Patra electronics

ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଲକ୍ଷ୍ୟ : ଧର୍ମେନ୍ଦ୍ର

ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ ଲୋକାର୍ପିତ, ୫୦ କୋଟିରେ ନିର୍ମିତ ରାଜ୍ୟର ସର୍ବବୃହତ୍‌ ଅଡିଟୋରିୟମ

ଖୋର୍ଦ୍ଧା : ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବାକୁ ଆମ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଉପକଣ୍ଠ ତରବୋଇସ୍ଥିତ ଏହି ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ସରକାରୀସ୍ତରରେ ଗୁରୁବାର ଉଦ୍‌ଘାଟିତ ହୋଇଥିବା ଅନୁଷ୍ଠାନ ଓଡ଼ିଶାର ସର୍ବବୃହତ୍‌ ଅଡିଟୋରିୟମ। ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ କରିବାକୁ ଏସଡିଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଛି। ଏହାଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି। ଶ୍ରେଣୀଗୃହ ସହ ଛାତ୍ରାବାସ, ଖେଳ ପଡ଼ିଆ, ଲ୍ୟାବ, ଥିଏଟର ଭଳି ଅତ୍ୟାଧୁନିକ ସୁବିଧା କରାଯାଇଛି। ଏହାସହ ଅଡିଟୋରିୟମରେ ଏକକାଳୀନ ୧୨୦୦ ଲୋକ ବସିବାର ବ୍ୟବସ୍ଥା କରାଯାଇଛି। ଏହି କାମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗୀ ହୋଇଛି।
ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆଗାମୀ ଦିନରେ ଏହି କ୍ୟାମ୍ପସକୁ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ଅଧିକ ଉଦ୍ୟମ କରାଯିବ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଳ୍ପାନୁଷ୍ଠାନ, ବିଦେଶରେ ଥିବା ସର୍ଭିସ ଇଣ୍ଡଷ୍ଟ୍ରି ଆଧାରିତ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ପିଲାଙ୍କୁ ଦିଆଯିବ। ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ। ସେହିପରି ଆଗାମୀ ଦିନରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ହେବ, ଯାହା ଦ୍ୱାରା ଯୁବପିଢିମାନେ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ଏଭଳି ଶିକ୍ଷାନୁଷ୍ଠାନ କରାଯାଉଥିବାରୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କେନ୍ଦ୍ର ଚେୟାରମ୍ୟାନ ରଞ୍ଜନ ମହାପାତ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.