ଭାରତୀୟ ପରମ୍ପରା ଓ ଶାନ୍ତିପ୍ରଦ ପରିବେଶ
ପ୍ରକାଶ ତ୍ରିପାଠୀ
ଭାରତୀୟ ପରମ୍ପରାରେ ସମସ୍ତ ପ୍ରାଣୀ ପ୍ରତି ସମ୍ମାନ ଓ ଆଦର ପ୍ରଦର୍ଶନ କରିବାର ବିଧି ରହିଛି। ପ୍ରକୃତିରେ ପ୍ରତ୍ୟେକ ପ୍ରାଣୀର ଉପସ୍ଥିତି ଓ ମହତ୍ତ୍ବକୁ ସ୍ବୀକାର କରିବା ଏହାର ବିଶେଷତା ଅଟେ। ପ୍ରକୃତିରେ ବାସ କରୁଥିବା ପ୍ରତ୍ୟେକ ପଶୁ, ପକ୍ଷୀ ଓ ବୃକ୍ଷଲତା ପ୍ରତି ମଧ୍ୟ ଏହା ସମ୍ବେଦନର ଶିକ୍ଷା ଦେଇଥାଏ । ସେଥିପାଇଁ ଭାରତରେ ପ୍ରକୃତି ପୂଜାକୁ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ପଶୁ, ପକ୍ଷୀ ଓ ବୃକ୍ଷକୁ ଧର୍ମ ସହିତ ଯୋଡ଼ାଯାଇ ସେମାନଙ୍କ କଲ୍ୟାଣ ସହ ସେମାନଙ୍କର ଆରାଧନା କରିବା ହେଉଛି ଆମ ଧର୍ମୀୟ ପରମ୍ପରାର ସୁନ୍ଦରତା ଓ ମହାନତା ।
କେହି କେହି ସମାଜବିଜ୍ଞାନୀ ହିନ୍ଦୁ ଧର୍ମକୁ କେବଳ ଏକ ଧର୍ମ ନୁହେଁ, ଏକ ସୁନ୍ଦର ସୁସ୍ଥ ଜୀବନଶୈଳୀ ଭାବେ ବର୍ଣ୍ଣନା କରିଥାନ୍ତି। ସେମାନଙ୍କ ମତରେ ପ୍ରକୃତିରେ ଜୀବନ ଧାରଣ କରିଥିବା ପ୍ରତ୍ୟେକ ପ୍ରାଣୀ, ସେ ପଶୁ ହୋଇପାରେ, ପକ୍ଷୀ ହୋଇପାରେ କିମ୍ବା ବୃକ୍ଷ ହୋଇପାରେ, ଜୀବଜଗତରେ ତାହାର ସ୍ବତନ୍ତ୍ର ଭୂମିକା ରହିଛି । ତେଣୁ ସେମାନଙ୍କ ସୁରକ୍ଷିତ ଜୀବନକୁ ସୁନିଶ୍ଚିତ କରିବା ହେଉଛି ପ୍ରକୃତିର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର ପ୍ରଥମ କର୍ତ୍ତବ୍ୟ। ସେଥିପାଇଁ ପୂର୍ବକାଳରେ ଏହାକୁ ଧର୍ମ ସହିତ ଯୋଡି ଦିଆଯାଇଥିଲା। ଯେ ପର୍ଯ୍ୟନ୍ତ ଏହାକୁ ମଣିଷ ବିଶ୍ବାସ କରୁଥିଲା, ସେ ପର୍ୟ୍ୟନ୍ତ ପ୍ରକୃତି ସନ୍ତୁଳିତ ଓ ଶାନ୍ତିପ୍ରଦ ଥିଲା। ମାତ୍ର ଏହି ବିଶ୍ବାସ ଯେତେବେଳେ ଅନ୍ଧବିଶ୍ବାସକୁ ରୂପାନ୍ତରିତ ହେଲା, ତା ପରଠାରୁ ପ୍ରକୃତି ବିଗିଡିବାକୁ ଲାଗିଲା ଓ ତା’ର କରାଳ ରୂପ ବିଭିନ୍ନ ସମୟରେ ମଣିଷ ଦେଖିବାକୁ ଲାଗିଲା; କିନ୍ତୁ ସେହି ବିଶ୍ବାସକୁ ଅନ୍ଧ ବିଶ୍ବାସ ଭାବିବା ପୂର୍ବରୁ ଯଦି ତାହା ଭିତରେ ଲୁଚ ରହିଥିବା ବୈଜ୍ଞାନିକ ସନ୍ଦେଶକୁ ନିରୀକ୍ଷଣ କରିଥାନ୍ତା ତେବେ ବୁଝିଥାନ୍ତା ଯେ ଏ ଧାର୍ମିକ ମାନ୍ୟତା କୌଣସି ଗୋଟିଏ ଧର୍ମ ପାଇଁ ନୁହେଁ, ଏହା ବିଶ୍ବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ପୃଥିବୀରେ ଥିବା ପ୍ରତ୍ୟେକ ଜୀବଜନ୍ତୁ ବୃକ୍ଷଲତା ପରସ୍ପର ପ୍ରତି ନିର୍ଭରଶୀଳ ଓ ପ୍ରକୃତିକୁ ସନ୍ତୁଳିତ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ।
ହିନ୍ଦୁ ଧର୍ମରେ ପଶୁ,ପକ୍ଷୀ ଓ ବୃକ୍ଷମାନଙ୍କୁ ପୂଜନୀୟ ସ୍ଥାନରେ ରଖାଯାଇ ସେମାନଙ୍କର ଗୁରୁତ୍ବକୁ ପ୍ରତିପାଦିତ କରାଯାଇଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ପ୍ରତ୍ୟେକ ପ୍ରାଣୀ ଖାଦ୍ୟ ଶୃଙ୍ଖଳର ଗୋଟିଏ ଗୋଟିଏ କଡ଼ି ଓ ଗୋଟିଏ କଡିର ଅନୁପସ୍ଥିତି ସମଗ୍ର ଶୃଙ୍ଖଳକୁ କ୍ଷତି ପହଞ୍ଚାଇଥାଏ। ଯଦ୍ଦ୍ବାରା ପ୍ରାକୃତିକ ସନ୍ତୁଳନ ବିଗିଡି ଥାଏ। ଖାଦ୍ୟ ଶୃଙ୍ଖଳାର ଶୀର୍ଷରେ ରହିଥିବା ଦୃଷ୍ଟିରୁ ମନୁଷ୍ୟ ଏହାକୁ ଅକ୍ଷୁର୍ଣ୍ଣ ରଖିବା ଉଚିତ। ଯଦି ଏଥିରେ ବ୍ୟତିକ୍ରମ ଘଟେ, ତେବେ ସେ ହିଁ ଏହାର କୁପରିଣାମ ଭୋଗିବ। ସେଥିପାଇଁ ପୂର୍ବ କାଳରେ ମୁନି ଋଷି ଓ ମହାତ୍ମାମାନେ ସମ୍ପୂର୍ଣ୍ଣ ଜୀବ ଜଗତକୁ ଧର୍ମ ସହିତ ପୂଜନର ବ୍ୟବସ୍ଥା କରିଥିଲେ। ସେଥିପାଇଁ ଏଠି ଗରୁଡ ପୂଜନୀୟ ଓ ଗାଈ ବି ପୂଜନୀୟ। ଏଠି ମୂଷିକ ପୂଜନୀୟ ଓ ସର୍ପ ବି ପୂଜନୀୟ। ତୁଳସୀ, ପିପ୍ପଳୀ, ନିମ୍ବ,ବର, ଓସ୍ତ, ବେଲ ଓ ଅଁଳା ଆଦି ବୃକ୍ଷଲତା ବି ପୂଜନୀୟ। ଉପକାର ପାଉଥିବା ପ୍ରତ୍ୟେକ ପ୍ରାଣୀ, ସେ ପଶୁ ହେଉ କି ବୃକ୍ଷଲତା, ହେଉ, ସଭିଙ୍କୁ ସମ୍ମାନ ଓ ଆଦର କରିବାର ବିଧି ଆମ ଧର୍ମୀୟ ପରମ୍ପରାରେ ରହିଛି। ଏମାନଙ୍କୁ ପୂଜନୀୟ କରିବାର ତାତ୍ପର୍ଯ୍ୟ ହେଉଛି, ଯେପରି ସେମାନଙ୍କ ପ୍ରତି କ୍ରୂରତା ପ୍ରଦର୍ଶନ ନ ହୁଏ ଓ ସେମାନଙ୍କ ସଂରକ୍ଷଣ ଓ ଜୀବନକୁ ସୁନିଶ୍ଚିତ କରାଯାଇପାରିବ। ଅନେକ ପଶୁ ପକ୍ଷୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ବିଭିନ୍ନ ଦେବ ଦେବୀଙ୍କ ବାହନ ଭାବେ ସେମାନଙ୍କୁ ଗ୍ରହଣ କରାଯାଇଛି। ଯେପରି ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ ପକ୍ଷୀ, ମା ଲକ୍ଷ୍ମୀଙ୍କ ବାହନ ପେଚା, ମା ସରସ୍ବତୀଙ୍କ ବାହନ ହଂସ, ଭଗବାନ ଶିବଙ୍କ ବାହନ ବୃଷଭ ,ମା ପାର୍ବତୀଙ୍କ ବାହନ ବାଘ, ମା ଦୁର୍ଗାଙ୍କ ବାହନ ସିଂହ, ଗଣେଶଙ୍କ ବାହନ ମୂଷିକ, କାର୍ତ୍ତିକଙ୍କ ବାହାନ ମୟୂର, ଇନ୍ଦ୍ରଙ୍କର ହାତୀ, ଯମରାଜଙ୍କର ମଇଁଷି। ଭଗବାନ ଶିବଙ୍କ ଗଳାରେ ସର୍ପକୁ ସ୍ଥାନିତ କରି ତାକୁ ବି ପୂଜନୀୟ କରାଯାଇଛି। ଆୟୁର୍ବେଦ ଅନୁସାରେ ଅଧିକାଂଶ ବୃକ୍ଷଲତା ଔଷଧୀୟ ଗୁଣରେ ଭରପୂର। ତେଣୁ ଏହାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ନିଶ୍ଚିତ କରାଯିବା ଉଚିତ। ପ୍ରାଣବାୟୁ ବା ଅକ୍ସିଜେନ ସନ୍ତୁଳନ ନିମନ୍ତେ ପ୍ରକୃତିରେ ବୃକ୍ଷରାଜିର ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ଏହାକୁ ପୂଜନୀୟ କରାଯାଇଛି।
ହିନ୍ଦୁ ଗ୍ରନ୍ଥ ଏବଂ ଶାସ୍ତ୍ରଗୁଡ଼ିକ ପ୍ରକୃତି ଉପାସନା ସମ୍ବନ୍ଧରେ ପରିପୂର୍ଣ୍ଣ ଯାହାକି ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି । ଲକ୍ଷ ଲକ୍ଷ ହିନ୍ଦୁ ପ୍ରତିଦିନ ସଂସ୍କୃତ ମନ୍ତ୍ର ପାଠ କରନ୍ତି ଯାହା ସେମାନଙ୍କର ନଦୀ,ସମୁଦ୍ର,ପର୍ବତ, ବୃକ୍ଷ ଏବଂ ପଶୁମାନଙ୍କୁ ସମ୍ମାନ କରେ। ଅନେକ ମଧ୍ୟ ଧାର୍ମିକ କାରଣରୁ ଶାକାହାରୀ ଖାଦ୍ୟ ଅନୁସରଣ କରନ୍ତି ଏବଂ ମାନବ ବ୍ୟବହାର ପାଇଁ ପଶୁମାନଙ୍କର ସଂସ୍ଥାପିତ ହତ୍ୟାକୁ ବିରୋଧ କରନ୍ତି । “ଜୀବେ ଦୟା” ହେଉଛି ହିନ୍ଦୁଧର୍ମର ମହାମନ୍ତ୍ର ଯାହା କି ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଉଦାରତାର ନିଦର୍ଶନର ପ୍ରମାଣ। “ଦେବୀ” ଭାବରେ ଚିତ୍ରିତ ପୃଥିବୀକୁ ଅନେକ ହିନ୍ଦୁ ରୀତିନୀତିରେ ପୂଜା କରାଯାଏ, ଯାହାକୁ କି ଭୂମି ପୂଜନ କୁହାଯାଏ। ଉଦାହରଣ ସ୍ବରୂପ ନୂତନ ଘର କରିବା ପୂର୍ବରୁ ପୁରୋହିତଙ୍କୁ “ଭୂମି (ପୃଥିବୀ) ପୂଜା” କରିବାକୁ ନିମନ୍ତ୍ରଣ କରାଯାଏ କାରଣ, ଘରର ନିଅଁ ଖୋଳିବା ଦ୍ବାରା ଯେଉଁ ଭୁଲ ହୁଏ, ସେଥିପାଇଁ ମାତୃ ପୃଥିବୀକୁ କ୍ଷମା ପ୍ରାର୍ଥନା କରାଯାଏ। ଅନେକ ହିନ୍ଦୁଙ୍କ ପାଇଁ ପରିବେଶ ସୁରକ୍ଷା ଧାରଣା ଧାର୍ମିକ ଶିକ୍ଷାଠାରୁ ଅଲଗା ନୁହେଁ। ଜଙ୍ଗଲ ଏବଂ ଜଳ ଉତ୍ସକୁ ସୁରକ୍ଷା ଦେବାର ପରମ୍ପରା ଅନେକ ଗ୍ରାମୀଣ ହିନ୍ଦୁ ସମ୍ପ୍ରଦାୟରେ ଆଜି ବି ପ୍ରଚଳିତ ଅଛି।
ପ୍ରକୃତିକୁ ଅତ୍ୟାବଶ୍ୟକ ଜୀବନ ପ୍ରଦାନକାରୀ ତଥା ରକ୍ଷକ ଭାବରେ ସ୍ୱୀକୃତି ଦେଇ ସମଗ୍ର ଭାରତୀୟମାନେ ପ୍ରକୃତି ଉପାସନା କରନ୍ତି। ଆମର ପାରସ୍ପରିକ ନିର୍ଭରଶୀଳତାର ସ୍ୱୀକୃତି ହେତୁ ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଅଗ୍ନି, ବୃକ୍ଷ, ପର୍ବତ ଏବଂ ନଦୀ ଆଦି ପବିତ୍ର ବୋଲି ବିବେଚନା କରାଯାଏ। ପ୍ରକୃତିକୁ ପୋଷଣ କଲେ, ପ୍ରକୃତି ଆମକୁ ପୋଷଣ କରିବ, ପ୍ରକୃତିକୁ ନଷ୍ଟ କଲେ, ଏହା ପ୍ରତିବଦଳରେ ଆମକୁ ନଷ୍ଟ କରିବ। ବୃକ୍ଷଗୁଡ଼ିକ ଏକ ନିଃସ୍ୱାର୍ଥପର ଜୀବନର ସେବାପ୍ରଦାନର ଗୋଟିଏ ଗୋଟିଏ ମୂକ ଶିକ୍ଷକ। ସେମାନେ ନିଜ ଉତ୍ପାଦକୁ କେବେ ବି ଗ୍ରହଣ କରିନଥାନ୍ତି। ପ୍ରତ୍ୟେକ ଫଳ, ଫୁଲ, ପତ୍ର, ମୂଳ, ଏପରି କି ସେମାନଙ୍କ କାଠ ଶରୀର ଅନ୍ୟମାନଙ୍କ ପାଇଁ ସମର୍ପଣ କରିଦିଅନ୍ତି। ପ୍ରକୃତି ଦ୍ୱାରା ସମୃଦ୍ଧ ଆମେ ଏହାକୁ ପୂଜାକରି କୃତଜ୍ଞତା ଜଣାଉଛୁ। ସୂର୍ଯ୍ୟ ଏବଂ ଚନ୍ଦ୍ର ପୂଜା ଆରମ୍ଭ ହେଲା ଯେତେବେଳେ ଆମେ ସେମାନଙ୍କ ଉପରେ ଆମର ନିର୍ଭରଶୀଳତା ଅନୁଭବ କଲୁ। ମଣିଷ ତଥାପି ଏହି ନିଃସ୍ୱାର୍ଥପର, ଉଦ୍ଦେଶ୍ୟହୀନ ଦାତାମାନଙ୍କଠାରୁ କିଛି ଶିକ୍ଷା ଲାଭ କରେନାହିଁ।
ଆମ ଧର୍ମୀୟ ପରମ୍ପରା ସର୍ବଦା ଏକ ପରିବେଶ ସମ୍ବେଦନଶୀଳ ଦର୍ଶନ ଅଟେ। ମହାଭାରତ, ରାମାୟଣ, ବେଦ, ଉପନିଷଦ, ଭଗବଦ୍ ଗୀତା, ପୁରାଣ ଏବଂ ସ୍ମୃତି ପରିବେଶ ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସର୍ବପ୍ରଥମ ବାର୍ତ୍ତା ଦେଇଥାଏ। ଭାରତୀୟ ସଂସ୍କୃତିରେ ମନୁଷ୍ୟକୁ ପ୍ରକୃତିର ଶୋଷଣ କରିବାକୁ ବାରଣ କରାଯାଇଛି। ତାଙ୍କୁ ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାକୁ ଏବଂ ଉଦ୍ଭିଦ ଏବଂ ପ୍ରାଣୀ ସମେତ ସମସ୍ତ ଉପାଦାନରେ ଇଶ୍ୱରୀୟତା ଅନୁଭବ ପାଇଁ ଶିକ୍ଷା ଦିଆଯାଇଛି। ପରିବେଶକୁ ବଦଳାଇବାକୁ, ଏହାକୁ ଉନ୍ନତ କରିବାକୁ କିମ୍ବା ଏହା ସହ ମୁକାବିଲା କରିବାକୁ ଚେଷ୍ଟା ନ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହା ବେଳେବେଳେ ଶତ୍ରୁ ବି ମନେହୁଏ ତେବେ ଏହାକୁ ସହ୍ୟ କରନ୍ତୁ। ହିନ୍ଦୁ ଧର୍ମ ଅନୁଯାୟୀ ଏକ ଆଧ୍ୟାତ୍ମିକ ବିଶ୍ୱ ଦୃଷ୍ଟିକୋଣରେ ପରିବେଶ ଏକ ଅନ୍ତର୍ନିହିତ ଅଂଶ। ବର୍ତ୍ତମାନର ଦୁଃଖଦ ପରିବେଶ ସଙ୍କଟ ଏକ ଆଧ୍ୟାତ୍ମିକ ପ୍ରତିକ୍ରିୟା ଆବଶ୍ୟକ କରେ। ଏହି ଆବଶ୍ୟକତା ପୂରଣ କରିବାରେ ବହୁ ସାହାଯ୍ୟ କରୁଥିବା ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ଆମ ସଂସ୍କୃତିର ମୌଳିକ ମୂଲ୍ୟବୋଧକୁ ପୁନଃ ନିର୍ମାଣ , ନବୀକରଣ ଏବଂ ସେଗୁଡ଼ିକର ପ୍ରଚାର କରିବା। ଏହା ସମ୍ଭବ ହୋଇ ପାରିଲେ ପୁଣି ଥରେ ପରିବେଶ ସନ୍ତୁଳିତ ଓ ଶାନ୍ତିପ୍ରଦ ଅବସ୍ଥାକୁ ଫେରି ପାରନ୍ତା।
Comments are closed.