ବିଷ ବଳୟରେ ଖାଦ୍ୟଶୃଙ୍ଖଳ
ଏକଦା ଶାନ୍ତ, ସୁସ୍ଥ, ପ୍ରକୃତିର ଗନ୍ତାଘର ଥିବା ଓଡ଼ିଶା ପ୍ରଦେଶ ଉଚ୍ଚ ରକ୍ତଚାପ, ମଧୁମେହ, ପକ୍ଷାଘାତ, କର୍କଟ ଆଦି ରୋଗୀଙ୍କ ପ୍ରଦେଶ ଭାବେ ପରିଗଣିତ ହେବାକୁ ଯାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ପରିସଂଖ୍ୟାନ ଅନୁସାରେ ୨୫.୬ ପ୍ରତିଶତ ପୁରୁଷ ଓ ୨୩.୪ ପ୍ରତିଶତ ମହିଳା ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲାବେଳେ ରାଜ୍ୟରେ ୪୨ ଲକ୍ଷ ମଧୁମେହ ରୋଗୀ ଅଛନ୍ତି। ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୯୨,୬୯୯ ଜଣ କର୍କଟ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିମଧ୍ୟରୁ ୩୧,୬୯୨ ଜଣ ପ୍ରାଣ ହରାଇଥିବାର ସୂଚନା ଦେଇଛନ୍ତି। ଧନଜୀବନକୁ ପ୍ରଭୂତ କ୍ଷତି ପହଞ୍ଚାଉଥିବା ଏହି ରୋଗର ପ୍ରାଦୁର୍ଭାବ ବର୍ତ୍ତମାନ ଓଡ଼ିଶାର ସାଧାରଣ ଜନତାକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କ୍ଷତିଗ୍ରସ୍ତ କରିଚାଲିଛି ଓ ଏହା ସ୍ବାସ୍ଥ୍ୟ ବିଭାଗ ପ୍ରତି ଏବେ ଆହ୍ବାନ ସୃଷ୍ଟି କରିଛି। ସବୁ ବର୍ଗର ଓ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରୁଥିବା ଏହି ରୋଗଗୁଡ଼ିକର ମୁଖ୍ୟ କାରଣ ନିଶା, ତମାଖୁ, ଗୁଟ୍ଖା ପରି ଅଖାଦ୍ୟକୁ ବିବେଚନା କରାଯାଉଥିଲେ ମଧ୍ୟ ଖାଦ୍ୟ ସହ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବକୁ ନେଇ ବାରମ୍ବାର ଅନୁଶୀଳନ କରାଯାଉଛି।
ଓଡ଼ିଶାରେ ଏହି ଦୁରାରୋଗ୍ୟ ରୋଗଗୁଡ଼ିକର ଭୟାବହତା ପଞ୍ଜାବର ଭଟିଣ୍ଡାରୁ ରାଜସ୍ଥାନର ବିକାନୀର ଯାଉଥିବା ରେଳର ଇତିହାସକୁ ମନେ ପକାଇଦିଏ। ସବୁଜ ବିପ୍ଳବର ଜୈତ୍ରଯାତ୍ରାରେ ଆଗୁସାର ସାଜିଥିବା ପଞ୍ଜାବ ପ୍ରଦେଶରୁ ଦୈନିକ ବିକାନୀର ଯାଉଥିବା ପାସେଞ୍ଜର ରେଳଗାଡ଼ି କର୍କଟ ରୋଗୀଙ୍କ ସଂଖ୍ୟା ହେତୁ ‘କ୍ୟାନ୍ସର ଏକ୍ସପ୍ରେସ’ ଭାବେ ଲୋକମୁଖରେ ନାମିତ ହୁଏ।
ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ କର୍କଟରୋଗୀଙ୍କ ସଂଖ୍ୟା ପାଇଁ ରାଜ୍ୟ ସରକାର ଆଚାର୍ଯ୍ୟ ହରିହର କର୍କଟରୋଗ ପ୍ରତିଷ୍ଠାନ ସହ ପ୍ରତି ଜିଲା ସଦର ମହକୁମାର ଡାକ୍ତରଖାନାରେ ସର୍ବନିମ୍ନ ବ୍ୟବସ୍ଥା କରିଛନ୍ତି। ଦୀର୍ଘମିଆଦି ଯୋଜନା ହିସାବରେ ରୋଗୀଙ୍କ ସୁବିଧାପାଇଁ ପାଞ୍ଚବର୍ଷ ମଧ୍ୟରେ ୫୭୭ କୋଟିଟଙ୍କା ବ୍ୟୟ କରିବାର ଆକଳନ କରିଛନ୍ତି। ନିକଟ ଅତୀତରେ ଭୁବନେଶ୍ବରରେ ବୃହତ୍ କର୍କଟ ହାସପାତାଳ ଖୋଲିବାପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରୋଗର ନିଦାନପାଇଁ ଏସବୁ ବ୍ୟବସ୍ଥା କରୁଥିବା ସରକାର ବସ୍ତୁତଃ, ତା’ର କାରଣ ଓ ଉପଯୁକ୍ତ ନିରାକରଣ ପାଇଁ ସେପରି ବ୍ୟବସ୍ଥା କରିଥିବାର ମନେହୁଏନାହିଁ। ଏସବୁ ରୋଗ ଓ ତାର’ ପାରିପାର୍ଶ୍ବିକ ଅବସ୍ଥାର ଅନୁଶୀଳନ କଲେ ଜଣାଯାଏ, ମନୁଷ୍ୟ ବ୍ୟବହାର କରୁଥିବା ଖାଦ୍ୟ, ପାନୀୟଜଳ ଓ ବାୟୁର ଶରୀରରେ ପ୍ରଭାବ ହିଁ ଏ ରୋଗର ମୂଳକାରଣ। ଏ ମଧ୍ୟରୁ ଖାଦ୍ୟ ଓ ତା ସହ ଜଡ଼ିତ ପାନୀୟଜଳର ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ; କାରଣ ଏହା ଜଣେ ବ୍ୟକ୍ତି ବିଶେଷର ନିୟନ୍ତ୍ରଣ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ। କର୍ଣ୍ଣାଟକର ସିମୋଗା, ଚିକମାଗାଲୁର ଅଞ୍ଚଳ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଅଞ୍ଚଳ ବା କେରଳ, ପଞ୍ଜାବ, ହରିୟାଣା, ଓଡ଼ିଶାର ତଥାକଥିତ ଉନ୍ନତ କୃଷି ଅଞ୍ଚଳରେ ଦେଖାଯାଉଥିବା ରୋଗକୁ ଅନୁଧ୍ୟାନ କରି ଦେଖାଯାଇଛି ଯେ ସେ ଅଞ୍ଚଳର ଅଧିବାସୀଙ୍କ ଖାଦ୍ୟରେ ରହୁଥିବା ବିଷ ସହ ତାହା ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛି। ସେହିପରି ବିଷାକ୍ତ ଖାଦ୍ୟ ଓ ସମାନ ପରିବେଶ ହେତୁ ଏ ସବୁ ରୋଗ ବଂଶାନୁକ୍ରମିକ ଆଡ଼କୁ ଗତି କରିଛି। ଡିଡିଟି, ଗ୍ୟାମାକ୍ସିନ ପରି ବିଷାକ୍ତ ଦ୍ରବ୍ୟ ଯାହା ପରିବେଶ ସଫାସୁତୁରାରେ ବ୍ୟବହାର କରାଯାଏ, ମାଟି ଓ ପାଣି ମାଧ୍ୟମରେ ତାହା ଆମ ଖାଦ୍ୟକୁ ପ୍ରବେଶ କରି ଆମ ମସ୍ତିଷ୍କ, ଯକୃତ, ପ୍ଲୀହା, ହୃଦୟ ପରି ମୁଖ୍ୟ ଅଙ୍ଗଗୁଡ଼ିକର କ୍ଷତି ସାଧନ କରୁଛି। କୃଷି ଉତ୍ପାଦନ ବଢ଼ାଇବାପାଇଁ ମାତ୍ରାଧିକ ସାର, କୀଟନାଶକ, ହରମୋନର ପ୍ରୟୋଗ ଜୈବ ଭାରସାମ୍ୟକୁ ନଷ୍ଟ କରିବାସହ ମାଟି, ପାଣି ପବନ ଓ ଖାଦ୍ୟକୁ ବିଷାକ୍ତ କରୁଛି।
ତଥ୍ୟ ଅନୁସାରେ ଆମ ଦେଶରେ ୨୩୪ଟି ପଞ୍ଜିକୃତ ରାସାୟନିକ ଔଷଧ ମଧ୍ୟରୁ ଅନେକ ବିଦେଶରେ ନିଷିଦ୍ଧ ହେଲାଣି। ଆମ ଦେଶରେ ମଧ୍ୟ ନିଷିଦ୍ଧ ହୋଇଥିବା କୀଟନାଶକକୁ ଅଥବା ନିର୍ଦିଷ୍ଟ ଫସଲରେ ବ୍ୟବହୃତ କୀଟନାଶକକୁ ଖାଦ୍ୟୋପଯୋଗୀ ଫସଲରେ ପକାଇ ଆମ କୃଷକ ଖାଦ୍ୟକୁ ବିଷାକ୍ତ କରୁଛନ୍ତି। ଦେଶରେ ପ୍ରମୁଖ ଭାବେ ଅର୍ଗାନୋଫସଫେଟ୍ର ବ୍ୟବହାର ସବୁ ଫସଲରେ ଅବାରିତ ଭାବେ କରାଯାଉଛି, ଯାହା ପୋକର ସ୍ନାୟବିକ ବ୍ୟବସ୍ଥାକୁ ନଷ୍ଟ କରିଥାଏ। ଏହା ବ୍ୟତୀତ କାର୍ବାମେଟ୍, ପାଏରାର୍ଥୋଏଡ୍ ଆଦି ବ୍ୟବହାର କରାଯାଉଛି। ଅନ୍ୟ ଦେଶରେ ନିଷିଦ୍ଧ ହୋଇଥିବା ଗ୍ଲାଇଫୋସେଟ୍ ପାରାକ୍ବାଟ ପରି ଘାସମାରିବା ଔଷଧ ଆମ ଦେଶରେ ବହୁଳଭାବେ ବ୍ୟବହାର କରାଯାଉଛି। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଏକ ପଙ୍ଗୁ ସଂସ୍ଥା ପରି ଚୁପ୍ ହୋଇ ବସିରହିଛି। ପ୍ରକାରାନ୍ତରେ ସରକାରୀକଳ ମଧ୍ୟ ଉତ୍ପାଦନ ବୃଦ୍ଧିପାଇଁ ବିଭିନ୍ନ ଯୋଜନାରେ ଏସବୁରେ ଚାଷୀମାନଙ୍କୁ ରିଆତି ପ୍ରଦାନ କରୁଛନ୍ତି; ଆବଶ୍ୟକସ୍ଥଳେ ମାଗଣାରେ ବି ଯୋଗାଇ ଦିଆଯାଉଛି। ସେଥିପାଇଁ ୨୦୧୪-୧୫ରୁ ୨୦୧୭-୧୮ ମସିହା ମଧ୍ୟରେ କୀଟନାଶକ ପ୍ରୟୋଗର ମାତ୍ରା ଓଡ଼ିଶାରେ ବାର୍ଷିକ ହାରାହାରି ଢ଼େର ବଢ଼ିଛି। ଭାରତର ପଞ୍ଜାବ ପ୍ରଦେଶରେ ସର୍ବାଧିକ (୭୪୦ ଗ୍ରାମ୍/ହେ) କୀଟନାଶକ ବ୍ୟବହାର ହେଉଥିଲାବେଳେ ତା’ପଛରେ ହରିୟାଣା, ମହାରାଷ୍ଟ୍ର ପରି ପ୍ରଦେଶ ରହିଛି। ସେହିପରି ମାଟିକୁ ଅମ୍ଳଯୁକ୍ତ କରି ନଷ୍ଟ କରୁଥିବା ରାସାୟନିକ ସାର ବ୍ୟବହାରରେ ମଧ୍ୟ ପଞ୍ଜାବ ୧୯୦ କି.ଗ୍ରା/ହେ ଥିବାବେଳେ ତା’ପଛରେ ହରିୟାଣା, ଆନ୍ଧ୍ରପ୍ରଦେଶ ଆଦି ଆଗୁଆ ରାଜ୍ୟ ରହିଛନ୍ତି। ପରିସଂଖ୍ୟାନରୁ ଜଣାଯାଇଛି କୃଷି ବିକଶିତ ରାଜ୍ୟମାନଙ୍କରେ ରାସାୟନିକ ସାର ଓ ଔଷଧ ପ୍ରୟୋଗ ସର୍ବାଧିକ ଥିବାବେଳେ ପାହାଡ଼ିଆ, ଅଣଜଳସେଚିତ, ପଛୁଆ ରାଜ୍ୟରେ ଏହା କମ୍ ରହିଛି।
ଏବେ ଆମ ରାଜ୍ୟ କଥା ଚିନ୍ତା କରାଯାଉ। ଓଡ଼ିଶାରେ କୀଟନାଶକ ପ୍ରୟୋଗ ୨୦୧୩-୧୪ ମସିହାରେ ହେକ୍ଟରପିଛା ୧୪୪ଗ୍ରାମ ରହିଥିବାବେଳେ ୨୦୧୯-୨୦ରେ ୧୬୦ ଗ୍ରାମକୁ ବୃଦ୍ଧି ପାଇଛି। ସେହିପରି ରାସାୟନିକ ସାର ୨୦୧୩-୧୪ରେ ୪୧.୨୭ କି.ଗ୍ରା ଥିବାବେଳେ ୨୦୧୯-୨୦ ମସିହାରେ ଏହା ୭୨.୮ କିଗ୍ରା/ହେ.କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ କନ୍ଧମାଳ ଜିଲା ସର୍ବନିମ୍ନ (୧୦ କି.ଗ୍ରା/ହେ.)ଓ ବରଗଡ଼ ଜିଲା (୧୧୦କିଗ୍ରା/ହେ.) ସର୍ବାଧିକ ରହିଛି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା କର୍କଟ ରୋଗୀଙ୍କର ସଂକ୍ରମିତ ଅଞ୍ଚଳଭାବେ ପରିଦୃଶ୍ୟ ହେବାର କାରଣ ଏହାର ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବୋଲି ବିବେଚନା କରାଯାଉଛି। ଏହା କେବଳ କର୍କଟ ରୋଗ ପର୍ଯ୍ୟନ୍ତ ସୀମିତ ହୋଇ ନାହିଁ, ସଂପ୍ରତିବୃଦ୍ଧି ପାଇଥିବା ବନ୍ଧ୍ୟାଦୋଷ, ବିକଳାଙ୍ଗ ଶିଶୁଜନ୍ମ, ସ୍ମୃତିଶକ୍ତି ହ୍ରାସ, ଚର୍ମରୋଗ, ଉଚ୍ଚ ରକ୍ତଚାପ ମଧ୍ୟ ଏହି ବିଷାକ୍ତ ଖାଦ୍ୟର ପ୍ରତିଫଳନ ବୋଲି ବିଜ୍ଞାନୀମାନେ ମତବ୍ୟକ୍ତ କରୁଛନ୍ତି। ଏହି ବିଷାକ୍ତ ଦ୍ରବ୍ୟ ମାଟି, ପାଣି, ସୂର୍ଯ୍ୟ କିରଣରେ ଅପଘଟନ ହୋଇନପାରି ମଣିଷ ଓ ପଶୁମାନଙ୍କ ଶରୀରର କୋଷରେ ଜମାହୋଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛନ୍ତି। ଏପରିକି ମୃଦୁପାନୀୟରେ ସ୍ଥିରୀକୃତ ମାନଠାରୁ ୨୪ଗୁଣ ଅଧିକ ବିଷ ରହିଥିବାର ଜଣାଯାଇଛି।
କେବଳ ଧାନରେ ସ୍ବାବଲମ୍ବୀ ଥିବା ଓଡ଼ିଶା, ଅନ୍ୟ ସବୁ ଖାଦ୍ୟଦ୍ରବ୍ୟକୁ ଅତ୍ୟଧିକ କୀଟନାଶକ ଓ ସାର ପ୍ରୟୋଗ କରୁଥିବା ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରୁ ଆମଦାନୀ କରିଥାଏ। ଆମ ରାଜ୍ୟରେ ଗହମ ଉତ୍ପାଦନ ନଗଣ୍ୟ ଥିଲାବେଳେ ଆମ ରାଜ୍ୟର ସ୍ବଚ୍ଛଳ ବର୍ଗ ଭାତ ଅପେକ୍ଷା ରୁଟିକୁ ଅଧିକ ପସନ୍ଦ କରନ୍ତି। ଦୈନିକ ଗୋଟିଏ ସେଓ ଖାଇ ଡାକ୍ତରଙ୍କଠାରୁ ଦୂରରେ ରହିବା ବିଚାର ଉତ୍ତର ଭାରତୀୟଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ ଆମେ ଆମ ପୁଷ୍ଟିଯୁକ୍ତ ପିଜୁଳି ପ୍ରତିବଦଳରେ ବିଷଯୁକ୍ତ ସେଓ ଓ ଅଙ୍ଗୁରକୁ ଅଧିକ ମାନ୍ୟତା ଦେଉ। ଆମ ନିଜସ୍ବ ଉତ୍ପାଦିତ ସୋରିଷ, ରାଶି, ଅଳସୀ ତେଲକୁ ଛାଡ଼ି ବିଷାକ୍ତ ଆର୍ଜିମୋନ ମିଶା ଉତ୍ତରପ୍ରଦେଶର ସୋରିଷ ତେଲ ଖାଉ। ଏ ସବୁର କୁଫଳ ହେଉଛି ଓଡ଼ିଶା ଏବେ ଦୁଃସାଧ୍ୟ ରୋଗଙ୍କ କବଳରେ। ଅତଏବ ଏବେ ସମୟ ଆସିଛି, ସମସ୍ତେ ନିଜ ସ୍ବାସ୍ଥ୍ୟ ପାଇଁ ନିଜ ଖାଦ୍ୟ ଓ ତା ଉତ୍ପାଦନ ପ୍ରକ୍ରିୟା ଉପରେ ଦୃଷ୍ଟି ଦିଅନ୍ତୁ।
Comments are closed.