ବେଳେବେଳେ ମୋତେ ଲାଗେ ମୋ ବୟସ ଶୀଘ୍ର ବଢ଼ିଯାଉଛି। ଏବେ ପାଠପଢ଼ା ସରିଆସିଲା ବେଳକୁ ଆତ୍ମ ନିୟୋଜନ କଥା ସ୍ୱତଃ ମନକୁ ଆସିଯାଉଛି। ବୟସଟା ମୋ ପାଇଁ ବଡ଼ ବୋଝ ମନେହେଉଛି। ଠିକ୍ ସେତିକିବେଳେ ଦେଖେ ମା’ ଅପେକ୍ଷା ବାପାଙ୍କ ଭାବନାରେ ମୋ ପ୍ରତି ତାଙ୍କ ଦାୟିତ୍ୱର ବୋଝଟା ସତେ ଯେମିତି ବଢ଼ି ବଢ଼ି ଚାଲିଛି। ଏସବୁ ଏକାନ୍ତରେ ଭାବିଲେ ମନ ଭିତରେ ଲୁଚି ରହିଥିବା କୁନି ଆତଙ୍କଟିଏ ଦୀର୍ଘଶ୍ୱାସ ହୋଇ ବାହାରି ଆସୁଛି। ସେତେବେଳେ ଅନ୍ୟମନସ୍କ ହୋଇ ମୁଁ ଧାଇଁଯାଏ ବାପାଙ୍କ ପାଖକୁ, ତାଙ୍କ କମ୍ପ୍ୟୁଟର ରୁମକୁ। କିନ୍ତୁ ବାପା ତ ସପ୍ତାହର ଛଅ ଦିନ ରହନ୍ତି ବାହାରେ! ତାଙ୍କ ଶୂନ୍ୟ ଚଉକିଟିକୁ ଦେଖିଦେଲେ ଅନ୍ତରରେ କାହିଁକି ମୋର କୋହ ଉଠେ। ଯେତେ ଦୁଃଖ ଲାଗିଲେ ବି କାନ୍ଦେ ନାହିଁ, କାରଣ ମୋ ବାପାଙ୍କଠାରୁ ମୁଁ କେବଳ ପ୍ରତିଟି ପରିସ୍ଥିତିରେ ହସିବା ଶିଖିଛି।
ସମ୍ଭବତଃ ମୋ ବାପା ହେଉଛନ୍ତି ମୋର ଜୀବନ। ସାରା ଦୁନିଆରେ ଯିଏ ମୋର ଆଦ୍ୟ ନମସ୍କାର ସେ ହେଉଛନ୍ତି ମୋ ବାପା। ଏଇ ସଂସାରରେ ଯେଉଁ ପୁରୁଷଙ୍କୁ ମୁଁ ସବୁଠୁ ବେଶି ଭଲପାଏ, ସେ ହେଉଛନ୍ତି ମୋ ବାପା। ବାପାଙ୍କ ସହ ମୁଁ ପ୍ରଥମେ ଚାଲିବା ଶିଖିଥିଲି। ବାହାରକୁ ଯାଇ ଫେରିବାରେ ସାମାନ୍ୟ ବିଳମ୍ବ ହେଲେ ଭୀଷଣ ବିରକ୍ତ ହୁଅନ୍ତି। ମୁଁ ବେଳେବେଳେ ଏଥିପାଇଁ ବିଦ୍ରୋହ କରେ। ସେତେବେଳେ ସେ ମୁହଁ ଥମଥମ କରି କହନ୍ତି– ତୁ କେମିତି ଜାଣିବୁ ବଢ଼ିଲା ବୟସର ଝିଅଟିକୁ ବାହାରକୁ ପଠାଇଦେଇ ଘରେ ତା’ ବାପା-ମା’ କେଉଁ ମାନସିକ ସ୍ଥିତିରେ ଥାଆନ୍ତି! ମୁଁ ଅବଶ୍ୟ ବୁଝିପାରେ ସେମାନଙ୍କ ମନକଥା। ହେଲେ ମୋ ବାପାଙ୍କୁ ନେଇ ମୁଁ ଖୁବ୍ ଗର୍ବ କରେ। ସେ ମୋତେ ଦେଇଥିବା ସବୁଠୁ ବଡ଼ ଉପହାରଟି ହେଉଛି ମୋ ପ୍ରତି ତାଙ୍କର ଅଖଣ୍ଡ ବିଶ୍ୱାସ। କାରଣ ପୃଥିବୀରେ ସମ୍ଭବତଃ ଗୋଟିଏ ଝିଅକୁ ତା’ ବାପାଙ୍କ ବ୍ୟତୀତ ଆଉ କେହି ଏତେ ବେଶି ଭଲ ପାଇପାରନ୍ତି ନାହିଁ। ଉଭୟ ଉଭୟଙ୍କ ପାଇଁ ଲକ୍ଷେ ମଳୟର ମହକ!
ବିବାହ କରିବା ପାଇଁ କୌଣସି ଯୋଗ୍ୟତା ହାସଲ ନକରି ଯେଉଁ ପୁରୁଷମାନେ ବିବାହ ବେଦୀରେ ବସିଯାଆନ୍ତି ସେମାନେ ଅନେକ କ୍ଷେତ୍ରରେ ବିବାହ ପରର ଜୀବନ ଯେ କେତେ କଠିନ ତାହା କଦାପି ଜାଣି ନଥା’ନ୍ତି। କେବେ ବି ନିଜର ଦାୟିତ୍ୱ ନିଜେ ବହନ ନ କରି ଏକ ହାଲ୍କା ଜୀବନ ବିତେଇ ଆସିଥିବା ସେହି ଯୁବକଜଣକ ହଠାତ୍ ପତ୍ନୀ ଓ ପରିବାରର ଏକ ମସ୍ତବଡ଼ ବୋଝ ମୁଣ୍ଡେଇଥିବା ବେଳେ କାହାଠାରୁ ସହଯୋଗ ପାଇବା ବଦଳରେ ସମସ୍ତଙ୍କ ମାନ ଅଭିମାନ ତୁଟାଇବାକୁ ବସ୍ତୁତଃ ବାଧ୍ୟ ହୋଇଯାଏ। ଏ ପରିସ୍ଥିତିରେ ନିଜର ଅତି ଆପଣାର ବନ୍ଧୁ, ପରିବାର, ପରିଜନ ଯେମିତି ବହୁ ଆଗରୁ ପ୍ରତୀକ୍ଷା କରି ରହିଥା’ନ୍ତି ଦାଉ ସାଧିବାକୁ। ଆଗରୁ ଯେତେ ବେଫିକର୍ ଓ ବେପରୁଆ ହୋଇ ଆସିଥିବା ବ୍ୟକ୍ତିଟି ପ୍ରତିଟି ମୁହୂର୍ତ୍ତରେ ସାଲିସ୍ କରିବାକୁ ନାଚାର ହୋଇଯାଏ। ବହୁଦିନ ତଳେ ଏକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ମହାନ ଗାୟକ ତାନସେନ୍ ସିଂହଙ୍କ କଣ୍ଠରୁ ଶୁଣିଥିଲି: ‘ବାହାଘର ମଜା ବାହାରୁଚି ମୋର ମୁଣ୍ଡ ହୋଇଗଲା ଚନ୍ଦା ହୋ….’। ସେତେବେଳେ ଭାବୁଥିଲି ଗୀତଟିର ମର୍ମ କେବଳ ମନୋରଞ୍ଜନଧର୍ମୀ। ମାତ୍ର ଏବେ ଭାବୁଛି ଏହାର ମର୍ମ ଗମ୍ଭୀର ଓ ବାସ୍ତବଧର୍ମୀ।
ବାପା ହୋଇଯିବା ପରେ ତାଙ୍କର ଦାୟିତ୍ୱ ଯେ କେତେ କଠିନ ତାହା କେବଳ ଜଣେ ଅନୁଭବୀ ହିଁ ବୁଝିପାରିବ। ମା’ର ଚିନ୍ତା ମୋ ପିଲା ଆଜି ଖାଇନି, ତାକୁ ଯେମିତି ହେଲେ ଖୁଆଇବି; କିନ୍ତୁ ବାପାଙ୍କ ଚିନ୍ତା ମୋ ପିଲାମାନେ ଆସନ୍ତାକାଲି କ’ଣ ଖାଇବେ, ଯେମିତି ହେଲେ ଯୋଗାଡ଼ କରିବାକୁ ହେବ। ପିଲାମାନେ କ୍ରମେ ବଡ଼ ହୁଅନ୍ତି। ବାପାଙ୍କର ବି ଚିନ୍ତା ବଢ଼ିବଢ଼ି ଚାଲେ। ଯଦି ପୁଅ ଚାକିରି ପାଉ ନ ଥାଏ, ଘରଣୀଙ୍କ ସବୁବେଳେ ଅଭିଯୋଗ– “ବୁଝିଲ, ତୁମ ଯୋଗୁଁ ପୁଅ ମୋର ଚାକିରିଟେ ପାଇପାରିଲା ନାହିଁ ଏଯାଏ।” ଏହାର କାରଣ ଦର୍ଶାଇବାକୁ ଯାଇ ସେ କହନ୍ତି– “କଞ୍ଜୁସ୍ ହୋଇ ଟଙ୍କା ଅଭାବର ବାହାନା କଲ। ଯଦି ଆମ ପୁଅ ଇଂଲିଶ୍ ମିଡ଼ିୟମ୍ ସ୍କୁଲରେ ପଢ଼ିଥା’ନ୍ତା କେତେ ‘ସ୍ମାର୍ଟ’ ହୋଇଥାନ୍ତା। ମାନ୍ଦା ହୋଇ ରହିଗଲା। କୌଣସି ‘ଇଣ୍ଟରଭିଉ’ରେ ଯୋଗ୍ୟ ବିବେଚିତ ହେଉନାହିଁ।”
କେବଳ ପୁଅ କଥା ନୁହେଁ। ଯଦି ଝିଅର ବୟସ ବଢ଼ିବଢ଼ି ୩୦ (ତିରିଶ) ଟପିଯାଏ, ଯଦି ଯୋଗ୍ୟ ବରପାତ୍ରଟିଏ ଯୋଗାଡ଼ କରି ନ ହୁଏ ତାହାଲେ ସବୁ ଭୁଲ୍ ବାପାର। ବାପା ବିଚରା କ’ଣ କରିବ! ଯେଉଁଠି ବାପର ମନକୁ ପାଉଛି ପୁଅ ଘରବାଲା ନାନାପ୍ରକାର ବାହାନା ଦେଖାଇ ମନା କରି ଦେଉଛନ୍ତି। ପ୍ରଥମେ ଝିଅ ଦେଖିବାକୁ ଆସି ବାପାର ଦୁଇ-ତିନି ହଜାର ଟଙ୍କା ସାରି ଯାଉଛନ୍ତି। ପରେ ମିଛରେ ଜାତକ ମିଳୁନାହିଁ କହି ମନା କରିଦେଉଛନ୍ତି। ଝିଅ ଯେତେ ପାଠୋଈ ହେଲେ ବି ପୁଅର ବାପାମାନେ ଯୌତୁକ ଦାବି କରୁଛନ୍ତି। ତେଣେ ଘରଣୀଙ୍କ ଇଚ୍ଛା ଝିଅ ସୁନ୍ଦର ଓ ରୋଜଗାରକ୍ଷମ, ତେଣୁ ଜ୍ୱାଇଁଟି ମନଲାଖି ହେବା ଦରକାର। ଝିଅର ଭାଗ୍ୟ ଭଲ, ହେଲେ ବାପାର ଭିକାରି ଅବସ୍ଥା ହିଁ ବିଭାଘର ନ ହେବାର ଏକମାତ୍ର କାରଣ। ୟାକୁ ଦେଖି ତାକୁ ଦେଖି ଘରଣୀ ଗଞ୍ଜଣା ଦିଅନ୍ତି– “ସେତେବେଳେ ତ ୟା’ ବାପା ଟଙ୍କାକୁ ଚିହ୍ନିଲେ ନାହିଁ ଓ ଭଲ ପଦରେ ରହିଲେ ନାହିଁ। ଆଜି ଝିଅ ବାହାଘର ହେଇପାରୁନି।” ପୁଅଝିଅମାନେ ବି ବଡ଼ ହେଲା ପରେ ପ୍ରତି ମୁହୂର୍ତ୍ତରେ ବାପାଙ୍କୁ ଦୋଷ ଦେଉଛନ୍ତି। ନିଜ କ୍ୟାରିଅର୍ର ଦୁର୍ବଳ ଭିତ୍ତିଭୂମି ପାଇଁ ନିଜ ନିଷ୍ଠାପରତାର ଅଭାବକୁ ଦାୟୀ ନକରି, ଦାୟୀ କରୁଛନ୍ତି ବାପାଙ୍କ ଉଦାସୀନତାକୁ। ହାୟ! ଏ କଥା କହିବା କାହାକୁ?
ମୋ ବାପା କହୁଥିଲେ ତାଙ୍କ ବାପାଙ୍କର ଆଠଟି, ତାଙ୍କ ଭାଇଙ୍କର ଛ’ଟି ପିଲା ଥିଲେ। ବାପା ଓ ଦାଦା ପିଲାଙ୍କ ଭବିଷ୍ୟତ ପାଇଁ କିଛି କରିପାରି ନଥିଲେ; କିନ୍ତୁ ପିଲାମାନେ ବାପାମାନଙ୍କର ଦୋଷ ଧରୁ ନଥିଲେ। ସେଦିନର ପିଲା ଓ ଆଜିକାଲିକାର ପିଲାମାନଙ୍କ ଭିତରେ କେତେ ତଫାତ୍ ସତରେ! ବୋଧହୁଏ ଆଜିର ମାନସିକ ପ୍ରସ୍ତୁତିରେ କିଛିଟା ଭୁଲ୍ ରହିଯାଉଛି। ନଚେତ୍, ଯେଉଁ ବାପା ନିଜ ଲୁହ ପିଇ ପରିବାରର ସମସ୍ତଙ୍କ ଓଠରେ ହସ ଫୁଟାନ୍ତି, ଯିଏ ପାହାଡ଼ ଭଳି ସାହସ, ଈଶ୍ୱର ପରି ବିଶୁଦ୍ଧ, ଆକାଶ ଭଳି ବିଶାଳ ଓ ଆଲୋକ ଭଳି ଉଜ୍ଜ୍ୱଳ, ସେ ଅନ୍ୟମାନଙ୍କ ଚିନ୍ତନର କାଠଗଡ଼ାରେ ଦୋଷୀ ହୋଇ ଉଭା ହୁଅନ୍ତେ କିପରି? ପୁଅଝିଅ, ସ୍ତ୍ରୀ ଇତ୍ୟାଦି କାହାରି ଭୁଲ ନ ଥାଇ ସବୁ ଭୁଲ ବିଚରା ବାପାଙ୍କର ହୁଅନ୍ତା କେମିତି? ଏହି ପ୍ରଶ୍ନ ମୋର ମନକୁ ସବୁବେଳେ ଆନ୍ଦୋଳିତ କରେ।


