BJD Bijuli 480×75 Mob

ଚୌପାଢ଼ିରେ ଚବିଶର ଚଉକି ଚିନ୍ତା

BJD Bijuli 480×75 Mob

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ମେଣ୍ଟ ଡିଆଁ ପରେ ବିରୋଧୀ ଶିବିରରେ ଚବିଶର ଚଉକିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଚୌପାଢ଼ି ବା ବୈଠକଖାନାରେ ନେତାମାନଙ୍କର ମେଳି ଓ ବୈଠକ, ଭିନ୍ନଭିନ୍ନ ମନ୍ତବ୍ୟ ଓ ସାକ୍ଷାତ ଆଲୋଚନାକୁ ଦେଖିଲେ ସେ ଆଶାଆଶଙ୍କା ଦ୍ବିଗୁଣିତ ହୁଏ। ଗତ କିଛି ଦିନ ଧରି ମମତା ବାନାର୍ଜୀଙ୍କର କେନ୍ଦ୍ରରୁ ବିଜେପି ହଟାଅ ଅଭିଯାନର ହୁଙ୍କାର ଓ ପ୍ରତିଜ୍ଞା ରାଜନୈତିକ ହଟଚମଟ ସୃଷ୍ଟି କରିଥିବା ବେଳେ ନୀତୀଶ ୨୦୨୪ରେ ମିଳିତ ବିରୋଧୀଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସଜବାଜ ହେଲେଣି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ବିହାର ଆସି ନୀତୀଶ କୁମାରଙ୍କୁ ସାକ୍ଷାତ କରି ଅଣ-କଂଗ୍ରେସ ଓ ଅଣ-ବିଜେପି ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେବାବେଳେ ନୀତୀଶ ଓ ଆରଜେଡି ଆଦି ଦଳ କଂଗ୍ରେସକୁ ଜାବୁଡି ଧରିବା କେଉଁଠି ନା କେଉଁଠି ବିରୋଧୀ ଶିବିରର ଏକ ଅସ୍ପଷ୍ଟ ନିଷ୍ପତ୍ତିକୁ ଇଙ୍ଗିତ କରୁଛି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିରୋଧୀ ଶିବିରରେ ପ୍ରଧାନମନ୍ତ୍ରିତ୍ୱ ପାଇଁ ତାଲିକା ଲମ୍ବୁଛି, ଚର୍ଚ୍ଚା ଥମୁନାହିଁ ଓ ଚିନ୍ତା ବି ବଢୁଛି। କଂଗ୍ରେସର ସଭାପତିତ୍ୱ ପାଇଁ ଶିରପା ଭିଡା ହେଲାବେଳକୁ ପ୍ରଧାନମନ୍ତ୍ରୀ ପଦ ଖାଲି ନାହିଁ ବୋଲି ବିଜେପି ନେତା ମନ୍ତବ୍ୟ ଦେଲେଣି। ଆଜାଦ କଂଗ୍ରେସରୁ ଆଜାଦ ହେବା ଯେତିକି ଚିନ୍ତାଜନକ ସେପଟେ ମହାରାଷ୍ଟ୍ର ମହାଅଘାଡ଼ି ସରକାର ପଦଚ୍ୟୁତ ହେଲାପରେ ସେ ମେଣ୍ଟସ୍କୁଲର ହେଡ଼ମାଷ୍ଟର ଶରଦ ପୱାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାକୁ ରାଜି ନ ହେବା ପ୍ରଶ୍ନ କରେ ବିରୋଧୀ ଏକତାକୁ। ଊର୍ଦୁ କବି ସାହାବ ଜାଫ୍ରିଙ୍କର ଏକ ପଙ୍‌କ୍ତି, ଯାହାକି ଭାରତୀୟ ସଂସଦରେ ଅନେକ ଥର ଗୁଞ୍ଜରିତ ହୋଇଛି ‘ତୁ ଇଧର ଉଧର କି ନା ବାତ କର ୟେ ବତା କି କାଫିଲା କ୍ୟୁଁ ଲୁଟା; ମୁଝେ ରହଜାନୋ ସେ ଗିଲା ନହିଁ ତିରି ରହବରୀ କା ସୱାଲ ହୈ’। ଆକ୍ଷରିକ ଅର୍ଥ ନହେଲେ ମଧ୍ୟ ଏହାର ଭାବାର୍ଥ ହେଲା ‘ତୁମେ ଏପଟ ସେପଟ କଥାବାର୍ତ୍ତା ନ କରି ସିଧା କୁହ ଆମ ରଥ କେମିତି ଓଲଟିଲା; ମୋର ଅନ୍ୟ କୌଣସି ଅଭିଯୋଗ ନାହିଁ କେବଳ ମୁଁ ପ୍ରଶ୍ନ କରେ ତୁମ ନେତୃତ୍ୱକୁ’। ଏହା ହିଁ ହେଉଛି ବିରୋଧୀ ଶିବିରରେ ନେତୃତ୍ବର ବାସ୍ତବତା।

ଅକ୍ସଫୋର୍ଡ ଇଂରାଜୀ ଶବ୍ଦକୋଷରେ ୨୦୦୮ରେ ‘ଫ୍ରେନେମୀ’ ନାମରେ ଏକ ନୂଆ ଶବ୍ଦ ସାମିଲ ହୋଇଥିଲା ଯାହାର ଅର୍ଥ ହେଲା ଯିଏ ବନ୍ଧୁପରି ଅଭିନୟ କରନ୍ତି, କିନ୍ତୁ ବାସ୍ତବରେ ବନ୍ଧୁ ନୁହନ୍ତି ଏବଂ ଏହି ଶବ୍ଦର ବହୁଳ ପ୍ରଚଳନ ଏବେ ଭାରତୀୟ ରାଜନୀତିରେ ଦେଖିବା ପାଇଁ ମିଳୁଛି। ଜର୍ମାନୀର ରାଜନୀତି ବିଶେଷଜ୍ଞ କାର୍ଲ ସ୍ମିଟଙ୍କ ମତରେ ରାଜନୀତି କେବଳ ଶତ୍ରୁ-ମିତ୍ର ମଧ୍ୟରେ ପରିଚାଳନାଗତ ତତ୍ତ୍ୱକୁ ବୁଝାଏ। ବର୍ତ୍ତମାନ ପରିସ୍ଥିତିରେ ବିରୋଧୀମାନଙ୍କର ଏକଜୁଟ ହେବା ଜାତୀୟସ୍ତରରେ ଏକ ଦୃଢ ସଂଗଠିତ ବିକଳ୍ପ ସୃଷ୍ଟି କରିବାର ଲକ୍ଷ୍ୟ ନୁହେଁ ବରଂ ବିଜେପିର ବର୍ଦ୍ଧିତ ଲୋକପ୍ରିୟତାରେ ରୋକ ଲଗେଇବା ହିଁ ମୁଖ୍ୟ ଉଦ୍ଦେଶ୍ୟ। କେଜରିୱାଲ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବୋଲି ଘୋଷଣା କରି ସାରିଲେଣି। ମମତା ବାନାର୍ଜୀ ଅନେକ ଦିନରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବାରେ ବ୍ୟସ୍ତ ଅଛନ୍ତି। କେସିଆରଙ୍କ ଦଳର ଲୋକସଭାରେ ସଦସ୍ୟ ସଂଖ୍ୟା ୯ ଥିବା ବେଳେ ଜେଡିୟୁର ୧୬ ଅଛନ୍ତି; କିନ୍ତୁ ସେମାନଙ୍କର ପରୋକ୍ଷ ବା ପ୍ରତ୍ୟକ୍ଷରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସ୍ବୀକାରୋକ୍ତିର ପରିପ୍ରକାଶ ଘଟିଲାଣି। ଅବଶ୍ୟ ମେଳି ହେଲେ ପ୍ରଧାନମନ୍ତ୍ରୀ ଯେ କେବଳ ସଂଖ୍ୟାଧିକ ଆସନ ହାସଲ କରିଥିବା ଦଳରୁ ଯେ ମନୋନୀତ ହେବେ ତାର କୌଣସି ପ୍ରାସଙ୍ଗିକତା ନାହିଁ । ୧୯୯୬ରେ ଦେବଗୌଡ଼ା ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତାଙ୍କ ଦଳର ଲୋକସଭା ସଦସ୍ୟଙ୍କ ସଂଖ୍ୟା ଥିଲା ମାତ୍ର ୪୬। ତେଣୁ କେବଳ ସଂଖ୍ୟା ନୁହେଁ, ବରଂ ଠିକ୍‌ ରାଜନୈତିକ ଗୋଟି ଚାଳନାର ମଧ୍ୟ ଆବଶ୍ୟକତା ରହିଛି।

ପ୍ରକୃତପକ୍ଷେ ଦେଖିବାକୁ ଗଲେ ଡିଏମକେ କିମ୍ବା ଏନସିପି କଂଗ୍ରେସ କିମ୍ବା ବାମଦଳ ସହ ମେଣ୍ଟ କରିପାରନ୍ତି କିନ୍ତୁ ଆମ୍‌ ଆଦମୀ ଦଳ କଂଗ୍ରେସ ସହ ମେଣ୍ଟ କରିବା କିମ୍ବା ତୃଣମୂଳ କଂଗ୍ରେସ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। କଂଗ୍ରେସ ସହ ମେଣ୍ଟ କରିବାକୁ ଅନେକ ଆଞ୍ଚଳିକ ଦଳ ଅନିଚ୍ଛୁକ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦିଅନ୍ତି। ଏଥିପାଇଁ କଂଗ୍ରେସର ଅନ୍ତଃକନ୍ଦଳ, ଲୋକପ୍ରିୟତା ହ୍ରାସ ଓ ଭୌଗୋଳିକ ଉପସ୍ଥିତିରେ ସଙ୍କୋଚନ ମୁଖ୍ୟତଃ ଦାୟୀ। ଭାରତର ୩୦ଟି ରାଜ୍ୟ ମଧ୍ୟରୁ କଂଗ୍ରେସ ଏବେ କେବଳ ରାଜସ୍ଥାନ ଓ ଛତିଶଗଡରେ କ୍ଷମତାସୀନ ଓ ଝାଡ଼ଖଣ୍ଡ ଏବଂ ବିହାରରେ ମେଣ୍ଟ ସରକାରରେ ଅଂଶୀଦାର ଦଳ ଭାବେ ରହିଛି। ନିଜ ଦଳର ନେତା ବିଦ୍ରୋହ କରିବାରୁ କଂଗ୍ରେସ ନିକଟରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପୁଡୁଚେରୀ ଓ ମହାରାଷ୍ଟ୍ରରେ ଗାଦିଚ୍ୟୁତ ହୋଇଛି। ମମତା, ଜଗନ, ହିମନ୍ତ ବିଶ୍ବଶର୍ମା ପ୍ରମୁଖ ନେତା କଂଗ୍ରେସରୁ ଅଲଗା ହୋଇ ଏବେ କଂଗ୍ରେସ ପାଇଁ ବିପଦ ସାଜିଛନ୍ତି। ଅଦଳବଦଳ, ପୁନଃପ୍ରକରଣ, ମେଣ୍ଟ, ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଦର୍ଶଗତ ପଥକୁ ଜାବୁଡି ଧରିବା ଆଦି ଅନେକ ପରୀକ୍ଷାନିରୀକ୍ଷା କଂଗ୍ରେସ କରି ସାରିଛି। ପ୍ରିୟଙ୍କା ଗାନ୍ଧୀ ଓ ନବଜୋତ୍ ସିଂ ସିଧୁଙ୍କ ପରି ନେତାଙ୍କୁ ମଧ୍ୟ ଦଳରେ ସାମିଲ କରାହେଲା ପରେ ମଧ୍ୟ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ପଦପାଇଁ ଅନିଚ୍ଛୁକ ଥାଇ ପାରନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯେ ଅନିଚ୍ଛୁକ ତାହା ନା ରାହୁଲ ନା କଂଗ୍ରେସ ସ୍ପଷ୍ଟ କରିଛନ୍ତି।

ଅନେକ ରାଜନୈତିକ ବିଶେଷଜ୍ଞଙ୍କ ପର୍ଯ୍ୟାଲୋଚନାକୁ ଦେଖିସାରିବା ପରେ ମନେହୁଏ ଯେ କେଜରିୱାଲ ଏକଲା ଚଲୋ ନୀତିରେ ଏବେ ଗତିଶୀଳ। ମମତା ଓ କେସିଆରଙ୍କର ହିନ୍ଦୀଭାଷୀ ଅଞ୍ଚଳରେ ସେତେଟା ପ୍ରଭାବ ନାହିଁ କହିଲେ ଚଳେ। ନୀତୀଶ କୁମାର ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରେ ପ୍ରଭାବଶୂନ୍ୟ ଓ ଶରଦ ପୱାର ମହାରାଷ୍ଟ୍ରରେ ସରକାରରୁ ଗଲାପରେ ରାଜନୈତିକ ନୀରବତାକୁ ଆଶ୍ରା କରିଛନ୍ତି। ବିଜେଡିର ସମଦୂରତ୍ବର ଘୋଷଣା ଓ ଜଗନଙ୍କର ଏନ୍ଡ଼ିଏକୁ ନୀରବ ସମର୍ଥନ ଦେଖିବା ପାଇଁ ମିଳିଛି। ସମାଜବାଦୀ ଦଳ ଏକ ଦିଶାହୀନ ସଙ୍ଗଠନକୁ ନେଇ ଛନ୍ଦି ହୋଇପଡିଥିଲାବେଳେ ମାୟାବତୀ ନିଜର ରାଜନୈତିକ ପରାକାଷ୍ଠା ଓ ଲକ୍ଷ୍ୟକୁ ନେଇ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ଏମକେ ଷ୍ଟାଲିନ ନିଜ ରାଜ୍ୟ ସମ୍ଭାଳିବାରେ ବ୍ୟସ୍ତ ଏବଂ ଏଆଇଏଡିଏମକେ ନିଜ ଦଳର ଶୀର୍ଷ ନେତୃତ୍ୱକୁ ନେଇ କନ୍ଦଳରେ ଛନ୍ଦି ହୋଇପଡିଲାଣି। ବାମଦଳଗୁଡିକ ନିଜର ରାଜନୈତିକ ଅସ୍ତିତ୍ବ ପାଇଁ ସଂଗ୍ରାମ କରୁଛନ୍ତି। ଏପରି ସ୍ଥିତିରେ ବିରୋଧୀଙ୍କ ଏକତା ଏବଂ ଏକମନ ଏକ ପ୍ରାଣ ହୋଇ ଗୋଟିଏ ନେତା ଓ ଗୋଟିଏ ନୀତିରେ ଅଗ୍ରସର ହେବା ଅନେକ ସମ୍ଭାବନା ଅପେକ୍ଷା ଆହ୍ୱାନ ସୃଷ୍ଟିକରେ।

ଜାତୀୟ ରାଜନୀତିରେ ବିହାରରୁ ପ୍ରଭାବ ପକାଇବାପାଇଁ ଚେଷ୍ଟା କରିବା ପୂର୍ବରୁ ଜାଣିରଖିବା ଉଚିତ ହେବ ଯେ ୧୯୮୯-୯୫ (ମଣ୍ଡଳ-କମଣ୍ଡଳ) ସମୟରେ କିମ୍ବା ୧୯୭୪-୭୫ (ଜେପି ଆନ୍ଦୋଳନ) ବେଳେ ବିହାରରୁ ଯେଉଁ ପ୍ରକାରର ରାଜନୈତିକ ଉଦ୍‌ଗିରଣର ସମ୍ଭାବନା ସୃଷ୍ଟି ହୋଇଥିଲା ସେ ପରିସ୍ଥିତି ଏବେ ଆଉ ନାହିଁ। ବୁଝିବାର ଆବଶ୍ୟକତା ରହିଛି ଯେ ଧର୍ମ ଓ ଜାତିଭିତ୍ତିରେ ସମର୍ଥନର ପ୍ରାସଙ୍ଗିକତା ଏବେ ମଧ୍ୟ ଭାରତୀୟ ରାଜନୀତିରେ ଦେଖିବାପାଇଁ ମିଳେ। ମଣ୍ଡଳ ରାଜନୀତି ପରେ ଯେଉଁ ଭୋଟବ୍ୟାଙ୍କକୁ ଧର୍ମ ଦ୍ୱାରା ଯୋଡ଼ା ଯାଇଥିଲା ସେ ସବୁକୁ ଜାତି ଦ୍ୱାରା ଅଲଗା କରିହେବ କି ନା ଧର୍ମଦ୍ୱାରା ପୁନଃ ଯୋଡ଼ା ଯାଇ ପାରିବ ଯାହାର ଜାତି ଦ୍ୱାରା ପୃଥକୀକରଣ ହୋଇଥିଲା? ରାଜନୈତିକ ଦଳଗୁଡିକ ପ୍ରମାଣ କରିପାରିବେ କି ସେମାନେ ନିର୍ଦ୍ଦିଷ୍ଟ ଧର୍ମର ବ୍ୟକ୍ତିବିଶେଷଙ୍କୁ ଗୋଷ୍ଠୀଗତ ଭୋଟବ୍ୟାଙ୍କ ନୁହେଁ ବରଂ ବ୍ୟକ୍ତିଗତ ଭୋଟର ଭାବେ ବିବେଚନା କରନ୍ତି ବୋଲି? ଧର୍ମନିରପେକ୍ଷତାକୁ ମୂଳମନ୍ତ୍ର କରି ଭୋଟରଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ରଖିଲେ ମନ୍ଦିର ଭ୍ରମଣ ଓ ଗୋତ୍ର ଜଣାଣ ଆଦିର ଆବଶ୍ୟକତା ପଡିବ ନାହିଁ ବୋଲି ମନେ ହୁଏ। ବୁଝିବାପାଇଁ ପଡିବ ନେହେରୁଙ୍କର ଧର୍ମନିରପେକ୍ଷତା ନୀତି ଯାହାକୁ କଂଗ୍ରେସ କିମ୍ବା ଅନ୍ୟ କେତୋଟି ଦଳ ଅନୁସରଣ କରନ୍ତି ତାହାର କିଛି ନିରବ ସମର୍ଥକ ଥାଇ ପାରନ୍ତି, କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯେଉଁପରି ଭାବେ ତା’ର ପ୍ରୟୋଗ ହେଉଛି ସେଥିପ୍ରତି ଭୋଟର ଆକୃଷ୍ଟ ହେଉ ନାହାନ୍ତି। ରାଜନୀତିରେ ଆଦର୍ଶଗତ ବିଚାରଧାରା ଏକ ନିରାକାର ତତ୍ତ୍ୱ ଏବଂ ବ୍ୟକ୍ତିତ୍ୱ ହିଁ ବାସ୍ତବ ଏ କଥାକୁ ବୁଝିବା ପାଇଁ ପଡିବ ।
ମନେ ରଖିବାପାଇଁ ପଡିବ ଭୋଟରଙ୍କ ମନ ପରିବର୍ତ୍ତନ ପାଇଁ କ୍ଷଣିକ ସମୟ ଲାଗିଥାଏ। ଅନ୍ନା ହଜାରେଙ୍କ ଆନ୍ଦୋଳନ ପରେ ଯେମିତି ମନମୋହନ ସିଂହଙ୍କ ସରକାର ପ୍ରତି ଜନତା ବିମୁଖ ହୋଇପଡିଲେ ସେମିତି ୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରୁ ଜନତା ମୁହଁ ଫେରାଇ ନେଇଥିଲେ। ସିଙ୍ଗୁର ଘଟଣାରେ ବଙ୍ଗରେ ବାମଦଳଠାରୁ ମଧ୍ୟ ଜନତା ଏମିତି ମୁହଁ ଫେରାଇ ନେଇଥିଲେ। ଅବଶ୍ୟ ଏଇ ସବୁ ପଛରେ ଅନେକ କାରଣ ଦାୟୀ ହୋଇପାରେ; କିନ୍ତୁ ରାଜନୈତିକ ବିମୁଖତା ପାଇଁ ବେଶୀ ସମୟ ଲାଗେନାହିଁ ବୋଲି ବୁଝିବାକୁ ପଡିବ। ସ୍ଥାନୀୟ ପ୍ରସଙ୍ଗ ଓ ଛୋଟ ଛୋଟ ରାଜନୈତିକ ଦଳଗୁଡିକର ସ୍ଥାନ ଯେ ରାଜନୀତିରେ ଅତ୍ୟନ୍ତ ପ୍ରଭାବ ବିସ୍ତାରୀ ସେ କଥା ସ୍ପଷ୍ଟ। ଆଞ୍ଚଳିକ ଦଳଗୁଡିକ ଗୋଟିଏ ଜାତୀୟ ଦଳର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ଏବଂ ୨୦୦୪ରେ ଏନ୍ଡ଼ିଏ ସରକାରର ପତନ ଓ ୟୁପିଏ ମେଣ୍ଟ କ୍ଷମତାସୀନ ହେବା ପଛରେ କେତେକ ଆଞ୍ଚଳିକ ଦଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମନେରଖିବା ଦରକାର ଯେ କେବଳ ନେତୃତ୍ୱ ନୁହେଁ, ବରଂ ପ୍ରସଙ୍ଗ ମଧ୍ୟ ମତଦାନର ଏକ ବୃହତ୍ତମ ଆଧାର ବୋଲି ପ୍ରମାଣ ଆଜି ଉପଲବ୍ଧ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାପାଇଁ ଯାଉଛି। ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଓ ସମ୍ମିଳିତ ଦୃଢ ନେତୃତ୍ୱ ବୋଧହୁଏ ବିରୋଧୀ ଦଳଗୁଡିକ ପାଇଁ ଶେଷ ଆଶା ହୋଇପାରେ ।

Comments are closed.