ଆମେ ସବୁ ଭୁଲିଯାଉଛୁ

ସୁରେନ୍ଦ୍ର ପଲାଇ

ମଣିଷ। ଜୀବଜଗତର ଶ୍ରେଷ୍ଠ ପ୍ରାଣୀ। କଥା କହିବା, ହସିବା ଏବଂ ସ୍ମରଣଶକ୍ତି ହିଁ କେବଳ ମଣିଷର ରହିଛି! ସେଇଥିପାଇଁ ସେ ଜୀବଶ୍ରେଷ୍ଠର ମାନ୍ୟତା ପାଇଛି। ଅଣନିଃଶ୍ୱାସୀ ହୋଇ ଅନର୍ଗଳ କହୁଥିଲେ ବି ଅନେକ କଥାକୁ ସେ ଭୁଲିଯାଉଛି। ଯେଉଁ ଶକ୍ତିବଳରେ ମଣିଷ ଶ୍ରେଷ୍ଠତାର ଶିରପା ପିନ୍ଧିଛି, ତା’ ଅଜାଣତରେ ତାକୁ କେହି ଅପହରଣ କରିନେଇଗଲାଣି। ମନେ ରଖିବା ବଦଳରେ ଭୁଲାପଣଟା ମଣିଷକୁ ମାଡିବସିଥିବା ପରି ଲାଗୁଛି।

ଭୁଲାପଣ ଯୋଗୁଁ ଶିକ୍ଷିତ ଓ ଅଶିକ୍ଷିତ ମଣିଷ ଅନେକ ନ କରିବା କାର୍ଯ୍ୟ କରିଦେଉଛନ୍ତି। ଆଉ ନିହାତି ଜରୁରୀ କାର୍ଯ୍ୟକୁ ପାସୋରି ପକାଉଛନ୍ତି। କିଏ ବସ୍‌‌ରେ, କିଏ ଟ୍ରେନରେ ଓ କିଏ ପ୍ଲେନରେ ଯାତ୍ରା ପାଇଁ ଆଗୁଆ ଟିକଟ କାଟୁଛି। ଟଙ୍କା ଖର୍ଚ୍ଚ କରି ବି ଯାତ୍ରା କରିପାରୁନି। ଜରୁରୀ କାମଟା ଅଧାରେ ରହିଯାଉଛି। ଭୁଲାପଣ ପାଇଁ ସେ ମୁଣ୍ଡ କୋଡେ, ଭାଗ୍ୟକୁ ନିନ୍ଦେ। ଅଲକ୍ଷ୍ୟରେ ସେ ନିଜର ଭୁଲାପଣକୁ ଭୁଲିଯାଏ। କେବଳ ଟ୍ରେନ କି ପ୍ଲେନ ଯାତ୍ରା ନୁହେଁ, ଅନେକ ଲୋକ ଭୁଲାପଣ ଯୋଗୁଁ ବଜାରକୁ ଯାଇ ଖାଲି ହାତରେ ଘରକୁ ଫେରନ୍ତି। ବ୍ୟାଗ ଖାଲି ପଡେ, ମନଟାକୁ ଭୁଲାପଣ ମାଡିବସେ। ଏଥିପାଇଁ ପତ୍ନୀଠାରୁ, ପୁଅଠାରୁ, ପରିବାରଲୋକଙ୍କଠାରୁ ସେ ଗାଳି ଶୁଣେ। କପାଳରେ ହାତ ମାରେ, ନିଜର ଭୁଲାପଣକୁ ଧିକ୍‌‌କାର କରେ। ଜଣକର ଭୁଲାପଣ ଯୋଗୁଁ ସେ ବ୍ୟକ୍ତିଗତସ୍ତରରେ କ୍ଷତି ସହେ କିମ୍ବା ତାଙ୍କ ପରିବାରର କ୍ଷତି ଘଟେ। ଗୋଟିଏ ଜାତି, ଗୋଟିଏ ସମ୍ପ୍ରଦାୟ ଭୁଲାପଣର ଶିକାର ହେଲେ, ସେ ଜାତି ଆଗକୁ ବଢ଼ିପାରେନି କି ବିକାଶର ରାସ୍ତା ତାହା ପାଇଁ ସହଜ ହୁଏନି।

ଏ କଳିଙ୍ଗ ଜାତି। ଏ ଜାତିର ଇତିହାସ ବେଶ୍‌ ସମୃଦ୍ଧ। ଏହି ମାଟିରେ ଦିନେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଏ ଜାତିର ବୀରତ୍ୱ ଦିନେ ସାରା ବିଶ୍ୱକୁ ନୂଆ ସୂର୍ଯ୍ୟୋଦୟ ଦେଖାଇଥିଲା। ଏ ଜାତି ଅନେକ ବୀରପୁରୁଷଙ୍କୁ ଜନ୍ମ ଦେଇଛି। ଏଇ ମାଟିରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଦୀନ ଦରିଦ୍ରର ସାଥୀ ଉତ୍କଳମଣି ଗୋପବନ୍ଧୁ ଦାସ ଜନ୍ମ ନେଇଥିଲେ। ନିଜ ଜାତିର ସ୍ୱାଭିମାନ ପାଇଁ ସେମାନେ ଅନେକ ଲୋଭନୀୟ ପୁରସ୍କାର, ସମ୍ମାନ ଓ ପଦପଦବୀକୁ ଗୋଡରେ ଆଡେଇ ଦେଇଥିଲେ। ନିଜେ ସ୍ୱାଭିମାନରେ ବଞ୍ଚିଥିଲେ ଓ ଅନ୍ୟମାନଙ୍କୁ ସ୍ୱାଭିମାନୀ ହେବାକୁ ପରାମର୍ଶ ଦେଉଥିଲେ। ମଧୁବାବୁ ଓ ଗୋପବନ୍ଧୁଙ୍କ ସ୍ୱାଭିମାନୀ ଓଡ଼ିଆ ଜାତି ଏବେ ନିଜର ହୃତଗୌରବକୁ ଭୁଲି ଯାଇଛି। ସ୍ୱାଭିମାନୀ ନ ହୋଇ ବେଇମାନ ହେବାକୁ ଅଧିକ ପସନ୍ଦ କରୁଛି। ନିଜର ଦାରିଦ୍ରତା ଦେଖାଇବାକୁ ସେ ବେଶ୍‌ ଆଗ୍ରହ ପ୍ରକାଶ କରୁଛି, ସହଜ ମନେକରୁଛି। ପର ପାଖରେ ହାତ ପତାଇ ଗର୍ବ କରୁଛି, ମାଗି ଖାଇବାର ଆତ୍ମତୃପ୍ତିରେ ଛାତି କୁଣ୍ଢେମୋଟ କରୁଛି। ନ କରିବା କାର୍ଯ୍ୟ କରୁଛି, ଆଉ କରିବା କାର୍ଯ୍ୟକୁ ଭୁଲିଯାଉଛି। ଡାହାଣ ହାତ କରୁଥିବା କାମ ବାମ ହାତ ଜାଣିପାରୁନି। ଏଠି ଦିନରେ ବିଜୁଳି ବତି ଜଳୁଛି, ରାତିରେ ଅନ୍ଧାର ରାଜୁତି କରୁଛି। ପ୍ରତିବାଦ ନ କରି ସହିନେବାକୁ ଆମେ ପସନ୍ଦ କରୁଛୁ। ଆମେ ଗାନ୍ଧୀଙ୍କ ନୀତି ଆଦର୍ଶକୁ ବିଶ୍ୱାସ କରୁଛୁ;କିନ୍ତୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଜୁଟେଇ ପାରୁନୁ।

ଆମ ଦୁର୍ବଳତାର, ଆମ ଅସହାୟତାର ଫାଇଦା ଉଠାଇ ଚାଲିଛନ୍ତି କିଛି ସ୍ୱାର୍ଥବାଦୀ, ସ୍ୱାର୍ଥାନ୍ୱେଷୀ ମଣିଷ। ସେମାନଙ୍କର ଆବଶ୍ୟକତା ପଡ଼ିଲେ, କ୍ଷମତା ଶିଡ଼ି ଚଢିବାର ନିଶା ମୁଣ୍ଡକୁ ଚଢିଲେ, ଆମ ନିକଟକୁ ଆସନ୍ତି। ଆମକୁ ଗୋଟାକର ନିଜର କରିନିଅନ୍ତି। ମିଛିମିଛିକା ସ୍ନେହ, ମମତା ଆମ ଉପରେ ଓଜାଡି ଦିଅନ୍ତି। ଆକାଶରୁ ଚାନ୍ଦ, ସମୁଦ୍ରରୁ ଅମୃତ, ପାତାଳରୁ ହୀରା ଆଣି ଦେବାର ମିଠା ମିଠା ପ୍ରତିଶ୍ରୁତି ଦିଅନ୍ତି। ପୁଳାପୁଳା ପ୍ରତିଶ୍ରୁତିରେ ଆମେ ପୋତି ହୋଇପଡୁ। ପୋତି ହୋଇପଡେ ଆମର ସନ୍ଦେହ, ଅବିଶ୍ୱାସ ଓ ଆତ୍ମବିଶ୍ୱାସ। ମରିଯାଏ ଆମର ମଣିଷପଣିଆ। କବର ନେଇଯାଏ ଆମର ସ୍ୱାଭିମାନ, ଅଭିମାନ। ଭଲ-ମନ୍ଦ, ହାନି-ଲାଭର ବିଚାର ଆମେ ଭୁଲିଯାଉ। ଭୁଲାପଣଟା ଆମକୁ ସମ୍ପୂର୍ଣ୍ଣ କବଳିତ କରିନିଏ। ଆମର ଭୁଲାପଣ ପାଇଁ ସେମାନେ ବିଜୟ ଧ୍ୱଜା ଉଡାନ୍ତି। କ୍ଷମତା ରଜ୍ଜୁକୁ ବାରମ୍ବାର ଜାବୁଡି ଧରନ୍ତି। ଲୋଭରେ, ନିଶାରେ ମତୁଆଲା ହୁଅନ୍ତି।

୭୫ବର୍ଷର ସ୍ୱାଧୀନତା ଭିତରେ ଅନେକ ନିର୍ବାଚନ ଆସି ଚାଲିଗଲାଣି। ଅନେକ ପ୍ରତିଶ୍ରୁତି ପବନରେ ମିଳେଇଗଲାଣି। ପୁଳାପୁଳା ପ୍ରତିଶ୍ରୁତି ସବୁ ପ୍ରତାରଣାର ରୂପ ନେଉଛି ସିନା ବାସ୍ତବତାକୁ ସ୍ପର୍ଶ କରିପାରୁନି। କବିର ସ୍ୱପ୍ନ ରାଇଜର କବିତା ପରି ନେତାଙ୍କ ପ୍ରତିଶ୍ରୁତିର ଅନେକ ସ୍ୱପ୍ନକୁ ନେଇ ଆମେ କେବଳ ଆଗକୁ ବଢ଼ିଚାଲିଛେ। ଏଥିପାଇଁ ସେମାନେ ଯେତିକି ଦାୟୀ ନୁହନ୍ତି, ଆମେ ସଚେତନ ମଣିଷମାନେ ତା’ଠାରୁ ଅଧିକ ଦାୟୀ। ଦାୟୀ ଆମ ଭୁଲାପଣ, ଆମ ସହନଶୀଳତା। ଆମେ ଯଦି ଭୁଲି ନଯାଇ, ସ୍ୱାଭିମାନୀ ହୁଅନ୍ତେ, ବାସ୍ତବତାକୁ ଚିନ୍ତା କରନ୍ତେ, ଲାଭ-କ୍ଷତିର ହିସାବ ମାଗନ୍ତେ, ମିଳିଥିବା ପ୍ରତିଶ୍ରୁତିର ମୂଲ୍ୟାୟନ କରନ୍ତେ, ପ୍ରଶ୍ନ ପଚାରିବାର ସାହସ ଓ ଶକ୍ତି ଜୁଟାଇ ପାରନ୍ତେ; ତାହାହେଲେ ତରାଜୁ ଓଜନରେ ସାଧାରଣ ଜନତା ହିଁ ଭାରିପଡନ୍ତେ। ଭାରି ପଡନ୍ତା ମିଥ୍ୟା ପ୍ରତିଶ୍ରୁତି ଓ ଛଳନାପୂର୍ଣ୍ଣ ପ୍ରବଞ୍ଚନା। ସେମାନଙ୍କ କ୍ଷମତା ଚୌକି ତାସ୍‌‌ଘର ପରି ନିମିଷକେ ଭୁଶୁଡି ପଡନ୍ତା। ଅଗ୍ନି ଉଦ୍‌‌ଗିରଣର ତତଲା ଲାର୍ଭାରେ ସେମାନେ ନିଶ୍ଚିହ୍ନ ହୋଇଯାଆନ୍ତେ।

ପ୍ରଶ୍ନ କରିବାକୁ ଆମେ କିନ୍ତୁ ସାହସ ଜୁଟେଉ ପାରୁନୁ, ସତ କହିବାକୁ ଶକ୍ତି ଯୋଗାଡ କରିପାରୁନୁ। ସତ ଉପରେ ଭୁଲାପଣ ଭାରିପଡୁଛି। ନିଜ ପାଇଁ, ପରିବାର ପାଇଁ, ପରିଜନଙ୍କ ପାଇଁ ଦୁର୍ନୀତି କରି, ଅସତ୍‌‌ ଉପାୟରେ ଧନ ସଞ୍ଚୟ କରିବାକୁ ବେଶ୍‌‌ ମନେ ରଖିପାରୁଛୁ। ପାଠ ପଢ଼ା ଜୀବନ ଶେଷ ନ ହେଉଣୁ, ଚାକିରି ଜୀବନ ଆରମ୍ଭ ନ ହେଉଣୁ, କେମିତି ଉପୁରି ହେବ, ଅସତ ଉପାୟରେ ଅର୍ଥ ରୋଜଗାର କରିହେବ, ତାହାକୁ କିନ୍ତୁ ଆମେ ଭୁଲିପାରୁନୁ। କାହାଠାରୁ ଆସିବ ଓ କାହା ନିକଟକୁ ଯିବ, ତାକୁ ଭଲଭାବେ ମନେରଖିପାରୁଛୁ। ସାମଗ୍ରିକ ସ୍ୱାର୍ଥ ପାଇଁ, ସମାଜର ବିକାଶ ପାଇଁ କିନ୍ତୁ ଭୁଲାପଣଟା ମଣିଷକୁ କବଳିତ କରିନେଉଛି। ଯେତେ କାଳ ପର୍ଯ୍ୟନ୍ତ ଏମିତି ସମୂହ ସ୍ୱାର୍ଥ ଛାଡି ବ୍ୟକ୍ତିସ୍ୱାର୍ଥ ପଛରେ ଧାଇଁଥିବା, ଭୁଲାପଣକୁ ଜାବୋଡି ଧରିଥିବା, ଭୁଲାପଣ ନାଁରେ ସତକୁ ଅସତ୍ୟର ବାଟ ଦେଖାଇ ଚାଲିଥିବା, ବିକାଶ ମରୀଚିକା ପରି ଆମ ଆଗେ ଆଗେ ସେମିତି ଧାଇଁଥିବ! ସେଥିପାଇଁ ବୋଧେ ଦିବ୍ୟଦ୍ରଷ୍ଟା ମଧୁବାବୁ ଲେଖିଥିଲେ, ‘ଜାତି ନନ୍ଦିଘୋଷ ଚାଲିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଚାଲେକିରେ ଭାଇ ଦାନାର ତୋବଡା ଘୋଡା ମୁହେଁ ବନ୍ଧାଥିଲେ…’।

Comments are closed.