ସୁଖର ଅନ୍ବେଷଣରେ …
ଅରୁଣ କୁମାର ପଣ୍ଡା
ମନୁଷ୍ୟର ସବୁ କ୍ରିୟାର ଉଦ୍ଦେଶ୍ୟ ହେଲା – ଆନନ୍ଦ ଅଥବା ସୁଖର ପ୍ରାପ୍ତି। ସେମିତି ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ସୃଷ୍ଟି ଆନନ୍ଦମୟ (ବିଶ୍ୱ ଦେଖ ମଧୁମୟ…)। ପ୍ରତ୍ୟେକ ପ୍ରାଣୀ ସେହି କାର୍ଯ୍ୟ କରେ ଯାହା ତା’ ପାଇଁ ସୁଖକାରକ ହୋଇଥାଏ। ସମ୍ପୂର୍ଣ୍ଣ ଚରାଚର ସୃଷ୍ଟିରେ ଗୋଟିଏ ହିଁ ଆନନ୍ଦର ନାଦ ଗୁଞ୍ଜରିତ ହେଉଛି। କେବଳ ମନୁଷ୍ୟ ନୁହେଁ, ପଶୁପକ୍ଷୀ, କୀଟପତଙ୍ଗ ମଧ୍ୟ ସୁଖ ପାଇଁ କ୍ରିୟା କରନ୍ତି। କୁକୁରକୁ ବାଡ଼ି ଦେଖାଇଲେ ସେ ଦଉଡି ପଳାଏ ଏବଂ ରୋଟି ଦେଖାଇଲେ ପାଖକୁ ଚାଲିଆସେ। ଗୋଟିଏ ସମୟରେ ଦଉଡି ପଳାଇବା ଏବଂ ଅନ୍ୟ ସମୟରେ ନିକଟକୁ ଆସିବାର କ୍ରିୟା କେବଳ ସୁଖର ପ୍ରାପ୍ତି ପାଇଁ।
ଏବେ ବିଚାର କରାଯାଉ ସୁଖ କ’ଣ? ଏ ସମ୍ପର୍କରେ ମନୋବିଜ୍ଞାନ ଶାସ୍ତ୍ରର ବିଦ୍ୱାନମାନେ ଏକ ପରୀକ୍ଷା କଲେ। ଗୋଟିଏ ପରଖନଳୀ, ଯାହା ଭିତରେ ପରସ୍ପରକୁ ଯୋଡୁଥିବା ତିନିଟି ମାର୍ଗ ରହିଛି। ଗୋଟିଏ କ୍ଷୁଦ୍ର କୀଟକୁ ପରଖନଳୀର ଏକ ମାର୍ଗର ଶେଷମୁଣ୍ଡରେ ରଖାଗଲା। ଅବଶିଷ୍ଟ ଦୁଇଟି ମାର୍ଗ ଭିତରୁ ବାମପଟ ରାସ୍ତାରେ ବିଜୁଳି କରେଣ୍ଟ ଦିଆଗଲା। କୀଟଟି ନଳୀମାର୍ଗରେ ଅଗ୍ରସର ହୋଇ ଯେତେବେଳେ ବାମଦିଗକୁ ଚାଲିଲା ତାକୁ ବିଜୁଳି କରେଣ୍ଟର ଝଟକା ଲାଗିଲା। ସେ ଫେରି ଆସୁଥାଏ ଏବଂ ବାରମ୍ବାର କରେଣ୍ଟ ଲାଗୁଥିବା ମାର୍ଗ ଦେଇ ଯିବା ପାଇଁ ଉଦ୍ୟମ କରୁଥାଏ। ଦଶ ବାର ଥର ଏପରି ହେବା ପରେ କୀଟଟି ବାମ ଦିଗକୁ ଯିବା ହିଁ ବନ୍ଦ କରିଦେଲା ଏବଂ ଡାହାଣ ମାର୍ଗରେ ଅଗ୍ରସର ହେଲା। ବୈଜ୍ଞାନିକମାନେ ଅନୁଧ୍ୟାନ କରି ନିଷ୍କର୍ଷ ବାହାର କଲେ – ‘ଅନୁକୂଳ ବେଦନା ହିଁ ସୁଖ’, ପରନ୍ତୁ ସର୍ବସାଧାରଣ ମଣିଷ ଏବଂ ପ୍ରାଣୀମାତ୍ରଙ୍କର ପ୍ରକୃତି ହେଉଛି, ସୁଖ ଆଡକୁ ଅଗ୍ରସର ହେବା ଏବଂ ଦୁଃଖରୁ ନିବୃତ୍ତ ହେବା। ପରନ୍ତୁ ସୁଖର ଅନୁଭୂତିରେ ବି ପାର୍ଥକ୍ୟ ରହିଛି। ସୁଖର ଅନୁଭୂତି ଭିନ୍ନ ପ୍ରକାରର ହୋଇଥାଏ। ଭୋଜନ କରିବା, ପାଣି ପିଇବା, ଶୀତ, ଗ୍ରୀଷ୍ମ, ବର୍ଷାରେ ଶରୀରକୁ ସୁରକ୍ଷିତ ରଖିବା। ସୁଗନ୍ଧିତ ପୁଷ୍ପର ଆଘ୍ରାଣ କରିବା, ରଙ୍ଗ ବେରଙ୍ଗ ଦୃଶ୍ୟ ଅବଲୋକନ କରିବା ଆଦି ଅନେକ ପ୍ରକାରର ଅନୁଭୂତି ମନୁଷ୍ୟ କରିଥାଏ। ଏସବୁକୁ ଇନ୍ଦ୍ରିୟଜନ୍ୟ ସୁଖ କୁହାଯାଏ। ଇନ୍ଦ୍ରିୟ ଦ୍ୱାରା ହିଁ ଏସବୁକୁ ଉପଭୋଗ କରାଯାଇଥାଏ। ମନୁଷ୍ୟ, ପଶୁ ଏବଂ ଅନ୍ୟ ସବୁ ପ୍ରାଣୀ ଏ ସବୁ ଅନୁଭବ ସମାନ ଭାବରେ କରିଥାନ୍ତି। ଆହାର, ନିଦ୍ରା, ଭୟ, ମୈଥୁନ ଆଦି ଦ୍ୱାରା ଯେଉଁ ଅନୁକୂଳ ବେଦନା ହୁଏ ଏହା ମଣିଷ ଏବଂ ପଶୁ ମଧ୍ୟରେ ସମାନ ଭାବରେ ପରିଦୃଶ୍ୟ ହୋଇଥାଏ। କେବଳ ଅନ୍ତର ଏତିକି ଯେ ମଣିଷର ଜୀବନରେ କିଛି ଲକ୍ଷ୍ୟ ଥାଏ କିନ୍ତୁ ମନୁଷ୍ୟେତର ଇତର ପ୍ରାଣୀ ଲକ୍ଷ୍ୟହୀନ ଭାବେ ବୁଲୁଥାଏ। ତେଣୁ କୁହାଯାଏ ଲକ୍ଷ୍ୟହୀନ ମନୁଷ୍ୟ ପଶୁ ସହ ସମାନ। ଇନ୍ଦ୍ରିୟଜନ୍ୟ ସୁଖ ଏବଂ ତଦ୍ଜନିତ ଅନୁଭବ ହେଉଛି ରାଜସିକ। ଏହି ସୁଖ କ୍ଷଣିକ ଅଥବା ଅଳୀକ। ଏହି ସୁଖ ବେଳେ ବେଳେ ମଣିଷକୁ ଫିକା ଲାଗିଥାଏ।
ଜଣେ ସାମ୍ୟବାଦୀ ବନ୍ଧୁଙ୍କ ମତରେ ଦୁନିଆରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରୋଟି, କପଡା ଏବଂ ମକାନ। ତାଙ୍କୁ କୁହାଗଲା – ଏହି ସମସ୍ୟାର ସମାଧାନ କରାଯିବ। ପ୍ରତିଦିନ ତାଙ୍କୁ ସ୍ୱାଦିଷ୍ଟ ଭୋଜନ ଦିଆଯିବ, ପରନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତ ହେଲା ସେ ଭୋଜନ ଗ୍ରହଣ କଲାପରେ ଅନ୍ନଦାତା ତାକୁ ଜୋତାରେ ଚାରିଥର ପ୍ରହାର କରିବ। ସାମ୍ୟବାଦୀ ବନ୍ଧୁ ଏଥିରେ ଅମଙ୍ଗ ହେବାରୁ ତାଙ୍କୁ ପଚରାଗଲା ଯଦି ପ୍ରଶ୍ନ କେବଳ ରୋଟିର, ତେବେ ତୁମକୁ କ’ଣ ଅସୁବିଧା ହେଉଛି? ବନ୍ଧୁଜଣକ କୌଣସି ଉତ୍ତର ଦେଇନପାରି ନୀରବ ରହିଲେ। ତେଣୁ କୁହାଯାଇପାରେ ସୁଖ କେବଳ ଇନ୍ଦ୍ରିୟ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହାର ପରିସର ଆହୁରି ପରିବ୍ୟାପ୍ତ।
ଆମେ ତୀର୍ଥସ୍ଥାନକୁ ଯାଇ ପିତୃପୁରୁଷଙ୍କୁ ତର୍ପଣ କରୁ। ଏଭଳି ମହୋଦଧିରେ ତର୍ପଣ କରୁଥିବା ଜଣେ ବନ୍ଧୁଙ୍କୁ ତାଙ୍କର ଅନ୍ୟ ଜଣେ ବନ୍ଧୁ ପ୍ରଶ୍ନ କଲେ ତୁମେ ଏଭଳି ଜଳ ଅର୍ପଣ କଲେ ତାହା କ’ଣ ପିତୃପୁରୁଷଙ୍କ ନିକଟରେ ପହଞ୍ଚିବ? ବନ୍ଧୁ କହିଲେ ହଁ। ବନ୍ଧୁଙ୍କ ମନ ମାନିଲା ନାହିଁ। ସେ ତର୍କ କଲେ ଯେ ଏସବୁ ବେକାର କଥା, ଅନ୍ଧବିଶ୍ୱାସ, କୁସଂସ୍କାର। ଏହା ଶୁଣି ତର୍ପଣ କରୁଥିବା ବନ୍ଧୁଜଣକ ତାଙ୍କ ବାପାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କଲେ। ବନ୍ଧୁଜଣକ ଏଥିରେ ଅତ୍ୟନ୍ତ କ୍ରୋଧିତ ହୋଇ କହିଲେ – ଝଗଡା ତୁମ ମୋ ଭିତରେ, ମୋ ବାପାଙ୍କୁ କାହିଁକି ଗାଳି ଦେଉଛ? ଶାନ୍ତ ଭାବରେ ତର୍ପଣକାରୀ ବନ୍ଧୁଜଣକ ଉତ୍ତର ଦେଲେ – ତୁମ ବାପା ଘରେ ଅଛନ୍ତି, ମୁଁ ମହୋଦଧିରେ ଗାଳି ଦେଉଛି। ଏହି ଗାଳି କ’ଣ ତାଙ୍କ ପାଖରେ ପହଞ୍ଚିବ? ତୁମକୁ ଦୁଃଖ ଲାଗୁଛି କାହିଁକି? ତୁମେ ଏତେ ଉତ୍ତେଜିତ କାହିଁକି ହେଉଛ? ବନ୍ଧୁ ଜଣକ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ପାଇଗଲେ। ଏହା ସବୁ ଭାବନାର କଥା। ଉଦ୍ଧବଙ୍କୁ କୁହାଯାଇଥିଲା – ମନର ମୂଳେ ଏ ଜଗତ। ଅର୍ଥାତ୍ ମନ ହିଁ ସମସ୍ୟା, ମନ ହିଁ ସମାଧାନ। ମନ ହିଁ ସୁଖ ଦୁଃଖର ମୂଳ ଆଧାର। ତେଣୁ ମନକୁ ଆମେ ଯେଭଳି ଭାବରେ ଯେଉଁ ଢଙ୍ଗରେ ଢାଳିବା ଆମର ସୁଖ-ଦୁଃଖର ଅନୁଭବ ସେହି ଅନୁରୂପ ହେବ।
ମନେ କରାଯାଉ ରସଗୋଲାରେ ସୁଖ ଦେବାର ଅପାର ଶକ୍ତି ରହିଛି। ଜଣେ ବ୍ୟକ୍ତିର ଜିହ୍ବାଲାଳସା ଚରିତାର୍ଥ ହୁଏ ସ୍ୱାଦ୍ଦିଷ୍ଟ ରସଗୋଲା ଖାଇ। ତାକୁ ଯଦି ଏହା ମିଳିଗଲା ସେ ଭାବେ ସଂସାରରେ ସେ ସବୁଠାରୁ ସୁଖୀ ପ୍ରାଣୀ। ସେ ବ୍ୟକ୍ତି ଆଗରେ ରସଗୋଲା ଭର୍ତ୍ତି ଏକ ହାଣ୍ଡି ରଖାଗଲା। ସେ ଗୋଟିଏ ପରେ ଗୋଟିଏ ରସଗୋଲା ମହା ଆନନ୍ଦରେ ଖାଇବାକୁ ଲାଗିଲା। ପନ୍ଦର କୋଡିଏଟି ରସଗୋଲା ଖାଇବା ପରେ ସେ କହିଲା – ଏବେ ମୋତେ ଆଉ ଭଲ ଲାଗୁନାହିଁ, ବାନ୍ତି ଲାଗୁଛି। ଯେଉଁ ରସଗୋଲା କିଛି ସମୟ ପୂର୍ବରୁ ତା’ ପାଇଁ ସୁଖକର ଥିଲା ଏବେ ଦୁଃଖର କାରଣ ହେଲା। ଏବେ ତାକୁ ଏହା ବିଷତୁଲ୍ୟ ପ୍ରତୀୟମାନ ହେଉଥିଲା। ଏହାର କାରଣ କ’ଣ। କାରଣ ହେଲା ସୁଖ ଦେବାର ଶକ୍ତି ରସଗୋଲା ଭିତରେ ନାହିଁ। ସୁଖ ହେଉଛି ଏକ ପ୍ରକାର ମନର ପରିପ୍ରକାଶ ବା ଆମର ମାନସିକତା।
ମନ ସହିତ ମଣିଷ ପାଖରେ ବୁଦ୍ଧି ରହିଛି। ଏହା ଦ୍ୱାରା ସେ ଚିନ୍ତନ କରେ। ଚିନ୍ତନ ମଧ୍ୟ ଏକ ସୁଖ। ମନୁଷ୍ୟେତର ପ୍ରାଣୀଙ୍କ ଭିତରେ ମଣିଷ ପରି ବୁଦ୍ଧି ନଥାଏ। ମଣିଷ ଶାଶ୍ୱତ ଏବଂ କ୍ଷଣିକ ସୁଖ ମଧ୍ୟରେ ପ୍ରଭେଦକୁ ବୁଝିବାକୁ ଚେଷ୍ଟା କରେ। କେଉଁ ସୁଖ ସ୍ଥାୟୀ ଏବଂ ଚିରନ୍ତନ, ଯାହା ଅଧିକ କାଳ ପର୍ଯ୍ୟନ୍ତ ପ୍ରାପ୍ତ ହେଉଥିବ; କେଉଁ ସୁଖ କ୍ଷଣସ୍ଥାୟୀ ଏବଂ ପରିଣାମରେ ମହାନ ଦୁଃଖଦାୟୀ ସେ ସମ୍ପର୍କରେ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ଏଥିପାଇଁ ବିବେକର ପ୍ରୟୋଗ କରାଯାଇପାରେ। ବିବେକବାନ୍ ମଣିଷ ହୀରା ବଦଳରେ କାଚକୁ ନେବା ପାଇଁ କେବେ ଆଗ୍ରହ ପ୍ରକାଶ କରେ ନାହିଁ। ଯାହାକୁ ଅମୃତ ସୁଖର ଅନୁଭବ ରହିଛି ସେ କଲରାର ପିତା ପଛରେ କାହିଁକି ଧାବମାନ ହେବ? ବିବେକବାନ୍ ବ୍ୟକ୍ତି ଜୀବନର ଲକ୍ଷ୍ୟ ଆଡକୁ ଅଗ୍ରସର ହେବା ସମୟରେ କଣ୍ଟକମୟ ମାର୍ଗ ମଧ୍ୟ ତାକୁ ସୁଖକର ବୋଧ ହୁଏ। ସତ୍ୟ ପାଇଁ ସେ ଅଶେଷ କଷ୍ଟ ସ୍ୱୀକାର କରିବାକୁ ଆଗଭର ହୁଏ। ମନ ହେଉଛି ମାଙ୍କଡ ପରି ଚଞ୍ଚଳ। ତାକୁ ବଶ କରିବା ପାଇଁ ଏକାଗ୍ରତାର ସାଧନା ଆବଶ୍ୟକ। ଅନେକ ସମୟରେ ବିଷୟ ସୁଖ ପାଇଁ ଆମେ ମନବୁଦ୍ଧିକୁ ଏଭଳି ଏକାଗ୍ର କରିଥାଉ ଯାହାର ପରିଣାମ ବିଷମୟ ହୋଇଥାଏ। ସନ୍ଥ ତୁଳସୀଦାସ ମହାନ ହେବା ଆଗରୁ ନିଜର ପତ୍ନୀଙ୍କୁ ଭେଟିବାର ବ୍ୟାକୁଳତାରେ ସାପକୁ ରସି ଭାବି ନିଜ ଶଶୁରଘର ଉପରକୁ ଚଢ଼ିଯାଇଥିଲେ। ଅବଶ୍ୟ ପତ୍ନୀଙ୍କଠାରୁ ଭର୍ତ୍ସିତ ହେବା ପରେ ତାଙ୍କର ବିବେକ ଉଦୟ ହୋଇଥିଲା। ଅନେକ ମହାପୁରୁଷଙ୍କ ଆଦ୍ୟ ଜୀବନରେ ଏଭଳି ଅନେକ ଘଟଣା ଘଟିଛି।
ମା’ ପିଲାକୁ କୋଳରେ ଧରି ଆତ୍ମିକ ସୁଖର ଅନୁଭବ କରେ। ଏହାକୁ ବାତ୍ସଲ୍ୟ ସୁଖ କୁହାଯାଏ। ଏହା ଆଗରେ ଅନ୍ୟ ସବୁ ସୁଖ ତୁଚ୍ଛ ମନେହୁଏ। ପିଲାକୁ ମମତା ଦେବା ପଛରେ ମା’ର ନିଃସ୍ୱାର୍ଥ ଭାବନା ଥାଏ। ପରମ ଶକ୍ତିମାନ ପ୍ରଭୁଙ୍କ ଆଡକୁ ଅଗ୍ରସର ହେବା ପାଇଁ ନିଃସ୍ୱାର୍ଥ, ଅନାବିଳ ସୁଖର ଅନୁଭବ ଓ ଅଭ୍ୟାସ ଆବଶ୍ୟକ। ଏହାକୁ ଆତ୍ମିକ ସୁଖ କୁହାଯାଏ। ଶରୀର, ମନ, ବୁଦ୍ଧି ଏବଂ ଆତ୍ମିକ ସୁଖ ପରେ ଆଉ ଏକ ଅନିର୍ବଚନୀୟ ସୁଖର ସନ୍ଧାନ କରିବାକୁ ହେବ। ତାହା ହେଉଛି ଆତ୍ମା ସହ ପରମାତ୍ମାଙ୍କ ମିଳନର ସୁଖ। ଏହି ସୁଖ ପ୍ରାପ୍ତି ସଂସାର ଭିତରେ ରହି ଅନ୍ୟମାନଙ୍କ ସହିତ ସମରସତାର ଅନୁଭବ କରି ‘ପରାର୍ଥେ କ୍ରିୟତେ କର୍ମ’ ଭାବନାରେ ନିଃସ୍ୱାର୍ଥପର କାର୍ଯ୍ୟ ଦ୍ୱାରା ହୋଇପାରେ। ପରମାତ୍ମ ଚିନ୍ତନ ପାଇଁ ଏକାନ୍ତବାସୀ ହେବା ଆବଶ୍ୟକ ବୋଲି ଶାସ୍ତ୍ର ସମୂହରେ କୁହାଯାଇଛି। ସମାଜର କୋଳାହଳ ଭିତରେ ରହି ମଧ୍ୟ ମନକୁ ଏକାଗ୍ର ଓ ଶାନ୍ତ କରାଯାଇପାରିବ। ଏହି ସ୍ଥିତିକୁ ହିଁ ସାଧନାର ସର୍ବଶ୍ରେଷ୍ଠ ସୋପାନ ବୋଲି କୁହାଯାଇଛି।
ବ୍ୟଷ୍ଟି, ସମଷ୍ଟି, ସୃଷ୍ଟି ଓ ପରମେଷ୍ଟୀ ଏହି ଚାରିତତ୍ତ୍ୱ ପରସ୍ପର ପରିପୂରକ। ବାସ୍ତବ ସୁଖ ପାଇଁ ଏହି ଚାରିତତ୍ତ୍ୱର ସହାବସ୍ଥାନ ଆବଶ୍ୟକ। ବ୍ୟକ୍ତି (ବ୍ୟଷ୍ଟି) ସମାଜ (ସମଷ୍ଟି) ଉପରେ ଅବଲମ୍ବିତ, ସମାଜ ସୃଷ୍ଟି ଉପରେ ଆଧାରିତ ଏବଂ ସୃଷ୍ଟିର ସଞ୍ଚାଳନ ପରମେଷ୍ଟୀ (ପରମାତ୍ମା)ଙ୍କ ଦ୍ୱାରା ହୋଇଥାଏ। ପରମାତ୍ମାଙ୍କ ଇଚ୍ଛା ପୂରଣ ପାଇଁ ବ୍ୟକ୍ତି ନିଜକୁ ନିୟୋଜିତ କରି ପରମ ସୁଖର ଅନୁଭବ କରିଥାଏ। ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି, ପ୍ରାଣୀ ଅନ୍ନରୁ, ଅନ୍ନ ପର୍ଜନ୍ୟ (ବର୍ଷା)ରୁ, ପର୍ଜନ୍ୟ ଯଜ୍ଞରୁ ଏବଂ ଯଜ୍ଞ ବ୍ରହ୍ମା (ପରମାତ୍ମାଙ୍କ ସର୍ବଶ୍ରେଷ୍ଠ ସନ୍ତାନ)ଙ୍କଠାରୁ ଉତ୍ପନ୍ନ ହୋଇଥାଏ। ଏହି ଅଖଣ୍ଡ ଚକ୍ର ଦ୍ୱାରା ହିଁ ସର୍ବସୁଖର ପ୍ରାପ୍ତି ବା ଧାରଣା ହୋଇଥାଏ। ଅନ୍ୟ ଅର୍ଥରେ ଏହି ଧାରଣା ହିଁ ଧର୍ମ। ତେଣୁ କୁହାଯାଇଛି – ‘ଧାରଣାତ୍ ଧର୍ମମିତ୍ୟାହୁ..’। ଏହି ମହାନ ଚକ୍ର ଆମ କର୍ତ୍ତବ୍ୟର ପରିଚାୟକ। ତେଣୁ କର୍ତ୍ତବ୍ୟର ସଦା ପାଳନ ପାଇଁ ପରମାତ୍ମାଙ୍କ ପ୍ରତି ଅବିଚଳ ନିଷ୍ଠା ଓ ପବିତ୍ରତା ଆଧାରରେ ଯେଉଁ ସାଧନା କରାଯାଏ ତାହା ହିଁ ରାଜଯୋଗ। ରାଜଯୋଗ ହିଁ ପରମ ସୁଖର ମାର୍ଗ ଏବଂ ଏହାଦ୍ୱାରା ଆମେ ପରମ ବୈଭବକୁ ପ୍ରାପ୍ତ କରିପାରିବା।
Comments are closed.