ହିଣ୍ଡେନ୍‌ବର୍ଗ ବିବାଦ

ଶ୍ରୀକାନ୍ତ ଚାଟାର୍ଜୀ

ୟା ଭିତରେ ଗୌତମ ଆଦାନି ଏବଂ ହିଣ୍ଡେନ୍‌ବର୍ଗ ରିପୋର୍ଟ ଚର୍ଚ୍ଚାର ବିଷୟ ହୋଇ ରହିଛି। ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା। ଗୌତମ ଆଦାନି ଗୁଜରାଟ ରାଜ୍ୟର ଜଣେ ବ୍ୟବସାୟୀ। ନିକଟ ଅତୀତରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ସବୁ କ୍ଷିପ୍ର ଗତିରେ ସଫଳତାର ଶିଖର ଛୁଇଁଲା। ଅମ୍ବାନୀଙ୍କୁ ପଛରେ ପକାଇ ଆଦାନି ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଗଲେ। ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଏବଂ ପୃଥିବୀର ତୃତୀୟ ସବୁଠୁ ଧନୀ ବ୍ୟକ୍ତିରେ ପରିଣତ ହେଲେ। ଜାନୁଆରୀ ୨୪, ୨୦୨୩ ତାରିଖ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ନାମକ ଏକ ସଂସ୍ଥା ଏକ ରିପୋର୍ଟ ଜାରି କଲା। ଶୀର୍ଷକ ଥିଲା: ‘ଆଦାନି ଗ୍ରୁପ- ହାଓ ଦି ୱାର୍ଲଡ୍‌ସ ଥାର୍ଡ ରିଚେଷ୍ଟ ମ୍ୟାନ୍‌ ଇଜ୍‌ ପୁଲିଙ୍ଗ୍‌ ଦି ଲାର୍ଜେଷ୍ଟ କନ୍‌ ଇନ୍‌ କର୍ପୋରେଟ୍‌ ହିଷ୍ଟ୍ରି’; ଅର୍ଥାତ୍‌ ଆଦାନି ଗ୍ରୁପ- ପୃଥିବୀର ତୃତୀୟ ସବୁଠୁ ଧନୀ ବ୍ୟକ୍ତି କେମିତି କର୍ପୋରେଟ୍‌ ଇତିହାସର ସବୁଠୁ ବଡ଼ ଠକାମି କରୁଛନ୍ତି। ହିଣ୍ଡେନ୍‌ବର୍ଗ କହିବା ଅନୁସାରେ ତାଙ୍କ ୧୦୬ ପୃଷ୍ଠା ସମ୍ବଳିତ ରିପୋର୍ଟ ଦୁଇ ବର୍ଷର ବିସ୍ତୃତ ଓ ଗଭୀର ଗବେଷଣାର ପରିଣାମ। ରିପୋର୍ଟରେ ହି​‌େ​‌ଣ୍ଡନ୍‌ବର୍ଗ ଆଦାନିଙ୍କୁ ଛଳନା କରିବା (ଫ୍ରଡ୍‌) ଏବଂ ଶେୟାର ସବୁକୁ ଅନ୍ୟାୟ ଭାବରେ ଏପଟ ସେପଟ କରିବା (ମ୍ୟାନିପୁଲେସନ୍‌)ର ଅଭିଯୋଗ ଆଣିଲେ। ଫଳରେ ବଜାରରେ ହଇଚଇ ସୃଷ୍ଟି ହେଲା। ଆଦାନି ଗ୍ରୁପ୍‌ର ଶେୟାର ମୂଲ୍ୟ ଭୀଷଣ ଭାବେ ତଳକୁ ଖସି ଆସିଲା। ଆଦାନି ତୃତୀୟ ସ୍ଥାନରୁ ତଳକୁ ଆସି କୋଡ଼ିଏ ନମ୍ବରରେ ମଧ୍ୟ ରହିପାରିଲେ ନାହିଁ।

ପ୍ରଥମେ ଆସନ୍ତୁ ଦେଖିବା ଆଦାନି କିଏ ଏବଂ କ’ଣ ତାଙ୍କ ବ୍ୟବସାୟ। ଗୌତମ ଆଦାନି (୬୧) କଲେଜ ପାଠ ଅଧାରୁ ଛାଡ଼ି ଦେଇଥିଲେ। ତା’ପରେ ବାପା ଶାନ୍ତିଲାଲଙ୍କ କପଡ଼ା ବ୍ୟବସାୟରେ ସାମିଲ ହେଲେ। ୧୯୮୮ ମସିହାରେ ସେ ‘ଆଦାନି ଏକ୍ସପୋର୍ଟ’ ତିଆରି କଲେ। ପରେ ଏହାର ନାମ ହେଲା ‘ଆଦାନି ଏଣ୍ଟରପ୍ରାଇଜେସ୍‌’- ତାଙ୍କ ମୁଖ୍ୟ କମ୍ପାନୀ। ଏହାଛଡ଼ା ଆଦାନି ଗ୍ରୁପ୍‌ର ଅନ୍ୟ ପ୍ରମୁଖ କମ୍ପାନୀ ସବୁ ହେଲା- ଆଦାନି ଗ୍ରୀନ୍‌ ଏନର୍ଜି, ଆଦାନି ପୋର୍ଟ୍ସ ଆଣ୍ଡ ଏସ୍‌ଇଜେଡ୍‌, ଆଦାନି ଟ୍ରାନ୍ସମିସନ୍‌, ଆଦାନି ଟୋଟାଲ୍‌ ଗ୍ୟାସ୍‌, ଆଦାନି ପାୱାର, ଆଦାନି ୱିଲ୍‌ମାର୍‌ ଇତ୍ୟାଦି। ପରେ ସେ ଅମ୍ବୁଜା ସିମେଣ୍ଟ ଏବଂ ଏସିସି ଭଳି ସିମେଣ୍ଟ କମ୍ପାନୀ କିଣି ନେଇଥିଲେ। ବନ୍ଦର, ବିମାନ ବନ୍ଦର ତିଆରି, କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ, ଭିତ୍ତିଭୂମି ନିର୍ମାଣ, କୋହିନୂର ଏବଂ ଫର୍ଚ୍ୟୁନ୍‌ ବ୍ରାଣ୍ଡ ନାଁରେ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ଆଦି ବ୍ୟବସାୟରେ ଆଦାନି ସମୂହ ସଂଶ୍ଳିଷ୍ଟ। ଆଦାନିଙ୍କ ଭାଇମାନେ ହେଲେ ମନସୁଖ, ବିନୋଦ, ରାଜେଶ ଏବଂ ବସନ୍ତ। ତାଙ୍କ ଦୁଇପୁଅ- କରଣ ଓ ଜିତ୍‌। ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ଭାରତର ପ୍ରାୟ ସବୁ ରାଜ୍ୟରେ ଏବଂ ଭାରତ ବାହାରେ ପରିବ୍ୟାପ୍ତ। ଶେୟାର ବଜାରରେ ଆଦାନି ସମୂହର ଶେୟାର ସବୁର ଭଲ ମୂଲ୍ୟ ଥିଲା।

ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଲ୍‌ଏଲ୍‌ସି (ଲିମିଟେଡ୍‌ ଲାୟବିଲିଟି କମ୍ପାନୀ)। ନାଥାନ୍‌ ଆଣ୍ଡର୍ସନ୍‌ ନାମକ ଜଣେ ବିତ୍ତୀୟ ବିଶେଷଜ୍ଞ ୨୦୧୭ ମସିହାରେ ଏହି ସଂସ୍ଥା ପ୍ରତିଷ୍ଠା କରିଥିଲେ। ନାମକରଣର ଇତିହାସ ହେଲା- ୧୯୩୭ ମସିହାରେ ଏଲ୍‌ ଜେଡ୍‌ ୧୨୯ ହିଣ୍ଡେନ୍‌ବର୍ଗ ନାମକ ଏକ ବାୟୁଜାହାଜ (ଏକ ପ୍ରକାରର ଉନାଜାହାଜ ଏୟାରସିପ୍‌) ଆମେରିକାର ନ୍ୟୁଜର୍ସିରେ ଦୁର୍ଘଟଣାଗ୍ରସ୍ତ ହେଲା। ୩୫ଜଣ ପ୍ରାଣ ହରାଇଲେ। ଏହାକୁ ପରିହାର ଯୋଗ୍ୟ ମନୁଷ୍ୟକୃତ ବିପତ୍ତି ଧରାଯାଏ। ଏଣୁ ଏହି ନାଁ। ଫିଲ୍ଡ ମାର୍ଶାଲ୍‌ ହିଣ୍ଡେନ୍‌ବର୍ଗ ୧୯୨୫-୩୪ ଅବଧିରେ ଜର୍ମାନୀର ରାଷ୍ଟ୍ରପତି ଥିଲେ। ପ୍ରଥମ ବିଶ୍ବଯୁଦ୍ଧରେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ତାଙ୍କରି ନାଁରେ ଏହି ଶୃଙ୍ଖଳର ବାୟୁଜାହାଜ ସବୁ ତିଆରି ହୋଇଥିଲା। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ମୋଟାମୋଟି କାମ ହେଲା- ସେମାନେ ବଜାରର ଖବର ଅନୁସାରେ କୌଣସି ଗୋଟିଏ କମ୍ପାନୀକୁ ନିଶାଣ କରନ୍ତି। ସେ କମ୍ପାନୀ ସଂକ୍ରାନ୍ତୀୟ ସର୍ବସାଧାରଣରେ ଜ୍ଞାତ ତଥ୍ୟସବୁକୁ ଅନୁଧ୍ୟାନ କରି ଏବଂ ନିଜସ୍ବ ଗବେଷଣା ଭିତ୍ତିରେ ସେ କମ୍ପାନୀ ଉପରେ ରିପୋର୍ଟ ପ୍ରକାଶ କରନ୍ତି। ରିପୋର୍ଟରେ ସେହ କମ୍ପାନୀର ଭୁଲତ୍ରୁଟି ଆଦି ଉଲ୍ଲେଖ କରନ୍ତି। ଫଳରେ ସେ କମ୍ପାନୀର ଶେୟାର ମୂଲ୍ୟ କମ୍ ହୋଇ ଯାଇପାରେ ଏବଂ ସେ କମ୍ପାନୀ ନ୍ୟାୟିକ ପ୍ରକ୍ରିୟା/ତଦନ୍ତର ସମ୍ମୁଖୀନ ହୋଇପାରନ୍ତି। ହିଣ୍ଡେନ୍‌ବର୍ଗର ଅନ୍ୟ ଏକ କାମ ହେଲା, ସେମାନେ ଉକ୍ତ କମ୍ପାନୀର ଶେୟାର ଉପରେ ‘ସର୍ଟ ସେଲିଙ୍ଗ୍‌’ କରନ୍ତି। ଅର୍ଥାତ୍‌ ଉକ୍ତ କମ୍ପାନୀର ଶେୟାରକୁ ବର୍ତ୍ତମାନର ମୂଲ୍ୟରେ ଋଣ ଆକାରରେ ବଜାରରୁ ଗ୍ରହଣ କରନ୍ତି। ତାଙ୍କ ରିପୋର୍ଟ ଯୋଗୁଁ ଯଦି ଉକ୍ତ କମ୍ପାନୀର ଶେୟାର ମୂଲ୍ୟ ତଳକୁ ଖସିଗଲା ତେବେ ସେମାନେ ଋଣ ମୂଲ୍ୟର ଶେୟାର କମ୍‌ ଦାମରେ କିଣି ଋଣ ଶୁଝିଦିଅନ୍ତି। ଏଥିରେ ତାଙ୍କର ଲାଭ ହୁଏ; କିନ୍ତୁ ଯଦି ଶେୟାର ମୂଲ୍ୟ ଅଧିକ ହୋଇଗଲା, ତେବେ ତାଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଏହା ଏକ ପ୍ରକାରର ଜୁଆ ଖେଳ; କିନ୍ତୁ ଏହା ବେଆଇନ ନୁହେଁ। ଶେୟାର ବଜାରରେ ଏହା ସାଧାରଣ କଥା। ଗତ ଛ’ବର୍ଷରେ ହିଣ୍ଡେନ୍‌ବର୍ଗ ୧୭ଟି କମ୍ପାନୀ ବିରୋଧରେ ଏମିତି ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଚୀନ ଓ ଆମେରିକୀୟ କମ୍ପାନୀ ମଧ୍ୟ ଅଛନ୍ତି। ଅଧିକାଂଶ କମ୍ପାନୀର ଶେୟାର ମୂଲ୍ୟ ଖସିଯାଇଛି, କିଛି ଆମେରିକାର ନ୍ୟାୟିକ ତଦନ୍ତ ସାମ୍‌ନା କରିଛନ୍ତି ଏବଂ କିଛି କମ୍ପାନୀ ବନ୍ଦ ହୋଇଯାଇଛି।

ଆଦାନି ଜଣେ ବିବାଦୀୟ ବ୍ୟବସାୟୀ। ନବେ ଦଶକର ଶେଷ ଆଡ଼କୁ କେତନ ପାରେଖ ଶେୟାର କେଳେଙ୍କାରୀ ଜଣାପଡ଼ିଲା। ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ହେଲା। ଏହି କ୍ରମରେ ଆଦାନିଙ୍କ ନାଁ ଆସିଲା ଏବଂ ସେବି (ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ) ଆଦାନିଙ୍କ ଶେୟାର କିଣାବିକା ଉପରେ ଦୁଇ ବର୍ଷର ନିଷେଧାଜ୍ଞା ଜାରି କରିଥିଲା। ଅର୍ଥାତ୍‌ ପାରେଖଙ୍କ ସହିତ ଆଦାନିଙ୍କ ସମ୍ପର୍କ ଥିଲା। କୌତୂହଳର ବିଷୟ ହେଲା, ପାରେଖଙ୍କ ହର୍ଷଦ ମେହେତାଙ୍କ ସହ ସମ୍ପର୍କ ଥିଲା। ୨୦୨୨ ମସିହାରେ ଆଦାନି ଏନ୍‌ଡିଟିଭି କିଣିଲେ। ଫଳରେ ଏନ୍‌ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରାୟ ଏବଂ ସାମ୍ବାଦିକ ରବୀଶ କୁମାର କମ୍ପାନୀରୁ ଇସ୍ତଫା ଦେଲେ। ଏହା ବେଶ୍‌ ବିବାଦୀୟ ବିଷୟ ଥିଲା।

ହିଣ୍ଡେନ୍‌ବର୍ଗ ରିପୋର୍ଟ ଆଦାନି ସମୂହକୁ ଏକ ବଡ଼ ବିବାଦରେ ଜଡ଼ିତ କରି ଦେଇଛି। ହିଣ୍ଡେନ୍‌ବର୍ଗ ରିପୋର୍ଟ ଅନୁସାରେ ଆଦାନି ସମୂହ ଛୋଟ ଛୋଟ (ସେଲ୍‌) କମ୍ପାନୀ ସବୁ ତିଆରି କରି ସେ ସବୁ କମ୍ପାନୀକୁ ଟିକସରହିତ ଦେଶ (ଟ୍ୟାକ୍ସ ହାଭେନ୍‌)ରେ ପଞ୍ଜିକୃତ କରୁଛନ୍ତି। ସେ ସବୁ କମ୍ପାନୀ ଜରିଆରେ ମୂଳ ଆଦାନି କମ୍ପାନୀମାନଙ୍କ ଶେୟାର ବହୁ ପରିମାଣରେ କିଣାଯାଇଛି। ଫଳରେ ଆଦାନି କମ୍ପାନୀର ଚାହିଦା ବଢ଼ିଛି। ଏଣୁ ସାଧାରଣ ଲୋକେ ତଥା ବିତ୍ତୀୟ ସଂସ୍ଥା ସବୁ ଆଦାନି କମ୍ପାନୀରେ ଅର୍ଥ ବିନିଯୋଗ କଲେ। ଆଦାନି କମ୍ପାନୀର ମୂଲ୍ୟ (ଭାଲୁଏସନ୍‌) ବଢ଼ିଲା। ଆଦାନି ଏହି ବର୍ଦ୍ଧିତ ମୂଲ୍ୟର ​‌େ​‌ଶୟାର ବନ୍ଧକ ରଖି ଏସ୍‌ବିଆଇ, ଏଲ୍‌ଆଇସି ଭଳି ସରକାରୀ ସଂସ୍ଥାରୁ ବିପୁଳ ଋଣ/ବିନିଯୋଗ ଆଦାୟ କଲେ। ଏହାକୁ ‘ଶାଉଣ୍ଡ ଟ୍ରିପିଙ୍ଗ୍‌’ କହନ୍ତି- ନିଜ ଶେୟାର ନିଜେ କିଣି ମୂଲ୍ୟ ବଢ଼ାଇବା। ହିଣ୍ଡେନ୍‌ବର୍ଗ ରିପୋର୍ଟ ପରେ ଆଦାନି ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ହେଲା। ଏଲ୍‌ଆଇସି ଏବଂ ଏସ୍‌ବିଆଇ ମଧ୍ୟ କ୍ଷତି ସହିଲେ। ଏଥିରେ ସାଧାରଣ ଜନତାଙ୍କ ସ୍ବାର୍ଥହାନି ଘଟିଲା। ଏହା ଗଭୀର ଚିନ୍ତା ଓ ଉଦ୍‌ବେଗର କାରଣ। ଆଦାନିଙ୍କ ଆର୍ଥିକ ଉନ୍ନତିରେ ରାଜନୈତିକ ସମର୍ଥନ ଆଉ ଏକ ବିବାଦ।

ଆଦାନି ଦୁର୍ନୀତି ଘଟଣା ପରେ ନିୟାମକ ସଂସ୍ଥାମାନଙ୍କ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକା କଥା ଦେଖନ୍ତୁ। ୧୯୨୯ ମସିହାରେ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜ ବିପର୍ଯ୍ୟୟ ଘଟିଲା। ବଜାର ଉପରେ ସାଧାରଣ ଜନତାଙ୍କ ଭରସା ତୁଟିଗଲା। ଆମେରିକାରେ ‘ଗ୍ରେଟ୍‌ ଡିପ୍ରେସନ୍‌’ ଆରମ୍ଭ ହେଲା। ବଜାର ବ୍ୟବସ୍ଥା ଉପରେ ଜନତାଙ୍କ ବିଶ୍ବାସ ଫେରାଇ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା। ଆଇନ ବଳରେ ୧୯୩୪ ମସିହାରେ ସିକ୍ୟୁରିଟି ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ତିଆରି ହେଲା। ଏହା ଏକ ଦକ୍ଷ ଏବଂ ନିରପେକ୍ଷ ସଂସ୍ଥା। ହିଣ୍ଡେନ୍‌ବର୍ଗ ରିପୋର୍ଟ ଭିତ୍ତିରେ ଅନେକ ଆମେରିକୀୟ କମ୍ପାନୀ ଏସ୍‌ଇସିର କଠୋର ହସ୍ତର ଶିକାର ହୋଇଛନ୍ତି। ଶେୟାର ବଜାରର ସ୍ବଚ୍ଛ ଏବଂ ନିର୍ବିଘ୍ନରେ ପରିଚାଳନାର ଦାୟିତ୍ବ ଏସ୍‌ଇସିର। ପାଠକଙ୍କୁ ଏନ୍‌ରନ୍‌ ଘଟଣା ମନେଥିବ। ଏହି ଆମେରିକାନ୍‌ କମ୍ପାନୀ ୧୯୯୨ ମସିହାରେ ମହାରାଷ୍ଟ୍ରରେ ଏକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲେ। ପରେ କମ୍ପାନୀର ଅନିୟମିତତା ଧରାପଡ଼ିଲା। ଏସ୍‌ଇସି ଏହାର ତଦନ୍ତ କରି କମ୍ପାନୀର ଶୀର୍ଷ ପଦାଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କଲେ। ଅନେକ ଜେଲ୍‌ ଗଲେ। କମ୍ପାନୀ ଭାଙ୍ଗିଗଲା। ଅଡିଟର ଆର୍ଥର ଆଣ୍ଡର୍ସନ୍‌ ବଦନାମ ହେଲେ ଏବଂ ତାଙ୍କ ପେସା ବନ୍ଦ ହୋଇଗଲା। ଏସ୍‌ଇସି ଏଭଳି ଦକ୍ଷ ଓ ଶକ୍ତ ସଂସ୍ଥା। ୧୯୯୧ ମସିହାରେ ଭାରତ ମୁକ୍ତ ବଜାର ବ୍ୟବସ୍ଥା ଗ୍ରହଣ କରିବା ପରେ ୧୯୯୨ ମସିହାରେ ହର୍ଷଦ ମେହେଟା ଘଟଣା ଘଟିଲା। ଶେୟାର ବଜାରରେ ଝଡ଼ ସୃ​​‌ଷ୍ଟି ହେଲା। ଜେପିସି ଗଠନ ହେଲା। ୧୯୯୨ ମସିହାରେ ସେବିକୁ ଆଇନତଃ ଅଧିକାର ମିଳିଲା। ଏ ସବୁ ପରେ ମନେହେଉଥିଲା ହର୍ଷଦ ମେହେଟା ଘଟଣାର ପୁନରାବୃତ୍ତି ହେବ ନାହିଁ। ୨୦୦୧ ମସିହାରେ କେତନ ପାରେଖ ଘଟଣା ଘଟିଲା। ଜେପିସି ଗଠିତ ହେଲା। ବର୍ତ୍ତମାନ ଗୌତମ ଆଦାନି ଘଟଣା। ଅର୍ଥାତ୍‌ ସେବି ନ ଥିଲେ ହର୍ଷଦ ମେହେତା, ସେବି ଥିଲେ କେତନ ପାରେଖ/ ଗୌତମ ଆଦାନି ! ସେବିର ଦକ୍ଷତା ଉପରେ ନିଶ୍ଚୟ ପ୍ରଶ୍ନଚିହ୍ନ ଲାଗିଛି। ସେବି ବୋର୍ଡରେ ଜଣେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ରହନ୍ତି। ଏ ଘଟଣାରେ ତାଙ୍କ ଭୂମିକା କ’ଣ ଥିଲା ? ବ୍ୟାଙ୍କମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଦାୟିତ୍ବ ରିଜର୍ଭ ବ୍ୟାଙ୍କର। ଷ୍ଟେଟ୍‌ବ୍ୟାଙ୍କର ଏତେ ଟଙ୍କାର ଆଦାନି ଗ୍ରୁପ୍‌ର ବିନିଯୋଗ କଥା କ’ଣ ରିଜର୍ଭ ବ୍ୟାଙ୍କ ଜାଣି ନଥିଲା? ଯଦି ଜାଣିଥିଲା, ତେବେ ଏହାକୁ ଏକ ବଡ଼ ବିଫଳତା ଧରାଯିବ। ଯଦି ଜାଣି ଥିଲା, ତେବେ କ’ଣ କୌଣସି ଚାପର ବଶବର୍ତ୍ତୀ ହୋଇ ଚୁପ୍‌ ଚହିଲା? ଏଣୁ ସନ୍ଦେହ ଘେରରେ ରିଜର୍ଭ ବ୍ୟାଙ୍କ। ଶେୟାର ବଜାରରେ ସାଧାରଣ ନିବେଶକଙ୍କ ପୁଞ୍ଜି ଲାଗିଥାଏ। ନିକଟରେ ଏଲ୍‌ଆଇସି ତା’ର ଶେୟାର ବଜାରରେ ଛାଡ଼ିଲା। କେତେ ସାଧାରଣ ଲୋକେ ଶେୟାର କିଣିଲେ। ନିୟାମକ ସଂସ୍ଥାଙ୍କ ଦାୟିତ୍ବ ହେଲା ସାଧାରଣ ନିବେଶକଙ୍କ ସ୍ବାର୍ଥରକ୍ଷା କରିବା ଏବଂ ବଜାରକୁ ସୁଚାରୁ ରୂପେ ପରିଚାଳନା କରିବା। ବାରମ୍ବାର ଏଭଳି ଘଟଣା ଘଟିଲା ପରେ ମଧ୍ୟ ନିୟାମକ ସଂସ୍ଥାସବୁ ସତର୍କ ନ ହେବା ଚିନ୍ତାର ବିଷୟ। ତେଣେ ଆୟକର ଆଇନ ଏବଂ ପିଏମ୍‌ଏଲ୍‌ଏ (ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ) ଅଧୀନରେ ମଧ୍ୟ ତଦନ୍ତ ଆପେକ୍ଷିତ।

ନିଃସନ୍ଦେହରେ ହିଣ୍ଡେନ୍‌ବର୍ଗ ଆଦାନିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୯ା୧ା୨୩ ତାରିଖ ଆଦାନି ସମୂହ ତରଫରୁ ୪୧୩ ପୃଷ୍ଠା ସମ୍ବଳିତ ଏକ ଉତ୍ତର ଉପସ୍ଥାପନ କରାଗଲା। ଏଥିରେ କିନ୍ତୁ ମୂଳ ପ୍ରଶ୍ନସବୁର ଠିକ୍ ଉତ୍ତର ମିଳିଲା ନାହିଁ। ଆଦାନିଙ୍କ ଅନ୍ୟତମ ଯୁକ୍ତି ଥିଲା ଯେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଭାରତର ପ୍ରଗତି ପଥର ଇଚ୍ଛାକୃତ ବାଧା। ଏହି ବିବାଦ ଭିତରେ ଆଦାନି ବଜାରରୁ ଏଫ୍‌ପିଓ (ଫଲୋଅନ୍‌ ପବ୍ଲିକ ଅଫର୍‌) ମାଧ୍ୟମରେ କୋଡ଼ିଏ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କଲେ। ଫଲୋଅନ୍‌ ପବ୍ଲିକ ଅଫର ହେଲା ପଞ୍ଜିକୃତ କମ୍ପାନୀମାନଙ୍କ ଶେୟାର ମାଧ୍ୟମରେ ଅର୍ଥ ସଂଗ୍ରହର ଏକ ମାଧ୍ୟମ। ଅନେକେ ମନେକରୁଥିଲେ ଯେ ବିବାଦ ଦୃଷ୍ଟିରୁ ଏଫ୍‌ପିଓକୁ ହୁଏତ ବର୍ତ୍ତମାନ ପାଇଁ ବନ୍ଦ ରଖାଯିବ; କିନ୍ତୁ ଆଦାନି ଏଫ୍‌ପିଓ ଘୋଷଣା କରିଦେଲେ। ସବୁ ପ୍ରସ୍ତୁତି ସରିଥିଲା ହେଲେ, ୨ା୧ା୨୩ରେ ଏହାକୁ ରହସ୍ୟମୟ ଭାବରେ ପ୍ରତ୍ୟାହାର କରି ନିଆଗଲା। ଆଦାନିଙ୍କ ବିଦେଶରେ ଥିବା ବ୍ୟବସାୟ ଉପରେ ମଧ୍ୟ ଏ ସବୁର ପ୍ରଭାବ ପଡ଼ିଛି।

ଉପସଂହାରକୁ ଆସିବା। ଆଦାନି ସମୂହକୁ ନେଇ ବିବାଦ ଲାଗିରହିଛି। ପରଞ୍ଜୟ ଗୁହା ଠାକୁରତା ‘ଇକନମିକ୍‌ ଆଣ୍ଡ ପଲିଟିକାଲ ୱିକ୍ଲି’ ତଥା ଅନ୍ୟ ପତ୍ରିକାରେ ଆଦାନି ସମୂହ କର୍ତ୍ତୃକ ଟିକସ ଫାଙ୍କି ଓ ବଜାର ମ୍ୟାନୁପୁଲେସନ୍‌ ଉପରେ ସନ୍ଦର୍ଭ ଲେଖିଥିଲେ। ଆଦାନି ସମୂହ ପରଞ୍ଜୟଙ୍କ ବିରୋଧରେ ଗୁଜରାଟର ବିଭିନ୍ନ ଅଦାଲତରେ ମାନହାନି ଏବଂ ଅନ୍ୟାନ୍ୟ ଫୌଜଦାରୀ ମୋକଦ୍ଦମା ଦାଏର କଲେ। ପରଞ୍ଜୟଙ୍କ ଉପରେ ଏ ବିଷୟରେ ଲେଖିବା ଉପରେ ରହିତାଦେଶ ଜାରି ଅଛି। ମୋକଦ୍ଦମା ସବୁ ଚାଲିଛି। ଆଦାନି ଅତ୍ୟନ୍ତ ଧନାଢ଼୍ୟ ବ୍ୟକ୍ତି। ହିଣ୍ଡେନ୍‌ବର୍ଗ ତାଙ୍କ ବିରୋଧରେ ଏତେ ସଂଗିନ ଅଭିଯୋଗ ଆଣିଲେ। ଆଶା କରାଯାଉଥିଲା, ପରଞ୍ଜୟଙ୍କ ଭଳି ଆମେରିକାର ଅଦାଲତରେ ମଧ୍ୟ ଆଦାନି ମୋଟା ଅର୍ଥର ମାନହାନି ମୋକଦ୍ଦମା ଦାଏର କରିବେ। ଏ ପ୍ରବନ୍ଧ ଲେଖିବା ପର୍ଯ୍ୟନ୍ତ ଆଦାନିଙ୍କ ତରଫରୁ ଏମିତି ପଦକ୍ଷେପର ଖବର ଆସିନାହିଁ। ଏଣେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଏର କରାହୋଇଛି। ଦେଖାଯାଉ କ’ଣ ହେଉଛି।

ମୁକ୍ତ ବଜାର ବ୍ୟବସ୍ଥାର ନିୟାମକ ସଂସ୍ଥାମାନଙ୍କର ମୌଳିକ ଏବଂ ନିର୍ଣ୍ଣାୟକ ଭୂମିକା ଥାଏ। ସରକାର ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଆମ ଦେଶରେ ନିୟାମକ ସଂସ୍ଥା ସବୁ ଦୁର୍ବଳ ଏବଂ ନିଜେ ବିବାଦରେ ଛନ୍ଦ ହୋଇ ରହିଥାନ୍ତି। ଏହାଛଡ଼ା, ଏ ବିବାଦ ରାଜନୈତିକ ବଳ କଷାକଷିର ଅଙ୍ଗ ହୋଇପଡ଼େ। ଆଦାନୀ ପ୍ରକରଣର ସ୍ବଚ୍ଛ ଏବଂ ତ୍ବରିତ ତଦନ୍ତ ହୋଇ ସମାଧାନର ବାଟ ବାହାରିବା ଉଚିତ।

Comments are closed.