ମାନବବାଦର ଉତ୍କର୍ଷ ମାନବିକ ଅଧିକାର

ଧନେଶ୍ବର ସାହୁ

ମାନବବାଦର ଏକ ମହନୀୟ ଜୀବନ-ଦୃଷ୍ଟି ଓ ସାମାଜିକ ଆଦର୍ଶ। ଏକ ମାନବ- କୈନ୍ଦ୍ରିକ ଜୀବନବୋଧ ଏହି ବିଚାରର ମୂଳଭିତ୍ତି। ସମାଜ, ସଂସ୍କୃତି, ନୈତିକତା ଇତ୍ୟାଦି ଯେପରି ମାନବକୈନ୍ଦ୍ରିକ ବିଚାରଧାରା, ସେହିପରି ମାନବବାଦ ମଧ୍ୟ ଏକ ମନୁଷ୍ୟକୈନ୍ଦ୍ରିକ ଭାବଧାରା। ବିଭିନ୍ନ ସଭ୍ୟତାରେ କେତେକ ସମ୍ବେଦନଶୀଳ କବି, ଲେଖକ, ଦାର୍ଶନିକ ଓ କଳାକାର ମାନବିକତାର ଭାବନା ପ୍ରସାର କରିଛନ୍ତି ଓ ସଂସାରର ସବୁ ମଣିଷଙ୍କର ହିତକାମନା କରିଆସିଛନ୍ତି; କିନ୍ତୁ ବିଡ଼ମ୍ବନାର ବିଷୟ ମଣିଷ ମଣିଷ ଭିତରେ ସର୍ବଦା ବିଦ୍ବେଷ, ହିଂସା, ଶୋଷଣ, ଭେଦଭାବ ଇତ୍ୟାଦି ଅମାନବିକ ପ୍ରଥାମାନ ରହିଆସିଛି। ଏପରି କି ନାନା କ୍ରୂରତା ଓ ବର୍ବରୋଚିତ ଘଟଣା ସଭ୍ୟତାରେ ବହୁ ସମୟରେ ଘଟିଛି। ଜାତି, ବର୍ଣ୍ଣ, ରଙ୍ଗ, ଲିଙ୍ଗ, ଇତ୍ୟାଦିକୁ ନେଇ ମଣିଷମଣିଷ ଭିତରେ ନାନା ଭେଦଭାବ ସୃଷ୍ଟି ହୋଇଛି। ବିଭିନ୍ନ ସମାଜରେ କେତେକ ପରାକ୍ରମଶାଳୀ ଲୋକ ଅନ୍ୟମାନଙ୍କୁ ଶୋଷଣ କରିଛନ୍ତି। ଦାସତ୍ବ ପ୍ରଥା, ଅସ୍ପୃଶ୍ୟତା ପରି ଅମାନବିକ ପ୍ରଥାମାନ କେତେକ ସମାଜରେ ଶହଶହ ବର୍ଷ ଧରି ରହିଆସିଛି। ସାମାଜିକ ବୈଷମ୍ୟ ଓ ଭେଦଭାବକୁ ଦୃଢ଼ କରିବାକୁ ଶାସ୍ତ୍ର ରଚିତ ହୋଇ ଓ ଏସବୁ ଯେ ଈଶ୍ବରୀୟ ବିଧାନ ଏହିପରି ବିଚାରର ପ୍ରସାର କରାଯାଇଛି।

ଏସବୁ ଭାବଧାରା ବିରୋଧରେ ମାନବବାଦ ସ୍ବର ଉଠାଏ। ମାନବବାଦ ଏକ ସମତାଭିତ୍ତିକ ଓ ଭ୍ରାତୃତ୍ବପୂର୍ଣ୍ଣ ଅହିଂସ ସମାଜର ପରିକଳ୍ପନା କରେ। ଏକ ଭେଦଭାବମୁକ୍ତ, ଶୋଷଣ ରହିତ ବ୍ୟକ୍ତିମର୍ଯ୍ୟାଦା ଭିତ୍ତିକ ସମାଜର ପରିକଳ୍ପନା ମାନବବାଦ ପ୍ରସାର କରେ। ଏକ ନ୍ୟାୟପୂର୍ଣ୍ଣ,ପ୍ରୀତିପୂର୍ଣ୍ଣ ଓ ବିଶ୍ବ-ଭ୍ରାତୃତ୍ବପୂର୍ଣ୍ଣ ମାନବ ସମୁଦାୟର ବିକାଶକୁ ମାନବବାଦୀ ଦର୍ଶନରେ ପ୍ରାଧାନ୍ୟ ଦିଆଯାଏ।

ଏହି ପୃଷ୍ଠଭୂମିରେ ମାନବିକ ଅଧିକାର ନେଇ ଆନ୍ତର୍ଜାତିକ ସଚେତନତା ବିଶ୍ବ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା। ମାନବିକ ଅଧିକାର ସମ୍ପର୍କରେ ଯେଉଁ ଘୋଷଣାନାମାଟି ଜାତିସଂଘରେ ୧୯୪୮ ରେ ଗୃହୀତ ହୋଇଥିଲା ତାହା ମାନବ ସଭ୍ୟତାର ଏକ ମହତ୍ତ୍ବପୂର୍ଣ୍ଣ ବିଷୟ। ମାନବିକ ଅଧିକାର ଘୋଷଣାନାମାରେ ରହିିଥିବା ତିରିଶଟି ଧାରା ମଧ୍ୟରୁ ପ୍ରଥମ ଧାରାଟିରେ କୁହାଯାଇଛି ଯେ ସବୁ ମଣିଷ ମୁକ୍ତ ଓ ସମାନ ହୋଇ ଜନ୍ମ ହୋଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଭିତରେ ବିକଶିତ ହେବାର ସମ୍ଭାବନା ଓ ବିବେକବୋଧ ରହିଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି ମର୍ଯ୍ୟାଦାର ସହ ଜୀବନ ଅତିବାହିତ କରିବା ତା’ର ଏକ ଅଧିକାର। ପ୍ରତ୍ୟେକ ରାଷ୍ଟ୍ର ତା’ର ଜନସମୂହ ଭିତରେ ମାନବିକ ଅଧିକାରର ଓ ବ୍ୟକ୍ତିମର୍ଯ୍ୟାଦାବୋଧର ଭାବନାକୁ ପ୍ରସାର କରିବାକୁ ପ୍ରୟାସ କରିବା ଆବଶ୍ୟକ। ବ୍ୟକ୍ତିର ଜନ୍ମ, ସାମାଜିକ ପୃଷ୍ଠଭୂମି, ଧାର୍ମିକ ବିଶ୍ବାସ, ରାଜନୈତିକ ଆଦର୍ଶ, ସାଂସ୍କୃତିକ ଭାବଧାରା ଯାହା ହେଲେ ମଧ୍ୟ ସମସ୍ତଙ୍କ ସହ ଏକ ପ୍ରୀତିପୂର୍ଣ୍ଣ ଓ ମର୍ଯ୍ୟାଦାଯୁକ୍ତ ଜୀବନ ଅତିବାହିତ କରିବା କ୍ଷେତ୍ରରେ ସେ ଅଧିକାର ପାଇବ ଓ ଭେଦଭାବର ଶରବ୍ୟ ହେବନାହିଁ।

ପ୍ରତ୍ୟେକ ବ୍ୟକ୍ତି ସମ୍ମାନଜନକ ଭାବେ ଏକ ସ୍ବାଧୀନ, ରୁଚିପୂର୍ଣ୍ଣ ଓ ମର୍ଯ୍ୟାଦାଯୁକ୍ତ ଜୀବନ ଅତିବାହିତ କରିବାର ଅବକାଶ ପାଇବା ମାନବିକ ଅଧିକାରର ମୌଳିକ ଆଭିମୁଖ୍ୟ। ଅନ୍ୟର ଅଧିକାରକୁ ଲଙ୍ଘନ କିମ୍ବା ଅନ୍ୟକୁ ଶାରୀରିକ, ମାନସିକ ବା ଆବେଗିକ ଆଘାତ ନଦେଇ ଜଣେ ମୁକ୍ତ ଭାବରେ ଓ ମର୍ଯ୍ୟାଦାର ସହ ଜୀବନ ଅତିବାହିତ କରିବା ମାନବିକ ଅଧିକାରରେ ଗୁରୁତ୍ବଲାଭ କରିଥାଏ। ‘ଲିଭ୍‌ ଆଣ୍ଡ୍‌ ଲେଟ୍‌ ଅଦରସ ଲିଭ୍‌’- ମୁଁ ମର୍ଯ୍ୟାଦାର ସହ ବଞ୍ଚିବି ଓ ଅନ୍ୟକୁ ସମ୍ମାନର ସହ ବଞ୍ଚିବାରେ ସହାୟକ ହେବି ମାନବିକ ଅଧିକାରର ମୌଳିକ ତାତ୍ପର୍ଯ୍ୟ।

ସମାଜର ସମସ୍ତ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବାକୁ ସୁଯୋଗ ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ପ୍ରତ୍ୟେକ ନାଗରିକର ଜୀବନ ରାଷ୍ଟ୍ର ପାଇଁ ମହତ୍ତ୍ବପୂର୍ଣ୍ଣ। କୌଣସି କାରଣରୁ ବ୍ୟକ୍ତି ବା ଏକ ଗୋଷ୍ଠୀର ସ୍ବାଭିମାନ, ସମ୍ମାନ ଓ ଅଧିକାର ଲୁଣ୍ଠିତ ହେଲେ ତାହା ସମାଜ ପାଇଁ ଶ୍ରେୟସ୍କର ନୁହେଁ। ସୁତରାଂ ପ୍ରତ୍ୟେକ ବ୍ୟକ୍ତି ନିଜର ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ପାଇଁ ପରିବେଶ ପାଇବ, ଏକ ଶୃଙ୍ଖଳିତ ଓ ସମ୍ମାନଜନକ ନାଗରିକ ହେବାର ସୁଯୋଗ ଲାଭକରି ଜୀବନ ନିର୍ବାହ କରିବାକୁ ରାଷ୍ଟ୍ର ଯୋଜନା କରିବ। ଜନମଙ୍ଗଳକାରୀ ରାଷ୍ଟ୍ରର ଭାବନା ବିକଶିତ ହେବା ପଶ୍ଚାତରେ ଏହି ଆଦର୍ଶ ହିଁ ରହିଛି। ସମାଜର ନାଗରିକମାନେ ନିରାପଦ ଓ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ ରାଷ୍ଟ୍ର ହିଁ ଉତ୍ତରଦାୟୀ। ସାମାଜିକ ବିବର୍ତ୍ତନ ଧାରାରେ ଏହି ମୂଲ୍ୟବୋଧ ବହୁ ପରେ ମାନବ ସମାଜରେ ସୃଷ୍ଟି ହୋଇଛି।

ସମାଜରେ ବ୍ୟକ୍ତିର ମାନସିକ, ନୈତିକ ଓ ବୌଦ୍ଧିକ ବିକାଶ ହେବା ଆବଶ୍ୟକ। ପ୍ରତ୍ୟେକ ଶିଶୁ ଭିତରେ ବିକଶିତ ହେବାର ସମ୍ଭାବନା ରହିଛି। ସେହି ସମ୍ଭାବନା ଉପଯୁକ୍ତ ଭାବରେ ବିକଶିତ ହେବା ପାଇଁ ଏକ ଅନୁକୂଳ ପରିବେଶ ଆବଶ୍ୟକ। ପ୍ରଥମ ଆବଶ୍ୟକତା ହେଉଛି ସମାଜରେ ବ୍ୟକ୍ତିମାନଙ୍କର ସର୍ବନିମ୍ନ ବସ୍ତୁଗତ ଚାହିଦା ପୂରଣ ହେବା ଦରକାର। ଖାଦ୍ୟ,ପାନୀୟଜଳ ସୁସ୍ଥକର ପରିବେଶ, ଆବଶ୍ୟକ ସମୟରେ ଚିକିତ୍ସା, ଶିକ୍ଷା ପାଇଁ ସୁଯୋଗ ଇତ୍ୟାଦି ମନୁଷ୍ୟର ଜୀବନଧାରଣ କ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକ। ସେହିପରି ନାଗରିମାନେ ସ୍ବାବଲମ୍ବୀ ହୋଇ ଜୀବନ ବଞ୍ଚିବା, ନିଜ ରୁଚି ଓ ସାମର୍ଥ୍ୟ ଅନୁଯାୟୀ କର୍ମସଂସ୍ଥାନ ପାଇବା, ମତବ୍ୟକ୍ତ କରିବାର ସୁଯୋଗ ପାଇବା, ସ୍ବାଧୀନ ହୋଇ ଜୀବନ ଅତିବାହିତ କରିବା ମାନବିକ ଅଧିକାରର ବିସ୍ତାରିତ ତାତ୍ପର୍ଯ୍ୟ। ସାମାଜିକ ପରିବେଶ ଯେତେ ଅଧିକ ମାନବିକ, ସମ୍ବେଦନଶୀଳ ଓ ନ୍ୟାୟପୂର୍ଣ୍ଣ ହୁଏ ତା’ର ପ୍ରଭାବ ବ୍ୟକ୍ତିମାନଙ୍କର ଜୀବନଧାରାକୁ ଭଲ ଦିଗରେ ପ୍ରଭାବିତ କରେ। ପରନ୍ତୁ ଯଦି ବୃହତ୍ତର ସାମାଜିକ ପରିବେଶରେ ଅନୀତି, ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଭେଦଭାବ ବ୍ୟାପକ ଭାବେ ରହେ ତା’ର କୁଫଳ ଜନଜୀବନ ଉପରେ ପଡ଼େ। କେତେକ ସମାଜ ବେଶ୍‌ ପ୍ରଗତିଶୀଳ ଓ ଅନ୍ୟକେତେକ ସମାଜ ତୁଳନାତ୍ମକ ଭାବେ କ୍ଷୟଶୀଳ ଜଣାପଡ଼େ। ଏକ ପ୍ରଗତିଶୀଳ ସମାଜରେ ଜନଗଣ ତୁଳନାତ୍ମକ ଭାବେ ସୁସ୍ଥ ଜୀବନ ଅତିବାହିତ କରିବାବେଳେ ଏକ କ୍ଷୟଶୀଳ ସମାଜରେ ଜୀବନର ଗୁଣାତ୍ମକମାନ ନ୍ୟୂନ ହୋଇରହିବା ଦେଖାଯାଏ।

ସାମାଜିକ ବିକାଶ ପ୍ରକ୍ରିୟାରେ ମାନବିକ ମୂଲ୍ୟବୋଧ କ୍ଷେତ୍ରରେ ନାନା ବିବର୍ତ୍ତନ ଘଟିଥିବା ଏକ ଉପଲବ୍ଧି। ଅତୀତରେ ଅପରାଧୀମାନଙ୍କ ପ୍ରତି ଯେଉଁ କ୍ରୂରତା ପ୍ରକାଶ ପାଉଥିଲା, ସେହି ଦୃଷ୍ଟିଭଙ୍ଗୀରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖାଯାଏ। ସମାଜରେ ସବୁ ସମୟରେ କେତେକ ଅପରାଧିକ କାର୍ଯ୍ୟ ଘଟିବା ଏକ ସାଧାରଣ ଘଟଣା। ସମାଜ ଯେ ସଂପୂର୍ଣ୍ଣ ଆଦର୍ଶ ସ୍ଥାନୀୟ ହୋଇଯିବ ଓ ସମାଜରୁ ସମସ୍ତ ଅପରାଧ, ହିଂସା ଲୋପପାଇବ ଏହା ହୁଏତ ସମ୍ଭବ ନୁହେଁ। ତେବେ ସାଂପ୍ରତିକ କାଳରେ ଅପରାଧରେ ଲିପ୍ତ ବ୍ୟକ୍ତିମାନଙ୍କୁ ରାଷ୍ଟ୍ର ସୁଧାର କରିବାକୁ ଉଦ୍ୟମ କରିଥାଏ। କିଶୋର ବୟସର ଅପରାଧୀମାନଙ୍କୁ ସୁଧାରସ୍ଥଳରେ ରଖି ସେମାନଙ୍କୁ ଭବିଷ୍ୟତରେ ଉତ୍ତମ ନାଗରିକ କରିବାକୁ ପ୍ରୟାସ କରାଯାଏ। ଅତୀତରେ ଶାରୀରିକ ଅକ୍ଷମ ବା ଦିବ୍ୟାଙ୍ଗମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ ନକାରାତ୍ମକ ରହିଥିଲା। ତେବେ କାଳକ୍ରମେ ସେହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଥିବା ଦେଖାଯାଏ। ସେମାନେ ବି ସମ୍ମାନଜନକ ଭାବରେ ଜୀବନ ବଞ୍ଚିପାରିବେ ଓ ଯେଉଁ କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟ ରହିଛି ତାହାକୁ ବିକାଶିତ କରିବାପାଇଁ ସୁଯୋଗ ସୃଷ୍ଟି କରିବାପାଇଁ ରାଷ୍ଟ୍ର ପ୍ରୟାସ କରୁଛି। ମାନବିକ ଅଧିକାର ନେଇ ସଚେତନତାର ଏହା ଏକ ଉଦାହରଣ।

ଆନ୍ତର୍ଜାତିକ ସ୍ତରରେ ମାନବିକ ଅଧିକାରର ଘୋଷଣାପରେ ଅଧିକାରଗୁଡ଼ିକର ସୁରକ୍ଷା ପ୍ରକ୍ରିୟା ଓ ବିଭିନ୍ନ ସ୍ତରକୁ ଏହାର ପ୍ରସାର ନେଇ ଅନେକ ପଦକ୍ଷେପ ଜାତିସଙ୍ଘଦ୍ବାରା ନିଆଗଲାଣି। ଯେଉଁ ସମାଜଗୁଡ଼ିକରେ ଉତ୍କଟ ବୈଷମ୍ୟମାନ ରହିଛି ସେ ସବୁକୁ ଦୂର କରିବାପାଇଁ ବିଭିନ୍ନ ପ୍ରୟାସ ହୋଇଛି। ପୃଥିବୀର ସବୁ ଦେଶର ନାଗରିକ କିପରି ସ୍ବାଧୀନ ଓ ନିରାପଦ ଭାବରେ ଜୀବନ ବଞ୍ଚିବେ, କେହି ଦାସତ୍ବ ବା ଉତ୍ପୀଡ଼ନର ଶିକାର ହେବେ ନାହିଁ ମାନବିକ ଅଧିକାର କ୍ଷେତ୍ରରେ ଏହାକୁ ବିଶ୍ବ ସ୍ତରରେ ପ୍ରାଧାନ୍ୟ ଦିଆଯାଉଛି। ଆଇନ ଦୃଷ୍ଟିରେ ସମସ୍ତ ନାଗରିକ ସମାନ ବିବେଚିତ ହେବେ ଓ କେହି ଅଭିଯୁକ୍ତ ନହେବା ପର୍ଯ୍ୟନ୍ତ ସେ ନିର୍ଦୋଷ ଧରାଯିବେ ଏହା ଆଇନ ପରିସରରେ ଏକ ଗୃହୀତ ସିଦ୍ଧାନ୍ତ। ପ୍ରତ୍ୟେକ ବ୍ୟକ୍ତି କୌଣସି ରାଷ୍ଟ୍ରର ନାଗରିକ, ତାଙ୍କ ନାଗରିକତ୍ବକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ପ୍ରତ୍ୟେକ ପ୍ରାପ୍ତ ବୟସ୍କ ବ୍ୟକ୍ତି ବିବାହ କରି ଶୃଙ୍ଖଳିତ ଭାବରେ ପାରିବାରିକ ଜୀବନ ବଞ୍ଚିବା ସେମାନଙ୍କର ଅଧିକାର। ଜଣେ ପୁରୁଷ ଯେଉଁ ଅଧିକାର ଉପଭୋଗ କରିବେ, ଜଣେ ମହିଳା ମଧ୍ୟ ସେହି ଅଧିକାର ଉପଭୋଗ କରିପାରିବେ।

ମାନବିକ ଅଧିକାରର ବିଶ୍ବ ଘୋଷଣାନାମା ପ୍ରକାଶ ପାଇବା ପରେ ଅନେକ ସ୍ବତନ୍ତ୍ର ବିଷୟରେ ବିଭିନ୍ନ ଆନ୍ତର୍ଜାତିକ ଚୁକ୍ତିନାମା ମଧ୍ୟ ବିଭିନ୍ନ ଦେଶକୁ ନେଇ ପ୍ରକାଶ ପାଇଛି। ସମଗ୍ର ପୃଥିବୀରୁ ବର୍ଣ୍ଣଗତ ବୈଷମ୍ୟର ବିଲୋପ ପାଇଁ ଆନ୍ତର୍ଜାତିକ ଚୁକ୍ତିନାମା ଅନୁମୋଦିତ ହୋଇଛି। ବ୍ୟକ୍ତିମାନଙ୍କର ଜୀବନ ବଞ୍ଚିବାର ଅଧିକାର, ଧର୍ମଗତ ଅଧିକାର, ନିଜର ମତବ୍ୟକ୍ତ କରିବାର ଅଧିକାର, ନିଜ ରାଷ୍ଟ୍ରର ରାଜନୈତିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାର ସୁଯୋଗ, ଆଇନ ଦୃଷ୍ଟିରେ ସମାନ ବିବେଚିତ ଅଧିକାରକୁ ନାଗରିକମାନଙ୍କ ରାଜନୈତିକ ଅଧିକାରର ସ୍ବୀକୃତି ଦିଆଯାଇଛି। ରାଷ୍ଟ୍ର ଜାତିଗତ, ବର୍ଣ୍ଣଗତ ବା ବଂଶାନୁକ୍ରମିକ ପରିଚୟକୁ ନେଇ ଭେଦଭାବ କରିବ ନାହିଁ ଓ ନିଜର ନାଗରିକଙ୍କ ମଧ୍ୟରେ ମାନବିକ ସହନଶୀଳତା, ବିଚାରବୋଧ ଓ ଭ୍ରାତୃତ୍ବଭାବ ସୃଷ୍ଟି କରିବାପାଇଁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରିବ।

ପ୍ରତ୍ୟେକ ନାଗରିକ ନିଜ ଦେଶରେ ନିଜ ବ୍ୟକ୍ତିତ୍ବର ବିକାଶ ଓ ଶିକ୍ଷାର ସୁଯୋଗ ସହ ନ୍ୟାୟପୂର୍ଣ୍ଣ ଓ ନିରାପଦପୂର୍ଣ୍ଣ ଜୀବନ ବଞ୍ଚିବାକୁ ରାଷ୍ଟ୍ର ପରିବେଶ ସୃଷ୍ଟି କରିବ। ବିଭିନ୍ନ ଦେଶର ସାଂସ୍କୃତିକ ପରିବେଶରେ ମହିଳାମାନେ ସମ୍ମୁଖୀନ ହେଉଥିବା ଭେଦଭାବ ଦୂରକରିବା ପାଇଁ, ପାରିବାରିକ ହିଂସାର ବିଲୋପ ପାଇଁ ଓ ଲିଙ୍ଗଗତ ନ୍ୟୂନତାକୁ ଦୂରକରିବାକୁ ରାଷ୍ଟ୍ର ପଦକ୍ଷେପ ନେବ। ନିଜର ଜୀବନସାଥୀ ବାଛିବା ପାଇଁ ତଥା ମୁକ୍ତ ଓ ସମ୍ମତିରେ ବିବାହ କରିବାକୁ ମହିଳାମାନେ ଅଧିକାର ପାଇବାକୁ ରାଷ୍ଟ୍ର ବ୍ୟବସ୍ଥା କରିବ। ସେହିପରି ପିଲାମାନଙ୍କ ଅଧିକାର ବିଷୟରେ ଜାତିସଙ୍ଘ ବିଭିନ୍ନ ସମ୍ମିଳନୀରେ ବିସ୍ତୃତ ନିର୍ଦେଶନାମା ଅନୁମୋଦନ କରିଛି। ପିଲାମାନେ ନାମ ଓ ଜାତୀୟତା ବହନ କରିବେ, ସୁନ୍ଦର ଓ ପୂର୍ଣ୍ଣ ଜୀବନ ବଞ୍ଚିବାର ଅଧିକାର ପାଇବେ, ଉପଯୁକ୍ତ ଯତ୍ନ ପାଇବେ, ନିଜ ପରିବାରର ଭାଷା, ଧର୍ମ, ସଂସ୍କୃତି ଶିକ୍ଷାକରିବେ, ନିଶା ସେବନରୁ ବିରତ ହେବେ, ଶିକ୍ଷା ଓ ସ୍ବାସ୍ଥ୍ୟର ହାନିକର ଦିଗରୁ ନିବୃତ୍ତ ରହିବେ ଇତ୍ୟାଦି ଅଧିକାର ପିଲାମାନଙ୍କୁ ଦେବାକୁ ରାଷ୍ଟ୍ର ବିହିତ ପଦକ୍ଷେପ ନେବ। ମାନବିକ ଅଧିକାରର ଆନ୍ତର୍ଜାତିକ ଘୋଷଣାପରେ ନିଜ ରାଷ୍ଟ୍ରରେ ନାଗରିକମାନେ କିପରି ସାମାଜିକ, ଅର୍ଥନୈତିକ ଓ ସଂସ୍କୃତିକ ଅଧିକାର ଓ ସ୍ବାଧୀନତା ବାସ୍ତବରେ ଉପଭୋଗ କରିବେ ସେଥିପାଇଁ ପ୍ରତ୍ୟେକ ରାଷ୍ଟ୍ର ବିଧାନଗତ,ଶାସନଗତ ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ରହିଛି। ମାନବିକ ଅଧିକାରର ଉଲ୍ଲଙ୍ଘନ ଆମ ଦେଶରେ ଏକ ସାଧାରଣ ଘଟଣା ହୋଇଥିବାରୁ ଆମ ଦେଶରେ ଜାତୀୟ ମାନବିକ ଅଧିକାର କମିସନମାନ ଗଠିତ ହୋଇଛି। ଏପରି କି ରାଜ୍ୟସ୍ତରରେ ମଧ୍ୟ ମାନବିକ ଅଧିକାର କମିସନମାନ ରହିଛି।

ମାନବବାଦର ଉତ୍କର୍ଷ ମାନବିକ ଅଧିକାରର ଘୋଷଣାନାମାରେ ପ୍ରତିଫଳିତ ଜୀବନର ମହତ୍ତ୍ବ କେବଳ ବଞ୍ଚିବାରେ ସୀମିତ ନୁହେଁ; ବରଂ ସମ୍ମାନଜନକ ଭାବରେ ବଞ୍ଚି ଜୀବନର ଉତ୍କର୍ଷ ସାଧନ କରିବା ଓ ବୃହତ୍ତର ସମାଜର ମଙ୍ଗଳବିଧାନ ପାଇଁ ନିଜର ଅବଦାନ ଦେବା ମାନବବାଦର ବିସ୍ତାରିତ ଅର୍ଥ। ଏହାର ସଫଳତା ବ୍ୟକ୍ତି ଓ ବ୍ୟଷ୍ଟି ଜୀବନର ସାର୍ଥକତାର ସ୍ବାକ୍ଷର ବହନକରେ।

Comments are closed.