ରାଜନୀତି ଭୋଗିବାର କାହାଣୀ

ମୁଁ ରାଜନୀତିକୁ ଭୋଗିବି। ଅଥଚ ଲେଖିବି ନାହିଁ ସେହି ଭୋଗର କାହାଣୀ। ମୁଁ ରାଜନେତାଙ୍କୁ ଶୁଣିବି। ଶୁଣିବି କାନ ​‌​ଦେଇ, ମନ ଦେଇ। ଅଥଚ ମୋ କଥା କହିବି ନାହିଁ? କିଛି ପ୍ରଶ୍ନ କରିବି ନାହିଁ? ଏ କିପରି କଥା? କାହିଁକି ଏ ପ୍ରକାର ପକ୍ଷପାତିତା? ଏହା କି ପ୍ରକାର ସ୍ବାଧୀନତା?

ଦେଶ ସ୍ବାଧୀନତାର ବୟସ ସହିତ ତାଳ ଦେଇ ଗତି କରୁଥିବା ବ୍ୟକ୍ତିଟି ମୋତେ ପଚାରୁଛି ଏ କଥା, ନିଜର ସଖା- ସହୋଦର ମନେକରି କହୁଛି, ତୁମେ କହୁଥିବ,ମୁଁ ‘ହୁଁ’ ମାରୁଥିବି। ଅଥଚ ‘ହୁଁ’ ନ ମାରି ‘ଗୁଁ’ ‘ପୁଁ’ ହେଲେ କିମ୍ବା ‘ନାହିଁ’ କରିଦେଲେ ମୋ ଉପରେ ଲାଗିଯିବ ସବୁ ପ୍ରକାର କଟକଣା। ତୁମ ମୁଖନିଃସୃତ ସୁଧା ପାନ କରି ଚାଲିଥିବି। ଆଉ କିଛି ହଜମ ନକରି ପାରି ବାନ୍ତି କରିଦେଲେ ଭଙ୍ଗ ହୋଇଯିବ ତୁମର ଶାନ୍ତି। ତୁମେ ପ୍ରସ୍ତୁତ ହୋଇଯିବ ଦେବାପାଇଁ ମୋତେ ଶାସ୍ତି! ଏହା କିପରି କଥା ମହାଜନେ!
ଯାହା ପଢ଼ିଲି ଓ ପଢ଼େଇ ଆସିଲି, ସେ ସବୁ କ’ଣ ତେବେ ମିଛକଥା? ଗଳା ଫଟେଇ­ ଗଳଦ୍‌ଘର୍ମ ହୋଇ ଶ୍ରେଣୀଗୃହରେ ହେଉ ଅବା ସଭା-ସମିତିରେ, କେତେ ବାଗରେ, କେତେ ସରାଗରେ କହି ଆସିଲି ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ପ୍ରମୁଖ ଶକ୍ତିସ୍ତମ୍ଭ।

ଭୟମୁକ୍ତ, ଚାପମୁକ୍ତ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦପତ୍ର ଉପରେ ନିର୍ଭର କରେ ଗଣତନ୍ତ୍ରର ସଫଳତା। ବ୍ୟକ୍ତି ବିଶେଷର ସ୍ବାଧୀନତା; ମାତ୍ର ଏବେ ଦେଖୁଛି, ଆମ ସ୍ବାଧୀନତାର ବୟସ ଯେତିକି ବଢ଼ିବାରେ ଲାଗିଛି, ଗଣମାଧ୍ୟମର ସ୍ବାଧୀନତା, ନିର୍ଭୀକତା ସେହି ପରିମାଣରେ ହ୍ରାସ ପାଇବାରେ ଲାଗିଛି। ଜନଗଣର ହିତ ଓ ସ୍ବାର୍ଥରେ ଆଉ ଗଣମାଧ୍ୟମରେ ସ୍ବାର୍ଥ ନିହିତ ନାହିଁ। ଅଛି ଧନ ଅର୍ଜନରେ। ଲକ୍ଷ ଓ କୋଟି ଆକାରରେ ବିଜ୍ଞାପନ ଯୋଗେଇ ଦେଉଥିବା ସରକାରୀ ଦଳ ପ୍ରତି ସେମାନେ କିପରି ଅକୃତଜ୍ଞ ରହିପାରିବେ ଜନଗଣଙ୍କୁ ସେମାନଙ୍କ ମନ କଥା କହିବାର ସୁଯୋଗ ଦେଇ? ଜନତା ଶୁଣନ୍ତୁ, କ’ଣ କହୁଛନ୍ତି ଦଳୀୟ ସରକାର। କାନର ପରଦାକୁ ମେଲା ରଖିଥାଆନ୍ତୁ। ଆଉ ବାକି ଦୁଇମାଙ୍କଡ଼ ଭଳି ଆଖି, ପାଟି ମୁଦି ଦିଅନ୍ତୁ। କିଛି ଦେଖନ୍ତୁ ନାହିଁ, କ’ଣ ସବୁ ଚାରିପଟେ ଘଟୁଛି ଅବା ଦେଖିଲେ ବି ପାଟି ଫିଟାନ୍ତୁ ନାହିଁ।

ଚୁପ୍‌ ହୋଇ ବସି ଶୁଣୁଥାଆନ୍ତୁ, ନୀରବ ଶ୍ରୋତାର ଭୂମିକାରେ। କିପରି ଚାଲିଛି ଆମ ଗଣତନ୍ତ୍ରର ଗୁଣକୀର୍ତ୍ତନ। ଆମ ସ୍ବାଧୀନତାର ଜୟଗାନ। ଗଣତନ୍ତ୍ରର ଯାତ୍ରା- ନାଟକରେ ନାଟ୍ୟକାର ବା ନିର୍ଦେଶକ ଓ ଅଭିନେତା ଯେଉଁ ସଂଳାପ ଶୁଣେଇବେ, ସେଇ ସଂଳାପ ହିଁ ତମେ ଖାଲି ଶୁଣୁଥିବ। ସେଥିରେ ଆଉ କିଛି ଯୋଡ଼ିବାର ପ୍ରୟାସ କରିବ ନାହିଁ। ସେମାନଙ୍କ କଥାରେ ତୁମେ କିଛି ମିଶାଣ-ଫେଡ଼ାଣ କଲେ ଭୁଲ୍‌ ହୋଇଯିବ ଗଣତନ୍ତ୍ରର ଗଣିତ ଓ ସାହିତ୍ୟ। ତେଣୁ ବାବୁ ସାବଧାନ! ହାତେ ମାପି ଚାଖଣ୍ଡେ ଚାଲୁଥାଅ। ଦଶପଦ ଶୁଣିଲେ ଭାବିଚିନ୍ତି ପଦେ କୁହ ବା ନ କୁହ। କହିଲେ ତୁମର କିଛି ଲାଭ ହେବ ନାହିଁ; ବରଂ କ୍ଷତିର ଆଶଙ୍କା ରହିଛି। ତେଣୁ ଲାଭକ୍ଷତିର ଏ ଦୁନିଆରେ ହିସାବକରି ନିଷ୍ପତ୍ତି ନିଅ। ଆଗଚଲା ହୁଅ ନାହିଁ। ସାରା ଦେଶଟାକୁ ତୁମେ ମୁ​‌େ​‌ଣ୍ଡଇ ଧରି ନାହଁ ଯେ ମୁଣ୍ଡରୁ ଖସି ପଡ଼ିଲେ ଦେଶ ଦି’ ଫାଳ ହୋଇଯିବ; ବରଂ ତୁମ ତୁଣ୍ଡରୁ କିଛି ଖସି ଗଲେ ତମେ ଆଉ କୋଉ କୁଳର ହୋଇ ରହିବ ନାହିଁ।

ଆମ ସ୍ବାଧୀନ ଦେଶର ସମବୟସ୍କ ଜଣେ ନାଗରିକ, ଶିକ୍ଷା ପ୍ରତି ସମର୍ପିତ ଜଣେ ଶିକ୍ଷକ କହିଚାଲିଥିଲେ ତାଙ୍କ କଥା। ତାଙ୍କ କଥାଗୁଡ଼ାକ ମୋତେ କାନ୍ଦଣାର ସ୍ବର ଭଳି ଶୁଭୁଥିଲା। ସେ କିନ୍ତୁ କାନ୍ଦୁ ନଥିଲେ। ଆଖିରେ ଅବଶ୍ୟ ଲୁହ ଥିଲା। ନିଆଁ ବି ଥିଲା। କେତେବେଳେ କାନ୍ଦକାନ୍ଦ ତ କେତେବେଳେ କ୍ରୋଧ। ସେ କହୁଥିଲେ ମଣିଷ କେବଳ ସାମାଜିକ ପ୍ରାଣୀ ନୁହେଁ, ଦାର୍ଶନିକ ଏରିଷ୍ଟୋଟଲଙ୍କ ଭାଷାରେ ରାଜନୈତିକ ପ୍ରାଣୀ ମଧ୍ୟ। ରାଷ୍ଟ୍ରରେ ତା’ର ଜନ୍ମ। ରାଷ୍ଟ୍ରର ନୀତି ନିୟମକୁ ମାନି ତା’ର ଜୀବନଧାରଣ। ତେଣୁ ସ୍ବାଭାବିକ ଭାବରେ ରାଷ୍ଟ୍ର ପରିଚାଳନାରେ ସେ ଜଣେ ଅଂଶୀଦାର। ରାଷ୍ଟ୍ର କହିଲେ ସରକାର ନୁହେଁ। ସରକାର ଆସିବ, ଯିବ। ରାଷ୍ଟ୍ର ରହିଥିବ, ଯେ ପର୍ଯ୍ୟନ୍ତ ଏହାର ସ୍ବାଧୀନତା ଓ ସାର୍ବଭୌମତ୍ବ ଅକ୍ଷୁଣ୍ଣ ଥିବ। ଆଉ ରାଷ୍ଟ୍ରର ସାର୍ବଭୌମତ୍ବର ଅଧିକାରୀ ହେଉଛନ୍ତି ଏହାର ଜନସାଧାରଣ।

ଗଣମାଧ୍ୟମ ହେଉଛି ସେହି ଜନସାଧାରଣଙ୍କ ମତ ପ୍ରକାଶର ମାଧ୍ୟମ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁର ବନ୍ଧନ। ଗଣମାଧ୍ୟମର କର୍ତ୍ତା, ପରିଚାଳକ ବା ସଂପାଦକ ସରକାରଙ୍କ ବାର୍ତ୍ତା ଦେଲାବେଳେ, ଲୋକଙ୍କ କଥା ମଧ୍ୟ ଶୁଣେଇବେ ସରକାରଙ୍କୁ। ଜନସଚେତନତାର ବାହକ ହେବେ। ହେବେ ବ୍ୟକ୍ତି ସ୍ବାଧୀନତାର ସଂରକ୍ଷକ। ଅଥଚ କାହିଁକି ଦେଖିବାକୁ ମିଳୁଛି ଏହାର ବିପରୀତ ଦୃଶ୍ୟ? ମୋର ପ୍ରଶ୍ନକର୍ତ୍ତା ବନ୍ଧୁଙ୍କୁ ମୁଁ କହିଲି। ଦୃଶ୍ୟ ସର୍ବତ୍ର ସମାନ ନୁହେଁ। ସବୁକିଛି ନିର୍ଭର କରୁଛି ଗଣମାଧ୍ୟମର ପ୍ରମୁଖ କର୍ତ୍ତାମାନଙ୍କର ବିଚାର ଓ ବ୍ୟକ୍ତିତ୍ବ ଉପରେ। ଆନନ୍ଦ ଓ ଆଶ୍ବାସନାର କଥା, ଏ ପର୍ଯ୍ୟନ୍ତ ମଧ୍ୟ ସେହିଭଳି କିଛି ସଂପାଦକ ଅଛନ୍ତି। ଯେଉଁମାନଙ୍କ ନିର୍ଭୀକତା ଓ ନିରପେକ୍ଷତାକୁ ନେଇ ତଥାପି ଗଣତନ୍ତ୍ର ତିଷ୍ଠି ରହିଛି। ଲୋକଙ୍କ ଆସ୍ଥାକୁ ବଜାୟ ରଖିବାରେ ସେମାନେ ସଫଳ ହୋଇଛନ୍ତି। ‘ଚାପ’ ଭିତରେ ଥାଇ ମଧ୍ୟ ଖୋପରେ ପଡ଼ିନାହାନ୍ତି। ଗଣତନ୍ତ୍ରର ସତ୍ୟକୁ ପ୍ରକାଶିତ, ପ୍ରମାଣିତ କରିବାପାଇଁ ଚାହିଁଛନ୍ତି। ‘ସତ୍ୟ’ର ମିଛ ପ୍ରମାଣପତ୍ର ଧରି ମିଥ୍ୟାକୁ ପ୍ରଚାରିତ ଓ ପ୍ରୋତ୍ସାହିତ କରିନାହାନ୍ତି। ମାତ୍ର ଏମାନେ ବ୍ୟତିକ୍ରମ। ପ୍ରଚଳିତ ଧାରାରେ, ହାତଗଣତିରେ ଏମାନଙ୍କ ସଂଖ୍ୟା। ଅଥଚ ସମ୍ବାଦପତ୍ରର ଏହି ସ୍ବଳ୍ପସଂଖ୍ୟକ ସ୍ରଷ୍ଟା, ସଂପାଦକ, ସଂଯୋଜକମାନେ ହିଁ ଆମ ଗଣତନ୍ତ୍ରର ଅସଲ ସୂତ୍ରଧର। କ୍ଷମତାର ପରିବ୍ୟାପ୍ତ ଅନ୍ଧାରି ଆଧିପତ୍ୟକୁ ଅସ୍ବୀକାର କରିବାରେ ଏମାନେ ଗୋଟିଏଗୋଟିଏ ଆଲୋକସ୍ତମ୍ଭ। ଅନ୍ଧାର ଭିତରେ ତଥାପି ଆଲୋକ କେଉଁଠି ନା କେଉଁଠି ରହିଛି।

ହଜିଯାଇନାହିଁ ଗଣତନ୍ତ୍ରର ଆଶାମନ୍ତ୍ର। ଆମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ ଏବଂ ପ୍ରଶ୍ନ ପଚାରିବାର ଧାରାକୁ ଅବ୍ୟାହତ ରଖିବାକୁ ହେବ। ମୁଁ ପୁଣି କହିଲି, ମୋର ସେଇ ପଞ୍ଚସ୍ତରି ବର୍ଷର ସଖା-ସହୋଦର ଶିକ୍ଷକ ବନ୍ଧୁଙ୍କୁ ଯେ, ତମେ ଠିକ୍‌ କହିଛ ବନ୍ଧୁ, ମଣିଷ ଏକ ରାଜନୈତିକ ପ୍ରାଣୀ। ରାଜନୀତିକୁ ‘ଛି’ ନ କହି, ନୀରବତା ଅବଲମ୍ବନ ନକରି ଆମକୁ ସେଥିରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିବାକୁ ପଡ଼ିବ। ଗଣତନ୍ତ୍ରର ଗୁଣବତ୍ତାକୁ ‘ଭୋଟତନ୍ତ୍ର’ରେ ସୀମିତ ରଖିଥିବା ଭୋଟ୍‌ର ଭିକାରି ଓ ବେପାରୀମାନଙ୍କ କବଳରୁ ଗଣତନ୍ତ୍ରକୁ ରକ୍ଷା କରିବାକୁ ହେବ। ଦେଖିବାକୁ ହେବ, ଯେପରି ରାଜନୀତି କେବଳ ନେତାନିର୍ଭର ନହୋଇ ଆମ ସମସ୍ତଙ୍କ ପାଇଁ ଆତ୍ମନିର୍ଭରତାର ଆଶାମନ୍ତ୍ର ହୋଇ କାର୍ଯ୍ୟ କରୁଛି।

Comments are closed.