www.samajalive.in
Sunday, December 14, 2025
19.1 C
Bhubaneswar

ସାମନ୍ତିଆ ଚେତନାର ଉପସଂହାର

ଚକ୍ଷୁର ବିଷୟ, ଏ ସ୍ଥୂଳ ଶରୀର କରୁଥିବା ବହୁ କାର୍ଯ୍ୟଠୁ, ସୂକ୍ଷ୍ମ ଶରୀର ବା ଶକ୍ତି ଯେ ବହୁ କାର୍ଯ୍ୟ କରିଥାଏ, ତା’ ଏକ ପ୍ରାକୃତିକ, ତାତ୍ତ୍ବିକ ଓ ବିଜ୍ଞାନ ସମ୍ମତ କ୍ରିୟା। ଆହାର, ନିଦ୍ରା, ଭୟ, ମୈଥୁନର ପ୍ରଜ୍ବଳିତ ଅଗ୍ନିକୁଣ୍ଡରେ ଶରୀରକୁ ଅହରହ ମୁହାଁଉଥିବା, ବାହୁଥିବା ଲୋକଟିଏ ସୂକ୍ଷ୍ମାତିସୂକ୍ଷ୍ମ ଶକ୍ତିକୁ ବୁଝିବ ବା କେମିତି? ଶରୀର ବଳରେ ଜଣକୁ ମରଣାନ୍ତକ ଆଘାତ ଦିଆନିଆ ସହ ପରିଚିତ, ଆଜିର ତେଲଲୁଣିଆ ଦଳ କଳି ପାରନ୍ତି ନାହିଁ ଯେ ଶରୀର ବଳ ବିନା ଜଣଙ୍କୁ ତତୋଽଧିକ ଆଘାତ ଦିଆହୋଇ ପାରେ। ଗାଁ ଗହଳିର, ଆମ ସଂସ୍କୃତି ଓ ସଂସ୍କାର ବିଶ୍ବାସୀ ଜଣେ ସରଳ ଗ୍ରାମବାସୀ ଏ କଥାକୁ କିନ୍ତୁ ବୁଝିଥିଲା। ସେମାନେ ଢଗରେ ବୋଲନ୍ତି ବି, ‘‘ମଣିଷ ହାଇ, ଗଛର ଛାଇ, ଯେଣେ ଯାଏ ତେଣେ ଉଧାଏ ନାହିଁ।’’ ‘ଅଭିଶାପ’ କଥା କହୁନା। କ୍ଷୀଣ ଶରୀରର ବାଆଜି ବା ସନ୍ନ୍ୟାସୀଗୁଡ଼ାଙ୍କ କି ତେଜ କି କୋପ ଲୋ ବୋପା!

ପ୍ରଚଣ୍ଡ ବଳଶାଳୀ ମହାରାଜ କୃଷ୍ଣ ପୁତ୍ରର ଅହଂରେ ଉତୁରୁଥିବା ଶାମ୍ବ, ତାଙ୍କ ନଅରକୁ ଆସିଥିବା ସନ୍ନ୍ୟାସୀଗଣଙ୍କୁ ଥଟ୍ଟା ଟାପରା କଲେ। ଗୋଟାଏ ଆସନ୍ନ ପ୍ରସବା ସ୍ତ୍ରୀଲୋକ ବେଶ ହୋଇ ଉଦ୍ଧତ ବିପଥଗାମୀ ସାଥିଙ୍କ ସହ ଋଷିମାନଙ୍କୁ ପଚାରିଲେ, ‘‘କହିବ ଦେଖି, ୟା ପେଟରେ ପୁଅ ନା ଝିଅ କ’ଣ ଅଛି? ତା’ହେଲେ ଆମେ ଜାଣିବୁ ତମେ ସବୁ ଭଣ୍ଡ ବାଆଜି ନୁହଁ।’’ ତାଙ୍କ ପାଦଧୂଳି ନେଉଥିବା ମହାରାଜ କୃଷ୍ଣଙ୍କ ତନୟ ଯେ ଝଡ଼ା ବାଳୁଙ୍ଗା ହୋଇପାରେ, ଏ କଥା କିଏ କେମିତି ବିଶ୍ବାସ କରିବ? ଋଷିମାନଙ୍କ ପ୍ରତି ଏ ଯୁବକର ଏତାଦୃଶ ପରିହାସ ବଡ଼ ଅସହ୍ୟ ହେଲା। ଅଭିଶାପ ଆପେ ଆପେ ନିଗିିଡ଼ି ପଡ଼ିଲା। କହିଲେ, ‘‘ହଁ, ପୁଅ କି ଝିଅ ନାହିଁ ୟା ପେଟରେ। ଗୋଟେ ଲୁହା ମୁଷଳ ଅଛି ଯାହା ଏ ବିପଥଗାମୀ ଯଦୁବଂଶକୁ ଧ୍ବଂସ କରିବ।’’ ଠୋ ଠୋ ହସି ଟୋକାଗୁଡ଼ା ଭାଗା। ଏ କଥା ବ୍ୟାପିଗଲା। ଚହଳ ପଡ଼ିଗଲା ରାଜନଅରରେ, ନଗରରେ। କୃଷ୍ଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଋଷିମାନଙ୍କ ଗୋଡ଼ ତଳେ ପଡ଼ିଗଲେ। ଅଭିଶାପ ଫେରାଇବାକୁ ଗୋଡ଼ ତଳେ ପଡ଼ି କାକୁତିମିନତି କଲେ। କୃଷ୍ଣ ଜାଣିଥିଲେ ତାଙ୍କ ତନୟମାନଙ୍କ ଔଦ୍ଧତ୍ୟ।

- Advertisement -

ଏଗୁଡ଼ା ଧ୍ବଂସ ପାଆନ୍ତୁ ଓ ଋଷି ଅଭିଶାପ ଅଲଙ୍ଘନୀୟ ବୋଲି। ସତରେ ଶେଷକୁ ଶାମ୍ବ ପେଟରୁ ଲୁହା ମୁଷଳ, ଧନୁଶର ବନିଥିଲା ଓ ଜାରାଶବର ଧନୁରେ ଯୋଖା ଏଇ ଲୁହା, କୃଷ୍ଣଙ୍କ ମୃତ୍ୟୁର ଓ ଯଦୁବଂଶ ଧ୍ବଂସର କାରଣ ହେଲା। ସେ ଆଉ ଏକ ଭିନ୍ନ ପ୍ରସଙ୍ଗ। ତେବେ ଏତିକି ପ୍ରମାଣିତ ଓ ସୂଚିତ ହେଲା ଯେ ଅହଂକାରୀ ଅଭିମାନୀ ଯେତେ ବଡ଼ ହେଲେ ବି ଅଭିଶାପରେ ଜଳିପୋଡ଼ି ଯାଆନ୍ତି। ତେଣୁ ସମ୍ମାନ, ଶ୍ରଦ୍ଧା, ପ୍ରେମ ଆଦି ଦେହାତୀତ ବିଷୟ ଓ ମାନସିକ ସ୍ତରରେ ତା’ର ସୃଷ୍ଟି ହୋଇଥାଏ। ତାକୁ ଦେଖିବ କିଏ ଦେଖ? ଆରେ ୟେ କ’ଣ ଯାଦୁ କାଛୁ କୁଣ୍ଡିଆ ହୋଇଛି ଯେ ତାକୁ ଲୁଗା ଟେକି ଦେଖେଇ ହେବ। ୟେ ପରମାଣୁ ବୋମା ପରି ଘୋର ଶକ୍ତିଶାଳୀ ଆଦି ଭୌତିକ, ମହାଜାଗତିକ ଶକ୍ତି। ଟେକାଟେ ଉପରକୁ ଫିଙ୍ଗିଲେ ବା ଫଳଟେ ଖସିଲେ ଆକାଶକୁ ଆହୁରି ଉପରକୁ ଉଠି ପାରନ୍ତିନି। ନ ତୋଳିଲେ ବି ଫଳଟା ତଳକୁ ପଡ଼େନା ନାହିଁ ମ!

ଏକୁ କହୁଛନ୍ତି ମାଧ୍ୟାକର୍ଷଣ ଶକ୍ତି। କିଏ ଦେଖିଛି ଏ ଶକ୍ତିକୁ କହୁନା! ତୀବ୍ର ଅନୁଧ୍ୟାନ, ତା’ର ଅନୁଭବ ଦେଇଥାଏ। ସେମିତି ସବୁ କଥା। ସମ୍ମାନ ସ୍ନେହ ବିଷୟରେ କୁହାଗଲା, ‘‘ସୁଖେନ ବିଦ୍ୟା, କପଟେନ ମୈତ୍ରୀଂ, ଶାଠ୍ୟେନ ଧର୍ମଂ, ପୌରୁଷେଣ ନାରୀ, ପରପ୍ରତାପେନ ସମୃଦ୍ଧିଭାବଂ, ବାଞ୍ଛନ୍ତି ଯେ ବ୍ୟକ୍ତମପଣ୍ଡିତାସ୍ତେ।’’ ଅର୍ଥାତ୍‌ ଅନ୍ୟକୁ ଡରାଇ ଥରାଇ ଯେ ନିଜର ଉତ୍‌ଥାନ ବା ସମୃଦ୍ଧି ଚାହୁଁଥାଏ ସେ, ବିଦ୍ୟାଲାଭ ପାଇଁ ସୁଖ ତ୍ୟାଗ କରିବାକୁ ପଡ଼ିବ, କଠୋର ଅଧ୍ୟବସାୟ ଲୋଡ଼ା। ମାତ୍ର ଯେ ହସିଖେଳି, ଶୋଇ ବସି ମହାସୁଖରେ ବିଦ୍ୟାଲାଭ କରିବାକୁ ଚାହେଁ, ମିତ୍ର ଲାଭ ପାଇଁ ନିର୍ମଳ ହୃଦୟ ଲୋଡ଼ା, ସଂସ୍କୃତରେ କୁହାଯାଇଛି ‘ମିତ୍ରଂ ସ୍ବଚ୍ଛତୟା’। ମାତ୍ର କାମ ପାଇଁ, ଫାଇଦା ଉଠାଇବା ପାଇଁ ଯେ ମିତ୍ରତାର ଅଭିନୟ କରେ, ସେମିତି ଧର୍ମାର୍ଜନ ପାଇଁ ଠକାମି ଭଣ୍ଡାମି ଓ ଶଠତାକୁ ଆଭରଣ, ଆବରଣ କରିଥାଏ। କାରଣ ଗୀତା ତ ଧର୍ମ ପାଇଁ ସମର୍ପଣ ଭାବ କଥା କହିଲେ, ‘‘ସର୍ବଧର୍ମାନ୍‌ ପରିତ୍ୟଜ୍ୟମାମେକଂ ଶରଣଂ ବ୍ରଜ।’’ ଶରଣରେ ଧର୍ମ ଲାଭ ହୋଇଥାଏ। ମାତ୍ର ଯେ ଶଠତା ଆଚରଣ କରେ ସେ, ଆଉ ଶକ୍ତି ବା ବଳ ପ୍ରୟୋଗ କରି ଜବରଦସ୍ତ ‘ନାରୀ’ର ପ୍ରେମ ଓ ଭୋଗ ଅବାନ୍ତର କଥାଟେ। ଆଉ ବି କୁହାଯାଇଛି, ‘‘କବିତା ବନିତାଶ୍ଚୈବ ସରସା ସ୍ବୟମାଗତା ବଳାଦାକୃଶ୍ୟ ମାଣାଚେତ୍‌, ସହସା ବିରସାୟତେ।’’

ଆପେ ଆପେ ଆକର୍ଷିତ ହେଲେ କବିତା ଓ ବନିତା ବେଶ୍‌ ସରସିତ ଓ ପୂର୍ଣ୍ଣ ଲାଗନ୍ତି। ମାତ୍ର ଏକୁ ଟଣାଟଣି କଲେ ସେ ସବୁ ବିରସ ବା ରସହୀନ ହୋଇ ଯାଆନ୍ତି। ମନର ଭାବରେ ତାଙ୍କୁ ଆକର୍ଷିତ କରାଯାଇପାରେ। କୁହା ବି ଯାଇଛି ପରା, ‘‘ଅନଳ ନୁହଁଇ ଦେହ ଦହଇ, ଅସ୍ତ୍ର ନୁହଁଇ ମରମ ଭେଦଇ, ନୁହଁଇ ବଡ଼ଶୀ, ମନ ମୀନ ନିଏ ବଳେ ଆକର୍ଷି। ସେ ଶକ୍ତି ଜାଗରୁକ କରି ପାରୁଚ ତ ଜଗାଅ ଓ ସୁନ୍ଦରୀ ଭୋଗ କର। ନ ହେଲେ ୟେ କି ଭୋଗ? ବାଘର ମାଉଁସଖିଆଠୁ ବି ହୀନ, ତେଣୁ ଯେ ବଳ ପ୍ରୟୋଗରେ ସ୍ତ୍ରୀ ଭୋଗ ଚାହେଁ ସେ ସମସ୍ତେ ବଜାବାଡ଼ିଆ ମୂର୍ଖ। ପୁରାଣର ଗୁରୁଭକ୍ତି, ପିତୃଭକ୍ତିକୁ ଅନୁଧ୍ୟାନ କରୁନ, ଦେଖିବ ଭକ୍ତି କ’ଣ, ଭାବ କ’ଣ? ଉଦାହରଣ ହାଉଯାଉ। ଏବକୁ ସିନା ସେ ସବୁ ବିରଳ ଓ ଗପ ହୋଇ ଯାଇଛି। ଲାଗିଲା ସୂର୍ଯ୍ୟ ଓ ବିନ୍ଧ୍ୟାଚଳ ପର୍ବତ ମଧ୍ୟରେ କଳି, ‘କିଏ ବଡ଼’? ସୂର୍ଯ୍ୟ ଆକାଶରେ ଯେତେ ଉପରକୁ ଉଠୁଛନ୍ତି, ପର୍ବତ ରାଜ ବି ତହିଁ ଉପରକୁ।

ଏଥିରେ ପୃଥିବୀ ଦି’ଭାଗ ହୋଇଗଲା, ଗୋଟେ ପଟେ ପୂରା ଅନ୍ଧାର, ୟେ ସୃଷ୍ଟି ନାଶର କଥା। ଇନ୍ଦ୍ରାଦି ସମସ୍ତେ ଲାଗିଲେ ଦୁହିଁଙ୍କ ଭିତରେ ଗୋଟେ ରଫାଦଫା କରି ଦେବାକୁ। ମାତ୍ର ଗର୍ବ ଦମ୍ଭରେ ଫାଟି ପଡ଼ୁଥିବା ଦୁହିଁଙ୍କୁ ମନାଇବ କିଏ? ତା’ପରେ, ସୂର୍ଯ୍ୟଙ୍କ କାର୍ଯ୍ୟର ମହତ୍ତ୍ବ ଏ ପର୍ବତର କାଇଁ? ମାତ୍ର ସେ ବୁଝିଲେ ତ? ମନେପଡ଼ିଲା ଗୁରୁ ଅଗସ୍ତିଙ୍କ କଥା। ତାଙ୍କର ଏ ପର୍ବତରାଜ ଉପରେ ଢେର ପ୍ରଭାବ। ଭକ୍ତ ଭାବେ, ଶିଷ୍ୟ ଭାବେ ଏ ପର୍ବତରାଜଙ୍କ ଖ୍ୟାତି ଅଛି। ଗୁରୁ ଛଡ଼ା ସେ ଆଉ କାହା ପାଖେ ମୁଣ୍ଡ ନୁଆନ୍ତିନି। ଇନ୍ଦ୍ରାଦି ଦେବତାମାନେ ତାଙ୍କ ପାଖେ ପହଞ୍ଚି ଗୋଡ଼ତଳେ ପଡ଼ିଗଲେ। ସବୁ କଥା ବଖାଣି ଓ ସୃଷ୍ଟି ରକ୍ଷା କରିବାକୁ କହିଲେ। ଋଷିବର ପର୍ବତରାଜଙ୍କ ପାଖେ ପହଞ୍ଚିଲେ। ଏଡ଼େ ଡେଙ୍ଗା ଓ ଉଚ୍ଚା ସେ ହୋଇଯାଇଛି ଦେଖି ଗୁରୁ ବି ବିସ୍ମିତ ହେଲେ। ଗୁରୁଙ୍କୁ ଦେଖିବା କ୍ଷଣି ଏ ସମର୍ପିତ ଶିଷ୍ୟ ମୁଣ୍ଡକୁ ତାଙ୍କ ପାଦ ତଳେ ନୋଇଁଦେଇ ଢେର ତଳକୁ ଖସିଗଲା। ଗୁରୁ ତାକୁ ଡେଇଁ ଆରପଟକୁ ଗଲେ ଓ ପ୍ରିୟ ଶିଷ୍ୟକୁ ନିର୍ଦେଶ ଦେଇ ଗଲେ ଯେ ସେ ନ ଫେରିବା ଯାଏ, ୟେ ଏମିତି ମୁଣ୍ଡପାତି ଥିବ। ସେଇଆ ବି ହେଲା। ସେଦିନୁ ପର୍ବତରାଜ ଛୋଟ ପାହାଡ଼ଟିଏ ବେଶରେ, ଅବସ୍ଥାରେ ପଡ଼ିଛନ୍ତି ଗୁରୁ ଆଜ୍ଞାରେ। ଗୁରୁ ବି ଆଉ ତାଙ୍କ ଆଶ୍ରମ, ପୀଠ ସାଧନା ସ୍ଥଳୀକୁ ଫେରିଲେନି ବିଶ୍ବର ମଙ୍ଗଳ ସକାଶେ। ୟେ ସବୁ ଭାବର କଥା। ଏଠି ବିରିଆନି ବାନ୍ତି ମଡ଼ାଏ ଓ ଖୁଦକଣା ଅମୃତ ଲାଗେ। କଦଳୀ ଅପେକ୍ଷା କଦଳୀ ଚୋପା ସୁଆଦ ଲାଗେ। ଏ ସବୁ ଭାବ ଉଦ୍ରେକକାରୀ ମନର ଓ ଚେତନାର କାରସାଦି। ଯେ ଏ କାରସାଦି ଜାଣିଲା ସେ ଜଗତ ଜିତିଲା। ମନ ଏକ ଚୁମ୍ବକୀୟ ଶକ୍ତି। ମହାଭାବ ଉତ୍ପନ୍ନକ୍ଷମ। ଏକୁ ଗୋଡ଼ି ଟେକା କରୁଛ ତ, କରୁଥା’।

ଛାଡ଼ନ୍ତୁ ଏତେ କଥା, ବୟାନବାଜି। ବମ୍ବେ ହାଇକୋର୍ଟର ଏକ ସଂସ୍କାରଧର୍ମୀ ରାୟରୁ ମନକୁ ଏତେ କଥା ସବୁ ଆସିଲା। ଆମ ଦେଶରେ ବିଚାରପତିମାନଙ୍କୁ ଧର୍ମାବତାର କୁହାଯାଏ। ତାଙ୍କୁ ଇଂରାଜୀରେ ‘My Lord’ ହେ ମୋର ପ୍ରଭୁ! ଆଦି ଶବ୍ଦରେ ସମ୍ବୋଧନ କରାଯାଏ। ସେଥିରେ ପୁଣି ସମାଲୋଚନା, ନିନ୍ଦାର ତାତିରୁ ତାଙ୍କୁ ସୁରକ୍ଷା ଦେବାକୁ, ସେମାନଙ୍କ ରାୟ, ପ୍ରଶ୍ନାତୀତ କରିବାକୁ ‘ଅଦାଲତ ଅବମାନନା’ ବ୍ୟବସ୍ଥା ଢେର କଡ଼ା ଏ ଦେଶରେ। ଜଜ ଜଣେ ଚଳନ୍ତି ଭଗବାନ ବୋଲ। ଏମିତି ମହାଭାବର ବ୍ୟକ୍ତିତ୍ବ ଯେ ବିଚାରାଳୟରେ ନାହାନ୍ତି ତା’ ନୁହେଁ, ମାତ୍ର ସବୁ ମୂଳା ତ ଧୁଆ ନୁହେଁ? କ୍ରମେ ଏବେ ଅଧୁଆ ମୂଳା ୟା ଭିତରକୁ ପଶିଯାଇ, ଧୁଆମୂଳା ସହ ସମାନ ସମତୁଲ ହୋଇଯାଉଛନ୍ତି। ଏମିତିରେ ଏ ‘ମାଇଁ ଲର୍ଡ଼’ କୋଉ ଭାବ ଉତ୍ପାଦିବ? ଖାଲି ‘‘ବୋପା ରାଣ ଢିଙ୍କି ଗିଳ୍‌’’ କଥା। ଖୋସାମତିଆଗୁଡ଼ା

ଏମିତି ବ୍ୟବସ୍ଥାର ଢେର ଫାଇଦା ଉଠାନ୍ତି, ଏ ଥାଟବାଟ ଓ ଖୋସାମତରେ ଅଧୁଆମୂଳା ଆଉ ରେଣ୍ଠା ରେଣ୍ଠିରୁ ରକ୍ଷା ପାଇ ଯାଆନ୍ତି। ସେ ଯାହାହେଉ, ତିତିକ୍ଷୁ ବିଚାରପତିମାନେ ଏ ଶବ୍ଦଗୁଡ଼ାକ, ସାମନ୍ତବାଦୀୟ, ନିର୍ଯାସହୀନ ବୋଲି ଅନୁଭବ କରିଛନ୍ତି ବୋଧେ। ତେଣୁ ଏ ‘ସମ୍ବୋଧନ’ ସବୁକୁ ବାରଣ କରି ବରଂ ସେମାନଙ୍କ ମହତ୍ତ୍ବ ପ୍ରତିପାଦିତ କରିଛନ୍ତି। ଗଣତନ୍ତ୍ରକୁ ସାମନ୍ତବାଦୀୟ, ରାଜୁଡ଼ାମେଜାଜରୁ ମୁକୁଳେଇବାରେ ୟେ ବେଶ୍‌ ସହାୟକ ହେବ। ଆତ୍ମସମୀକ୍ଷକ, ଜଣେ ବିଶ୍ବ ସମୀକ୍ଷକ ହୋଇପାରେ। ସେମାନେ ପ୍ରକୃତରେ ବିଶ୍ବସମୀକ୍ଷକ, ବିଚାରପତି ପ୍ରମାଣ କରିଛନ୍ତି। ବିଚାରପତି ଆଜ୍ଞା, ଜୟ ହୋ, ଜୟ ହୋ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories