ଉତ୍କଳ ଦିବସ-‘ଓଡ଼ିଆ ସ୍ବାଭିମାନର ଅନ୍ତଃସ୍ବର’

ଅଜୟ କୁମାର ନନ୍ଦ

ଏମିତି ଏକ ଅପ୍ରତ୍ୟାଶିତ ଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ , ସମଗ୍ର ଓଡ଼ିଆ ଜାତିର ଏକ ସ୍ମରଣୀୟ ଦିନ, ବାଣ ରୋଶଣିରେ ଉତ୍ସବ ମୁଖରିତ ହୋଇ ଆମେ ପାଳିଲେ ଉତ୍କଳ ଦିବସ ବା ଓଡ଼ିଶା ଦିବସ । ଇତିହାସ କହେ ଉତ୍କଳ, କଳିଙ୍ଗ, ତୋଷଳ, ଉଡ୍ର ଇତ୍ୟାଦିରୁ ପରିବର୍ତ୍ତିତ ହୋଇ ହୋଇଛି ଆମ ରାଜ୍ୟ ଓଡ଼ିଶା । ଏଥିପାଇଁ ସବୁ ଓଡ଼ିଆଙ୍କ ଛାତି କୁଣ୍ଢେମୋଟ କାହିଁକି ନା ସମଗ୍ର ଭାରତବର୍ଷରେ ଭାଷାକୁ ନେଇ ପ୍ରଥମ ରାଜ୍ୟ ଥିଲା ଓଡ଼ିଶା । ଯେଉଁ ଭାଷାକୁ ନେଇ ଆମର ପରିଚୟ, ତାହାକୁ ବଞ୍ଚେଇ ରଖିବାରେ ଆମେ ଢେର ଅସମର୍ଥ । ବର୍ତ୍ତମାନର ପିଢ଼ି ନିଜକୁ ଓଡ଼ିଆ ଭାବେ ପରିଚୟ ଦେବା ଓ ତାଙ୍କ ଜ୍ଞାନ ଗରିମାକୁ ଉପଯୋଗ କରି ପାଇଥିବା ଦାମିକା ସାର୍ଟିଫିକେଟକୁ ହାଲୁକା କରିବାକୁ ଚାହୁଁନାହାନ୍ତି । କଥା କଥାରେ ଇଂରାଜୀ, ହିନ୍ଦୀ ଓ ମଝିରେ ଓଡ଼ିଆ ମିଶା ଖେଚୁଡ଼ି ଭାଷା କହି ନିଜକୁ ଉଚ୍ଚ ଶିକ୍ଷିତ ପରିଚୟ ଦେଉଛନ୍ତି । ଏପରି କି ପ୍ରତ୍ୟେକ ପିତାମାତା ତାଙ୍କ ପିଲାମାନଙ୍କୁ ଇଂଲିଶ ମିଡିୟମରେ ପଢ଼ାଇ ତାଙ୍କ ମୁହଁରୁ ଟିକେ ଇଂରାଜୀ ଦି ପଦ ଶୁଣିବାକୁ ବ୍ୟାକୁଳ । ଆମ ଓଡ଼ିଆ ବାହାର ରାଜ୍ୟକୁ ଗଲେ ସେଠାକାର ଭାଷାରେ କଥା ହେବାପାଇଁ ଢେର ଖୁସି ପାଉଛନ୍ତି; କିନ୍ତୁ ବାହାର ରାଜ୍ୟର ଲୋକମାନେ ଆମ ରାଜ୍ୟକୁ ଆସିଲେ ଓଡ଼ିଆ ଛାଡି ତାଙ୍କ ଭାଷାରେ କଥା ହେଉଛନ୍ତି, ଏଥିରେ ଆମର କିଛି ପ୍ରତିବାଦ ନାହିଁ ସେମାନେ ଆମ ଭାଷାକୁ ଅବଜ୍ଞା କରୁଛନ୍ତି ବୋଲି । ଏ କଥା ଆମେ ଭୁଲି ଯାଉଛେ ‘ଭାଷା ନ ରହିଲେ ଜାତି ଅଧୁରା । ଭାଷା ସାହିତ୍ୟକୁ ବଞ୍ଚାଇବାକୁ ହେଲେ ଆମମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହିତ ସରକାରୀ ସ୍ତରରେ ଏଥିପାଇଁ ବାଧ୍ୟତାମୂଳକ ବିଧେୟକ ଆଣିବା ନିହାତି ଅପରିହାର୍ଯ୍ୟ। ଓଡ଼ିଶାକୁ ଆସୁଥିବା ଓ ରହୁଥିବା ଅଣଓଡ଼ିଆ ଅଧିବାସୀମାନେ ଓଡ଼ିଆ ଭାଷାରେ ମତ ବିନିମୟକୁ ବାଧ୍ୟତାମୂଳକ କରାଯିବା ଉଚିତ ହେବ। ଯାହାଦ୍ୱାରା ଓଡ଼ିଆମାନେ ନିଜ ଭାଷା ପ୍ରତି ବିମୁଖ ହେବାରୁ ଦୂରେଇବେ। ଆମେ ଆଜି ଗର୍ବିତ ଏଇ ବୀର ଓଡ଼ିଆ ମାଟିରେ ଜନ୍ମ ନେଇଥିବା କେତେଜଣ ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ। ସେମାନଙ୍କ ମଧ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକିରମୋହନ, ସ୍ବଭାବକବି ଗଙ୍ଗାଧର ମେହେର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପାଇକବୀର ବକ୍ସି ଜଗବନ୍ଧୁ ପ୍ରମୁଖଙ୍କ ଦେଶପ୍ରେମ, ତ୍ୟାଗ, ବଳିଦାନ ଓ ସାଧନା ଫଳସ୍ୱରୂପ ଆମେ ପାଇଛେ ଆମ ଜାତିର ପରିଚୟ । ଓଡ଼ିଆଙ୍କ ପରିଚୟ ସୃଷ୍ଟି କରିବାରେ ସର୍ବପ୍ରଥମେ ସାହସ ଜୁଟାଇ ସମସ୍ତ ଓଡ଼ିଆ ଜାତିକୁ ଏକାଠି କରିବାର ମସୁଧା ରଚିଥିଲେ ଉତ୍କଳଗୌରବ ମଧୁସୂଦନ ।

୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରି, ଓଡ଼ିଆ ଭାଷାକୁ ଶାଣିତ କରି ଓଡ଼ିଆଙ୍କ ନ୍ୟାଯ୍ୟ ଦାବିକୁ ବାରମ୍ବାର ଉପସ୍ଥାପନ କରୁଥିଲେ ବିଭିନ୍ନ ମହଲରେ, ଦୀର୍ଘ ୩୩ ବର୍ଷର ନିରବଚ୍ଛିନ୍ନ ଲଢେ଼ଇ ସାଙ୍ଗକୁ ଅକ୍ଳାନ୍ତ ପରିଶ୍ରମ ଶେଷରେ ଇଂରେଜଙ୍କୁ ବାଧ୍ୟ କରିଥିଲା ‘ଓଡ଼ିଆ ଜାତିର ମାନ୍ୟତା’ ତାହା ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଏ ରାଜ୍ୟ ସ୍ୱତନ୍ତ୍ର ଉତ୍କକ ପ୍ରଦେଶ ଗଠନ ହେବା ଇତି ମଧ୍ୟରେ ଅଶୀ ଦଶନ୍ଧି ବିତିଥିବାବେଳେ ଦେଶ ସ୍ବାଧୀନ ହେବା ସତୁରି ଦଶନ୍ଧିରୁ ଊର୍ଦ୍ଧ୍ବ ବିତିଗଲାଣି । ଏଥିରୁ ସ୍ପଷ୍ଟ ଅନୁମାନ ଭାରତ ସ୍ୱାଧୀନତା ଆନ୍ଦୋଳନର ଅନ୍ତୁଡ଼ିଶାଳ ଓଡିଶା ରାଜ୍ୟ ଓ ଓଡ଼ିଆ ପାଇକଙ୍କ ବୀରତ୍ୱ ଇଂରେଜମାନଙ୍କୁ ଦୁର୍ବଳ କରିବାରେ ଅନେକ ସହାୟ ହେଉଥିଲା । ଯେଉଁମାନଙ୍କ ତ୍ୟାଗ, ସାଧନା ଓ ତପସ୍ୟାର ଫଳ ସ୍ୱରୂପ ଓଡିଶା ଆଜି ସ୍ୱତନ୍ତ୍ର ରାଜ୍ୟ ପରିଚୟ ପାଇଛି, ସେହି ବରପୁତ୍ରମାନଙ୍କୁ ଆଜିର ଦିନରେ ସମଗ୍ର ଓଡ଼ିଆ ଜାତି ନତମସ୍ତକ । ବିଡମ୍ବନାର ବିଷୟ ଏହି କି ଯେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପୂର୍ବରୁ ଏହାର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁ ଧରାଧାମରୁ ଆଗପଛ ହୋଇ ଆରପାରିକୁ ଚାଲିଯାଇଥିଲେ ଏବଂ ସେମାନଙ୍କ ପରିକଳ୍ପନା ଓଡ଼ିଶାର ବିସ୍ତୃତ ଅଞ୍ଚଳ ‘ଗଙ୍ଗାରୁ ଗୋଦାବରୀ’ ଓ ଆମେ ବାସ କରୁଥିବା ଆଜିର ଓଡ଼ିଶା ଖୁବ୍‌ ସଂକୀର୍ଣ୍ଣ। ଆମେ ଓଡ଼ିଆ ଅଳ୍ପରେ ସନ୍ତୁଷ୍ଟ, ସେଥିପାଇଁ ଓଡ଼ିଶାର ଅନେକ ଗାଁ ଗଣ୍ଡା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ରାଜ୍ୟମାନଙ୍କ ଆଁରେ ପଶିଯାଇଛି । ଆମ ରାଜ୍ୟର ଅଧିବାସୀ ଏବେ ବି ଅନ୍ୟ ରାଜ୍ୟର ଭାଷା ସଂସ୍କୃତି ଏବଂ ସେଠାକାର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ଅଛନ୍ତି । ଆମ ସୌଭାଗ୍ୟ ଯେ ପ୍ରକୃତିର ଭୌଗୋଳିକ ସ୍ଥିତି ଓ ଈଶ୍ୱରଙ୍କ ଆପର କରୁଣାରୁ ଖଣିଜ ସମ୍ପଦ, ଅରଣ୍ୟ ସମ୍ପଦ, ଜଳ ସମ୍ପଦ ସହିତ ଆମର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍‌ ଶକ୍ତିଶାଳୀ । ଆମର ଏକ ବିଡମ୍ବନା ଯେ ଆମେ ଈଶ୍ୱରଙ୍କ ସୃଷ୍ଟ ଧନୀ ରାଜ୍ୟରେ ଜନ୍ମ ହୋଇ ଗରିବ ହୋଇ ବଞ୍ଚିଛେ । ଦେଶ ସ୍ବାଧୀନ ହେବାର ୭୬ ବର୍ଷ ଅତିକ୍ରାନ୍ତ ହେଲେ ମଧ୍ୟ, ସାମଗ୍ରିକ ବିକାଶ କ୍ଷେତ୍ରରେ ଆମେ ଢେର ପଛରେ ଅଛୁ । ଅନ୍ୟ ରାଜ୍ୟ ତୁଳନାରେ ଆମର ପ୍ରଗତି ସେତେଟା ଆଖିଦୃଶିଆ ନ ହେବାର ମୁଖ୍ୟ କାରଣଟି ହେଉଛି କର୍ମ ପ୍ରତି ବିମୁଖତା ବା ‘ଆଳସ୍ୟ’। ଓଡ଼ିଆଙ୍କ ମାନସିକତା ହେଲା, ଶାଗ ପଖାଳ ଖାଇ ଶାନ୍ତିରେ ଶୋଇବା।ତାହା ହେଉଛି ତାଙ୍କର ‘ସ୍ୱର୍ଗସୁଖ’, ତା’ ଛଡା ଓଡିଆଙ୍କ ଆଉ ଏକ ସଂକୀର୍ଣ୍ଣ ମାନସିକତା ହେଲା ‘ଲାଗି ଖାଇବା ଅପେକ୍ଷା ମାଗି ଖାଇବାରେ’ ଆମର ଅପାର ଆନନ୍ଦ । ସରକାରୀ ଯୋଜନାରୁ ମିଳୁଥିବା ଟଙ୍କିକିଆ ଚାଉଳ, ପଡିକାର୍ଡ ସାଙ୍ଗକୁ ଛତା, ଜୋତା, କମ୍ବଳ, କାଳିଆ,ବଳିଆ,ଇନ୍ଦିରା ଆବାସ ଆଦି ଯୋଜନାକୁ ମୁଖ୍ୟ ସମ୍ବଳକରି ଜୀବନ ବିତାଉଛନ୍ତି ଆମ ଓଡ଼ିଆ। ଗାଁ ଗଣ୍ଡାରେ ମାନବ ସମ୍ବଳର ଢେର ଅପବ୍ୟୟ ଓ ଏହାର ସତ୍ ବିନିଯୋଗ ନ ହେବା ଯୋଗୁଁ ଅର୍ଦ୍ଧାଧିକ ବିଲ ବାଡ଼ି ଆଜି ପଡିଆ, ସବୁଆଡେ ଟାଙ୍ଗରା ଭୂଇଁ । ଅପରପକ୍ଷରେ ଯୁବପିଢିମାନଙ୍କ ମୋବାଇଲ ମାନିଆ, ବିଭିନ୍ନ ଖେଳ କୁଦରେ ସାମିଲ ହୋଇ, ଶସ୍ତା ରାଜନୀତିରେ ନିଜର ମୂଲ୍ୟବାନ ସମୟ ନଷ୍ଟ କରିବା, ଆମ ଅଧୋଗତିର ଅନ୍ୟତମ କାରଣ । ଆମେ ଯଦି ସ୍ୱାବଲମ୍ବୀ ହେବାର ମାନସିକତାକୁ ଦୃଢ଼ତାର ସହିତ ନେବା ତେବେ ଆମେ ଅନ୍ୟ ରାଜ୍ୟ ଭଳି ସମୃଦ୍ଧଶାଳୀ ହୋଇପାରିବା। ଆମେ ଗୋଟିଏ କଥାରେ ନିଶ୍ଚିନ୍ତ ଯେ ଆଗ ଭଳି ଆମେ ଏତେ ପଛୁଆ ନାହୁଁ । ଅନେକ କ୍ଷେତ୍ରରେ ଆମେ ଆଜି ବଳକା ରାଜ୍ୟର ମାନ୍ୟତା ପାଇଛେ। ନବ ଓଡ଼ିଶା ନିର୍ମାଣରେ, ଓଡ଼ିଶାର ଅନ୍ୟତମ ବରପୁତ୍ର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ପ୍ରଗତିକୁ ସାଥୀ କରିଛନ୍ତି ବର୍ତ୍ତମାନର ସରକାର, ବିଗତ ବର୍ଷରେ ଘଟିଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଠିକ ଭାବେ ପରିଚାଳନା କରିବାରେ ବିଶ୍ବଦରବାରରେ ବେଶ୍‌ ପ୍ରଶଂସିତ ହୋଇଛି । ଅନ୍ୟ ପକ୍ଷରେ ବିଗତ ବର୍ଷ କରୋନା ପରିଚାଳନା କ୍ଷେତ୍ରରେ ‘ଅମ୍ଳଜାନ ବିତରଣ’ କରି ସମଗ୍ର ଦେଶରେ ସର୍ବେ ଭବନ୍ତୁ ସୁଖିନଃ ବାର୍ତ୍ତା ଦେଇ ଓଡ଼ିଆ ଜାତିର ମହନୀୟତା ପ୍ରତିପାଦନ କରିଛୁ । ଖାଦ୍ୟ ଶସ୍ୟ ଉତ୍ପାଦନରେ ଆମକୁ ଆଉ ଢେର କିଛି କରିବାର ଅଛି।

ଏଇ କିଛି ଦିନ ତଳେ ଡ୍ରାଇଭରମାନଙ୍କ କେଇ ଘଣ୍ଟା ଷ୍ଟ୍ରାଇକ ବେଳେ ଖାଦ୍ୟ ଶସ୍ୟର ନିଆଣ୍ଟିଆ ପରିସ୍ଥିତି ସହ ହାଟ ବଜାରରୁ ମାଛ, ଅଣ୍ଡା, ପନିପରିବା, ଅନ୍ୟାନ୍ୟ ସାମଗ୍ରୀର ଆଶାତୀତ ଦରବୃଦ୍ଧି, ଆମ ପାରିବାପଣିଆ ପଦାରେ ପଡି ହାଟରେ ଗଡ଼ିଲା। ଆନ୍ଧ୍ରରୁ ମାଛ, କଦଳୀ, ପଶ୍ଚିମ ବଙ୍ଗରୁ ପିଆଜ, ଟମାଟୋ, କର୍ଣ୍ଣାଟକରୁ କୋବି ଇତ୍ୟାଦି ନ ଆସିଲେ ଆମ ରୋଷେଇ ଘର ଅଚଳ, ସେଥିରେ ପୁଣି ଖାଦ୍ୟ ପ୍ରିୟ ଓଡ଼ିଆଙ୍କ ଛ’ ତିଅଣ, ନ’ ଭଜା ନହେଲେ ଭାତ ଗୁଣ୍ଡା ହାତକୁ ଯିବନି। ଆମ ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ପ୍ରଗତିର ବିସ୍ତୃତ ବ୍ୟାକରଣ ବୁଝିବା ସହିତ ଆମକୁ ସମସ୍ତ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପଣ କରିବାକୁ ପଡ଼ିବ। ଶସ୍ୟ ଶ୍ୟାମଳା, ପ୍ରାକୃତିକ ସମ୍ପଦ ଭରା ଧନୀ ପ୍ରଦେଶରେ ବଢୁଥିବା ଅଧିବାସୀ ଗରିବ ହେବା ଏକ ବିଡମ୍ବନାର ବିଷୟ । ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ନ୍ୟାୟରେ ପରିବର୍ତ୍ତନ ଆଣି ଆତ୍ମ ପରିଚୟ ଦେବାର ସମୟ ଉପନୀତ। ଜଣେ ସଚ୍ଚା ଓଡ଼ିଆ ହିସାବରେ କହିବା ଆସନ୍ତୁ ସମସ୍ତେ ମିଳିମିଶି ସୁନାର ଓଡିଶା ଗଠନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ସୁଉଚ୍ଚ କରିବାର ପଣ କରିବା, ଯାହାହେବ ଆଜିର ଦିନର ମୁଖ୍ୟ ଆଭିମୁଖ୍ୟ। ବନ୍ଦେ ଉତ୍କଳ ଜନନୀ।

Comments are closed.