କେବେ ଆସିବ ସାମାଜିକ ସୁରକ୍ଷା ପରିଷଦ ନୀତି ?

ଆଜି ଶ୍ରମିକ ଦିବସ

-ବଢ଼ିଛି ମହିଳା ଓ ପୁରୁଷ ମଜୁରିରେ ପାର୍ଥକ୍ୟ, -କମୁଛି ମନରେଗା ଅନୁଦାନ; ଶ୍ରମିକଙ୍କୁ ଉପହାସ, -ସହରାଞ୍ଚଳ ଶ୍ରମିକଙ୍କ ପାଇଁ ନାହିଁ ଯୋଜନା

prayash

ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରି ରାଜ୍ୟ ସରକାର ବିଭିନ୍ନପ୍ରକାର ସହାୟତା ପ୍ରଦାନ କରୁଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। କରୋନା ମହାମାରୀ ପରେ କେନ୍ଦ୍ର ସରକାର ନିର୍ମାଣ ଶ୍ରମିକ ବାଦ୍ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ପରିଷଦ ନୀତି ଆଣିଥିବାବେଳେ ରାଜ୍ୟ ସରକାର ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛନ୍ତି। ଫଳସ୍ବରୂପ ବୁଲା ବିକାଳିଠାରୁ ଆରମ୍ଭ କରି ରିକ୍ସା ଚାଳକଙ୍କ ପର୍ଯ୍ୟନ୍ତ ଶ୍ରମିକମାନେ ପଞ୍ଜିକୃତ ନହୋଇ ପାରିବାରୁ ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ନୀତି କାର୍ଯ୍ୟକାରୀ କରାଗଲେ ନିର୍ମାଣ ଶ୍ରମିକଙ୍କ ପରି ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହୋଇପା‌ରିବେ। ବିଭିନ୍ନ ସମୟରେ ଅଣ ପଞ୍ଜିକୃତ ଶ୍ରମିକ ବ୍ୟବସ୍ଥା ଭିତରକୁ ଆସିବାକୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପାଇଁ ନୀତି ଆଣିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଉଛନ୍ତି। ନିର୍ମାଣ ଶ୍ରମିକଙ୍କ ପାଇଁ ପାଣ୍ଠିର ବ୍ୟବସ୍ଥା ରହିଛି ଏବଂ ରାଜ୍ୟ
ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରୁଛନ୍ତି; କିନ୍ତୁ ସମ୍ଭାବ୍ୟ ସାମାଜିକ ସୁରକ୍ଷା ପରିଷଦ ନୀତିର ପରିସରଭୁକ୍ତ ହେବାକୁ ଥିବା ଶ୍ରମିକଙ୍କ ପାଇଁ ପାଣ୍ଠିର ବ୍ୟବସ୍ଥା ନାହିଁ। ଏମାନଙ୍କ ପାଇଁ ପାଣ୍ଠି ଏବଂ ବଜେଟରେ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ରହିଛି।
ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିୟୋଜନ ଗ୍ୟାରେଣ୍ଟି ଆକ୍ଟ (ଏମଜିଏନଆରଇଜିଏ, ମନରେଗା)ରେ ପୁରୁଷଠାରୁ ମହିଳାଙ୍କ ଶ୍ରମ ଦିବସ ବଢ଼ୁଛି। ଜାତୀୟସ୍ତରରେ ୧୫ଟି ରାଜ୍ୟ ମନରେଗାରେ ମହିଳାଙ୍କ ଶ୍ରମ ଦିବସ ବଢୁଥିବାବେଳେ ତା’ ଭିତରେ ଓଡ଼ିଶା ଅନ୍ତର୍ଭୁକ୍ତ। ଉକ୍ତ ଯୋଜନାରେ ଜାନୁଆରୀ ୧୫ ସୁଦ୍ଧା ମହିଳାଙ୍କ କ୍ଷେତ୍ରରେ ଶ୍ରମ ଦିବସ ୪୭.୮୦%କୁ ବୃଦ୍ଧି ପାଇଛି। ପୁରୁଷଙ୍କ ଶ୍ରମ ଦିବସ ୫୨.୨% ରହିଛି। ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ମନରେଗା ଅନୁଦାନ କମୁଛି। କେନ୍ଦ୍ର ସରକାର ୨୦୨୨-୨୩ ବଜେଟରେ ୭୩ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିବା ବେଳେ ୨୦୨୩-୨୪ ବଜେଟରେ ୬୦ହଜାର କୋଟି ଟଙ୍କା ଦେଇଛନ୍ତି, ଯାହାକି ଗତବର୍ଷ ବଜେଟ ତୁଳନାରେ ୧୮% କମ। ଶ୍ରମିକଙ୍କୁ ୨୦୦ଦିନ ଶ୍ରମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବାବେଳେ ବଜେଟରେ ଅନୁଦାନ ହ୍ରାସ ଶ୍ରମିକଙ୍କ ପ୍ରତି ପ୍ରତାରଣା। ପଶ୍ଚିମ ଓଡ଼ିଶାର ଦାଦନ ପ୍ରବଣ ଜିଲାରେ କେନ୍ଦ୍ର ସରକାରଙ୍କ ୨୦୦ଦିନ ଏବଂ ରାଜ୍ୟ ସରକାର ଅତିରିକ୍ତ ୧୦୦ଦିନ ଶ୍ରମ ଯୋଗାଇ ଦେବାକୁ କହିଥିଲେ। ରାଜ୍ୟ ସରକାର ଚଳିତ ବଜେଟରେ ମନରେଗା ପାଇଁ ମୋଟାମୋଟି ଭାବେ ୩୩ଶହ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଯଦି ଦାଦନପ୍ରବଣ ୮ଜିଲାରେ ଶ୍ରମିକଙ୍କୁ ୩୦୦ଦିନ ଶ୍ରମ ଦିଆଯାଏ ତେବେ ସେମାନେ ଦାଦନ ଖଟିବାକୁ ଯିବେ ନାହିଁ। ବାସ୍ତବରେ ଘୋଷଣା କାର୍ଯ୍ୟକାରୀ ନକରିବା ଏବଂ ଶ୍ରମିକଙ୍କ ବଦଳରେ ଯନ୍ତ୍ର ସାହାଯ୍ୟରେ ମନରେଗା କାମ କରିବା ଦ୍ବାରା ଏମାନେ ଦୈନିକ କାମ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଯୋଜନା ଗ୍ରାମାଞ୍ଚଳ ଶ୍ରମିକଙ୍କ ଆର୍ଥିକ ପରିବର୍ତ୍ତନ ଆଣୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।
ସହରାଞ୍ଚଳ ଶ୍ରମିକଙ୍କ ପାଇଁ କୌଣସି ଯୋଜନା ପ୍ରଣୟନ କରାଯାଉ ନାହିଁ। ଫଳରେ ସହରାଞ୍ଚଳ ଶ୍ରମିକ କେବଳ ହାଟ ଓ ବଜାରରେ ଠିଆ ହୋଇ କାମ ଅନ୍ବେଷଣରେ ମାଲିକଙ୍କୁ ଅପେକ୍ଷା କରି ରହିଥାନ୍ତି। ମାଲିକ ଆସିଲେ ମଜୁରି ସ୍ଥିର କରି କାମ କରିବାକୁ ନେଇଥାନ୍ତି। କିଏ ପ୍ରତିଦିନ କାମ ପାଉଛି ତ ଆଉ କିଏ ମାସକୁ ୧୦ରୁ ୧୫ଦିନ କାମ ପାଉଛି। ସବୁଦିନ ଶ୍ରମ ନମିଳିବାରୁ ସହରାଞ୍ଚଳରେ ଶ୍ରମିକମାନେ ଅର୍ଥ ଅଭାବରେ ପଡୁଛନ୍ତି। କରୋନା ସମୟରେ ରାଜ୍ୟ ସରକାର ସହରାଞ୍ଚଳ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ; କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ଶ୍ରମିକଙ୍କ ପ୍ରତି ଆଉ ଗୁରୁତ୍ବ ଦିଆଗଲା ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଶ୍ରମିକଙ୍କ ପାଇଁ ମନରେଗା ପରି ଏକ ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ରହିଛି। ବାବୁଭାୟାଙ୍କ ଘରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକଙ୍କ ପାଇଁ କୌଣସି ନୀତି ଅଣାଯାଇ ନାହିଁ। ମାସିକ ୫ରୁ ୬ ହଜାର ଟଙ୍କା ଦରମାରେ ଦୈନିକ ୮ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଘର କାମ କରୁଛନ୍ତି। ଜଣେ ମହିଳା କେତେ ସମୟ ଘର କାମ କରିବ, ଦୈନିକ ମଜୁରି କେତେ ରହିବ, ତା’ର ସାମାଜିକ ସୁରକ୍ଷା, ସରକାରଙ୍କ ପକ୍ଷରୁ ସୁବିଧା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ଆଇନ ଆଣିବାର ଆବଶ୍ୟକ ବୋଲି ଶ୍ରମଜୀବୀ ସୁଜାତା ଦଳେଇ କହିଛନ୍ତି।
ସମଗ୍ର ଦେଶରେ ଦରଦାମ୍‌ ବୃଦ୍ଧି ପାଉଛି; କିନ୍ତୁ ଶ୍ରମିକଙ୍କ ଦୈନିକ ମଜୁରି ସମୁଦ୍ରକୁ ଶଙ୍ଖେ। ଦୁର୍ବଳ ଆର୍ଥିକ ଅବସ୍ଥା ଯୋଗୁଁ ଦିନ ମଜୁରିଆ କମ୍‌ ଟଙ୍କାରେ ଖଟୁଛନ୍ତି। ଭୋକ ଉପବାସରେ ରହିବା ଅପେକ୍ଷା କିଛି ଟଙ୍କା ରୋଜଗାର କରି ପିଲାଙ୍କ ମୁହଁରେ ଆହାର ଦେବାକୁ ଗୁରୁତ୍ବ ମଣୁଛନ୍ତି। ମହିଳା ସଶକ୍ତୀକରଣ ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି; କିନ୍ତୁ ପୁରୁଷ ଓ ମହିଳାଙ୍କ ମଜୁରିରେ ଅନେକ ତାରତମ୍ୟ ଲକ୍ଷ୍ୟ କରାଯାଉଛି। ସମାନ କାମକୁ ସମାନ ମଜୁରି ପରିବର୍ତ୍ତେ ପୁରୁଷଙ୍କୁ ଅଧିକ ମହିଳାଙ୍କୁ କମ୍‌ ମିଳୁଥିବା ଅଭିଯୋଗ ହୋଇଛି। ଏଡେଟ ଆକ୍ସନ ପ୍ରବାସୀ ଶ୍ରମିକ ଓ ଶିକ୍ଷା ସଂସ୍ଥାନର ନିର୍ଦେଶକ ଉମି ଦାନିଏଲ କହିଛନ୍ତି, ଶ୍ରମିକ ଓ ସେମାନଙ୍କ ପିଲାଙ୍କୁ ସାମାଜିକ ସୁରକ୍ଷା, ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏପ୍ରିଲ ୧, ୨୦୨୨ରେ ବିଭିନ୍ନ ବର୍ଗ ଶ୍ରମିକଙ୍କ ମଜୁରି ୧୧ ଟଙ୍କା ବୃଦ୍ଧି କରିଛନ୍ତି। ଏହି ମଜୁରି ଦରଦାମ୍‌ ବୃଦ୍ଧି ବଜାରରେ ଗୋଟିଏ ଶ୍ରମିକ ପରିବାର ଚଳିବା ସକ୍ଷମ ନୁହେଁ। କେରଳ ରାଜ୍ୟରେ ଶ୍ରମିକଙ୍କ ମଜୁରି ୬ଶହ ଟଙ୍କା ଥିବାବେଳେ ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୩୨୬ ଟଙ୍କା ରହିଛି। ଅର୍ଦ୍ଧକୁଶଳୀ ୩୬୬ ଟଙ୍କା, କୁଶଳୀ ୪୧୬ ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରି ୪୭୬ ଟଙ୍କା ରହିଛି। ଶ୍ରମିକଙ୍କ ମଜୁରି ବୃଦ୍ଧିର ଆବଶ୍ୟକତା ରହିଛି।

Comments are closed.