BJD Bijuli 480×75 Mob

ସରକାରୀ ଡିଜିଟାଲ ମୁଦ୍ରାର ଭଲମନ୍ଦ

BJD Bijuli 480×75 Mob

ଚଳିତ ବଜେଟ୍‌ରେ ଅର୍ଥମନ୍ତ୍ରୀ ସରକାରୀ ସ୍ତରରେ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ ବୋଲି ଘୋଷଣା କରିଥିଲେ ଓ ଏହି ମର୍ମରେ ଗତ ୭.୧୦.୨୨ରେ ରିଜର୍ଭ ବ୍ୟାଙ୍କ ଏକ ତଥ୍ୟଭିତ୍ତିକ ଦସ୍ତାବିଜ୍‌ ଜାରି କରିଛନ୍ତି। ୨୦୦୮ ମସିହା ବିଶ୍ବ ଆର୍ଥିକ ସଂକଟର ପ୍ରଭାବ ପରେ ଓ ୨୦୨୦ କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତ କରିବା ପାଇଁ ଅନେକ ଦେଶ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଜାରି ରଖିଛନ୍ତି। ଫଳରେ ଅାଶାତୀତ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ସହ ବିଶ୍ବ ଅର୍ଥନୀତି ୨୦୦ ଟ୍ରିଲିୟନ ଡଲାରରୁ ଅଧିକ ଋଣ ବୋଝରେ ବର୍ତ୍ତମାନ ଉବୁଟୁବୁ ହେଉଛି। କୌଣସି ଦେଶର ସର୍ବୋଚ୍ଚ ବ୍ୟାଙ୍କ କେତେ ପରିମାଣର ଟଙ୍କା ଛାପିବେ, ତା’ର କୌଣସି ସୀମା ନଥିବାରୁ ଏହାର ବିକଳ୍ପ ସଦୃଶ ନିର୍ଦିଷ୍ଟ ପରିମାଣର ମୁଦ୍ରା ‘ମାଇନିଂ’ କରି ବଜାରକୁ ଛାଡ଼ିବା ଉଦ୍ଦେଶ୍ୟରେ କ୍ରିପ୍‌ଟୋ କରେନ୍‌ସି ବା ଆସେଟ୍‌ର ଜନ୍ମ ଓ ବହୁମାତ୍ରାରେ ଏହା ବିଭିନ୍ନ ଦେଶର ପାରମ୍ପରିକ ମୁଦ୍ରା ବ୍ୟବସ୍ଥା ସହ ପ୍ରତିଯୋଗିତା କରୁଛି। ଭାରତ ଏକ ବିକାଶଶୀଳ ଦେଶ ହେଲେ ମଧ୍ୟ ଏଠାରେ ହାରାହାରି ୧୦କୋଟି ଲୋକ ସ୍ବଳ୍ପ ଭାବରେ କ୍ରିପ୍‌ଟୋ ଆସେଟ୍‌ରେ କାରବାର କରୁଛନ୍ତି, ଯଦିଚ ସରକାର ଏହାକୁ ସମ୍ମତି ପ୍ରଦାନ କରିନାହାନ୍ତି ଓ କେବଳ ଲାଭ ଉପରେ ଆୟ କର ବସାଇଛନ୍ତି। ପୃଥିବୀର ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ଆଦୃତ ହେଉଥିବା ଡିଜିଟାଲ କ୍ରିପ୍‌ଟୋ ଆସେଟ୍‌କୁ ପ୍ରତିହତ କରିବା ସହ କମ୍‌ ପରିଚାଳନା ଖର୍ଚ୍ଚ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସ୍ଥିତିସ୍ଥାପକତା ବଜାୟ ରଖିବା, ଦେଣନେଣ କାରବାରରେ ଦକ୍ଷତା ବୃଦ୍ଧି କରିବା, ବାହ୍ୟ ଆର୍ଥିକ କାରବାରରେ ଉନ୍ନତି ଆଣିବା ଏବଂ ସର୍ବୋପରି ଆର୍ଥିକ ବ୍ୟବସ୍ଥାରେ ନୂତନତ୍ବ ଆଣି ଏକ ସୁସଂହତ ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରି ଡିଜିଟାଲ୍‌ ମୁଦ୍ରା ପ୍ରଚଳନ କରିବା ସରକାରଙ୍କ ଲକ୍ଷ୍ୟ।

ବର୍ତ୍ତମାନ ଜାରି କରିଥିବା ତଥ୍ୟାତ୍ମକ ଦସ୍ତାବିଜ୍‌ରୁ ସ୍ପଷ୍ଟ ଅନୁମେୟ ଯେ ଏହା ପ୍ରଚଳିତ ଭୌତିକ ମୁଦ୍ରାର ପ୍ରତିଦ୍ବନ୍ଦ୍ବୀ ନ ହୋଇ ଏହାର ପରିପୂରକ ହେବ ଓ ଅଦୃଶ୍ୟ ମୁଦ୍ରାର ବହୁଳ ପ୍ରସାରକୁ ବହୁମାତ୍ରାରେ ପ୍ରତିହତ କରିବ। ଏହା ପ୍ରାପ୍ତ ହେଉଥିବା ମୁଦ୍ରାର ଆଉ ଏକ ମାଧ୍ୟମ ହେବ। ଡିଜିଟାଲ ହୋଇ ଥିବାରୁ ଏହାର ବ୍ୟବହାର ସହଜ, ଶସ୍ତା ଓ କ୍ଷିପ୍ର ମଧ୍ୟ ହେବ। ଯେ କୌଣସି ମୁଦ୍ରାର ତିନିଟି ବ୍ୟାବହାରିକ ଦିଗ ଥାଏ; ଯଥା (୧) ବିନିମୟର ମାଧ୍ୟମ (୨) ଏକକ ସଂପୂର୍ଣ୍ଣ ବ୍ୟବସ୍ଥିତ ଆୟବ୍ୟୟର ଲେଖାଯୋଖା ଓ (୩) ଏହାର ଏକ ଗଚ୍ଛିତ ମୂଲ୍ୟ। ଡିଜିଟାଲ ମୁଦ୍ରା ଉପରୋକ୍ତ ତିନିଟି କାର୍ଯ୍ୟ ସଂପାଦନ କରିପାରିବ। ସରକାରଙ୍କର ଆଭିମୁଖ୍ୟରୁ ଜଣାପଡ଼ୁଛି ଯେ ଏହା ଦୁଇ ପ୍ରକାର ଭାବରେ ପ୍ରଚଳିତ ହେବ। (୧) ପାଇକାରୀ (୨) ଖୁଚୁରା। ପାଇକାରୀ ବ୍ୟବସ୍ଥାରେ ଏହା ଏକାଉଣ୍ଟ ଭିତ୍ତିକ ଓ ଖୁଚୁରାରେ ଟୋକେନ୍‌ ଭିତ୍ତିକ ହେବ। ଏହାର ତିନିପ୍ରକାର ମଡେଲ, ଯଥା ପ୍ରତ୍ୟକ୍ଷ, ପରୋକ୍ଷ ଅଥବା ହାଇବ୍ରିଡ୍‌ ହୋଇପାରେ। ପ୍ରତ୍ୟକ୍ଷ ବ୍ୟବସ୍ଥାରେ ଆର୍‌ବିଆଇ ପାଖରେ ସମସ୍ତ ହିସାବ ରହିବ ଯାହାକି ପାଇକାରୀ ବ୍ୟବସ୍ଥାରେ ହୁଏତ ବିଶେଷ ରୂପେ କାର୍ଯ୍ୟକାରୀ ହେବ। ଏଥିରେ ମୁଳତଃ ବ୍ୟାଙ୍କ, ଆର୍ଥିକ ସଂସ୍ଥାଗୁଡ଼ିକ ବିଶେଷ ଭାଗରେ ଭାଗନେବେ। ପରୋକ୍ଷ ବ୍ୟବସ୍ଥା ଦୁଇଥାକ ବିଶିଷ୍ଟ ହେବ, ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍‌ ମୁଦ୍ରା ବିତ୍ତୀୟ ସଂସ୍ଥା, ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାକୁ ଉପଲବ୍ଧ କରାଇବ ଓ ​‌େ​‌ସମାନେ ଗ୍ରାହକଙ୍କୁ ବିତରଣ କରିବା ସହ ତାଙ୍କ ପାଖରେ ଉତ୍ତରଦାୟୀ ମଧ୍ୟ ରହିବେ।

ଏହା ଊଣା ଅଧିକେ ପ୍ରଚଳିତ ଭୌତିକ ଅର୍ଥ ବ୍ୟବସ୍ଥା ସହ ସମାନ, ଯାହାକି ବ୍ୟାଙ୍କ ଗ୍ରାହକଙ୍କ ସମସ୍ତ ତଥ୍ୟ ରଖିବା ସହ ସରକାରଙ୍କର ସବୁ ନିୟମାବଳୀ ପାଳନ କରିବେ। ଏକାଉଣ୍ଟ ଭିତ୍ତିକ ଡିଜିଟାଲ ମୁଦ୍ରା ପାଇକାରୀ ସ୍ତରରେ ଏହା ବିଶେଷ ରୂପେ କାର୍ଯ୍ୟକାରୀ ହେବ ଓ ସମସ୍ତ କାରବାରର ହିସାବ ରହିବା ସହ ସ୍ବତ୍ବାଧିକାରୀ ମଧ୍ୟ ଚିହ୍ନିିତ ହେବେ। ଟୋକେନ୍‌ ଭିତ୍ତିକ ଡିଜିଟାଲ୍‌ ମୁଦ୍ରା ବ୍ୟାଙ୍କ ନୋଟ୍‌ ଭଳି ଯାହା ପାଖରେ ଏହା ରହିବ ତାହା ପାଖରେ ଏହାର ମାଲିକାନା ରହିବ। ଡିଜିଟାଲ ମୁଦ୍ରା ବିନିୟମକ୍ଷମ କରିବାକୁ ହେଲେ ଭୌତିକ ମୁଦ୍ରାର ୩ଟି ବିଶେଷତ୍ବ ଯଥା ନାମବିହୀନତା, ସାର୍ବଜନୀନତା ଓ ‘ଫାଇନାଲିଟି’ ରହିବା ଆବଶ୍ୟକ; କିନ୍ତୁ ନାମବିହୀନତା ଡିଜିଟାଲ ମୁଦ୍ରାରେ କାର୍ଯ୍ୟକ୍ଷମ କରିବା ଏକ କଷ୍ଟକର କାର୍ଯ୍ୟ; କିନ୍ତୁ ଆବଶ୍ୟକ ସ୍ଥଳେ ମୁଦ୍ରା ଦେଣ​ନେଣ କାରବାରରେ ଏହାକୁ କୋହଳ କରି ଛୋଟ କାରବାରରେ କାର୍ଯ୍ୟକାରୀ କରାଯାଇପାରେ। ଡିଜିଟାଲ ମୁଦ୍ରାର ପ୍ରଚଳନ ମୁଖ୍ୟତଃ ହୁଏତ ଯେଉଁ ବୈଷୟିକ କୌଶଳରେ ଆଧାରିତ ହେବ, ପ୍ରଥମତଃ ତାହାହେଲା ପାରମ୍ପରିକ କେନ୍ଦ୍ରୀୟ ପରିଚାଳିତ ଡାଟାବେସ୍‌ ଓ ଦ୍ବିତୀୟତଃ ହେଲା ବିତରିତ ବିବରଣୀ ବୈଷୟିକଜ୍ଞାନ। ଦୁଇଟି ଯାକ ଜ୍ଞାନକୌଶଳରେ କାର୍ଯ୍ୟଦକ୍ଷତା ଓ ରକ୍ଷା କରିବା କ୍ଷମତାର ପାର୍ଥକ୍ୟ ଅଛି; ହେଲେ ସାଇବର ସୁରକ୍ଷା, ବୈଷୟିକ ସ୍ଥିରତା, ସୁସ୍ଥ ବୈଷୟିକ ଅନୁଶାସନର ମାନଦଣ୍ଡକୁ ବିଚାରକୁ ନେଇ ତାହା କାର୍ଯ୍ୟକାରୀ କରାଯିବ। ଦୂରଦୂରାନ୍ତର ବିଦ୍ୟୁତ୍‌ ସରବରାହକୁ ଅଥବା ମୋବାଇଲ୍‌ ନେଟ୍‌ୱର୍କ ନଥାଇ ମଧ୍ୟ ଏହାର ବ୍ୟବହାର ଓ ଉପଯୋଗିତା ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହେବ।

ଡିଜିଟାଲ ମୁଦ୍ରାର କେତେକ ବ୍ୟାବହାରିକ ଦିଗ ବ୍ୟତୀତ ସରକାରଙ୍କ କେତେକ ନିର୍ଦିଷ୍ଟ ଗୁରୁତ୍ବପୂର୍ଣ୍ଣ ପରିଣାମ ଅଛି। ପ୍ରଥମତଃ ରିଜର୍ଭବ୍ୟାଙ୍କ ଦ୍ବିମାସିଆ ତଥା ଆବଶ୍ୟକ ଅନୁଯାୟୀ ମନିଟାରୀ ପଲିସି ମାଧ୍ୟମରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଆନ୍ତି। ଡିଜିଟାଲ ମୁଦ୍ରା ଯଦି ସୁଧ ବହନ ନ କରେ ବ୍ୟବହାରକାରୀ ବ୍ୟାଙ୍କ ଟଙ୍କା ଜମା କରିବା ପାଇଁ ପସନ୍ଦ କରିବେ; କିନ୍ତୁ ବ୍ୟାଙ୍କଗୁଡ଼ିକ ତୀବ୍ର ପ୍ରତିଦ୍ବନ୍ଦ୍ବିତା ତଥା ପ୍ରତିକୂଳ ଆର୍ଥିକ ପରିସ୍ଥିତିରେ ଗତି କରୁଥିବାସ୍ଥଳେ ବିଶେଷ ପରିସ୍ଥିତିରେ ଡିଜିଟାଲ ମୁଦ୍ରାକୁ ଏକକାଳୀନ ବହୁମାତ୍ରା‌ରେ ସ୍ଥାନାନ୍ତରିତ କରିବା ସହଜ ହୋଇଥିବାରୁ ବ୍ୟାଙ୍କ ଜମାରୁ ଡିଜିଟାଲ ମୁଦ୍ରାକୁ ଜମାକାରୀ ପରିବର୍ତ୍ତନ କରିଦେବେ; ଫଳରେ ଅର୍ଥନୀତିର ଯୋଗାଣ ଓ ଚାହିଦାରେ ଚାଞ୍ଚଲ୍ୟକର ପରିଣାମ ପ୍ରତିଫଳିତ ହେବ। ବ୍ୟାଙ୍କର ଋଣ ଦେବା ପ୍ରାଧାନ୍ୟ ମଧ୍ୟ ଅନେକାଂଶରେ ହ୍ରାସ ପାଇବ। ପୁନଶ୍ଚ ଡିଜିଟାଲ ମୁଦ୍ରା ଜମା ଯଦି ସୁଧ ପ୍ରଦାନ କରେ ତାହାହେଲେ ଆର୍‌ବିଆଇର ମୁଦ୍ରାନୀତି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ଓ ବ୍ୟବହାରକାରୀ ବ୍ୟାଙ୍କ ଜମା ଅପେକ୍ଷା ଡିଜିଟାଲ ମୁଦ୍ରାରେ ଜମା ରଖିବା ପସନ୍ଦ କରିବେ। ଏହା ଫଳରେ ବ୍ୟାଙ୍କ ଜମା ଡିଜିଟାଲ ମୁଦ୍ରା ସହ ଜମା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ ଓ ବଜାର ମୂଲ୍ୟ ବୃଦ୍ଧି ପାଇବା ଫଳ​‌େ​ର ବ୍ୟାଙ୍କର କାରବାରରେ ଅନେକ ବାଧା ଉପୁଜିବା ସହ ଋଣର ସୁଧ ଅହେତୁକ ବୃଦ୍ଧି ପାଇବ ଯାହା ଆର୍ଥିକ ପ୍ରଗତିରେ ବାଧା ସୃଷ୍ଟି କରିବ। ଆରବିଆଇ ମୁଦ୍ରାନୀତି ମାଧ୍ୟମରେ ସଦାବେଳେ ‘ଲିକ୍ୟୁଡିଟି’ ବଜାୟ ରଖିବାପାଇଁ ଚେଷ୍ଟା କରିଥାଏ; କିନ୍ତୁ ଡିଜିଟାଲ ମୁଦ୍ରା ପ୍ରଚଳନ ପରେ ବ୍ୟବହାରକାରୀ କେଉଁ ମୁଦ୍ରା କେତେ ମାତ୍ରାରେ ଗଚ୍ଛିତ କରିବେ ତାହା ‘ଲିକ୍ୟୁଡିଟି ମ୍ୟାନେଜମେଣ୍ଟ’ ଉପରେ ମଧ୍ୟ ପ୍ରଭାବ ପକାଇବ ଯାହା ବର୍ତ୍ତମାନ କଳ୍ପନା କରିବା କଷ୍ଟକର।

ଡିଜିଟାଲ୍‌ ମୁଦ୍ରା ଦେଶର ଆର୍ଥିକ ସ୍ଥାୟିତ୍ବ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇବ। କାରଣ ପ୍ରଥମତଃ ବ୍ୟାଙ୍କରୁ ଡିଜିଟାଲ ମୁଦ୍ରାକୁ ସ୍ଥଳ ବିଶେଷରେ ସ୍ଥାନାନ୍ତରୀକରଣ ଓ ବ୍ୟାଙ୍କ ମଧ୍ୟସ୍ଥ ଉପରେ କାର୍ଯ୍ୟକରି ଯେଉଁ ଲାଭାଂଶ ପାଉଥିଲା ତାହା ବହୁମାତ୍ରାରେ ହ୍ରାସ ପାଇବ। ଅବଶ୍ୟ ଏହାକୁ ପ୍ରତିହତ କରିବା ପାଇଁ ସରକାର ଏହା ଉପରେ ଅନେକ କଟକଣା ଆଣିପାରନ୍ତି। କୌଣସି ନୂତନ ମୁଦ୍ରା ପ୍ରଚଳନ ଉଦ୍ଦେଶ୍ୟ ହେଲା ପ୍ରଚଳିତ ବ୍ୟବସ୍ଥାରେ କୌଣସି କ୍ଷତି ନ ପହଞ୍ଚାଇ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୀତିକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ସହ ଆର୍ଥିକ ସ୍ଥିରତା ବଜାୟ ରଖିବା। ଡିଜିଟାଲ୍‌ ମୁଦ୍ରାର ଆଇନଗତ ସମସ୍ୟା ମଧ୍ୟ ଅଛି ଯାହାକି ସରକାର ନୂତନ ନିୟମ ମାଧ୍ୟମରେ ସମାଧାନ କରି ବ୍ୟକ୍ତି ସ୍ବାଧୀନତା ଯେପରି ଅକ୍ଷୁଣ୍ଣ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏହି ମର୍ମରେ ବିଧେୟକ ମଧ୍ୟ ସଂସଦରେ ସରକାରଙ୍କ ବିଚାରାଧୀନ ଅଛି।

ସାର୍ବଭୌମ ରାଷ୍ଟ୍ରରେ ସେହି ଦେଶରେ ସର୍ବୋଚ୍ଚ ବ୍ୟାଙ୍କ ଯଦି କୌଣସି ମୁଦ୍ରା ପ୍ରଚଳନ କରନ୍ତି ତାହା ବୈଧାନିକ ମାନ୍ୟତା ପାଇଥାଏ, ଯାହାକି କ୍ରିପ୍‌ଟୋ କରେନ୍‌ସି ଆସେଟ୍‌ରେ ନଥାଏ। କ୍ରିପ୍‌ଟୋର କୌଣସି ଅନ୍ତର୍ନିହିତ ମୂଲ୍ୟ ନଥାଏ ଓ ଏହା ଏକ ପଣ୍ୟ ମଧ୍ୟ ନୁହେଁ। ଏହା କେବଳ ବ୍ଲକଚେନ୍‌ ଜ୍ଞାନକୌଶଳ ଆଧାରିତ ବିକେନ୍ଦ୍ରୀକରଣ ଭାବରେ ପ୍ରଚଳିତ ଏକ ଅଦୃଶ୍ୟ ମୁଦ୍ରା ଓ ସରକାରଙ୍କ ଗ୍ୟାରେଣ୍ଟିଭୁକ୍ତ ମଧ୍ୟ ନୁହେଁ। କୌଣସି ଦେଶର ବ୍ୟାବହାରିକ ମୁଦ୍ରା ହେବାପାଇଁ ଯେଉଁ କେତୋଟି ମୌଳିକ ଆବଶ୍ୟକତା ଅଛି ତାହା ଅଦୃଶ୍ୟ ମୁଦ୍ରା ପୂର୍ଣ୍ଣମାତ୍ରାରେ ବର୍ତ୍ତମାନ ପୂରଣ କରୁନାହିଁ। ତେଣୁ ପୃଥିବୀରେ ବିଭିନ୍ନ ଦେଶ ଯଦି ଡିଜିଟାଲ୍‌ ମୁଦ୍ରା ପ୍ରଚଳନ କରନ୍ତି, କ୍ରିପ୍‌ଟୋ ଆସେଟ୍‌ର ଆଦର ଅନେକ ମାତ୍ରାରେ ହ୍ରାସ ପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପୃଥିବୀର ୧୦ଟି ଦେଶ ପାଇଲଟ ସ୍ତରରେ ଡିଜିଟାଲ ମୁଦ୍ରା ପ୍ରଚଳନ କରିଛନ୍ତି। ବୃହତ୍‌ ଅର୍ଥନୀତିରେ ଚୀନ ଓ କୋରିଆ ୨୦୨୩ରେ ହୁଏତ ଡିଜିଟାଲ ମୁଦ୍ରା ପ୍ରଚଳନ କରିପାରନ୍ତି। ବିଭିନ୍ନ ଦେଶ ଯଦି ଜିଡିଟାଲ ମୁଦ୍ରା ପ୍ରଚଳନ କରନ୍ତି ତାହାହେଲେ ଡଲାରର ପ୍ରାଧାନ୍ୟ ହ୍ରାସ ପାଇବ, ଯାହା କି ଅହେତୁକ ଭାବରେ ବର୍ତ୍ତମାନ କେନ୍ଦ୍ରୀଭୂତ ହେଉଛି। ଚଳିତ ବର୍ଷରେ ଡଲାର କିପରି ଭାବରେ ମଜଭୁତ ହୋଇ ପୃଥିବୀର ଊଣା ଅଧିକେ ସମସ୍ତ ଦେଶର ଘରୋଇ ମୁଦ୍ରାର ବିନିମୟ ମୂଲ୍ୟ ବହୁମାତ୍ରାରେ ହ୍ରାସ ପାଇ ମୁଦ୍ରାସ୍ଫୀତି ବଢ଼ିବା ସହ ଅନେକ ସମସ୍ୟା ସୃଷ୍ଟି କରିଛି, ତାହା ସର୍ବଜନବିଦିତ।

ହଜାର ହଜାର ବର୍ଷରୁ ପ୍ରଚଳିତ ମୁଦ୍ରା ବ୍ୟବସ୍ଥା ବିଭିନ୍ନ ସ୍ତର ଦେଇ ଗତି କରିଛି ଓ ବର୍ତ୍ତମାନ ଡିଜିଟାଲ ଦେଣନେଣ ବହୁଳ ମାତ୍ରାରେ ବୃଦ୍ଧିପାଇବା ସହ ଜନସାଧାରଣଙ୍କର ଆସ୍ଥାଭାଜନ ମଧ୍ୟ ହୋଇପାରିଛି। ଭାରତରେ ନିଜସ୍ବ ଜ୍ଞାନକୌଶଳ ଆଧାରିତ ୟୁପିଆଇ ପୃଥିବୀର ସର୍ବାଧିକ ଡିଜିଟାଲ ଦେଣନେଣ ବ୍ୟବସ୍ଥାର ମାନ୍ୟତା ପାଇଛି ଓ ବିଦେଶରେ ମଧ୍ୟ ପ୍ରତିଦିନ ଏହା ତାହାର କାୟା ବିସ୍ତାର କରିଚାଲିଛି। ନୂତନ ଜ୍ଞାନକୌଶଳର ପରିସୀମା ବ୍ୟାପ୍ତ ହେଉଥିବା ସମୟରେ ଭବିଷ୍ୟତରେ ଡିଜିଟାଲ ମୁଦ୍ରା ମଧ୍ୟ ବିଶେଷ ଭାବରେ ଆଦୃତ ହେବ ଓ ଦେଶର ଆର୍ଥିକ କାରବାରକୁ ଆହୁରି ସହଜ ସରଳ କରିପାରିବ। ହେଲେ ପୃଥିବୀରେ ଏବେ ମଧ୍ୟ ଏହା ପୂର୍ଣ୍ଣମାତ୍ରାରେ ପ୍ରଚଳନ ହୋଇନଥିବା ସହିତ ଅଭିଜ୍ଞତା ନ ଥିବାରୁ ସରକାର ସମୟାନୁକ୍ରମେ ଏହାକୁ ଧୀରେଧୀରେ କାର୍ଯ୍ୟକାରୀ କରିବା ବାଞ୍ଛନୀୟ।

Comments are closed.