www.samajalive.in
Sunday, December 14, 2025
26.1 C
Bhubaneswar

ଦାରିଦ୍ର୍ୟ ଆକଳନରେ ଦ୍ବନ୍ଦ୍ବ

ସମ୍ପ୍ରତି ଭାରତରେ ଚରମ ଦାରିଦ୍ର୍ୟ(ଏକ୍ସଟ୍ରିମ ପୋଭର୍ଟି)କୁ ନେଇ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଭିନ୍ନଭିନ୍ନ ତଥ୍ୟ ପ୍ରକାଶ କରିବାରୁ, ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବାସ୍ତବରେ ଦାରିଦ୍ର୍ୟ ସମ୍ପର୍କିତ ତଥ୍ୟ ଆଇଏମଏଫ ବା ବିଶ୍ବବ୍ୟାଙ୍କର ନିଜସ୍ବ ନୁହେଁ; ଏହାକିଛି ଅର୍ଥନୀତିଜ୍ଞମାନଙ୍କ ଦ୍ବାରା ପ୍ରକାଶିତ ନିବନ୍ଧ। ଆଇଏମ୍ଏଫ୍ ପେପରକୁ ସୁରଜିତ ଏସ ଭାଲା, ଅରବିନ୍ଦ ଭିର୍ମାନୀ ଏବଂ ନ୍ୟୁୟର୍କର ଗବେଷକ କରଣ ବାସିନ ପ୍ରସ୍ତୁତ କରିଥିଲାବେଳେ ବିଶ୍ବବ୍ୟାଙ୍କ ତରଫରୁ ପ୍ରକାଶିତ ‘ପେପର’କୁ ବିଶ୍ୱ ବ୍ୟାଙ୍କର ଅର୍ଥନୀତିଜ୍ଞ ସୂତାର ସିହ୍ନା ରୟ ଏବଂ ରୟ ଭ୍ୟାନ୍ ଡେ ୱାଇଡ୍ ପ୍ରସ୍ତୁତ କରିଛନ୍ତି ।

ଭାରତରେ ଦାରିଦ୍ର୍ୟ ଜାତୀୟ ନମୁନା ସର୍ବେକ୍ଷଣ (ଏନ୍ଏସଏସଓ) ବା ଉପଭୋକ୍ତା ପରିବ୍ୟୟକୁ ଭିତ୍ତିକରି ଯୋଜନା ଆୟୋଗ ଦାରିଦ୍ର୍ୟ ଆକଳନ କରୁଥିଲେ । ୨୦୧୧-୧୨ ପରେ ଆଉ ଆଧିକାରିକ ତଥ୍ୟ ପ୍ରକାଶ ପାଇନି ଏବଂ ଯୋଜନା ଆୟୋଗର ବିଲୟ ଘଟି ନିତି ଆୟୋଗ ପ୍ରତିଷ୍ଠା କରାଯାଇଛି । ୨୦୧୭-୧୮ରେ ଯେଉଁ ସର୍ବେକ୍ଷଣ ହୋଇଥିଲା ସେଥିରେ ଗତ ୬ ବର୍ଷରେ ଉପଭୋକ୍ତା ପରିବ୍ୟୟକୁ ୩.୭% ହ୍ରାସ ପାଇଛି ବୋଲି ପ୍ରଘଟ ହୋଇଥିବା ତଥ୍ୟରୁ ଜଣାପଡିଥିଲା । ଏହି ତଥ୍ୟକୁ ଭିତ୍ତିକରି ଦାରିଦ୍ର୍ୟ ଆକଳନ କରିଥିଲେ, ଦାରିଦ୍ର୍ୟ ଅଧିକ ହେବବୋଲି ଏହାକୁ ଆଉ ପ୍ରକାଶ କରାଗଲା ନାହିଁ ।

- Advertisement -

ଅନ୍ତର୍ଜାତୀୟ ସଂସ୍ଥା ଦ୍ବାରା ଯେଉଁ ଦାରିଦ୍ର୍ୟ ଆକଳନ ହୁଏ ତାହା ବିଭିନ୍ନ ଦେଶରେ ଡଲାର ବିନିମୟ ମୂଲ୍ୟ ନୁହେଁ ପରଚେଜିଂ ପାୱାର୍ ପ୍ୟାରିଟି (ପିପିପି) ବା କ୍ରୟ ଶକ୍ତି ସମତା ଦୃଷ୍ଟିରୁ ସ୍ଥିର ହୁଏ। ଉଦାହରଣ ସ୍ୱରୂପ କିଛି ନିର୍ଦିଷ୍ଟ ଦ୍ରବ୍ୟ ଓ ସେବାର ମୂଲ୍ୟ ଆମେରିକାରେ ୧ ଡଲାର ହୋଇଥିଲାବେଳେ ଅନ୍ୟ ଦେଶରେ କେତେ । ବର୍ତ୍ତମାନର ଭାରତରେ ଡଲାର୍‌ ୧ ବିନିମୟ ମୂଲ୍ୟ ୭୬ ଟଙ୍କା ଥିବାବେଳେ କ୍ରୟ ଶକ୍ତି ସମତା ଦୃଷ୍ଟିରୁ ୧ ଡଲାର ମୂଲ୍ୟ ୨୧.୬୦ ଟଙ୍କା । ଏହାର ଅର୍ଥ କିଛି ନିର୍ଦିଷ୍ଟ ଦ୍ରବ୍ୟ ଓ ସେବାର ମୂଲ୍ୟ ଆମେରିକାରେ ୧ ଡଲାର ହୋଇଥିଲାବେଳେ, ଭାରତରେ ତାହାର ମୂଲ୍ୟ ୨୧.୬୦ ଟଙ୍କା । ବିଶ୍ବବ୍ୟାଙ୍କ ଅନୁଯାୟୀ ଯଦି ଜଣକର ଆୟ ଦୈନିକ ୧.୯୦ ଡଲାର(ପିପିପି) (ଭାରତରେ ବିନିମୟ ମୂଲ୍ୟରେ ୧୪୪ ଟଙ୍କା ହୋଇଥିଲାବେଳେ କ୍ରୟ ଶକ୍ତି ସମତା ଦୃଷ୍ଟିରୁ ୪୧.୦୪ ଟଙ୍କା ପାଖାପାଖି) ଠାରୁ କମ୍, ତେବେ ସେ ଚରମ ଦାରିଦ୍ର୍ୟ ସୀମାରେଖା ତଳେ ଅଛି ।

ଆଇଏମଏଫ ପେପରରେ ଜାତୀୟ ଆକାଉଣ୍ଟସ୍‌ ପରିସଂଖ୍ୟାନର ଘରୋଇ ଅନ୍ତିମ କଞ୍ଜମ୍ପସନ ଖର୍ଚ୍ଚ ତଥ୍ୟ ବ୍ୟବହାର କରାଯାଇଛି। ସେହି ତଥ୍ୟ ଅନୁସାରେ ଭାରତରେ ଚରମ ଦାରିଦ୍ର୍ୟ ହାର ୨୦୧୯ରେ ମାତ୍ର ୦.୮%, ଅର୍ଥାତ୍‌ ସଂପୂର୍ଣ୍ଣ ବିଲୋପ ହୋଇଯାଇଛି। ପେପର ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଚରମ ଦାରିଦ୍ର୍ୟର ବୃଦ୍ଧିକୁ ରୋକିବାରେ ସହାୟକ ହୋଇଛି ଓ ଖାଦ୍ୟ ହ୍ୟାଣ୍ଡଆଉଟ୍ ପରି କାର୍ଯ୍ୟ କରି ଦାରିଦ୍ର୍ୟର ବିଲୋପ ଘଟାଇଲା ।
ବିଶ୍ବ ବ୍ୟାଙ୍କ ପେପରରେ ସେଣ୍ଟର ଫର ମନିଟରିଂ ଅଫ୍‌ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ)ର ଗ୍ରାହକ ପିରାମିଡ୍ ପାରିବାରିକ ସର୍ବେକ୍ଷଣ (ଯାହା ୨୦୧୪ରୁ ପ୍ରକାଶ ପାଉଛି)ର ତଥ୍ୟ ବ୍ୟବହାର କରିଛନ୍ତି । ଏହି ତଥ୍ୟ ଅନୁଯାୟୀ ଭାରତରେ ଚରମ ଦାରିଦ୍ର୍ୟ ହାର ୨୦୧୧ ରେ ୨୨.୫% ଥିଲା, ଯାହା ୧୨.୩% ହ୍ରାସପାଇ ୨୦୧୯ ରେ ୧୦.୨% ରେ ପହଞ୍ଚିଛି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସ୍ତର ୧୧.୬%କୁ ହ୍ରାସ ପାଇଥିବାବେଳେ, ସହରାଞ୍ଚଳରେ ୬.୩ %କୁ ହ୍ରାସ ପାଇଛି। ବିମୁଦ୍ରାୟନ ସମୟରେ ସହରାଞ୍ଚଳରେ ଦାରିଦ୍ର୍ୟ ୨% ବୃଦ୍ଧି ପାଇଛି ଏବଂ ୨୦୧୯ ଆର୍ଥିକ ଅଭିବୃଦ୍ଧି ମନ୍ଥର ହେବା ଯୋଗୁଁ ଗ୍ରାମାଞ୍ଚଳର ଦାରିଦ୍ର୍ୟ ବୃଦ୍ଧି ପାଇଛି; କିନ୍ତୁ ଉଭୟ ପେପରର ମତ ଯେ ବ୍ୟୟ ବୈଷମ୍ୟ ହ୍ରାସ ପାଇଛି; କିନ୍ତୁ ପେପରରେ ଉଲ୍ଲେଖ ହୋଇନାହିଁ ଯେ ଆୟ ଓ ସମ୍ପଦ ବୈଷମ୍ୟ ବୃଦ୍ଧି ପାଇଛି । ଭାରତରେ ୧% ଜନତା ଦେଶର ସମ୍ପଦର ୩୩% ଏବଂ ଜାତୀୟ ଆୟର ୨୧.୭% ଅଧିକାରୀ। ମହାମାରୀ ସମୟରେ ଅରବପତିଙ୍କ ସମ୍ପଦ ଦୁଇ ଗଣୁରୁ ଅଧିକ ବୃଦ୍ଧି ପାଇଛି ।

ଆଇଏମ୍ଏଫ୍ ପେପରଟି ଭାରତର ଅଧିକାରୀଙ୍କ ଦ୍ବାରା ଲେଖା ହୋଇଛି, ଯେଉଁମାନେ କମ୍ ଦାରିଦ୍ର୍ୟ ଦେଖାଇ ଭାରତ ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଥାଇପାରନ୍ତି । ପୁନଶ୍ଚ ଏମାନେ ଯେଉଁ ଜାତୀୟ ଆକାଉଣ୍ଟ ତଥ୍ୟକୁ ଭିତ୍ତିକରି ଆକଳନ କରିଛନ୍ତି, ତାହାର ସ୍ୱଚ୍ଛତା ଉପରେ ଅନେକ ଥର ପ୍ରଶ୍ନ ଉଠିଛି, ଏପରି କି ଅରବିନ୍ଦ ସୁବ୍ରମଣ୍ୟମ୍ ମଧ୍ୟ ପ୍ରଶ୍ନ କରିଥିଲେ। ଆଇଏମ୍ଏଫ୍ ପେପରରେ ଦାରିଦ୍ର୍ୟ ଆକଳନ ବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବଙ୍କୁ ଦିଆଯାଉଥିବା ସହାୟତାର ପରିମାଣକୁ ଯୋଗ କରି ଚରମ ଦାରିଦ୍ର୍ୟର ବିଲୋପ କଥା କୁହାଯାଇଛି ; କିନ୍ତୁ ପୂର୍ବ ସରକାର ଅମଳରେ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଇ ଏପରି ସୁବିଧା ଯୋଗାଇ ଦିଆଯାଇଛି; କିନ୍ତୁ ତାହା ଦାରିଦ୍ର୍ୟ ଆକଳନବେଳେ କେବେ ବିଚାର କରାଯାଇ ନାହିଁ। ୨୦୨୨-୨୩ ବଜେଟରେ ଖାଦ୍ୟ ରିଆତି ହ୍ରାସ କରାଯାଇଛି । ପୁନଶ୍ଚ ଗୋଟିଏ ପଟେ ଖାଦ୍ୟ ହ୍ୟାଣ୍ଡଆଉଟ୍ ଦିଆଗଲାବେଳେ ଯେତିକି ଲାଭ ହୋଇଛି, ଅପର ପକ୍ଷରେ ପରୋକ୍ଷ କର, ଇନ୍ଧନ ଟିକସ ମାଧ୍ୟମରେ ଅଧିକ ରାଜସ୍ବ ଆଦାୟ, ଅତ୍ୟାବଶ୍ୟକ ସାମଗ୍ରୀ ଦର, ମୁଦ୍ରାସ୍ଫୀତିରେ ଅହେତୁକ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ଅପହଞ୍ଚ ହେବା, ବେକାରୀ ଉଗ୍ର ରୂପ ନେବା ଯୋଗୁଁ ଲୋକଙ୍କର କ୍ରୟଶକ୍ତି ବେଶୀ ହ୍ରାସ ପାଇଛି ଏବଂ ଦାରିଦ୍ର୍ୟ ବୃଦ୍ଧି ପାଉଛି । ଏହା ହୋଇନଥିଲେ ଗରିବ କଲ୍ୟାଣ ଅନ୍ନ ଯୋଜନାର ଆବଶ୍ୟକତା ପଡି ନଥାନ୍ତା ।

ପୁନଶ୍ଚ ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ନିମ୍ନରେ ରହିବା ସୂଚାଉଛି ଯେ ଭାରତରେ ଦାରିଦ୍ର୍ୟ ବ୍ୟାପକ । ବିଶ୍ବରେ ପ୍ରାୟ ୧୩୦ କୋଟି ଜନତା ବହୁମୁଖୀ ଦାରିଦ୍ର୍ୟ ଦ୍ବାରା କବଳିତ ହୋଇଥିଲାବେଳେ, ଭାରତରେ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୭.୯% । ନିତି ଆୟୋଗ ଅନୁସାରେ ଏହା ୨୫.୧%। ବିଶ୍ବରେ ୮୧.୧କୋଟି କ୍ଷୁଧାରେ ଜର୍ଜରିତ ହେଲାବେଳେ ଭାରତରେ ୧୯.୪୪ କୋଟି କ୍ଷୁଧାରେ ପୀଡିତ । ବିଶ୍ୱର ସବୁଠାରୁ କ୍ଷୁଧାଗ୍ରସ୍ତ ୧୦୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୪ ରହିଥିଲା; ଯାହା ଫଳରେ ଦେଶର ୧୪% ମଣିଷ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ପର୍ଯ୍ୟାପ୍ତ ପୁଷ୍ଟିର ଅଭାବରେ ୩୭% ଶିଶୁଙ୍କ ଶାରୀରିକ ବିକାଶ ବାଧିତ ହେଉଛି। ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟରରୁ ଜଣାପଡିଛି ଯେ ମହାମାରୀର ପ୍ରଥମ ତରଙ୍ଗ ପ୍ରଭାବରେ ୨୦୨୦ରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା (ଦିନକୁ ଆୟ ୨ ଡଲାର କିମ୍ବା ତା’ଠାରୁ କମ୍) ୭.୫ କୋଟି ବୃଦ୍ଧି ପାଇଛି। ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ସଂଖ୍ୟା ୩.୨ କୋଟି ହ୍ରାସ ପାଇଥିବା ଅନୁମାନ କରାଯାଉଛି ।

ମହାମାରୀ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଛନ୍ତି, କୋଟି କୋଟି ଲୋକ ଜୀବିକା ହରାଇଛନ୍ତି, ୪.୬ କୋଟି ଚରମ ଦାରିଦ୍ର୍ୟ ଗହ୍ୱରକୁ ଠେଲି ହୋଇଯାଇଛନ୍ତି, ୮୪% ପରିବାରଙ୍କ ଆୟ ହ୍ରାସ ପାଇଛି, ସେତେବେଳେ ଦାରିଦ୍ର୍ୟ କିପରି ହ୍ରାସ ପାଇଲା? ଯଦି ବି ହ୍ରାସ ହୋଇଥାଏ ଖୁସି ହେବା ଅନୁଚିତ । କାରଣ ବିଶ୍ବବ୍ୟାଙ୍କର ନିଜସ୍ବ ତଥ୍ୟ ଅନୁଯାୟୀ ଚରମ ଦାରିଦ୍ର୍ୟ ହାର ଭାରତ ଅପେକ୍ଷା ଅନ୍ୟ କେତେ ଦେଶରେ କମ୍ । ପୂର୍ବ ଏସିଆରେ ମାତ୍ର ୦.୯୮%, ଉଚ୍ଚ ଆୟକାରୀ ଦେଶରେ ୦.୬୦ %, ୟୁରୋପରେ ୧.୦୧% ପାଖାପାଖି ରହିଛି । ୨୦୧୭ରେ ବିଶ୍ବରେ ଏହା ୯.୭% ଥିଲା , ଯାହା ବର୍ତ୍ତମାନ ହ୍ରାସ ପାଇଥିବ।

ବିଶ୍ବବ୍ୟାଙ୍କ ଦୈନିକ ଖାଦ୍ୟ, ପୋଷାକ ଏବଂ ଆଶ୍ରୟସ୍ଥଳର ଜୀବନଧାରଣର ମୂଲ୍ୟ ବଦଳିବା ସହିତ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ସୀମାରେଖା ସ୍ଥିର କରେ। ବାସ୍ତବରେ ପ୍ରଥମେ ଏହି ରେଖା ୧୯୯୬ରେ କ୍ରୟ ଶକ୍ତି ସମତା ଦୃଷ୍ଟିରୁ ୧ ଡଲାର ଥିଲା, ୨୦୦୮ରେ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ୧.୨୫ ଡଲାର ଏବଂ ୨୦୧୫ରେ ୨୦୧୧ ମୂଲ୍ୟ ଅନୁସାରେ ୧.୯୦ ଡଲାର ଧାର୍ଯ୍ୟ କରାଯାଇଥିଲା। ଏହା ପରେ ଆଉ ସଂଶୋଧନ କରାଯାଇନାହିଁ ; କିନ୍ତୁ ୨୦୨୧ ରେ ଏହା ୨.୨୯ଡଲାର ହେବ ଏବଂ ଚରମ ଦାରିଦ୍ର୍ୟ ସୀମା ତଳେ ଥିବା ସଂଖ୍ୟା ବିଶ୍ବ ଓ ଭାରତରେ ବୃଦ୍ଧି ପାଇବ ।

ଦାରିଦ୍ର୍ୟ ଓ ଚରମ ଦାରିଦ୍ର୍ୟ ମଧ୍ୟରେ ବହୁତ ତଫାତ ଅଛି । ସଂଯୁକ୍ତ ରାଷ୍ଟ୍ର ଅନୁସାରେ ଚରମ ଦାରିଦ୍ର୍ୟ, ଅତ୍ୟଧିକ ଦାରିଦ୍ର୍ୟ, ଗଭୀର ଦାରିଦ୍ର୍ୟ, ସଂପୂର୍ଣ୍ଣ ଦାରିଦ୍ର୍ୟ ହେଉଛି ଦାରିଦ୍ର୍ୟର ସବୁଠାରୁ ଉଗ୍ର ରୂପ, ଯେତେବେଳେ ଜଣେ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ନିରାପତ୍ତା, ପାନୀୟ ଜଳ, ପରିମଳ ସୁବିଧା, ସ୍ୱାସ୍ଥ୍ୟ, ଶିକ୍ଷା, ଆଶ୍ରୟ ବା ଗୃହ ଏବଂ ସୂଚନା ସେବାରୁ ବଞ୍ଚିତ ହୋଇଥାଏ। ସଂଯୁକ୍ତ ରାଷ୍ଟ୍ରର ସାମାଜିକ ବିକାଶ ପାଇଁ ବିଶ୍ୱ ସମ୍ମିଳନୀର ୧୯୯୫ ରିପୋର୍ଟ ଅନୁସାରେ ଏହା କେବଳ ଆୟ ଉପରେ ନିର୍ଭର କରେନା, ବରଂ ସେବା ସହଜରେ ପ୍ରାପ୍ତ ହେବା ଉପରେ ମଧ୍ୟ ନିର୍ଭର କରେ । ଏହି ଚରମ ଦାରିଦ୍ର୍ୟ ରେଖା ସର୍ବାଧିକ ଦାରିଦ୍ର୍ୟ ଥିବା ବିଶ୍ବର ୧୫ ଦେଶର ହାରାହାରି ଦାରିଦ୍ର୍ୟର ମାନଦଣ୍ଡ ସହିତ ସମାନ। ବାସ୍ତବରେ ପ୍ର‌େତ୍ୟକ ଦେଶର ଶାସକ ସର୍ବଦା ନିଜର ବିଫଳତା ଘୋଡାଇବା ପାଇଁ ଦାରିଦ୍ର୍ୟ ହାର କମ୍ ଦେଖାଇବାକୁ ଚାହାନ୍ତି ଏବଂ ସେଥିପାଇଁ ଦାରିଦ୍ର୍ୟ ଆକଳନର ମାନଦଣ୍ଡ ଏପରି ସ୍ଥିର କରନ୍ତି ଯେ ଯେପରି ଦାରିଦ୍ର୍ୟ ହାର କମ୍ ହେବ ।

ସେହପରି ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନୀତି ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହେଉଥିବାରୁ ଏହିସବୁ ସଂସ୍ଥା ନିଜର ଗୁରୁତ୍ବ ବୃଦ୍ଧି ପାଇଁ ଦାରିଦ୍ର୍ୟ ହାର କମ୍ ଦେଖାଇବାକୁ ଚାହାନ୍ତି; କିନ୍ତୁ ଜଣେ ଗରିବକୁ ଧନୀ ହୋଇଛି ବୋଲି କହିଦେଲେ ଧନୀ ହୋଇଯାଏନା । ଏହା ଜୀବନଚର୍ଯ୍ୟାରେ ପ୍ରତିଫଳିତ ହେବା ଉଚିତ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories