ପାଠ ଏକ ବୋଝ ନୁହେଁ ; ସାଧନା

ଜଣେ ବିଖ୍ୟାତ ରାଜାଙ୍କର ତିନି ପୁତ୍ର ଥିଲେ। ଡଉଲ ଡାଉଲ ସୁନ୍ଦରିଆଗୁଡ଼ା। ରାଜପ୍ରାସାଦରେ, ରାଜଉଦ୍ୟାନରେ ପ୍ରଜାପତି ପରି ଖେଳି ବୁଲୁଥା’ନ୍ତି। ରାଜାଙ୍କ ଛାତି ଏକୁ ଦେଖି ଅାନନ୍ଦରେ କୁଣ୍ଢେମୋଟ ହୋଇଯାଉଥାଏ। କହିଲେ, ‘ଆରେ ପିଲାଦିନର ଏ ଆକର୍ଷଣୀୟତା କେତେ ଦିନ! ରୂପ ଯୌବନରୁ ସମାଜ ଓ ଦେଶବାସୀ କେତେ ସୁବିଧା ହାସଲ କରିଥା’ନ୍ତି? ୟେ ବ୍ୟକ୍ତିବିଶେଷର ଲାଭକ୍ଷତି କଥା। ‘ଦୂରତଃ ଶୋଭତେ ମୂର୍ଖଃ ଲମ୍ବଶାଟପଟାବୃତ୍ତଃ, ତାବତ୍‌ ଶୋଭତେ ମୂର୍ଖଃ ଯାବତ୍‌ କିଞ୍ଚିତ୍‌ ନ ଭାଷତେ। ରୂପଯୌବନସମ୍ପନ୍ନା ବିଶାଳକୁଳସମ୍ଭବାଃ, ବିଦ୍ୟାହୀନା ନ ଶୋଭନ୍ତେ ନିର୍ଗନ୍ଧା ଇବ କିଂଶୁକାଃ’। ସୁନ୍ଦର ଚେହେରା ଓ ସାଜସଜ୍ଜାରେ ମୂର୍ଖ ଦୂରରୁ ଶୋଭନୀୟ ହୋଇଥାଏ, ଯେ ପର୍ଯ୍ୟନ୍ତ କିଛି ହିଁ ନ କହିଛି। ପୁଣି ସୌନ୍ଦର୍ଯ୍ୟ, ଯୌବନ ଓ ବଡ଼କୁଳ ଅଭିମାନ, ଗନ୍ଧହୀନ ସୁନ୍ଦର ପଳାଶ ଫୁଲପରି ହୋଇଥାଏ। ସେ ଅଞ୍ଚଳର ଜଣେ ଆଦର୍ଶ ଜ୍ଞାନୀ ବ୍ୟକ୍ତିତ୍ବ ଶ୍ରୀ ବିଷ୍ଣୁଶର୍ମା ହିଁ ଏ ବାଳକମାନଙ୍କୁ ସୁମଣିଷ ବା ସୁନାଗରିକ କରି ଗଢ଼ି ତୋଳି ପାରିବାର ଧାରଣା ତାଙ୍କର ହେଲା। ବିଷ୍ଣୁଶର୍ମା ଏ ବାଳକମାନଙ୍କ ନିର୍ମଳ ମନରେ ଅମଳିନଭାବ ଆଙ୍କି ଦେବାକୁ ପଶୁ, ପକ୍ଷୀ ଓ ଅନ୍ୟ ଜୀବ ଜଗତ ମାଧ୍ୟମରେ, ମଣିଷପଣିଆ, ରୁଚିବୋଧ ଓ ଜ୍ଞାନର ଯେଉଁସବୁ ପ୍ରାଣଛୁଆଁ କଥା କହିଲେ, ତା’ ବିଶ୍ବରେ ପଞ୍ଚତନ୍ତ୍ର ନାମରେ ବିଦିତ। ବିଷ୍ଣୁଶର୍ମା କେତେ ପାଠ୍ୟଖସଡ଼ା ପ୍ରସ୍ତୁତ କରିଥିଲେ? କେତେ ଥର ବହି କୋଥଳିକୁ ବଦଳେଇ ଥିଲେ? ଏଣେ କହୁଛ, ‘ତରୁଣ ଶିଶୁ, କୋମଳମତି’, ତେଣେ ହିମାଳୟରେ ଶୃଙ୍ଗ ଆରୋହଣ କରୁଥିବା ପିଠିରେ ଭାର ଲଦି ଯାଉଥିବା ବଙ୍କା ମେରୁଦଣ୍ଡର ସେର୍ପା ଭଳି ଏ ପିଲାମାନଙ୍କୁ ସଜାଇ ଦିଆଯାଉଛି। ବିଦ୍ୟାଲାଭ ପାଇଁ ଗୁରୁଙ୍କ ଅବଦାନ ଅପରିହାର୍ଯ୍ୟ। ରାମକୃଷ୍ଣଙ୍କ ଯୋଗୁଁ ବିବେକାନନ୍ଦ, ସନ୍ଦୀପନିଙ୍କ ଯୋଗୁଁ ଶ୍ରୀକୃଷ୍ଣ, ସମର୍ଥ ରାମଦାସଙ୍କ ଯୋଗୁଁ ଶିବାଜି, ଦ୍ରୋଣାଚାର୍ଯ୍ୟଙ୍କ ଯୋଗୁଁ ଅର୍ଜୁନ ଓ ଏକଲବ୍ୟ, ପ୍ଲାଟୋଙ୍କ ଯୋଗୁଁ ଆରିଷ୍ଟୋଟଲ ଓ ଆରିଷ୍ଟୋଟଲଙ୍କ ଯୋଗୁଁ ଆଲେକ୍‌ଜାଣ୍ଡର ସୃଷ୍ଟି ହୋଇଥିଲେ। କହୁନା ଦେଖି, ଏ ଗୁରୁ ଗୋସେଇଁ ଠେଇଁ କେତେ ପିଏଚ୍‌ଡି ଥିଲା, କେତେ ବର୍ଷ ପ୍ରଫେସର ଅଭିଜ୍ଞତାରେ ଏ ନିଯୁକ୍ତି ପାଉଥିଲେ? ‘ଗୁରୁକୁଳ’ ଆମ ଶିକ୍ଷା ପଦ୍ଧତିର ସୂତ୍ର ଥିଲା। ଏବେ ତ ୟେ ଗୋରୁକୁଳ ବନିଯାଇଛି। ଛିଟ କମିଜି ପିନ୍ଧା, ଉଛୁଳା ଯୌବନର ପାର୍ଲର ବିୟୁଟିର ଉଛୁଳା ଛାତ୍ରଛାତ୍ରୀଙ୍କୁ ଏ ମାଷ୍ଟ୍ରେ ସବୁ ବଳି ଯାଉଛନ୍ତି। ତେବେ ଯେ କିଛି ନ ହେଉଛି ତା ନୁହେଁ; ପାଠଶାଠ ମଧ୍ୟରୁ ନକାରାତ୍ମକ ଶାଠ ବେଶ୍‌ ହାବିସ୍‌ ହଉଚି। ପିଲାଟେ ଢ଼େର ମିଛ କହିଲା। ବାପ କହିଲା, ସେ ଯେଣୁ ଗୋଟେ ଅଭ୍ୟାସଗତ ମିଛୁଆର ସାଙ୍ଗ ହେଉଛି, ସେଇ ପ୍ରଭାବରେ ପିଲାଟା ଏପରି ଭୟାନକ ମିଛ ଆଜିଠୁ କହିବା ଆରମ୍ଭ କଲାଣି। ତେଣୁ ତା ସଙ୍ଗରୁ ପୁତ୍ରକୁ ଅଲଗା ରଖିବାକୁ ତାକୁ ମାମୁ ଘରକୁ ପଠାଇଦେଲା। ପୁଅକୁ ୪ ବର୍ଷ ପରେ ମାମୁ ଘରୁ ଫେରାଇ ଆଣିଲା। ବାପ ପୁଏ ନଈ ପାର ଡଙ୍ଗାରେ ହେଉଥାନ୍ତି। ପୁଅର ମାନସିକତାର ପରୀକ୍ଷା ପାଇଁ, ମିଥ୍ୟାକ୍ରାନ୍ତ ହୋଇଛି କି ନାହିଁ, ଜାଣିବା ପାଇଁ ହଠାତ୍‌ ପାଟିକରି ଉଠିଲା, ‘ହେଇଟିରେ ପୁଅ, କେଡେ ବଡ଼ ଭାକୁଡ଼ଟେ ଖେଳୁଛି, ଦେଖିଲୁ’। ପୁଅ କହିଲା, ‘ହଁ ବାପା, ଦେଖୁନା ତା ଲାଞ୍ଜ ପିଟିଦେଲା ବୋଲି ମୋ ହାତରେ କେମିତି ପାଣି ପଡ଼ିଛି !!’ ଚୁପ୍‌ ହୋଇଗଲା ବାପ। ‘ମିଥ୍ୟା କଥନ’ ଏକ ବିଦ୍ୟା ବା ତାଲିମ ବିଷୟକ ନୁହେଁ, ଇଏ ସଂସ୍କାର ଓ ରକ୍ତର କଥା। ସେମିତି ବିଦ୍ୟା, ଜ୍ଞାନ, ପ୍ରତିଭା, ପାଠ୍ୟକ୍ରମ ଅଧୀନସ୍ଥ ନୁହଁ। ପାଠ ଏକ ବୋଝ ନୁ​‌େ​‌ହଁ। ଏକ ସାଧନା। ରୁଚି ସୃଷ୍ଟିର କଥା। କୁହାଯାଇଛି, ‘ବିଦ୍ୟାର୍ଥିନଃ କୁତୋ ସୁଖମ୍‌, କିଂ ଦୂରଂ ବ୍ୟବସାୟିନାଂ’। ବର୍ଣ୍ଣବୋଧ, କଳାକଳେବର କହ୍ନାଇ, କମଳ ଲୋଚନ ଶ୍ରୀହରି, ମନବୋଧ ଚଉତିଶା ସବୁ ମରହଟ୍ଟୀ। ସେଥିରେ ଉଦ୍ୟୋଗ ପ୍ରବଣତା ତିଳେ ନାଇଁ। ‘ବାଲ୍ୟ କାଳୁ ଧର୍ମଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ।’ ଏ ପାଠ୍ୟକ୍ରମରେ କାଇଁ ଏ କଥା, ଭାଷା ଓ ଭାବ? ନୂଆ ପଣ୍ଡିତ ଦଳେ ଏବେ ଆସିଛନ୍ତି, ଦଳେଇ ଆସିଲେ ମୂଳରୁ ଗା।’

ଆରେ ଏଇ ତରୁଣ ବୟସଟା ମଣିଷ ଗଢ଼ିବା ବୟସ। ‘‘ଯା ନ ହୋଇଛି ବାଳ କାଳେ ତା ନୋହିବ ପାଚିଲା ବାଳେ’। ବିଦ୍ୟା ନୁହେଁ, ଆଇଏଏସ, ଆଇପିଏସ ଚାକେରି ପାଇଁ ପିତାମାତାଙ୍କ ଅନ୍ଧ ମୋହ ବରଂ ପିଲାଙ୍କ ପାଠ୍ୟକ୍ରମକୁ, ପାଠ୍ୟ ଲାଭକୁ ବୋଝ ବନାଇ ଦେଉଛନ୍ତି। ଏବେ ନୂଆ ଦଳେଇ ସବୁ ଆସିଛନ୍ତି।

‘ଶୁଙ୍ଘି ଶୁଙ୍ଘି କହିଲେ ଏ ସଇନ୍ଧବ ଲୁଣ’। କଇଁକୁ ଆହୁରି ସଜାଇବା, ଛେନାରୁ ଆହୁରି ଚୋପା ଛଡ଼େଇବାର ଅବୋଧ୍ୟ ଓ ଅପରିଚ୍ଛନ୍ନ ଭାବର ଏମାନେ। ପାଠକୁ, ନୈତିକତାକୁ ଏମାନେ ପୃଷ୍ଠାପୃଷ୍ଠା ମୋଟା ବହି ବୋଲି ଭାବୁଛନ୍ତି। ଚାରିପୃଷ୍ଠାକୁ ଦି’ଶହ ପୃଷ୍ଠା ଓ ଶହେ ପୃଷ୍ଠାକୁ ତିନିଶହ ପୃଷ୍ଠା କରିବା ପରୀକ୍ଷାମୂଳକ ଅଙ୍କରେ ବ୍ୟସ୍ତ। ପରିବାର ଓ ବିଦ୍ୟାଳୟରୁ ଏମାନେ ଶିକ୍ଷା ଓ ମଣିଷପଣିଆ ଶିଖିଥା’ନ୍ତି। ‘ଭକ୍ତକବି ତ ଲେଖିଲେ,-

‘ଜନକ ଜନନୀ ସୁତ ସୁତା ଜାୟା ଧବ,
ସହୋଦର ସହୋଦରା ଆତ୍ମୀୟ ବାନ୍ଧବ,
ପ୍ରଭୋ, ଏ ସର୍ବ ସମ୍ବନ୍ଧ
ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ।’

ସରକାର ପାଠ୍ୟ ଖସଡ଼ା ପରିବର୍ତ୍ତନ କରିବେ କୁଆଡ଼େ !! ୟେ ଅନ୍ଧଙ୍କ ହାତୀଦେଖା, ତଦ୍‌ଜନିତ ଅଭିଜ୍ଞତାଧୀନ ନ ହେଉ। ପିଲାଦିନର ଗୀତ, ଅନୁଭବ ଓ ସ୍ମୃତି, ‘‘ମନେ ଅଛି ମୋର ଗ୍ରାମ ଚାଟଶାଳୀ ଚିହ୍ନିଥିଲି ଯହିଁ ଅକ୍ଷର ଆଗେ, ସରୁ ଦାଣ୍ଡକଡ଼େ, ଚାଳ ଘରଖଣ୍ଡେ ଯାଇଥିଲି ଦିନେ ବାପାଙ୍କ ସଙ୍ଗେ।’

ଏଠି ଜୀବନର ସ୍ମୃତି, ବିଦ୍ୟାରମ୍ଭର ପୁଲକ ଓ ପ୍ରେରଣାର ଅନୁଭବ ଏ‌େବ କୋଉ ବିଦ୍ୟାଳୟ ଯିବା ଦିନରେ ଲେସି ହୋଇଛି। ଏବେ ଦଶମ ଓ ଦ୍ବାଦଶ ପରୀକ୍ଷା ଢାଞ୍ଚା ବଦଳିବ। ପଣ୍ଡିତେ କହୁଛନ୍ତି ଏ ସବୁ ଶ୍ରେଣୀରେ ବର୍ଷକୁ ଗୋଟିଏ ପରୀକ୍ଷା ହେଉଥିବାରୁ ପିଲାଙ୍କ ଭୟ ବଢ଼ାଉଚି। ଆରେ ତମେ ନ ହେଲେ ତମ ବୋପା, ଜେଜେବାପା ବର୍ଷକୁ ଗୋଟିଏ ପରୀକ୍ଷା ଦେଉଥିଲେ। ଏ ପରୀକ୍ଷା ପାଇଁ ବାପା, ମାଆଙ୍କର ଚାପ କାଇଁ ଥିଲା? ଛାତ୍ରଟିଏ ଅଧିକ ସଚେତନ ଅଧ୍ୟବସାୟୀ ବନିଯାଉଥିଲା। ବାପା ମା ପ୍ରେରଣାର ଉତ୍ସ ଥିଲେ। ଏବର କାମଜ ସନ୍ତାନମାନେ ପରୀକ୍ଷାକୁ ଡରୁଛନ୍ତି। ବାଘକୁ ଦେଖିଲେ ବିଚରା ପଥିକର ଲୁଗାରେ ପଟାରେ ହୋଇଯାଏ। ଜଙ୍ଗଲ ସାଥୀ, ବାଣୁଆ ଯେତେ ବାଘ ଦେଖିବ ତେତେ ରୋମାଞ୍ଚିତ ହୋଇଯିବ। ବିଲୁଆ ହାତୀ ଦେଖିଲେ, ଲାଞ୍ଜ ତା ଦି’ ଗୋଡ଼ ସନ୍ଧିରେ ପଶିଯାଏ। ସିଂହ ବେଟାର ଲୋମ ଟାଙ୍କୁରି ଉଠେ। ହାତୀ ବରଂ ଘାଇଲା ହୁଏ। ସିଂହ ଶୃଗାଳ ଶିଶୁ କଥା ପଢ଼ୁନ। ହାତୀ ଦେଖି ଡରୁଆ ପିସାବଗସ୍ତ ଶୃଗାଳକୁ ଦେଖି ମା ସିଂହୀ କହିଲା, ‘ଶୂରୋସି କୃତୋବିଦ୍ୟୋସି ଦର୍ଶନୀୟୋସି ପୁତ୍ରକ, ଯସ୍ମିନ୍‌ କୁଳେ ତ୍ବମୁତ୍ପନ୍ନୋଗ​‌େ​‌ଜାସ୍ତତ୍ର ନ ହନ୍ୟତେ। ଆଜିର ଶିକ୍ଷା ବ୍ୟବସ୍ଥା ସେମିତି ଦଳଙ୍କ ହାତରେ ଏବେ ପଡ଼ିଛି। ନିଜ ମୁତାବକ ବଦଳା; କିନ୍ତୁ ମେଧାବୀ ସହ ମଣିଷପଣିଆ ପାଇଁ ଶିକ୍ଷା ଖସଡ଼ା ଇଏ ଆଦୌ ନୁହଁ ଆଜ୍ଞା।

Comments are closed.