। ତାହା ଆମେ ଜାଣୁ। ସେ କେତେ କଷ୍ଟ ପାଇଲେ, କେତେକଷ୍ଟ ପାଇଲେ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ସହିତ ଶ୍ରୀରାମଙ୍କର ଦୂତମାନେ।

ଅତଏବ ମୋବାଇଲରେ ଶୁଭୁଥିବା କୁତୁକୁତିଆ କଥା, ଦିଶୁଥିବା ଫିଟ୍‌ଫାଟ ବେଶ ଯେ କେତେଦୂର ବିଶ୍ବାସଯୋଗ୍ୟ ତାହା ଭାବିବାର କଥା। ରାବଣ ସାଧୁବେଶ ଧରିଲା ପରି କମ୍ପ୍ୟୁଟର ଶିଖି ଚଲାଉଥିବା ଅପରିଚିତ ବ୍ୟକ୍ତିଟି ନିଜକୁ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ହସ୍‌ପିଟାଲରେ କମ୍ପାଉଣ୍ଡର ଥିବା ବ୍ୟକ୍ତି ନିଜକୁ ଡାକ୍ତର ବୋଲି କହିବାରେ ଅସ୍ବାଭାବିକତା ପ୍ରାୟ କିଛି ନାହିଁ। ସେ ବେଶକୁ, ସେ କଥାକୁ ସର୍ବୋପରି ସେ ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କହିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କ ଚିକ୍କଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବା ସହଜ ହୋଇଯିବ। ଥରେ ଗୋଡ଼ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବନାହିଁ। ସୁତରାଂ ପାଦପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ, ଭଲ କରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନଭିନ୍ନ ସ୍ତରରେ ବହୁ ଚିତ୍ରପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର ନହେଲେ ଠକାମିର କବଳରେ ପଡ଼ିଯିବା ସ୍ବାଭାବିକ। ଏଇ ଯେମିତି ପୁଅ ଝିଅଙ୍କର ପ୍ରଜାପତି ଘଟସୂତ୍ର କ୍ଷେତ୍ରରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସତର୍କ ରହିବା ଆବଶ୍ୟକ। ଅବଶ୍ୟ ଏ କଥା ସତ ଯେ ସେମାନଙ୍କ ମଧ୍ୟରୁ ସମସ୍ତେ ଅବିଶ୍ବାସୀ ନୁହନ୍ତି, ତଥାପି ସଚେତନତା ଦରକାର। ହଠାତ୍‌ ସେମାନଙ୍କ କଥାରେ ଭାବ ପ୍ରବଣହୋଇ ଭାସି ନଯାଇ ଟିକିଏ ପ୍ରକୃତିସ୍ଥ ହେବା ଉଚିତ।

ଦ୍ବିତୀୟଥର ଚିନ୍ତାକରି ଏ ସବୁ କ୍ଷେତ୍ରରେ ଆଗେଇବା ବୁଦ୍ଧିମାନର କାର୍ଯ୍ୟ। କାରଣ ଏ ସବୁ କଥା ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବ ଚିନ୍ତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇଥାଏ। ଅତଏବ ଏ ସବୁ କ୍ଷେତ୍ରରେ ଆଗେଇବା ପୂର୍ବରୁ ଭଲଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ଅକ୍ଷରେ ବୁଝିବାକୁ ହେବ ସେଇ ପଦକର ମର୍ମାଥ- ‘ବୁଝି ବିଚାରି କର୍ମ କଲେ। ପ୍ରମାଦ ନ ପଡ଼ଇ ଭଲେ।’

ଆମ ଦେଶରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରାର୍ଥୀମାନଙ୍କର ଆତ୍ମପ୍ରଚାର ବେଳର ନମ୍ରତା, ଖୋସାମତିଆ କଥା, ମିଛ ପ୍ରତିଶ୍ରୁତିମାନଙ୍କୁ ମିଶାଇ ଦେଖିଲେ ସେମାନେ ଏକଏକ ଚିତ୍ର ପ୍ରତିମା ପରି ଦିଶିବେ ନାହିଁକି ? ଏ ମୁଖାପିନ୍ଧା ବେଶ ପ୍ରତି ସାବଧାନତା ଏକାନ୍ତ ଆବଶ୍ୟକ। ନହେଲେ ଭୋଟରଙ୍କ ନାଗରିକତ୍ବର ବହୁମୂଲ୍ୟ ଅଧିକାର କ୍ଷୁଣ୍ଣ ହେବା ସ୍ବାଭାବିକ। ଅବଶ୍ୟ ସବୁନେତା ଯେ ମୁଖାପିନ୍ଧା ନେତା, ଏପରି ନୁହେଁ।

କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲାବେଳେ ଭିନ୍ନଭିନ୍ନ ପରିସ୍ଥିତିରେ ବହୁ ପ୍ରକାରେ ବହୁ ଚିତ୍ର ପ୍ରତିମାମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହି ନେବାକୁ ଚେଷ୍ଟା କରନ୍ତି ତ ଆଉ କିଏ କଳାତ୍ମକ ବଚନରେ ମୋହି ନେବାକୁ ଚେଷ୍ଟା କରନ୍ତି। ପୁଣି ଆଉ କିଏ ବଙ୍କା ତେରଛା ହସରେ ମନକୁ ମୋହିନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ବାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ!!

Comments are closed.