ଗଣତନ୍ତ୍ର: ପରମ୍ପରା ଓ ପରିବର୍ତ୍ତନ

ଏହି ଆଲେଖ୍ୟ କୌଣସି ପଦ୍ମଭୁକ୍‍ ବୁଦ୍ଧିଜୀବୀର ଗଣତନ୍ତ୍ରର ଆଦର୍ଶ-ଆଭିମୁଖ୍ୟ-ଅବକ୍ଷୟ ବିଷୟରେ ବୌଦ୍ଧିକ ପ୍ରଳାପ ନୁହେଁ। ଏହା ଆମ ଦେଶର ସାଧାରଣ ମଣିଷର ନିରୁପାୟ ପ୍ରତିବେଦନ ବୋଲି ଗ୍ରହଣ କରାଯାଇପାରେ। ଏଠାରେ ସ୍ଥାନିତ ସଂସ୍କାର ପଦ୍ଧତିକୁ ପଣ୍ଡିତମାନେ ସହଜରେ ଗ୍ରହଣ କରି ନ ପାରନ୍ତି। କାରଣ ସେମାନେ ଆପଣାର ସଂକୀର୍ଣ୍ଣ ସ୍ୱାର୍ଥ ପରିତ୍ୟାଗ କରି ସତ୍ୟକୁ ସ୍ୱୀକାର କରିବାକୁ ଅସମର୍ଥ ; ନୂତନ ଚିନ୍ତାକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ସମୟର ଗତି ସହ ପରିବର୍ତ୍ତନର ଆବଶ୍ୟକତା ଯେ ଅପରିହାର୍ଯ୍ୟ, ସେମାନେ ନବୁଝି, ସେଇ ‘ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ’ ତାଳରେ ଚିରକାଳ ରଟି ଚାଲିଛନ୍ତି। ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି, ସେମାନେ କହୁଛନ୍ତି ‘ମେଘ ଦୁଲୁକୁଛି’।

ଗଣତନ୍ତ୍ରର ସର୍ବକାଳୀନ ସଂଜ୍ଞା ଆବ୍ରାହାମ ଲିଙ୍କନଙ୍କ ଦ୍ୱାରା ପ୍ରଦତ୍ତ ହୋଇଛି। ଏହାର ସରଳାର୍ଥ ହେଲା ‘ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା, ଯାହା ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ନିମିତ୍ତ ଏବଂ ଲୋକମାନଙ୍କର ହିତ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ।’ ଶାସନକ୍ଷେତ୍ରରେ ସଫଳ ଗଣତନ୍ତ୍ର ପଦ୍ଧତିର ପ୍ରଚଳନ ଅତି ପ୍ରାଚୀନ। ଗ୍ରୀସ୍‍ ଭୂଖଣ୍ଡରେ ଛୋଟ ରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରବର୍ତ୍ତିତ ଥିଲା ; କିନ୍ତୁ କ୍ରୀତଦାସ ଓ ଶିକ୍ଷା ସଂସ୍କୃତି ଦୃଷ୍ଟିରୁ ଅନଗ୍ରସର ନିମ୍ନବର୍ଗର ଲୋକଙ୍କର ମତଦାନର ଅଧିକାର ନଥିଲା। ସେମାନେ ଗଣତନ୍ତ୍ରର ପ୍ରକୃତ ଅର୍ଥ ବୁଝିବାକୁ ସକ୍ଷମ ବୋଲି ମନେକରାଯାଉନଥିଲା। ଏହି ବ୍ୟବସ୍ଥା ପରବର୍ତ୍ତୀ କାଳରେ ପ୍ରତ୍ୟେକ ସାବାଳକ ନାଗିରକ ନିମିତ୍ତ ଉନ୍ମୁକ୍ତ ଗଣତନ୍ତ୍ରରେ ପରିଣତ ହେଲା ଏବଂ ବିଶ୍ୱମାନ୍ୟତା ଲାଭକଲା। ଉଦ୍ଦେଶ୍ୟ ହେଲା ଲୋକେ ଆପଣାର ସୁଖଦୁଃଖ ବୁଝିବା ଲାଗି ଆପଣା ପସନ୍ଦର ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ। ସାମ୍ୟତା ମାପଦଣ୍ଡରେ କେହି ପ୍ରଭୁ ହେବେନାହିଁ କିମ୍ବା କାହାରିକୁ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ିବ ନାହିଁ। ମାନବିକତା ଓ ମୂଲ୍ୟବୋଧ ଭିତ୍ତିରେ ପ୍ରତିଷ୍ଠିତ ହେବା ଦ୍ୱାରା ଏହା ହିଁ ଗଣତନ୍ତ୍ରର ଅନ୍ତଃ ସୌନ୍ଦର୍ଯ୍ୟ। ଆଜି ତାରିଖରେ, ଭାରତକୁ ବାଦ ଦେଇ ପୃଥିବୀର ଦୁଇ ସଫଳ ଗଣତନ୍ତ୍ର କହିଲେ, ଲିଖିତ ସମ୍ବିଧାନ ଶୂନ୍ୟ , ବଂଶାନୁକ୍ରମିକ ଭାବରେ ରାଜା/ରାଣୀଙ୍କୁ ରାଷ୍ଟ୍ରମୁଖ୍ୟ ପଦରେ ଗ୍ରହଣ କରିଥିବା ବିଲାତ ଦେଶ ଏବଂ ସବୁଠାରୁ ସଂକ୍ଷିପ୍ତ କେବଳ ସାତଗୋଟି ଧାରା ସମ୍ବଳିତ ଲିଖିତ ସମ୍ବିଧାନ ଏବଂ ଶାସନ ମୁଖ୍ୟ ଭାବରେ ନିର୍ବାଚିତ ରାଷ୍ଟ୍ରପତି ପ୍ରଥା ଗ୍ରହଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ବୁଝାଇଥାଏ।

ବିଲାତରେ ସଂସଦ ଦୁଇଟି ଗୃହରେ ବିଭକ୍ତ ଏବଂ ଯୁକ୍ତରାଷ୍ଟ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳିତ। ବିଲାତରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକାରେ ରାଷ୍ଟ୍ରପତି ଶାସନମୁଖ୍ୟ ଅଟନ୍ତି। ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥା ବିଲାତରେ ପ୍ରଚଳିତ ପଦ୍ଧତିର ମୂଳ ଢାଞ୍ଚାରେ ଗ୍ରହଣ କରି ପ୍ରସ୍ତୁତ କରାଯାଇଥିଲା, ଏହା ସମସ୍ତଙ୍କୁ ଜଣା; କିନ୍ତୁ ଆମର ଦେଶର ପ୍ରଥମ ନାଗରିକ, ମହାମାନ୍ୟ ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି। ଆମର ସମ୍ବିଧାନ ଆକାରରେ ବିଶାଳ; ଅଗ୍ରଗାମୀ ଯୁଗୋପଯୋଗୀ ଚିନ୍ତାଧାରା ପ୍ରବର୍ତ୍ତନର ଦ୍ୱାହି ଦେଇ ବହୁ ସଂଶୋଧନ ଦ୍ୱାରା ଅନେକ ପରିବର୍ତ୍ତନର ଚିହ୍ନ ସେଥିରେ ସୁସ୍ପଷ୍ଟ। ତଥାପି ଦୃଢ଼ଭାବରେ କହି ହୁଏ ନାହିଁ ଯେ ଭାରତୀୟ ପରିସ୍ଥିତିରେ ଆମ ଗଣତାନ୍ତ୍ରିକ ଜୀବନଧାରା ସଫଳକାମ। ଆମ ବିଫଳତାର କାରଣ ଅନେକ : ଅଶିକ୍ଷା, ଆର୍ଥିକ ଅନଟନ, ରାଜନୈତିକ ଚିନ୍ତନରେ ଦାରିଦ୍ର୍ୟ, ରୁଗ୍‍ଣ ମାନସିକତା, ବ୍ୟକ୍ତିଗତ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ସାମୂହିକ ସ୍ତରରେ ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଦ୍ୱାରା ବିଭେଦକୁ ପ୍ରୋତ୍ସାହନ (ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ସମ୍ପ୍ରଦାୟର କଟାଳ)।
ପ୍ରତିବାଦର ସ୍ୱର ଆମ ସମାଜରେ ଅତ୍ୟନ୍ତ କ୍ଷୀଣ। ଆମ ସମ୍ବାଦପତ୍ରଗୁଡ଼ିକର ସନ୍ଦେହପୂର୍ଣ୍ଣ ଭୂମିକା। କାରଣ ପ୍ରାୟତଃ ପ୍ରକାଶିତ ଆଲେଖ୍ୟମାନ ତୋଷାମୋଦର ବୃନ୍ଦଗାନ, ବ୍ୟକ୍ତି, ବଂଶ, ପରିବାର ଇତ୍ୟାଦିର ଭାଟସ୍ତୁତି। ଇତିହାସକାରଙ୍କଠାରୁ ଚିତ୍ରକରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ନିରପେକ୍ଷତା ଏକ ପାସୋରି ଯାଇଥିବା ଗୁଣ ହୋଇଗଲାଣି। ଫଳରେ ଆମ ଗଣତନ୍ତ୍ର ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ନିମିତ୍ତ ଉତ୍ତମ ବ୍ୟବସାୟର କୌଳିକ କର୍ମ ପାଲଟି ଯାଇଛି କହିଲେ ଚଳେ ; ସେମାନଙ୍କର ଲାଭ ପ୍ରଚୁର, ଦେଶର କ୍ଷତି ପ୍ରଚୁର।

ଏହି ଭୁଶୁଡ଼ି ପଡ଼ୁଥିବା ପ୍ରଥାର ସଂସ୍କାର ଲୋଡ଼ା ଏବଂ ପରିବର୍ତ୍ତନ ଆମ ସମୟର ଆହ୍ୱାନ, ଏ କଥା ପ୍ରତ୍ୟେକ ସଚେତନ ନାଗରିକ ନିଶ୍ଚୟ ସ୍ୱୀକାର କରିବେ। ଏହି ପରିପ୍ରେକ୍ଷୀରେ ଆମ ନିର୍ବାଚନ ପଦ୍ଧତି ଏବଂ ସେଥିରୁ ଉଦ୍‍ଭବ ପରିଣତି ପ୍ରତି ସତର୍କ ଦୃଷ୍ଟିପାତ ସବୁଠାରୁ ଜରୁରୀ ମନେହୁଏ। ମଧ୍ୟମବର୍ଗ ଶିକ୍ଷିତ ଗୋଷ୍ଠୀ ଭୋଟଦାନ ପ୍ରତି ବୀତସ୍ପୃହ। ସେମାନେ ବିବେକବନ୍ତ ହୋଇପାରନ୍ତି କିନ୍ତୁ ସଂଖ୍ୟା ଦୃଷ୍ଟିରୁ ପରିଣତିକୁ ପ୍ରଭାବିତ କରିବାକୁ ହୁଏତ ସମର୍ଥ ନୁହନ୍ତି। ଭୋଟଦାନ ସମୟରେ ସେମାନଙ୍କର ଉଦାସୀନ ବିରତି ଗଣତନ୍ତ୍ର ପ୍ରତି ବିପତ୍ତିର କାରଣ ହୋଇପାରେ, ଗ୍ରାମୀଣ କ୍ଷେତ୍ରରୁ ସଂସଦ ଭବନ ଯାଏ। ପ୍ରତି ନିର୍ବାଚନରେ ଜାତୀୟସ୍ତରଠାରୁ ଆଞ୍ଚଳିକସ୍ତର ପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚର ମିଶାଣ ଫର୍ଦ ପ୍ରସ୍ତୁତ କଲେ ଜଣାଯିବ ଯେତିକି ମାନବସମ୍ବଳ, ସମୟ, ଦେଶର ସମ୍ପଦ ସତ୍‍ – ଅସତ ଉପାୟରେ ଖର୍ଚ୍ଚ ହୁଏ, ପରିମାଣ ହିସାବରେ ତାହା ଦେଶର ଯୋଜନା କ୍ଷେତ୍ରର ବ୍ୟୟ ପରିମାଣଠାରୁ ହୁଏତ ଅଧିକ ହୋଇପାରେ। ଏହା କାହାରିକୁ ଅଜଣା ନାହିଁ ଯେ, ବିଜୟଲାଭ ନିମିତ୍ତ ସବୁବର୍ଗର ପ୍ରାର୍ଥୀ ଅସହାୟ, ନିରୁପାୟ ଜନତାର ଭୋଟ ହାସଲ କରିବା ଲାଗି ସେମାନଙ୍କର ମନୋରଞ୍ଜନ ମାନଭଞ୍ଜନଠାରୁ ସେମାନଙ୍କୁ ହିଂସା ଆଚରଣ ମାଧ୍ୟମରେ ଭୟଭୀତ କରିବା ପର୍ଯ୍ୟନ୍ତ ସବୁ ସୂତ୍ର ପ୍ରୟୋଗ କରିଥାନ୍ତି। ପାନ ଭୋଜନର ବ୍ୟବସ୍ଥା ଆଜି ଅତ୍ୟନ୍ତ ମାମୁଲି ଉପଚାର ହୋଇ ଗଲାଣି। ଯାହା ହାତରେ ଡମ୍ବରୁ ଅଥବା ଚଣା ପୁଡ଼ିଆ ରହିବ ସେ ହିଁ କେବଳ ମାଙ୍କଡ଼ ନଚାଇ ପାରିବାକୁ ସମର୍ଥ – ଏହା ହିଁ ସାଧାରଣରେ ବିଶ୍ୱାସ କରାଯାଉଛି। ବିଚାର କଲେ ବୁଝି ହେବ ଯେ କତିପୟ ସମର୍ପିତ ବ୍ୟକ୍ତିଙ୍କୁ ବାଦଦେଲେ ବିଜୟୀପ୍ରାର୍ଥୀ ଏବଂ ବିଜିତ ପ୍ରାର୍ଥୀମାନଙ୍କର ମଧ୍ୟରେ ଗୁଣାତ୍ମକ ଦୃଷ୍ଟିରୁ, ମୂଲ୍ୟବୋଧ ଭିତ୍ତିରେ, କୌଣସି ବିଶେଷ ତାରତମ୍ୟ ଦୃଷ୍ଟି ଗୋଚର ହେବ ନାହିଁ। ପୁନଶ୍ଚ ରାଜନୈତିକ ଦଳମାନଙ୍କ ମଧ୍ୟରେ ଦଳୀୟ ମୂଲ୍ୟବୋଧର ପ୍ରକାର, ପଦ୍ଧତି ବିଶ୍ଳେଷଣ କଲେ ମନେ ହେବ ପ୍ରାର୍ଥୀମାନଙ୍କର ଭୋଟ ଦାବି କରିବାର କୌଣସି ବିଶେଷ କାରଣ/ଅଧିକାର ମଧ୍ୟ ନଥାଇପାରେ।
କେବଳ କ୍ଷମତା ମାଧ୍ୟମରେ ଆପଣାର ସ୍ୱାର୍ଥ ହାସଲ , ଏହା ହିଁ ରଙ୍ଗବେରଙ୍ଗର ‘ଦେଶସେବା’ ମୁଖା ପିନ୍ଧିଥିବା ନେତା ଓ ଦଳମାନଙ୍କର ଏକ ଓ ଅପରିବର୍ତ୍ତନୀୟ ଲକ୍ଷ୍ୟ। ଗଣତନ୍ତ୍ରର ସଫଳ ପ୍ରୟୋଗ ଓ ପ୍ରଚଳନ ନିମିତ୍ତ ବହୁ ପରୀକ୍ଷା ନିରୀକ୍ଷା କରାଯାଇଛି। ଯେପରି କି ବିଲାତ ଓ ଆମେରିକାରେ ଦୁଇ ଭିନ୍ନଧାରାର ପ୍ରବର୍ତ୍ତନ, ଭୋଟଦାନର ବୟସରେ ପରିବର୍ତ୍ତନ ଆଣିବା ଏବଂ ସମସ୍ତଙ୍କୁ ବିବିଧତା ନିର୍ବିଶେଷରେ ଭୋଟଦାନର ସମାନ ଅଧିକାର ପ୍ରଦାନ ଇତ୍ୟାଦି; କିନ୍ତୁ ଏ ପର୍ଯ୍ୟନ୍ତ ଏତେ ବର୍ଷ ପରେ ଆମକୁ କ’ଣ ମିଳିଛି ? ଅର୍ଥ, ଶ୍ରମ, ଶକ୍ତିର ପ୍ରଭୂତ ଅପଚୟ ଘଟିଛି। ସାମାଜିକ ବ୍ୟକ୍ତିଗତ ସ୍ତରରେ, ଜାତୀୟ ଜୀବନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ, ପ୍ରାନ୍ତ ଆଳରେ ବହୁ ବିଭାଜନର ଫାଟ ସୃଷ୍ଟି ହୋଇଛି। ଅସୂୟା ଓ ହିଂସା ଭାବର ବିସ୍ଫୋରଣ ତିକ୍ତତା ଓ ରକ୍ତପାତ ବଢ଼଼ାଇଛି। ଜାତୀୟ ଏକତା, ସମନ୍ୱୟ, ସଂହତିର ଅବକ୍ଷୟ ସହ ପ୍ରଦୂଷଣରେ ବୃଦ୍ଧି ଏବଂ ଉତ୍ପାଦନ ହ୍ରାସ ଆମ ଜନଜୀବନରେ ଉନ୍ନତି, ପ୍ରଗତିକୁ ବ୍ୟାହତ କରିଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ନଥିବା ଦୃଷ୍ଟିରୁ ମନେହୁଏ ଯେପରି, ନିର୍ବାଚନ ମାଧ୍ୟମରେ ମେଣ୍ଢାମାନେ ସ୍ଥିର କରନ୍ତି, ସେମାନଙ୍କୁ କେଉଁ ଜନ୍ତୁଟି ଭକ୍ଷଣ କରିବ।

ଆମ ସମ୍ବିଧାନରେ କୌଣସି ରାଜନୈତିକ ଦଳର ଅବସ୍ଥିତି ଅବା ଉପଯୋଗିତା ସମ୍ବନ୍ଧରେ କୌଣସି ଉଲ୍ଲେଖ ନାହିଁ। କେବଳ ସଂଖ୍ୟାଧିକ ସଭ୍ୟମାନଙ୍କର ସମର୍ଥନ ଲାଭ କରିଥିବା ବ୍ୟକ୍ତି ମନ୍ତ୍ରିମଣ୍ଡଳ ଗଠନ କରିପାରିବ ବୋଲି ବିଧାନ ରହିଛି। ସେହି ବ୍ୟକ୍ତି ନିର୍ବାଚିତ ସଭ୍ୟ ନ ହୋଇଥିଲେ ଛ’ ମାସ ମଧ୍ୟରେ ନିର୍ବାଚିତ ହେବାର ସୁଯୋଗ ଲାଭ କରିଥାନ୍ତି। ସମ୍ବିଧାନରେ ନିର୍ବାଚନର ପଦ୍ଧତି ସମ୍ବନ୍ଧରେ ମଧ୍ୟ କୌଣସି ନି​‌େ​‌ର୍ଦଶ ଉଲ୍ଲିଖିତ ନାହିଁ। ପରିକଳ୍ପନା କରାଯାଉ : ପ୍ରଚଳିତ ନିର୍ବାଚନ ପଦ୍ଧତିର ଆମୂଳଚୂଳ ପରିବର୍ତ୍ତନ କରିଦିଆଗଲା। ‘ଦାତା’ମାନଙ୍କର ମହତ୍‍କାର୍ଯ୍ୟ ‘ଭୋଟ’ ଦାନ ପରିବର୍ତ୍ତେ ପ୍ରାର୍ଥୀ ଚୟନରେ ‘ଧର୍ମଗୁଳା’ ର ପ୍ରୟୋଗ କରାଗଲା। ଏହି ସଂସ୍କାର ବ୍ୟବସ୍ଥା ଫଳରେ ଦେଶ ଓ ଦଶର କ’ଣ ଲାଭ/ପରିଣତି ହୋଇପାରେ , ତା’ର ଏକ ସଂକ୍ଷିପ୍ତ ଆକଳନ କରାଯାଇପାରେ। ବ୍ୟକ୍ତିପୂଜା, ପରିବାରବାଦ , ଦଳଗତ, ଗୋଷ୍ଠୀଗତ, ଧର୍ମ ଏବଂ ସାମ୍ପ୍ରଦାୟିକ କାରଣ ଆଳରେ ରାଜନୀତି କରିବା କାହାରି ଲାଗି ସମ୍ଭବ ହେବ ନାହିଁ। ଅର୍ଥଶ୍ରାଦ୍ଧ ନାହିଁ, ଶ୍ରମଦିବସ ନଷ୍ଟ ନାହିଁ, ଅସୂୟା ହିଂସା ବ୍ୟାପିବାର ସୁଯୋଗ ନାହିଁ। ପରସ୍ପର ମଧ୍ୟରେ ଶ୍ରଦ୍ଧା ସୌହାର୍ଦ୍ଦ୍ୟ ବ୍ୟାହତ ହେବାର କାରଣ ମଧ୍ୟ ନାହିଁ। ଏହି ପ୍ରକ୍ରିୟା ସନ୍ଦେହମୁକ୍ତ ଓ ସମ୍ପୂର୍ଣ୍ଣ ନିରପେକ୍ଷ। ଏହା ଦ୍ୱାରା ଗଣତନ୍ତ୍ର ଋୁଦ୍ଧିମନ୍ତ ହେବା ସହ ସାଧାରଣ ଜନତା ତଥା ଦେଶର ମହାନ ହିତ ସାଧିତ ହେବ, ଏହା ନିଃସନ୍ଦେହ। ମନେରଖିବାକୁ ହେବ ଯେ ପୃଥିବୀର ବହୁ ଧନୀ, ଉନ୍ନତ ଦେଶରେ ବୈଜ୍ଞାନିକ ପଦ୍ଧତିରେ ଲଟେରୀରେ ‘ଧର୍ମଗୁଳା’ ହିଁ ବିଜେତାମାନଙ୍କୁ ଚୟନ କରିଥାଏ। କୋଟି କୋଟି ଲୋକ ଭାଗନିଅନ୍ତି ଏବଂ କୋଟି କୋଟି ଟଙ୍କାର ପୁରସ୍କାର ମିଳିଥାଏ।

କୌଣସିଠାରେ ଲୋକମାନଙ୍କ ଦ୍ୱାରା ଏହାର ବିରୋଧ କରାଯିବା ଏ ପର୍ଯ୍ୟନ୍ତ ଜଣାନାହିଁ। ‘ଧର୍ମଗୁଳା’ର ପ୍ରୟୋଗ ବହୁକାଳରୁ ଆମ ଗ୍ରାମୀଣ କ୍ଷେତ୍ରରେ ସାଧାରଣ ଲୋକଙ୍କ ଦ୍ୱାରା ପ୍ରଚଳିତ ରହିଛି। ଏହାର ଉପଯୋଗିତା ଦେଶର ସବୁ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରୟୋଗ ମାଧ୍ୟମରେ ପ୍ରତିପାଦିତ କରିବା କଷ୍ଟକର ନୁହେଁ। ‘ଧର୍ମଗୁଳା’ ବ୍ୟବସ୍ଥାର ପ୍ରଚଳନ ଓ ପ୍ରୟୋଗ ଆଇନ ଦୃଷ୍ଟିରୁ ଅସାମ୍ବିଧାନିକ ପଦ୍ଧତି ବୋଲି କୁହାଯାଇପାରିବ ନାହିଁ। ‘ନିର୍ବାଚନ’ ଯଦି ନିରପେକ୍ଷ ହେଲା, ପ୍ରକ୍ରିୟା ଯଦି ମୁକ୍ତ ତଥା ସନ୍ଦେହାତୀତ ହୋଇପାରିଲା, ତେବେ ତ ଏହା ଗଣତନ୍ତ୍ରର ସଫଳତା ବୋଲି ଜଣାଯିବ। ଧର୍ମଗୁଳା ମାଧ୍ୟମରେ ନିର୍ବାଚନ ଅଯଥା ବ୍ୟୟରୁ ମୁକ୍ତ ଏବଂ ସର୍ବଜନ ଆଦୃତ ହେବା ଯୁକ୍ତିଯୁକ୍ତ ମନେହୁଏ। ‘ଗ୍ରାମ’ ଠାରୁ ‘ଖଣ୍ଡ’ , ଏବଂ ପ୍ରାଦେଶିକ ତଥା ଜାତୀୟସ୍ତରର ସବୁ ନିର୍ବାଚନ ନିମନ୍ତେ, ପ୍ରାର୍ଥୀ ବ୍ୟକ୍ତି ଭାବରେ ଆବେଦନ କରିବେ। ମୁକ୍ତ ପ୍ରାଙ୍ଗଣରେ ଦଶ ଜଣ / ପନ୍ଦର ଜଣ ପୁଅଝିଅ / ବୃଦ୍ଧବୃଦ୍ଧା ଆଖିରେ ଅନ୍ଧପୁଟୁଳି ବାନ୍ଧି ଦଶଥର/ପନ୍ଦର ଥର ପ୍ରାର୍ଥୀମାନଙ୍କର ନାମାଙ୍କିତ ଚିଠା ବଡ଼ ବଡ଼ ହାଣ୍ଡି ମାଠିଆ ମଧ୍ୟରୁ ଖୋଜି ଖୋଜି ଉଦ୍ଧାର କରିବେ। କ୍ରମଶଃ ଅଳ୍ପଥର ଉଦ୍ଧାର ହୋଇଥିବା ପ୍ରାର୍ଥୀମାନଙ୍କ ନାମ ତାଲିକାରୁ ବାଦ ଦିଆଯାଇ, ଶେଷରେ ବିଜେତା / ନିର୍ବାଚିତ ପ୍ରତିନିଧିଙ୍କୁ ସ୍ଥିର କରାଯାଇପାରେ। ଅନ୍ୟ ପକ୍ଷରେ ବୈଜ୍ଞାନିକ ପଦ୍ଧତିରେ ଲଟେରି କରାଯାଇ ପ୍ରାର୍ଥୀଚୟନ ମଧ୍ୟ କରାଯାଇପାରେ। ଯଦି ସମସ୍ତେ ଦେଶ ସେବା / ଜନ ସେବା ନିମିତ୍ତ ମନପ୍ରାଣରେ ଆପଣାକୁ ଉତ୍ସର୍ଗୀକୃତ ବୋଲି ମନେ କରୁଥାନ୍ତି, ତେବେ ଦେଶସେବାରେ ନିଜକୁ ସମର୍ପିତ ପ୍ରାଣ ବୋଲି ଉଦ୍‍ଘୋଷଣା କରି ପ୍ରାର୍ଥିତ୍ୱଦାଖଲ କରିଥିବା ଚରିତ୍ରମାନେ, ପରିଶେଷରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କୁ ଜନତାର ସେବା କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବାରେ ନୈତିକ ବାଧା କେଉଁଠି? ଶାସନ ବ୍ୟବସ୍ଥାର ଦାୟିତ୍ୱରେ ଥିବା ପଦସ୍ଥ କର୍ମକର୍ତ୍ତା, ପୁଲିସ, ମାଜିଷ୍ଟ୍ରେଟ୍‍, ପ୍ରାର୍ଥୀ ଚୟନ କାଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ୍ତ ଉପସ୍ଥିତ ରହିବେ। ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ।

ପିଲାଏ/ ବୟସ୍କ ବ୍ୟକ୍ତିଗଣ ‘ଚିଠା’ ଖୋଜି ବାହାର କରିବେ। ଲୋକପ୍ରତିନିଧିଙ୍କୁ ଲୋକେ ସ୍ଥିର କରିଦେବେ, ନିରପେକ୍ଷ ଭାବରେ। କୌଣସି ‘ପ୍ରଲୋଭନ’, କି ହାତୀ ଦେବି, ଘୋଡ଼ା ଦେବି ଭଳି ଅବାସ୍ତବ, ଅବାନ୍ତର ପ୍ରତିଶ୍ରୁତି/ପ୍ରରୋଚନା ଆବଶ୍ୟକତା ପଡ଼ିବ ନାହିଁ। ପ୍ରାର୍ଥୀମାନଙ୍କର ‘ଯୋଗ୍ୟତା’ ନିର୍ଦ୍ଧାରଣ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ନିୟମ, ଶିକ୍ଷାଠାରୁ ସାମାଜିକ ଶିଷ୍ଟାଚାର ପର୍ଯ୍ୟନ୍ତ ସ୍ଥିର ହେବା ବିଧେୟ ଏବଂ ଆଶାୟୀ ବ୍ୟକ୍ତିଟି ଯଦି ଏହି ନିୟମଗୁଡ଼ିକରେ କୌଣସି ଉଲ୍ଲଙ୍ଘନ କରୁନଥିବ , ତେବେ ସେ ପ୍ରାର୍ଥୀ ହୋଇପାରିବ। ପ୍ରାର୍ଥୀ ଆପଣାର ଜାତି, ଧର୍ମ, ବର୍ଣ୍ଣ, ପ୍ରାନ୍ତ, ଭାଷା, ଲିଙ୍ଗ, ବେଶପୋଷାକ ନିର୍ବିଶେଷରେ ଅନ୍‍ଲାଇନ ଆବେଦନ କରିବେ। ପ୍ରାର୍ଥିତ୍ୱର ଦରଖାସ୍ତ ଖଣ୍ଡକ ପ୍ରଦାନ କରିବା ନିମିତ୍ତ ପଟୁଆର ଲୋଡ଼ା ନାହିଁ। ଦୂରଦର୍ଶନରେ ଅଥବା ସାର୍ବଜନୀନ ସଭା ମଞ୍ଚରେ ପ୍ରତ୍ୟେକ ପ୍ରାର୍ଥୀ ଆପଣାର କର୍ମ ପନ୍ଥା, ଆଦର୍ଶ, ଆଭିମୁଖ୍ୟ ଲୋକଙ୍କୁ ଜଣାଇବେ ଏବଂ ଲିଖିତ ଆକାରରେ ଘୋଷଣାପତ୍ର ପ୍ରସ୍ତୁତ କରିବେ। ପରବର୍ତ୍ତୀ କାଳରେ ସେଥିରେ କୌଣସି ବ୍ୟତିକ୍ରମ ଘଟିଲେ ନିର୍ବାଚିତ ପ୍ରାର୍ଥୀ ଉତ୍ତରଦାୟୀ ରହିବେ। ପ୍ରାଦେଶିକ ମୁଖ୍ୟ ଅଥବା ରାଷ୍ଟ୍ରମୁଖ୍ୟ (ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ) ଚୟନ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିମାନେ ଆପଣା ମଧ୍ୟରୁ ସେମାନଙ୍କୁ ଗୁପ୍ତ ଭୋଟ ପ୍ରଣାଳୀରେ ସ୍ଥିର କରିପାରିବେ। ଫଳରେ ଯେଉଁ ବ୍ୟକ୍ତିଙ୍କୁ ଦାୟିତ୍ୱ ସମର୍ପିତ ହେବ, ସେ ସମୁଦାୟ ସଭାର ମୁଖ୍ୟ ହେବେ। ସେ ନିଜ ପସନ୍ଦରେ, ଯୋଗ୍ୟତା ଅନୁସାରେ ମନ୍ତ୍ରୀ ପରିଷଦ ଗଠନ କରିବେ। ସମୁଦାୟ ସଭ୍ୟଗଣ ଦଳୀୟ ଶୃଙ୍ଖଳାରୁ ମୁକ୍ତ ଓ ସ୍ୱାଧୀନ ହେବା ଫଳରେ ଆଲୋଚନାରେ ସେମାନେ ସ୍ୱାଧୀନ ମତ ପ୍ରଦାନ କରିବେ। ପ୍ରଶ୍ନ କରିବେ, ଭଲମନ୍ଦର ତର୍ଜମା କରିବେ, କାର୍ଯ୍ୟ ଦକ୍ଷତାର ସମାଲୋଚନା କରିପାରିବେ। ‘ଦଳୀୟ’ ପ୍ରାର୍ଥୀ ପାଲଟିଥିଲେ ସେ ନିଶ୍ଚିତ ଭାବରେ ଏହା କରିପାରି ନଥାନ୍ତେ। ପ୍ରତ୍ୟେକ ନିର୍ବାଚିତ ପ୍ରାର୍ଥୀ ସଦନରେ ଉଭୟ ଶାସକ ଓ ବିରୋଧୀ ପକ୍ଷର ଦାୟିତ୍ୱ ସମ୍ପାଦନ କରିପାରବେ।

ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ପଦଲାଗି ଯଦି ଦୁର୍ଭାଗ୍ୟବଶତଃ କୌଣସି ଅତ୍ୟନ୍ତ ଉପଯୁକ୍ତ ବ୍ୟକ୍ତି ଧର୍ମଗୁଳା ପଦ୍ଧତିରେ ଚୟନ ପ୍ରକ୍ରିୟାରେ ସଫଳ ହୋଇପାରିନଥାନ୍ତି, ସେ ମଧ୍ୟ ଆପଣାର ପ୍ରାର୍ଥିତ୍ୱ ଏଠାରେ ଉପସ୍ଥାପନ କରିପାରନ୍ତି। ଯଦି ସେ ଅଧିକ ନିର୍ବାଚିତ ପ୍ରତିନିଧିଙ୍କର ସମର୍ଥନ ଲାଭ କରନ୍ତି, ତେବେ ସେ ମଧ୍ୟ ସର୍ବୋଚ୍ଚପଦ ଅଳଙ୍କୃତ କରିପାରନ୍ତି। ତାଙ୍କୁ କୌଣସି ‘ନିର୍ବାଚନ’ର ସମ୍ମୁଖୀନ ହେବାର ଆବଶ୍ୟକତା ରହିବନାହିଁ। ଥରେ ପଦ ଗ୍ରହଣ କଲେ ସମ୍ପୂର୍ଣ୍ଣ ସଂସଦୀୟ କାଳ ସେ ଦାୟିତ୍ୱ ନିର୍ବାହ କରିବେ। ଆପଦ ବିପଦ, ଘଟଣ-ଅଘଟଣ ଅବଶ୍ୟ ସ୍ୱତନ୍ତ୍ର ବିଚାରର ଅପେକ୍ଷା ରଖିବା ବିଧେୟ। କିନ୍ତୁ ଘୋଡ଼ା ବେପାର ମାଧ୍ୟମରେ ସଂଖ୍ୟାଗରିଷ୍ଠତା ସୃଷ୍ଟି, କିଣାବିକା ଦ୍ୱାରା ମନ୍ତ୍ରୀମଣ୍ଡଳର ଅସମୟରେ ପତନ ଅବା ତାଳିକପକା ନିର୍ମାଣ ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତାର ଅନ୍ତ ଘଟିବ। ନିର୍ବାଚିତ ପ୍ରତିନିଧିମାନଙ୍କୁ ସେମାନଙ୍କ କାର୍ଯ୍ୟକାଳରେ ଏକ ଯୁକ୍ତିଯୁକ୍ତ ଭତ୍ତା ପ୍ରଦାନ କରାଯାଇପାରେ। ତାଙ୍କ ଯାତାୟାତର ପ୍ରକୃତ ଖର୍ଚ୍ଚ ବହନ କରାଯାଇପାରେ; କିନ୍ତୁ ପରିବାର ଲାଗି ନୁହେଁ କିମ୍ବା ନିର୍ବଚିତ କାଳ ଶେଷରେ ସେମାନଙ୍କୁ ଭତ୍ତା ପେନ୍‌ସନ ମଧ୍ୟ ମିଳିବାର ନୁହେଁ। ସେମାନେ ସାଧାରଣ ଜନତାର ପ୍ରତିନିଧିତ୍ୱ କରିବାକୁ ଆଗଭର ଥିଲେ, ଆପଣା ଇଚ୍ଛାରେ ଆପଣା ଆଦର୍ଶରେ। ସେମାନଙ୍କୁ କେହି ନିମନ୍ତ୍ରଣ କରିନଥିଲା ଯେ ଆପଣ ନଆସିଲେ ଦେଶ ଭାସିଯିବ ବୋଲି। ଲୋକଙ୍କ ମଧ୍ୟକୁ ଫେରିବା ପରେ ସାଧାରଣ ମଣିଷର ସୁଖଦୁଃଖ ସେମାନେ ଅନୁଭବ କରିବା ଦେଶ ପ୍ରତି ମଙ୍ଗଳକର ହେବ ନିଶ୍ଚୟ। ତାହା ହେଲେ ସମାଜରେ ସାମ୍ୟତା ଆସିବ, ସୁ ସମ୍ପର୍କ ବଢ଼଼ିବ ଓ ଦେଶ ଓ ଜାତି ପ୍ରତି ପ୍ରତିବଦ୍ଧତା ସୃଷ୍ଟି ହେବ। ଯଦି କେହି ଏହି ଆଲେଖ୍ୟରେ ପ୍ରସ୍ତାବିତ ଉପାୟ ଅପେକ୍ଷା ପ୍ରୟୋଗାତ୍ମକ ଦୃଷ୍ଟିରୁ ସହଜ ଏବଂ ଅଧିକ ଫଳପ୍ରଦ ପଦ୍ଧତିର ନକ୍ସା ପ୍ରସ୍ତୁତ କରିପାରନ୍ତି, ଦେଶ ଜାତି ତାଙ୍କ ପ୍ରତି ନିଶ୍ଚିତ ଭାବରେ କୃତଜ୍ଞ ରହିବ।

Comments are closed.