ଗୋଟିଏ ସହରର ମନ୍ଦିର ଉପରେ ବସା ବାନ୍ଧି ରହିଥିବା ପାରାମାନେ ଉଡି ଉଡି ଯାଇ ମସଜିଦ ଉପରେ ବସିଥାନ୍ତି ଆଉ ମସଜିଦ ଉପରେ ବସାବାନ୍ଧି ରହିଥିବା ପାରାମାନେ ଚର୍ଚ୍ଚ ଓ ଗୁରୁଦ୍ୱାର ଉପରେ ବସିଥାନ୍ତି। ଏହି ପାରାମାନଙ୍କୁ ଉସୁକେଇବା ପାଇଁ ତାଙ୍କର କୌଣସି ନେତା ନ ଥାନ୍ତି; ତେଣୁ ମନ୍ଦିରର ପାରା ମସଜିଦ ପାରାମାନଙ୍କୁ ଘଉଡ଼େଇ ନଥାନ୍ତି କି ଚର୍ଚ୍ଚର ପାରା ଗୁରୁଦ୍ୱାର ପାରାମାନଙ୍କୁ ଘଉଡ଼ାଇ ନଥାନ୍ତି। ପାରାମାନଙ୍କ ଭିତରେ ଯଦି କୌଣସି ଧର୍ମକୁ ନେଇ ଘୃଣା ଓ ଭେଦଭାବ ନାହିଁ ତେବେ ମନୁଷ୍ୟମାନଙ୍କ ଭିତରେ ଏତେ କାହିଁକି? ଏହାର କାରଣ ହେଉଛି ପାରାମାନଙ୍କର ପକ୍ଷୀଧର୍ମ ବ୍ୟତୀତ ଆଉ କୌଣସି ଧର୍ମ ନାହିଁ ଏବଂ ଏହି ଧର୍ମ ବର୍ତ୍ତମାନ ସଙ୍କଟାପନ୍ନ ବୋଲି ଚେତେଇଦେବାକୁ ତାଙ୍କର କୌଣସି ଧାର୍ମିକ ନେତା ନାହିଁ।
ଗୋଟିଏ କାଚ ଡବା ଭିତରେ କିଛି ନାଲି ଓ କଳା ରଙ୍ଗର ପିମ୍ପୁଡି ନେଇ ଛାଡି ଦିଅନ୍ତୁ। ଆପଣ ଦେଖିବେ ସେମାନେ ଭିନ୍ନ ରଙ୍ଗର ହେଲେ ମଧ୍ୟ ଡବା ଭିତରେ ଶୃଙ୍ଖଳାର ସହିତ ଚାଲୁଥିବେ। ଟିକିଏ ଡବାଟିକୁ ହଲେଇ ଦିଅନ୍ତୁ। ଫଳରେ କଳା ପିମ୍ପୁଡି ନାଲି ପିମ୍ପୁଡି ଉପରେ ଓ ନାଲି ପିମ୍ପୁଡି କଳା ପିମ୍ପୁଡି ଉପରେ ପଡିଯିବେ। ତେଣିକି ପରସ୍ପରକୁ ଆକ୍ରମଣ କରୁଛନ୍ତି ବୋଲି ଭାବି କଳା ଓ ନାଲି ପିମ୍ପୁଡିଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବ। ପ୍ରଶ୍ନ ଉଠେ ଏ ଡବାଗୁଡିକୁ ହଲଉଛନ୍ତି କିଏ? ପିମ୍ପୁଡିମାନଙ୍କୁ ଉସୁକଉଛନ୍ତି କିଏ? ଯେଉଁମାନେ ହଲଉଛନ୍ତି ସେମାନେ କାଚ ବାହାର ଭିତରେ ରହି ନାଟକ ଦେଖୁଛନ୍ତି। ମରୁଛନ୍ତି ବିଚରା କଳା ଓ ନାଲି ପିମ୍ପୁଡି। ଆଜିଯାଏ ଆମର ଯେତେ ଧାର୍ମିକ ଦଙ୍ଗା ହୋଇଛି, କେବେ କୌଣସି ନେତାଙ୍କୁ ମୃତ୍ୟୁବରଣ କରିବାର ଦେଖିଛନ୍ତି? ଖବରକାଗଜରେ ପ୍ରକାଶ ପାଉଛି ଯେ ସହରରେ ଦଙ୍ଗା ହୋଇ ପଚାଶ ଜଣ ଆହତ ଓ ଦଶ ଜଣ ମୃତ୍ୟୁ ବରଣ କରିଛନ୍ତି। ନେତା କେବଳ କେତେଦିନ ପାଇଁ ଗିରଫ ହୋଇ ଜେଲ ଯାଉଛନ୍ତି, ପୁଲିସ ଭ୍ୟାନରେ ବସିଲା ବେଳେ ଧାର୍ମିକ ସ୍ଲୋଗାନ ଦେଉଛନ୍ତି ଓ ପରେ ମୁକୁଳିଯାଇ ପୁଣି ଡବା ହଲେଇବାକୁ ନିର୍ଦ୍ଦେଶ ଦେଉଛନ୍ତି।
ଆପଣମାନେ ମସଜିଦ ଉପରେ ଡାକବାଜି ଯନ୍ତ୍ର ଲଗେଇ ଆଜାନ ପଢୁଛନ୍ତି। ଆମେ ମଧ୍ୟ ମନ୍ଦିର ଉପରେ ଡାକବାଜି ଯନ୍ତ୍ର ଲଗେଇ ହନୁମାନ ଚାଳିଶା ପଢିବୁ। ଏଠାରେ ଗୋଟିଏ ପ୍ରଶ୍ନ ଉଠେ। ଆଲ୍ଲା ହୁଅନ୍ତୁ କି ପ୍ରଭୁ ହନୁମାନ ହୁଅନ୍ତୁ ଏମାନଙ୍କର କ’ଣ ଶ୍ରବଣ ସମସ୍ୟା ଅଛି? ଏମାନେ କ’ଣ କାଲା ହୋଇଗଲେ ଯେ ଏମାନଙ୍କୁ ଡାକବାଜି ଯନ୍ତ୍ର ଲଗେଇ ଶୁଣେଇବାକୁ ପଡୁଛି। ଏହା ଦ୍ୱାରା ହେଉଛି କ’ଣ ? ଏହାର ସପକ୍ଷ ଓ ବିପକ୍ଷରେ ବିଭିନ୍ନ ନେତାମାନଙ୍କ ଭାଷଣ ଲୋକମାନଙ୍କୁ ଏତେ ଉତ୍ତେଜିତ କରିପକାଉଛି ଯେ ସାଧାରଣ ଜନତା ଧର୍ମ ରକ୍ଷା ନିମନ୍ତେ ଉତ୍ତ୍ୟକ୍ତ ହୋଇପଡି ରକ୍ତାକ୍ତ ସଂଘର୍ଷ କରି ମୃତ୍ୟୁବରଣ କରୁଛନ୍ତି। ମନେ ରଖନ୍ତୁ କେବଳ ପିମ୍ପୁଡିମାନେ ହିଁ ମରୁଛନ୍ତି। ଯେଉଁମାନେ ଡବା ହଲଉଛନ୍ତି ସେମାନେ ପିମ୍ପୁଡିମାନଙ୍କ ଯୁଦ୍ଧରୁ ଆନନ୍ଦ ଉପଭୋଗ କରୁଛନ୍ତି। ଡବା ହଲେଇବା ବାଲାର ମୃତ୍ୟୁ ହୁଏ ନାହିଁ; ଆଉ ଯେଉଁମାନଙ୍କର ମୃତ୍ୟୁ ହୁଏ ସେମାନେ ତାଙ୍କର ମୃତ୍ୟୁର ପ୍ରକୃତ କାରଣ କ’ଣ ମଧ୍ୟ ଜାଣିପାରନ୍ତି ନାହିଁ।
ଆଜିକାଲି ବିଭିନ୍ନ ଧର୍ମକୁ ଉସୁକେଇବା ପାଇଁ ସାମାଜିକ ଗଣମାଧ୍ୟମ ପ୍ରତ୍ୟହ ବିଭିନ୍ନ ପ୍ରକାର ଅମୋଘ ଅସ୍ତ୍ର ଯୋଗେଇ ଆସୁଛି। ‘ହୁସିଆର, ଆପଣଙ୍କ ଧର୍ମ ବର୍ତ୍ତମାନ ସଙ୍କଟରେ।’ ବିଭିନ୍ନ ଧର୍ମର ବକ୍ତବ୍ୟ ଅନେକ ଚିତ୍ର ଓ ଘଟଣାବଳୀ ସହିତ ଏପରି ଉପସ୍ଥାପନା କରାଯାଉଛି ଯେ ଏହା କୌଣସି ସାଧାରଣ ଲୋକଟିଏ ତିଆରି କରିବା ସମ୍ଭବପର ନୁହେଁ। ଏଥିନିମନ୍ତେ ବିଭିନ୍ନ ଧର୍ମର ନେତୃବୃନ୍ଦ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପେସାଦାର କଳାକାରମାନଙ୍କ ସାହାଯ୍ୟରେ ବିଭିନ୍ନ ଚିତ୍ରକୁ କାଟି ଯୋଡି ଏପରି ଉପସ୍ଥାପନ କରୁଛନ୍ତି ଯେ ଏହାକୁ ଦେଖିଲା ମାତ୍ରେ ନିରୀହ ସାଧାରଣ ଲୋକଟିର ରକ୍ତ ତାତି ଉଠୁଛି ଓ ସେ ନିଜ ଦେଶ, ଜାତି ଓ ଧର୍ମ ରକ୍ଷା ନିମନ୍ତେ ଆତ୍ମବଳି ଦେବାକୁ ପ୍ରସ୍ତୁତ ହୋଇଯାଉଛି।
ଏହିଠାରେ ବିଖ୍ୟାତ ହିନ୍ଦୀ ଲେଖକ ହରିଶଙ୍କର ପରସାଇଙ୍କର ଗଳ୍ପଟିଏ ମନେ ପଡ଼େ। ଥରେ ଗୋଟିଏ ନଉକାରେ ଅନେକ ଲୋକ ବସି ଯାତ୍ରା କରୁଥିଲେ। ଯାତ୍ରୀମାନଙ୍କ ଭିତରେ ଅନେକ ଡାକ୍ତର, ଇଂଜିନିୟର, ଓକିଲ, ବ୍ୟବସାୟୀ ଓ ନେତାଙ୍କ ବ୍ୟତୀତ ଜଣେ ସାଧାରଣ ଲୋକଟିଏ ଥିଲା। ମଝି ନଈରେ ହଠାତ୍ ନାଉରି କହିଲା ‘ଆଜ୍ଞା, ନୌକାର ଓଜନ ବହୁତ ଅଧିକ ହୋଇଯାଉଛି। ଯଦି ଜଣେ କି ଦୁଇଜଣ ନ କମନ୍ତି ତେବେ ନୌକାଟି ନିଶ୍ଚୟ ବୁଡିଯିବାର ସମ୍ଭାବନା ଅଛି।’ କ’ଣ କରାଯିବ? କାହାକୁ ନଉକାରୁ ଓହ୍ଲାଇ ଯିବାକୁ କୁହାଯିବ? ସମସ୍ତେ ସାଧାରଣ ଲୋକଟିକୁ ଚାହିଁଲେ। ସେ ହୁଏ ତ ପହଁରା ଜାଣିଥିବ ଓ ପହଁରି ପହଁରି ନଈପାର ହୋଇଯିବ। ସାଧାରଣ ଲୋକଟି କିନ୍ତୁ ରୋକ୍ଠୋକ୍ ମନା କରିଦେଇ କହିଲା ‘ମୋତେ ଆଜ୍ଞା, ପହଁରା ଜଣା ନାହିଁ। ମୁଁ ବୁଡିଯିବି। ମୁଁ କାହିଁକି ଡେଇଁବି?’ ସାଧାରଣ ଲୋକଟି ତା ଜିଦ୍ରେ ଅଟଳ ରହିବାରୁ ସମସ୍ତେ ଉପସ୍ଥିତ ଥିବା ନେତାଙ୍କ ପାଖକୁ ଗଲେ ଓ କହିଲେ ‘ଆଜ୍ଞା ଲୋକଟି ଆମ କଥା ଆଦୌ ଶୁଣୁନାହିଁ। ଆମେ ଭାବୁଛୁ ତାକୁ ଜବରଦସ୍ତ ଟେକି ନଦୀକୁ ଫିଙ୍ଗି ଦେବୁ ନଚେତ୍ ଆମେ ସମସ୍ତେ ବୁଡି ମରିଯିବୁ।’
ନେତା କହିଲେ ‘ନା’ ଏହା ଅନ୍ୟାୟ। ସେ ଜଣେ ସାଧାରଣ ମଣିଷ ହୋଇପାରେ କିନ୍ତୁ ତାକୁ ଜବରଦସ୍ତ ଟେକି ଫିଙ୍ଗିଦେବା ଘୋର ଅନ୍ୟାୟ ହେବ। ତୁମେମାନେ ସମସ୍ତେ ତାକୁ ନେଇ ଏକାଠି ମୋ ପାଖରେ ବସ।’ ସମସ୍ତେ ଏକାଠି ବସିଲା ପରେ ନେତା ଏକ ଆବେଗପୂର୍ଣ୍ଣ ଭାଷଣ ଦେବା ଆରମ୍ଭ କରିଦେଲେ ଯେଉଁଥିରେ, ରାଷ୍ଟ୍ର, ଇତିହାସ, ଧର୍ମ ଓ ପରମ୍ପରାର ଗୁଣଗାନ କରି ନିଃସ୍ୱାର୍ଥପର ଭାବରେ ଆତ୍ମବଳି ଦେବାପାଇଁ ଆହ୍ୱାନ କରି କହିଲେ ‘ବନ୍ଧୁଗଣ, ଆମ ନୌକା ଆଜି ସଂକଟରେ। ଆମେ ମୃତ୍ୟୁବରଣ କରିବା ସିନା, କିନ୍ତୁ ଆମର ଏହି ନୌକାଟିକୁ ଆଦୌ ବୁଡିବାକୁ ଦେବା ନାହିଁ। ଆସନ୍ତୁ ବର୍ତ୍ତମାନ ସମୟ ଆସିଯାଇଛି ଆମେ ମରିଯିବା ପଛେ ଆମର ଏହି ନୌକାକୁ ବୁଡିବାକୁ ଦେବାନାହିଁ……ବୁଡିବାକୁ ଦେବାନାହିଁ……ବୁଡିବାକୁ ଦେବାନାହିଁ……ା’ ନେତାଙ୍କର ଏହିପରି ଓଜସ୍ୱିନୀ ଭାଷଣ ଶ୍ରବଣ କରି ସରଳ ସାଧାରଣ ଲୋକଟି ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଲା ଓ ନଦୀକୁ ଡେଇଁ ପଡିଲା।


