ସୁପଣ୍ଡିତଙ୍କ ବ୍ୟଥାବେଦନା
ଆଜିକାଲି ପଣ୍ଡିତ ବାପୁଡ଼ାମାନେ ଘୋର ସଂକଟ ଦେଇ ଗତି କରୁଛନ୍ତି। ରାତିରାତି ଉଜାଗର ରହି, ରାଶିରାଶି ପୁସ୍ତକ ଘାଣ୍ଟି ସେମାନେ ଯେଉଁ ଜ୍ଞାନ ଠୁଳ କରୁଛନ୍ତି ଓ ଯେଉଁ ଜ୍ଞାନକୁ ସର୍ବସାଧାରଣରେ ବିତରଣ କରିବାପାଇଁ ଅତିଶୟ ବ୍ୟାକୁଳ ହେଉଛନ୍ତି, ସେଗୁଡ଼ିକ ଅତି ଘଷରା, ପୁରୁଣା ବୋଲି ନବ୍ୟସଭ୍ୟ ପାଠକମାନେ କହି ପକାଉଛନ୍ତି। ବିଚରା ପଣ୍ଡିତେ ସବୁ ପୁଣି ଆପଣାଆପଣା ଗମ୍ଭୀରି ଭିତରକୁ ଅତର୍ଚ୍ଛା ଦୌଡ଼ୁଛନ୍ତି, ପୋଥି ଅଣ୍ଡାଳୁଛନ୍ତି ଓ ଆଜିର ଗୁଗଲ୍ ଓ ହ୍ବାଟ୍ସଆପ୍ର ବିଶ୍ବସ୍ତ ଶିଷ୍ୟଶିଷ୍ୟା ଓ ଜ୍ବରାକ୍ରାନ୍ତ ଜ୍ଞାନଭୁକ୍ମାନଙ୍କ ପାଇଁ ଅର୍ଖ ନୂଆ କିଛି ବାଢ଼ି ଦେବାପାଇଁ ମର୍ମଚିରା ଉଦ୍ୟମ କରୁଛନ୍ତି। ହେଲେ ସକଳ ଉଦ୍ୟମ ତାଙ୍କର ନିଷ୍ଫଳ ହେବା ହିଁ ସାର ହେଉଛି।
ବର୍ତ୍ତମାନ ପିଢ଼ିର ସବ୍ଜାନ୍ତା ସର୍ବସାଧାରଣ ପଣ୍ଡିତମାନଙ୍କର ଏତାଦୃଶ ବିକଳ ଅବସ୍ଥା ଦେଖି ଠୋଠୋ ହସୁଛନ୍ତି ଓ ପଣ୍ଡିତିଆଗିରି ଆଉ ଆଦୌ ଚଳିବ ନାହିଁ ବୋଲି ରୋକ୍ଠୋକ୍ କହୁଛନ୍ତି। କିନ୍ତୁ ଏ କଥା ସର୍ବଜନବିଦିତ ଯେ ଯେଉଁ ଭାଗ୍ୟହୀନମାନେ ଥରେ ପଣ୍ଡିତିଆ ରାସ୍ତାରେ ପାଦ ଦେଇଛନ୍ତି ଆଉ ସେ ରାସ୍ତାରୁ ଫେରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଯେତେ ବ୍ୟଙ୍ଗ, ଉପହାସର ନିର୍ମମ ପ୍ରହାରରେ ଲହୁୁଲୁହାଣ ହେଲେ ମଧ୍ୟ ସତ ପଣ୍ଡିତମାନେ ପିଣ୍ଡାଓଲୁ ହିଁ ସାଜିବେ, ଆପଣାଆପଣା ବାରଣ୍ଡା ଚାଞ୍ଚଟି ଉପରେ ବସି ଖଡ଼ି ଗଡ଼େଇବେ ପୋଥିର କୀଟଦଂଷ୍ଟ୍ର ପତ୍ର ଓଲଟାଇବେ ଓ ସଂସାରର ଯାବତୀୟ ଲୋଭନୀୟ ଶୋଭନୀୟ ବସ୍ତୁକୁ ପଛ କରିଦେଇ ଅମୂର୍ତ୍ତର ଅନ୍ବେଷଣ କରିଚାଲିଥିବେ, ଏକ ଦୂରନ୍ତ ପିପାସାର ଦିକିଦିକି ଜ୍ବଳନ ପୀଡ଼ାରେ ଦହିହୋଇ ଚାଲିଥିବେ।
ସବୁ କାଳେ ସୁପଣ୍ଡିତମାନେ, ଖାଣ୍ଟି ଜ୍ଞାନପିପାସୁମାନେ ଏହା ହିଁ କରିଥାନ୍ତି। କାହାଣୀଟିଏ ମନେ ପଡ଼ୁଛି। ଜଣେ ବହୁଶାସ୍ତ୍ରବିତ୍ ପଣ୍ଡିତ ଗଙ୍ଗାନଦୀର ଆରପଟକୁ ଯିବାପାଇଁ ଡଙ୍ଗାରେ ବସିଲେ। ନାଉରିଆ ଜଣକ ନାଆ ଚଳାଇବାରେ ଓସ୍ତାଦ୍। ତା’ର କୁଳବେଉସାକୁ ସେ ନିଷ୍ଠାର ସହ ବହୁକାଳ ଧରିକରି ଆସୁଥାଏ। ସେ ମଧ୍ୟ ପଣ୍ଡିତଙ୍କ ପରି ତା’ ନିଜ ବିଦ୍ୟାରେ ପ୍ରବୀଣ, ନିପୁଣ। ନାଆ ଚାଲୁଥିବାବେଳେ ପଣ୍ଡିତେ ଓ ନାଉରିଆ ଦୁଇତିନି ପଦ ସୁଖଦୁଃଖ ବି ହେଉଥାନ୍ତି। ପଣ୍ଡିତେ ସ୍ବଭାବତଃ ଭାରି ଦରଦୀ। ନାଉରିଆଠୁ ବୁଝିଲେ ଯେ ସେ ବିଚରା ଦୀର୍ଘ ଚାଳିଶବର୍ଷ ଧରି ଆପଣା ସଂସାର ଚଳାଇବା ପାଇଁ ଏମିତି ଅକ୍ଳାନ୍ତ ଶ୍ରମ କରି ନାଆ ବାହି ଚାଲିଛି। କଷ୍ଟ ପାଇଲେ ପଣ୍ଡିତେ। ଭାବିଲେ- ଆହା, ଅମୂଲ୍ୟ ଜୀବନ କେତେ ମୂଲ୍ୟହୀନ ଭାବରେ ବିତିଯାଉଛି। ଆପଣା ରୁଚି, ଆପଣା ପ୍ରବୃତ୍ତିଚାଳିତ ହୋଇ ପଚାରିଲେ- ‘ଭାଇ! ତମେ କିଛି ଶାସ୍ତ୍ର ପୁରାଣ ପଢ଼ିଛ କି?’ ନାଉରିଆର ସରଳ ଉତ୍ତର- ‘ନା’। ଗଭୀର ଆଘାତ ପାଇଲେ ପଣ୍ଡିତେ। ସ୍ବତଃ ପାଟିରୁ ବାହାରି ପଡ଼ିଲା, ‘ଭାଇ, ତମେ କି ଭୁଲ୍ ନ କଲ? ବେଦବେଦାନ୍ତ ନହେଲା ନାହିଁ, ଗୀତାର ଦୁଇଧାଡ଼ି ପଢ଼ିଥାନ୍ତ ଭଲା! ଆହା, ତମ ଜୀବନ ବୃଥା ଗଲା ସିନା।’ ନାଉରିଆ ନିରୁତ୍ତର। ଡଙ୍ଗା ଆସି ମଝି ନଈରେ। ଏହି ସମୟରେ ପୂର୍ବଦିଗରେ ହଠାତ୍ ଘୋଟି ଉଠୁଥିବା ଝଡ଼ବର୍ଷାର ଆଭାସ ପାଇ ନାଉରିଆ କହିଲା- ‘ପଣ୍ଡିତ ମହାଶୟ! ଯଦି ଝଡ଼ ଆସେ, ଏ ଦଦରା ଡଙ୍ଗାକୁ ସମ୍ଭାଳିବା ମୋ ପାଇଁ ଅସମ୍ଭବ ହେବ।’ ଏ କଥା ଶୁଣି ପଣ୍ଡିତେ ଛାନିଆ। ନାଉରିଆ ପଚାରିଲା- ‘ଆପଣେ ପହଁରା ଶିିଖିଛନ୍ତି?’ ପଣ୍ଡିତଙ୍କ ଛୋଟିଆ ଉତ୍ତର-ନା’। ‘ବେଦ ବେଦାନ୍ତ ଗୀତା ମୁଁ ଜାଣିନି ବୋଲି ଏ ଜୀବନଟା ମୋର ବୃଥା ଯିବ ସିନା, ଆପଣ ପହଁରା ନ ଶିଖି, ନଜାଣି ଏବେ ମଲେ।’ କହିଲା ନାଉରିଆ।
କାହାଣୀଟି ଏଇଠି ଶେଷ। ହୁଏତ ଝଡ଼ ଆସିଥିବ। ପଣ୍ଡିତେ ଜଳସମାଧି ଲଭିଥିବେ । ଓସ୍ତାଦ୍ ନାଉରିଆ ପହଁରି ପହଁରି କୂଳରେ ଲାଗିଥିବ ଓ ପୂର୍ବବତ୍ ସକାଳରୁ ସଞ୍ଜ ନାଆ ବାହିବାରେ ଲାଗି ପଡ଼ିଥିବ। କାହାଣୀଟିରେ ଅବଶ୍ୟ ବ୍ୟାବହାରିକ ଜ୍ଞାନ ଓ ବାସ୍ତବଜୀବନ ବଞ୍ଚିବା ପାଇଁ ଲୋଡ଼ା ଦକ୍ଷତା, କର୍ମକୁଶଳତାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇଛି। ତେବେ ଏଇଠି ପ୍ରଶ୍ନଉଠେ- ଯଦି ପହଁରା ନଜାଣି ବୁଡ଼ି ମରିଥିବା ପଣ୍ଡିତେ ଆଉ ଗୋଟିଏ ଜନ୍ମ ପାଆନ୍ତି ଓ ଜାତିସ୍ମର ହୋଇଥା’ନ୍ତି, ଗତ ଜୀବନର ଅଭିଜ୍ଞତା ଯୋଗୁଁ େସ କ’ଣ ଆଗ ପହଁରା ଶିଖିବେ ଓ ଦକ୍ଷତାରସହ ଡଙ୍ଗାଟିଏ କିପରି ଚଳାଇହେବ, ସେଇଆ ଶିଖି ସନ୍ତୁଷ୍ଟ ରହିବେ? ଏହାର ଉତ୍ତର- ‘ନା’। ହଁ, ପଣ୍ଡିତମାନେ- ସଚ୍ଚା ପଣ୍ଡିତମାନେ ସବୁକାଳେ ଅପଟୁ ନାଉରିଆ, ଅର୍ଥାତ୍ ଜୀବନ ନଈରେ ଠିକ୍ ବାଗରେ ନାଆ ସେମାନଙ୍କୁ ଚଳାଇ ଆସେନା, କିମ୍ବା ଏହି ସାଧାରଣ ବାସ୍ତବ କଳାଟିକୁ ଆୟତ୍ତ କରିବାପାଇଁ ସେମାନଙ୍କର ଲେଶମାତ୍ର ଇଚ୍ଛା କି ସ୍ପୃହା ନଥାଏ। ସେମାନେ ବୁଡ଼ି ମରିବେ ପଛେ, କାହାଣୀର ସେଇ ନାଉରିଆଟି ପରି କେବଳ ପହଁରା କଳାଟିକୁ ଶିଖି କୃତାର୍ଥ ହେବାର ଭ୍ରମ କରିବେ ନାହିଁ। ସେଥିପାଇଁ ଯୁଗେଯୁଗେ ସତପଣ୍ଡିତମାନେ ନିପାରିଲା ସଂସାରୀ ମଣିଷ ବୋଲି ଅପବାଦ ମୁଣ୍ଡାଇ ଚାଲିଛନ୍ତି। ସବୁକାଳେ ସତ୍, ସଚ୍ଚା ପଣ୍ଡିତମାନଙ୍କ ଏହା ହିଁ ଭାଗ୍ୟ। ଖୋଳପାଧାରୀ, ବ୍ୟବସାୟନିପୁଣ, ସିଆଣିଆ, ପରମ ସ୍ବାର୍ଥୀ ବୁଦ୍ଧିଜୀବୀଙ୍କ କଥା ଅବଶ୍ୟ ନିଆରା।
ମୂଳ ପ୍ରସଙ୍ଗକୁ ଆସିବା। ଦ୍ରୁତ ଲୋପ ପାଉଥିବା ସେହି ସତ୍ପଣ୍ଡିତ ଜାତିର ଯେଉଁ କେତେକ ଏବେ ମଧ୍ୟ ନିଚ୍ଛକ ଜ୍ଞାନପିପାସାର ଶାଳଗ୍ରାମଟିମାନ ମୁଣ୍ଡରେ ବୋହି ଚାଲିଛନ୍ତି ଓ କେଉଁ ଏକ ସଘନ ପ୍ରେରଣାର ଦାୟରେ ସୂେର୍ଯ୍ୟାଦୟରୁ ସୂେର୍ଯ୍ୟାଦୟ ପର୍ଯ୍ୟନ୍ତ ଖାଦହୀନ ଜ୍ଞାନ ସାଉଁଟିବାରେ,ବାଣ୍ଟିବାରେ ଲାଗିଛନ୍ତି, ସେମାନଙ୍କ ଅବସ୍ଥା ଏକ ବିଚିତ୍ର କାରଣରୁ ଭାରି ଦୟନୀୟ ହୋଇପଡ଼ିଛି। ନିନ୍ଦା, ଭର୍ତ୍ସନା, ଅପବାଦ ସବୁ ସତ୍ ପଣ୍ଡିତଙ୍କ ଭାଗ୍ୟରେ ଅଳ୍ପେ ବହୁତେ ଅବଶ୍ୟ ଆସିଥାଏ, ମାତ୍ର ସେ ସବୁ ଦେହସୁହା ହୋଇଥିବାରୁ କେଭେଁ କୌଣସି ପ୍ରଶସ୍ତମନା ସଚ୍ଚା ପଣ୍ଡିତ ଆତ୍ମଗ୍ଳାନିରେ ପୀଡ଼ିତ ହୁଅନ୍ତି ନାହିଁ। ଏବେ କିନ୍ତୁ ଯେଉଁ ଅଶ୍ରୁତପୂର୍ବ କାରଣ ଯୋଗୁଁ ପଣ୍ଡିତମାନେ ସଂକଟଗ୍ରସ୍ତ, ବ୍ୟଥାବିଧୃତ ତାହା ହେଉଛି- ଆଜିର ଅତି ବିଚକ୍ଷଣ କରିତ୍କର୍ମା ଆତ୍ମରତିସର୍ବସ୍ବ ବୁଦ୍ଧିଜୀବୀ ଶ୍ରୋତା, ପାଠକ ଓ ଚିନ୍ତକମାନଙ୍କ ପାଖରେ କୌଣସି ଚିନ୍ତା, ତଥ୍ୟ କି ଧାରଣା ଆଉ ଅଜଣା ଅଶୁଣା ହୋଇନାହିଁ, ଯାହା ପଣ୍ଡିତେ କହିବେ ଓ ଉତ୍ତରାଧିକାରୀ ସୂତ୍ରରେ ବହନ କରୁଥିବା ଗୁରୁଦାୟିତ୍ବଟିକୁ ଅନ୍ତତଃ ପାଳନ କରିପାରିଛନ୍ତି ବୋଲି ଆଶ୍ବସ୍ତ ହେବେ।
ଚିନ୍ତାର ଉତ୍ସ ଚେତନା, ଯାହା ବ୍ୟକ୍ତିସ୍ତରରେ ମୂର୍ତ୍ତ ଓ ପ୍ରଭାଯୁକ୍ତ ହେଲେ ମଧ୍ୟ ସେଥିରେ ଥାଏ ଏକ ସାର୍ବଜନିକ ଆବେଦନ, ଏକ ସାମୂହିକ ସ୍ବର ଓ ସ୍ପନ୍ଦନ। ମୌଳିକ ଚିନ୍ତାଟିଏ ଉଦ୍ଭବ ହୁଏ ଚେତନାମଥିତ ହେଲେ, ସଚ୍ଚା ପଣ୍ଡିତଟିଏ ସବୁକିଛିକୁ ଆଡ଼ କରିଦେଇ ଗମ୍ଭୀରା ଭିତରେ ଧ୍ୟାନସ୍ଥ ହେବା ପରେ ସକାଳରୁ ରାତି ଓ ରାତିରୁ ସକାଳ ପର୍ଯ୍ୟନ୍ତ ଏକ ବାଲ୍ମୀକୀୟ ଆବେଶ ଭିତରେ ରହିବାପାଇଁ ବଜ୍ର ଶପଥ ନେଲା ପରେ। କିନ୍ତୁ, ବଡ଼ ବିଡ଼ମ୍ବନାର ବିଷୟ ଆଜିକାଲିର ପଲ୍ଲବଗ୍ରାହୀ ସାଧନାକୁଣ୍ଠ ଚତୁର ମଣିଷମାନେ ଆପଣାର ଶ୍ରେଷ୍ଠତ୍ବ ପ୍ରଦର୍ଶିତ କରିବାପାଇଁ ସବୁ ସାର କଥା, ସବୁ ଗୂଢ଼, ଗହନ, ଆଲୋକିତ ଚିନ୍ତା ଚେତନାକୁ ଘଷରା, ମରହଟ୍ଟିଆ ଓ ସେଥିପାଇଁ ଅତ୍ୟାଧୁନିକ ଓ ପ୍ରଯୁକ୍ତିଚାଳିତ ଜୀବନପାଇଁ ପୂରାପୂରି ଅନାବଶ୍ୟକ ବୋଲି କହି ସତ୍ପଣ୍ଡିତମାନଙ୍କୁ ଖାଲି ଅପଦସ୍ତ କରି ଚାଲିଛନ୍ତି। ହେଲେ ମନେ ରଖିବାକୁ ହେବ- ଯାହା ଶାଶ୍ବତ, ଯାହା ଚିରନ୍ତନ, ତାହା ଘଷରା, ଅତି ଜଣା ବା ପୁରୁଣା କାଳିଆ ଲାଗିବା ସ୍ବାଭାବିକ। ସତ୍ୟ ସବୁବେଳେ ପ୍ରାଚୀନ, ତଥାପି ମଧ୍ୟ ସଚ୍ଚା ଗ୍ରାହକ ପାଇଁ ଏହାର ଆବେଦନ ନିତ୍ୟନୂତନ। ବ୍ୟଥାପୀଡ଼ିତ ସଂକଟଗ୍ରସ୍ତ ପଣ୍ଡିତମାନଙ୍କୁ ନିବେଦନ- ସେମାନେ ସେମାନଙ୍କ ସ୍ବଧର୍ମ ପାଳନ କରି ଠିକଣା ମାର୍ଗରେ ଆଗେଇ ଚାଲିଥାନ୍ତୁ। ‘ବିପୁଳାଚ ପୃଥ୍ବୀ, ନିରବଧି କାଳ’- ଏହା ସର୍ବଦା ସେମାନଙ୍କର ସ୍ମରଣ ରହୁ।
Comments are closed.