www.samajalive.in
Monday, December 15, 2025
16.1 C
Bhubaneswar

ମଧ୍ୟବିତ୍ତଙ୍କ ଦୁଃଖ

ମଧ୍ୟବିତ୍ତଙ୍କ ଦୁଃଖ ଅସୀମ। କୋଟିପତିଙ୍କ ଭଳି ସେମାନଙ୍କ ଘରେ ପୁଳାପୁଳା ନଗଦ କ୍ୟାସ୍‌ ନଥାଏ, ଅପର୍ଯ୍ୟାପ୍ତ ବ୍ୟାଙ୍କ୍‌ ବାଲାନ୍‌ସ ବା ସେୟାର ନଥାଏ। ତଳତଳିଆ ଶ୍ରେଣୀର ଲୋକଙ୍କ ଭଳି ଦାଣ୍ଡରୁ ଆସି ହାଣ୍ଡିକୁ ଯିବା ଅବସ୍ଥା ବି ନଥାଏ। ତଳଶ୍ରେଣୀର ଲୋକେ ବକ୍‌ସିସ୍‌ ମାଗିପାରିବେ, ହାତ ଉଧାରି ମାଗି ପାରିବେ ଆଉ ଟଙ୍କା ବଦଳରେ ଯେ କୌଣସି ମୂଲିଆକାମ ଆଦେଶ ଅନୁସାରେ କରିପାରିବେ। ଉପରବାଲା ନିଜ ଟଙ୍କାରେ ବହୁତଳ ପ୍ରାସାଦ ତିଆରି କରି ପାରିଛନ୍ତି ଆଉ ତଳବାଲା ସରକାରଙ୍କ ବଣ୍ଟାହେଉଥିବା ମାଗଣା ଘର ପାଇ ଆନନ୍ଦରେ ଅଛନ୍ତି। ମଝିବାଲା ଭଡ଼ାଘରରୁ ମୁକ୍ତି ପାଇବାକୁ ଋଣ କରି ସାରା ଜୀବନ ଋଣର କିସ୍ତି ଦେଇଦେଇ ମୁହଁକୁ ଆମ୍ବିଳା କରି ବସିଛନ୍ତି। ମାଗଣା ଇନ୍ଦିରା ଆବାସ ଯୋଜନା ଘର ସବୁ ଦେଖି ମନ ଦୁଃଖ, କୋଟିପତିଙ୍କ ବହୁତଳ ପ୍ରାସାଦ ଦେଖି ବି ମନ ଦୁଃଖ, ହେଲେ ସେ ଦୁଃଖରୁ ତ୍ରାହି ନାହିଁ। ତଳବାଲା ଖାସି ମୁଣ୍ଡକୁ ଛେଚି ବା ଚୂନାମାଛ ଅଢ଼େଇଶ’ ଆଣି କାମ ଚଳାଉଛନ୍ତି। ଉପର ବାଲାଙ୍କ କୁକୁର ପ୍ରତିଦିନ ଆଇଁଷ ଖାଉଚି, ମଧ୍ୟବିତ୍ତ ଯେଉଁ ଦିନ ମଟନ କିଣୁଛି କିଲୋ ସାତଶ’ ଆଠଶ’ ହେବା ଅନ୍ୟାୟ କହି ମାଂସ କମ୍‌ ଏବଂ ଆଳୁ ଓ ଝୋଳ ଅଧିକରେ କାମ ଚଳାଇ ନେଉଛି?

ଶାସ୍ତ୍ର ଓ ରୀତିନୀତି ଅନୁସାରେ ଠାକୁର ପୂଜା କେବଳ ମଧ୍ୟବିତ୍ତ ଶ୍ରେଣୀର ଲୋକେ ହିଁ କରିଚାଲିଛନ୍ତି। କେଉଁ ସମୟରେ, କ’ଣ ପିନ୍ଧି, କେତେ ନଇଁ କିଭଳି ଦୀପଦେଇ ଠାକୁର ପୂଜା ହେବ ଏମାନଙ୍କୁ ଜଣା। ବିଭିନ୍ନ ପ୍ରକାର ସନ୍ଦେଶ ଭୋଗ କରିବା, ପୂଜା ସମୟରେ ଠାକୁରଙ୍କ ଆଡ଼କୁ ଦୁଇହାତ ଯୋଡ଼ି ପ୍ରଣାମଟାଏ ଫୋପାଡ଼ି ଦେଇ ତରବରିଆ ଭାବେ ଡ୍ରାଇଭର ଗେଟ୍‌ ଖୋଲିଥିବା କାର ଭିତରେ ପଶି ବାହାରିଯିବା ବଡ଼ବଡ଼ିଆଙ୍କ କାମ। ନେତା ଓ ପ୍ରତିଷ୍ଠିତ ଶିଳ୍ପପତି ମନ୍ଦିରମାନଙ୍କୁ ଦାନ ଦେଇ ନିଜର, ନିଜ ବାପ, ମା’, ଛୁଆଙ୍କ ନାଁ ସବୁ ମାର୍ବଲରେ ଲେଖି ମନ୍ଦିର ପ୍ରାଙ୍ଗଣରେ ପ୍ରଦର୍ଶନ କରାଉଛନ୍ତି। ମୂଲିଆଟିଏ କେବଳ ଶୋଇବାବେଳେ ଓ ନିଦରୁ ଉଠିବାବେଳେ ହାତଯୋଡ଼ି ନମସ୍କାର କରି ତା’ ପୂଜା ଆରାଧନା ସାରି ଦେଉଛି; କିନ୍ତୁ ଆମ ମଧ୍ୟବିତ୍ତ ଶ୍ରେଣୀର ​‌େ​ଲ‌ାକମାନେ ବାସ୍ତୁବାଲାଙ୍କୁ ଡାକି କେଉଁ ଦିଗରେ କାଠ ବା ମାର୍ବଲର ଆସନରେ କିଭଳି କେଉଁ କେଉଁ ଦେବଦେବୀ ପୂଜା ହେଲେ ତତ୍କାଳ ଫଳମିଳିବ ସେଇ ଚିନ୍ତାରେ କଷ୍ଟାର୍ଜିତ ଧନ ଖର୍ଚ୍ଚ କରି ଚାଲିଛନ୍ତି। ଈଶ୍ବର ବିଶ୍ବାସ ଓ ଆଧ୍ୟାତ୍ମିକ ଚର୍ଚ୍ଚା, ପ୍ରବଚନ ଇତ୍ୟାଦି ଏଇ ମଧ୍ୟବିତ୍ତମାନେ କରନ୍ତି ଓ ସେଇ ମଧ୍ୟବିତ୍ତମାନେ ହିଁ ଶୁଣନ୍ତି। ମୂଲିଆ ତା’ ମୂଲ ଲାଗିବା ଛାଡ଼ି ପ୍ରବଚନ ସ୍ଥଳକୁ ଯାଏନି, ବଡ଼ବଡ଼ିଆମାନେ ପ୍ରବଚନ ଶୁଣିବାକୁ ଯାଆନ୍ତି ନାହିଁ। ‘ସତ୍‌ସଙ୍ଗ’ ଆମ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଓ ନେତାଙ୍କ ପାଇଁ ଏକ ସମୟ ନଷ୍ଟ ଆୟୋଜନ ଓ ଅନ୍ଧବିଶ୍ବାସ। ତଳବାଲା ପୁରୁଷ ଓ ସ୍ତ୍ରୀ ସମସ୍ତେ ସ୍ବାଧୀନ। କିଏ ଅନ୍ୟ କାହାର ସ୍ତ୍ରୀ ବା ଝିଅକୁ ନେଇ ବସ୍ତିରୁ ଫେରାର ହୋଇଯିବା ସାଧାରଣ କଥା। ଉପରବାଲାଙ୍କ ଘରେ ବି ବାପ, ମା’ ଓ ପିଲାପିଲି ସମସ୍ତେ ସ୍ବାଧୀନ। ଘରେ ଅନେକ ଗାଡ଼ି, ପ୍ରତ୍ୟେକ ଗୋଟାଏ ଲେଖାଁ ନେଇ ଯୁଆଡ଼େ ଇଚ୍ଛା ସିଆଡ଼େ ପାର୍‌। ଘରକୁ ପ୍ରତ୍ୟେକଙ୍କର ଫେରିବା ସମୟ ଅଲଗା- ଏକାଠି ବସି ଲଞ୍ଚ୍‌ ବା ଡିନର କରିବା ଏମାନଙ୍କ ସମ୍ବିଧାନରେ ନାହିଁ। ଉପରବାଲା ରାତ୍ରିର ବିଳମ୍ବିତ ପ୍ରହରରେ କିଏ କା’ ସ୍ତ୍ରୀ ବା ଝିଅ ସହ ହାଇପ୍ରୋଫାଇଲ୍‌ କ୍ଲବ୍‌ରେ ମିଶେ, ତା’ର ଠିକଣା ନାହିଁ। ହେଲେ ଏ ମଝିବାଲା ସବୁତକ ଧର୍ମ, ବ୍ରତ, ଉପାସନା ସଂସ୍କୃତିକୁ ଜାବୋଡ଼ି ଧରି ବସିଛନ୍ତି। ଏକାଦଶୀ, ପୂର୍ଣ୍ଣିମା, ସଂକ୍ରାନ୍ତି, ଦୋଳ, ଶିବରାତ୍ରି, ଜନ୍ମାଷ୍ଟମୀ, ଗୁରୁବାର, ସନ୍ତୋଷୀମା’ଙ୍କ ବ୍ରତ ଇତ୍ୟାଦି ସବୁ ଆପଣେଇ ବି ମଧ୍ୟବିତ୍ତବାଲା ସବୁବେଳେ ଦୁଃଖୀ, ଏ ସବୁ କିଛି ନକରି ବି ତଳବାଲା ଖୁସି, ଉପରବାଲାଙ୍କର ତ ଏ ସବୁ ଦେଖିବାକୁ ଓ ଜାଣିବାକୁ ଇଚ୍ଛା ବି ନଥାଏ, ପାଳିବା ତ ବହୁତ ଦୂର।

- Advertisement -

ତଳବାଲା ସମୟ ସମୟରେ ଟିକିଏ ଅଧିକା ପଇସା ମିଳିଗଲେ ଦେଶୀ ତାଡ଼ି ପିଇ ଦିଅନ୍ତି। ଉପରବାଲା ପ୍ରା୦ୟ ପ୍ରତିଦିନ ‘ଡ୍ରିଙ୍କ୍‌ସ’ ନିଅନ୍ତି। ମଝିବାଲା ସେଇ ଏକା ଜିନିଷକୁ ତାଡ଼ି ବା ଡ୍ରିଙ୍କ୍‌ସ ନ କହି ‘ମଦ’ କୁହନ୍ତି। କଦବା କ୍ବଚିତ୍‌ ସାଙ୍ଗସାଥୀ ମେଳରେ ଢୋକେ ଦି-ଢ଼ୋକ ପିଇ ମଦ ପିଇବା ଦୋଷରେ ମଧ୍ୟବିତ୍ତ ବାଲାଏ ଘରଣୀଙ୍କ ଠାରୁ ଶୋଧା ଖାଆନ୍ତି। ପୋଷାକପତ୍ର ବି ସମସ୍ତଙ୍କର ଅଲଗା। ଉପରବାଲା ବିନା ସୁଟ୍‌ ବୁଟ୍‌ ଓ ଟାଇରେ ଘରୁ ବାହାରନ୍ତି ନାହିଁ। ତଳବାଲାଙ୍କ ଲୁଙ୍ଗି, ଗାମୁଛା ଆଉ ହଳେ ଦି’ ହଳ ପ୍ୟାଣ୍ଟ ସାର୍ଟ ଓ ଧୋତି ଖଣ୍ଡେ ଯଥେଷ୍ଟ। ମଝିବାଲା କିଣା ପ୍ୟାଣ୍ଟ୍‌ ସାର୍ଟ ଚାରି ପାଞ୍ଚହଳ, ଖଣ୍ଡେ କୋଟ୍‌, ଗୋଟାଏ ଟାଇ ଆଉ ଲୁଙ୍ଗି, ହାଫପ୍ୟାଣ୍ଟ ସବୁ ରଖିଥା’ନ୍ତି। ସ୍ବତନ୍ତ୍ର ମହୋତ୍ସବରେ କୋଟ୍‌ ପିନ୍ଧନ୍ତି ଆଉ ବାହାଘରରେ ମିଳିଥିବା କୋଟ୍‌ ଖଣ୍ଡେ ଜାଗାରେ ଦି’ଟା କାହିଁକି ମିଳିଲାନି ବୋଲି ଶ୍ବଶୁରଙ୍କ କୃପଣତାକୁ ଧିକ୍‌କାର କରନ୍ତି। ଉପରବାଲା ହାଫ୍‌ପ୍ୟାଣ୍ଟ, ଚିତ୍ରିତ ଗଞ୍ଜି, କଣାଥିବା ଜିନ୍‌, ହାତକଟା, ପେଟକଟା ଓ ପଛଫାଙ୍କ ଚାରି ଆଙ୍ଗୁଳିଆ ବ୍ଲାଉଜ୍‌ ପିନ୍ଧି ଅର୍ଦ୍ଧନଗ୍ନ ଶରୀର ପ୍ରଦର୍ଶନରେ ନିଜକୁ ଧନ୍ୟ ମନେ କରନ୍ତି।

ବାତ୍ୟା, ବନ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗିଗଲେ ତଳଶ୍ରେଣୀର ଲୋକଙ୍କୁ ଜରି, ପାଲ ଇତ୍ୟାଦି ସରକାର ମାଗଣାରେ ଦିଅନ୍ତି। ଉପରଶ୍ରେଣୀର ଲୋକ ଅନୁକମ୍ପା ମୂଳକ ରାଶି ବା କ୍ଷତିପୂରଣ ବାଣ୍ଟି ଅଥବା ବାତ୍ୟା ବନ୍ୟା ପାଇଁ ଆସିଥିବା ଶୁଖିଲା ଖାଦ୍ୟ, ଲୁଗାପଟା ଅଳ୍ପ ବାଣ୍ଟି ଅବଶିଷ୍ଟ ଘରକୁ ନେଇ ମାଲେମାଲ୍‌ ହୁଅନ୍ତି; ହେଲେ ମଧ୍ୟବିତ୍ତ ବାଲା ନିଜ ଭଙ୍ଗା ଘରକୁ ନିଜେ ସଜାଡ଼ନ୍ତି। ଏମାନଙ୍କୁ କିଛି ମିଳେ ନାହିଁ ଆଉ ଏମାନେ ବାଣ୍ଟିବା ଦାୟିତ୍ବ ବି ପାଆନ୍ତି ନାହିଁ।

ଲେଖାଲେଖି, ଜୋତିଷବିଦ୍ୟା, ବାସ୍ତୁଶାସ୍ତ୍ର ଅଧ୍ୟୟନ ଇତ୍ୟାଦି ଏଇ ମଧ୍ୟବିତ୍ତମାନେ କରନ୍ତି ଆଉ ଏଇ ମଧ୍ୟବିତ୍ତମାନେ ମଧ୍ୟ ପଢ଼ନ୍ତି। ମୂଲିଆ ଶ୍ରେଣୀର ଲୋକେ ଜ୍ୟୋତିଷ ବା ବାସ୍ତୁବାଲାଙ୍କୁ ପଇସା ଦେଇ ନପାରିବା ହେତୁ ଯାଆନ୍ତି ନାହିଁ। ଉପରବାଲା ଥଟ୍ଟା କର କୁହନ୍ତି ଯଦି ଜ୍ୟୋତିଷ ଭବିଷ୍ୟତ କହିପାରୁଛି ନିଜେ କାହିଁକି ତା’ ଭବିଷ୍ୟତ ଜାଣିପାରୁନି, ବାସ୍ତୁବାଲା ନିଜେ କାହିଁକି କୋଟିପତି ହୋଇପାରୁନି। କେଉଁ ଜ୍ୟୋତିଷ ବିନ୍‌ ଲାଡେନ୍‌ କେବେ ଓ କେଉଁଠି ମରିବ ଆଗରୁ କହିଥିଲା ଇତ୍ୟାଦି। ଏସବୁ ସମାଲୋଚନା କରି ମଧ୍ୟ ଉପରବାଲା ବିନ୍‌ଦାସରେ ଥାଆନ୍ତି। ଆମେ ମଧ୍ୟବିତ୍ତବାଲା ବାପାଙ୍କୁ ଡରୁ, ପିଲାଙ୍କୁ ଡରୁ, ନେତାଙ୍କୁ ଡରୁ, ଗୁଣ୍ଡାଙ୍କୁ ଡରୁ ଏପରି କି ବାଟରେ ଘାଟରେ କେହି ଦୁର୍ଘଟଣା ଘଟାଇ ଆମର କ୍ଷତି କଲେ ବି ଈଶ୍ବରଙ୍କ ଇଚ୍ଛା ଭାବି ଲାଙ୍ଗୁଡ଼ ଜାକି ଚାଲିଆସୁ। ସବୁଠୁ ବଡ଼କଥା ହେଲା ଆମେ ମଧ୍ୟବିତ୍ତମାନେ ଧର୍ମ ଓ ଈଶ୍ବରଙ୍କୁ ଡରି ଓ ସମାଜକୁ ଡରି ଏକରକମ ଅଭିଶପ୍ତ ଓ ଋଣଗ୍ରସ୍ତ ଜୀବନ ବିତାଇ ହା’ହୁତାଶରେ ମରୁ। ଏବେ କୁହନ୍ତୁ ଏହା ସତ ନା ମିଛ?

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories