ଗଣତନ୍ତ୍ର ପାଇଁ ସତର୍କ ଘଣ୍ଟି

ଗୋଟିଏ ପଟେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି; ଅନ୍ୟ ପଟେ ଭାରତୀୟ ଗଣତନ୍ତ୍ରର ସଫଳତାକୁ ନେଇ ସଂଶୟ ଦେଖାଦେଇଛି। ଦୁର୍ଭାଗ୍ୟର କଥା ଯେ ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଅପରାଧୀଙ୍କ ଆସ୍ଥାନ ବଢ଼ିବାରେ ଲାଗିଛି। ଖୁବ୍ କମ୍ ଭଲ ଲୋକ ରାଜନୀତିକୁ ଆସିବାକୁ ପସନ୍ଦ କରୁଛନ୍ତି।
ସଂସଦ ହେଉଛି ଭାରତର ସବୁଠାରୁ ବଡ଼ ପଞ୍ଚାୟତ। ଯେଉଁଠି ଜନପ୍ରତିନିଧିଗଣ ବସି ସମଗ୍ର ଦେଶ ପାଇଁ ଆଇନ ତିଆରି କରନ୍ତି। ସମ୍ବିଧାନ ମଧ୍ୟ ପ୍ରତ୍ୟେକ ରାଜ୍ୟର ବ୍ୟବସ୍ଥାପିକାକୁ ନିଜ ରାଜ୍ୟ ପାଇଁ ଆଇନ ତିଆରି କରିବାର ଅଧିକାର ପ୍ରଦାନ କରିଛି।

ଭାରତରେ ପ୍ରଚଳିତ ସଂସଦୀୟ ବ୍ୟବସ୍ଥା ଅନୁସାରେ ବ୍ୟବସ୍ଥାପିକାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ। ଆଜି କିନ୍ତୁ ସଂସଦ ତଥା ବିଭିନ୍ନ ରାଜ୍ୟର ବିଧାନସଭା ରଙ୍ଗମଞ୍ଚ ପାଲଟିଛି। ରାଜନୈତିକ ସଂସ୍କୃତିର ଅବକ୍ଷୟ ଘଟିଚାଲିଛି। ସଂସଦ କିମ୍ବା ବିଧାନସଭାରେ ଲୋକଙ୍କ ହିତ ସହିତ ଜଡ଼ିତ ଗମ୍ଭୀର ବିଷୟ ଉପରେ ଲୋକପ୍ରତିନିଧିଙ୍କ ଚର୍ଚ୍ଚା କମ୍‌ ଦେଖିବାକୁ ମିଳୁଛି। ଅର୍ଥ ଓ ସମୟର ଅପଚୟ ସାର ହେଉଛି। ଏଥିପାଇଁ ଲୋକପ୍ରତିନିଧି ଜନତାଙ୍କ ଦ୍ୱାରା ବାରମ୍ବାର ସମାଲୋଚିତ ହେଉଥିଲେ ମଧ୍ୟ ନିଜକୁ ସୁଧାରୁ ନାହାନ୍ତି। ଏସବୁ କିଛି ନିର୍ଦିଷ୍ଟ ଉଦ୍ଦେଶ୍ୟ ପ୍ରଣୋଦିତ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ରାଜନୀତିରେ ପ୍ରବେଶ ଯୋଗୁଁ ଘଟି ଚାଲିଛି।

ଏବେ ନୂଆ ସଂସଦ ଭବନ ନିର୍ମାଣ ଚାଲିଛି। ଲୋକ ସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯାଉଛି। ସମ୍ବିଧାନର ୮୪ତମ ସଂଶୋଧନ ଦ୍ୱାରା ସଂସଦ ଓ ବିଧାନସଭାରେ ସଦସ୍ୟଙ୍କ ସଂଖ୍ୟାବୃଦ୍ଧିରେ ୨୦୩୧ ଜନଗଣନା ଯାଏ ପ୍ରତିବନ୍ଧକ ଲଗାଯାଇଛି। ଗୋଟିଏ ଦୃଷ୍ଟିକୋଣରୁ ଆସନ ବଢ଼ିବା ଆବଶ୍ୟକ କାରଣ ପ୍ରତିନିଧିଙ୍କ ଉପରେ ଜନସଂଖ୍ୟାର ଚାପ କମିବ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଯେଉଁଭଳି ଭାବେ ରାଜନୀତିରେ ଅପରାଧୀ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଛି ତାହା ବ୍ୟବସ୍ଥାପିକାର ଗରିମାକୁ ରସାତଳକୁ ନେବା ସହ ଜନତାଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବା ସୁନିଶ୍ଚିତ।

ଚତୁଃପାର୍ଶ୍ବରେ ଦୁର୍ନୀତି। ଯେତେ ଖୋଳିବା ସେତେ ପାଇବା। ନେତାଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ସବୁ କୋଟିପତି। କେବଳ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ନୁହନ୍ତି; ତାଙ୍କ ଭଳି ଅନେକ ନେତା ପ୍ରତ୍ୟେକ ଦଳରେ ଅଛନ୍ତି; ଯେଉଁମାନଙ୍କୁ କେନ୍ଦ୍ର ତଥା ରାଜ୍ୟ ତଦନ୍ତକାରୀ ସଂସ୍ଥା ନିଜ ପଞ୍ଝା ମଧ୍ୟକୁ ଆଣିବା ଦରକାର। ଏଭଳି କିଛି ବ୍ୟକ୍ତିଙ୍କ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ଲୋକଙ୍କ ଆଶା ଓ ବିଶ୍ୱାସ ମଧ୍ୟ ଧୀରେଧୀରେ କମିବାରେ ଲାଗିଛି। ଦେଶରେ ଦାରିଦ୍ର୍ୟ ଚରମସୀମାରେ ପହଞ୍ଚିଛି। ପ୍ରତ୍ୟେକ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଦେଶର ମାନବ ସମ୍ବଳ ଧ୍ବଂସ ହୋଇଚାଲିଛି। ଜନତାଙ୍କ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଦୈନନ୍ଦିନ ଦୁର୍ନୀତି, ଦୁଷ୍କର୍ମ, ହତ୍ୟା, ହିଂସାକାଣ୍ଡ, ଲୁଟ୍ ବଢ଼ିଚାଲିଛି। କିଛି ମୁଷ୍ଟିମେୟ ରାଜନୈତିକ ଗୋଷ୍ଠୀ ଧୀରେଧୀରେ ଦେଶ ତଥା ରାଜ୍ୟକୁ ଖୋଳ କରିବାରେ ଲାଗିଛନ୍ତି। ହୁଗୁଳା ଶାସନ ଯୋଗୁଁ କିଛି ସରକାରୀ ଦୁର୍ନୀତିଗ୍ରସ୍ତ କର୍ମଚାରୀ ମଧ୍ୟ ଜନଧନକୁ ଲୁଟ୍ କରି ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଚାଲିଛନ୍ତି। ପୁଳାପୁଳା ନଗଦ ଟଙ୍କା, ସୁନାଗହଣା, ବ୍ୟାଙ୍କବାଲାନ୍ସ ଜବତ କରାଯାଉଛି। ପାଞ୍ଚ ବର୍ଷ ପୂର୍ବରୁ ନିଜ ସତ୍ୟପାଠରେ କିଛି ହଜାର ଟଙ୍କା ନଗଦ ଦେଖାଇଥିବା ନେତା ଓ ମାସିକ ଅଳ୍ପ ଦରମା ପାଉଥିବା କର୍ମଚାରୀଙ୍କ ଘରୁ କୋଟିକୋଟି ଟଙ୍କା ଜବତ ହେଉଛି। ଏଭଳି ଖବର ପ୍ରତିଦିନ ଗଣମାଧ୍ୟମର ଶିରୋନାମା ପାଲଟୁଛି। ଯେଉଁଠି ନେତା ଦୁର୍ନୀତିଗ୍ରସ୍ତ ତଥା ଅାପରାଧିକ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଲିପ୍ତ ସେଠାରେ ସ୍ବଚ୍ଛ ଶାସନ ପ୍ରତିଷ୍ଠା କଳ୍ପନା ବାହାରେ।

ରାଜନୀତିକୁ କିଛି ଲୋକ କଳାଟଙ୍କା ଆହରଣ ଓ କ୍ଷମତାରେ ରହି ଅାପରାଧିକ ଗତିବିଧିକୁ ଚାଲୁ ରଖିବାର ସୁରକ୍ଷିତ ମାଧ୍ୟମ ବୋଲି ଭାବନ୍ତି। ସେଥିପାଇଁ ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଛି। ଜଣାପଡିଛି ଯେ ଭାରତରେ ସପ୍ତଦଶ ଲୋକସଭାର ପାଖାପାଖି ଅଧା ସଦସ୍ୟ ଅପରାଧିକ ପୃଷ୍ଠଭୂମିର। ଗଣତାନ୍ତ୍ରିକ ସଂସ୍କାର ସଂଗଠନର ତଥ୍ୟ ମୁତାବକ ସପ୍ତଦଶ ଲୋକସଭାରେ ନିର୍ବାଚିତ ୫୩୯ ଜଣ ସାଂସଦଙ୍କ ମଧ୍ୟରୁ ୨୩୩ ଜଣଙ୍କ ଉପରେ ଅପରାଧିକ ମାମଲା ଚାଲିଛି। ସେଥିମଧ୍ୟରୁ ୧୫୯ ଜଣଙ୍କ ଉପରେ ସାଙ୍ଘାତିକ ଅାପରାଧିକ ମାମଲା ଚାଲିଥିବା ଜଣାପଡିଛି। ତଥ୍ୟରୁ ଆହୁରି ମଧ୍ୟ ଜଣାପଡିଛି ଯେ, କେରଳରେ ୭୧%ରୁ ୨୭% ସାଙ୍ଘାତିକ, ତାମିଲନାଡୁରେ ୬୦%ରୁ ୨୫%, ପଶ୍ଚିମବଙ୍ଗରେ ୪୯%ରୁ ୩୯%, ପୁଡୁଚେରୀରେ ୪୩%ରୁ ୨୦% ଏବଂ ଆସାମରେ ୨୭%ରୁ ୨୨% ସାଙ୍ଘାତିକ ଅାପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି ବିଧାୟକ। ଏଭଳି ସ୍ଥଳେ ଏପରି ଜନପ୍ରତିନିଧିଙ୍କ ନେତୃତ୍ବରେ ଆମେ କେତେ ସୁରକ୍ଷିତ? ଦେଶରୁ ଦୁର୍ନୀତି, ଅପରାଧ, ଭୟ, ଶୋଷଣ, ଅତ୍ୟାଚାର ଏବଂ ଅସମାନତା ଦୂର ହେବ ତ? ଦେଶରେ ସୁସ୍ଥ ଓ ପ୍ରଗତିଶୀଳ ଗଣତନ୍ତ୍ର ପ୍ରତିଷ୍ଠା ହେବ ତ? ଏସବୁ ଉତ୍ତର ମିଳିବା କଷ୍ଟକର।

ସ୍ମରଣଯୋଗ୍ୟ ଯେ,ଭାରତରେ ଜନପ୍ରତିନିଧି ଆଇନ ୧୯୫୧ ମସିହାରେ ଅସ୍ତିତ୍ବକୁ ଆସିଲା। ସେଥିରେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲଠାରୁ ଆରମ୍ଭକରି ନିର୍ବାଚନ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ବିଷୟ ଉଲ୍ଲେଖ ରହିଛି। ଏହି ଆଇନର ଧାରା ୭ରୁ ୧୧ ମଧ୍ୟରେ ପ୍ରାର୍ଥୀଙ୍କ ଅଯୋଗ୍ୟତାର ଆଧାର ବିଷୟରେ ବର୍ଣ୍ଣନା କରାଯାଇଛି। ଆଇନର ଧାରା ୮ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କୁ ନିର୍ବାଚନ ଲଢିବାକୁ ରୋକିଥାଏ। ବ୍ୟତିକ୍ରମ ସ୍ବରୂପ ଯେଉଁମାନଙ୍କ ଉପରେ କେବଳ ମକଦ୍ଦମା ଚାଲିଛି ସେମାନେ ନିର୍ବାଚନ ଲଢିବା ପାଇଁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ଅଟନ୍ତି। ଧାରା ୮(କ) ଏବଂ (ଖ) ଅନ୍ତର୍ଗତ ଯଦି କୌଣସି ସାଂସଦ ବା ବିଧାୟକ ହତ୍ୟା, ବଳାତ୍କାର, ବେଆଇନ ଦ୍ରବ୍ୟ ବ୍ୟାପାର, ସମ୍ବିଧାନକୁ ଅପମାନ, ଆଇନ ଉଲ୍ଲଂଘନ ତଥା ଘୃଣାଯୁକ୍ତ ବକ୍ତବ୍ୟ ଦିଅନ୍ତି ଏବଂ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିନପାରିଲା ଭଳି ବ୍ୟବସ୍ଥା କରାଯାଇଛି। ଧାରା ୮(ଗ)ରେ ଲିପିବଦ୍ଧ ଅଛି ଯେ ଉପରୋକ୍ତ ଅପରାଧ ବ୍ୟତୀତ ଯଦି ଅନ୍ୟ କୌଣସି ଅପରାଧରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇ ଅତିକମରେ ଦୁଇବର୍ଷ କିମ୍ବା ତା’ଠାରୁ ଅଧିକ ଜେଲଦଣ୍ଡ ଶୁଣାଯାଇଛି ବା ଭୋଗିଛନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଦିନଠାରୁ ଅଯୋଗ୍ୟ ବୋଲି ଧରିନିଆଯିବ।

କେବଳ ସେତିକି ନୁହେଁ ଧାର୍ଯ୍ୟ ଦଣ୍ଡ ପୂରାକରିବା ଦିନଠାରୁ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯିବ। ସେଭଳି ଧାରା ୮(ଘ) ଅନୁସାରେ କୌଣସି ଦୋଷୀ ସାବ୍ୟସ୍ତ ସଦସ୍ୟ ଯଦି ନିମ୍ନ ଅଦାଲତର ଦଣ୍ଡାଦେଶ ବିରୁଦ୍ଧରେ ୩ ମାସ ମଧ୍ୟରେ ଉଚ୍ଚନ୍ୟାୟାଳୟରେ ଆବେଦନ କରନ୍ତି ତେବେ ଉକ୍ତ ସଦସ୍ୟ ଜଣକ ନିଜ ଆସନକୁ ବଜାୟ ରଖିପାରିବେ। ବ୍ୟତିକ୍ରମ ସ୍ବରୂପ ୨୦୧୩ର ଲିଲି ଥୋମାସ ବନାମ ଭାରତ ସଂଘ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଧାରାକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ୨୦୧୮ ମସିହାରେ ତତ୍କାଳୀନ ପ୍ରଧାନ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ପୀଠ ଦର୍ଶାଇଥିଲେ ଯେ; ଯଦି ଅଦାଲତ ଦୋଷସିଦ୍ଧି ଉପରେ ସ୍ଥଗିତାଦେଶ ଦେଇଦିଅନ୍ତି ତେବେ ସାଂସଦ ଅବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ।

କହିବା ବାହୁଲ୍ୟ ଯେ, ଭାରତୀୟ ନ୍ୟାୟପାଳିକାରେ ପ୍ରାୟ ୩କୋଟି ମାମଲା ଦୀର୍ଘଦିନ ହେବ ପଡ଼ିରହିଛି। ବର୍ତ୍ତମାନ ଏବଂ ପୂର୍ବତନ ବିଧାୟକ ତଥା ସାଂସଦଙ୍କ କଥା ଦେଖିବା ତେବେ ସେମାନଙ୍କ ବିରୁଦ୍ଧରେ ୪୮୫୯ଟି ମାମଲା ପଡିରହିଛି। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ଦୋଷୀସାବ୍ୟସ୍ତ ହେବାକୁଥିବା ବ୍ୟକ୍ତି ଏହାର ଫାଇଦା ଉଠାଇ କ୍ରମାଗତ ନିର୍ବାଚନ ଲଢୁଛନ୍ତି। ରାଜନୈତିକ ଦଳର କ୍ଷମତା ହାତେଇବା ଲୋଭ ମଧ୍ୟ ରାଜନୀତିରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ। ଏଥିପାଇଁ ଆମ ଦେଶରେ ଆଇନ ଉଲ୍ଲଙ୍ଘନକାରୀ ଆଇନ ନିର୍ଦ୍ଧାରଣକାରୀ ହେଉଛନ୍ତି। ଆଉ ତା’ ପରବର୍ତ୍ତୀ ଚିତ୍ର ଆଜି ଆମ ସାମ୍ନାରେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ କ୍ରମେ ନିର୍ବାଚନକୁ ଅଧିକ ସ୍ୱଚ୍ଛ କରିବା ପାଇଁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଇଭିଏମରେ ‘ନୋଟା’ ଉପଲବ୍ଧ କରାଗଲା। ଗଣତାନ୍ତ୍ରିକ ସଂସ୍କାର ସଂଗଠନର ଏକ ତଥ୍ୟରୁ ଜଣାପଡିଛି; ଗତ ପାଞ୍ଚ ବର୍ଷ (୨୦୧୮-୨୦୨୨) ମଧ୍ୟରେ ହୋଇଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ନୋଟାକୁ ୧.୨୯ କୋଟି ଭୋଟ ମିଳିଛି। ଉକ୍ତ ସଙ୍ଗଠନ କହିଛି ଯେ, ଯଦି କୈାଣସି ନିର୍ବାଚନ ମଣ୍ଡଳୀରେ ଲଢ଼ିଥିବା ପ୍ରାର୍ଥୀଙ୍କ ତୁଳନାରେ ନୋଟାକୁ ଅଧିକ ଭୋଟ ଯାଇଛି ତେବେ ସେଠି କାହାକୁ ମଧ୍ୟ ବିଜୟୀ ଘୋଷଣା କରିବା ଅନୁଚିତ। ଏଥିସହ ପରବର୍ତ୍ତୀ ନିର୍ବାଚନରେ ଉକ୍ତ ପ୍ରାର୍ଥୀମାନଙ୍କୁ ଲଢ଼ିବାକୁ ସୁଯୋଗ ଦିଆଯିବା ଅନୁଚିତ। ଆହୁରି ମଧ୍ୟ କୁହାଯାଇଛି ଯେ, ୩ କିମ୍ବା ତଦୂର୍ଦ୍ଧ୍ବ ଅପରାଧୀ ରେକର୍ଡଧାରୀ ପ୍ରାର୍ଥୀ ଥିବା ନିର୍ବାଚନ ମଣ୍ଡଳୀରେ ନୋଟାକୁ ଅଧିକ ଭୋଟ ଯାଇଛି। ସେ ସଂକ୍ରାନ୍ତରେ ବାରମ୍ବାର ତଥ୍ୟ ପ୍ରକାଶ ହେଲାପରେ ବି ସ୍ଥିତିରେ ସୁଧାର ନ ଆସିବା ପରିତାପର ବିଷୟ।

ଦେଖାଯାଇଛି ଯେ, ରାଜନୈତିକ ଦଳଗୁଡ଼ିକ ନିଜ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, ବୈବାହିକ ତଥ୍ୟ ଆଦିକୁ ସତ୍ୟପାଠରେ ପ୍ରାୟତଃ ଠିକ୍‌ ଭାବେ ପ୍ରକାଶ କରୁନାହାନ୍ତି। ପ୍ରାର୍ଥୀ ଦେବାର ଯଥାର୍ଥ କାରଣ ମଧ୍ୟ କୌଣସି ଗଣମାଧ୍ୟମରେ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ଜନତାଙ୍କ ଜାଣିବା ଅଧିକାର କ୍ଷୁଣ୍ଣ ହେଉଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଫଳରେ ଲୋଭୀ, ଦୁର୍ନୀତିଗ୍ରସ୍ତ, ଅପରାଧୀଙ୍କ ପ୍ରଭାବ ବଢ଼ି ଚାଲିଛି। ପ୍ରଶ୍ନ ଉଠୁଛି ଯେ ଭାରତ ଭଳି ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶରେ ଏକ ସ୍ବଚ୍ଛ ଶାସନ ପ୍ରତିଷ୍ଠାକୁ ଅଣଦେଖା କରି ଦଳୀୟ ମୁଖିଆମାନେ ନିର୍ବାଚନ ସମୟରେ ଦଳୀୟ ଟିକେଟ୍ ଦେବାବେଳେ ଏତେ ଅଗଣତାନ୍ତ୍ରିକ ମନୋଭାବ ପ୍ରଦର୍ଶନ କରୁଛନ୍ତି କାହିଁକି? ଏହା ନିଶ୍ଚିତ ରୂପେ ଗଣତନ୍ତ୍ର ପାଇଁ ସତର୍କ ଘଣ୍ଟି।
ଗଣତନ୍ତ୍ରକୁ ବଞ୍ଚାଇବା ଆମ ସମସ୍ତଙ୍କ ପରମ ଧର୍ମ। ଏଠି ଜନତା ଜନାର୍ଦନ ସର୍ବେସର୍ବା। ଜନତା ସଚ୍ଚୋଟ ହେଲେ ନେତା ସଚ୍ଚୋଟ ହେବେ ଆଉ ନେତା ସଚ୍ଚୋଟ ହେଲେ ଜନତା ସଚ୍ଚୋଟ ହେବେ। ଶାସନ ଠିକ୍ ଚାଲିବ। ଏଥିପାଇଁ ଆଶାକରିବା ଯେ, ଆଗାମୀ ଦିନରେ ଜନତାଙ୍କୁ ଉତ୍ତମ ଶାସନ ଦେବା ପାଇଁ ପ୍ରତ୍ୟେକ ଦଳ ପ୍ରତିଶ୍ରୁତିବଦ୍ଧ ହେବେ। ଅପରାଧୀମୁକ୍ତ ରାଜନୀତି ପାଇଁ ସବୁ ରାଜନୈତିକ ଦଳ ଦୃଢ଼ପରିକର ହେବେ। ମାମଲାଗୁଡ଼ିକର ତ୍ୱରିତ ଶୁଣାଣିର ବ୍ୟବସ୍ଥା ହେବା ଦରକାର। ସର୍ବୋପରି ଜନସାଧାରଣଙ୍କୁ ଏ ଦିଗରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ।

Comments are closed.