ପୁଲିସ ସବ୍-ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ପତ୍ନୀ ଓ ୪ ଝିଅ
ସାହାଜାହାନପୁର : ଉତ୍ତରପ୍ରଦେଶ ପୁଲିସର ଜଣେ ସବ୍-ଇନ୍ସପେକ୍ଟର ମେହରବାନ ଅଲୀଙ୍କ ମୃତଦେହ ସ୍ଥାନୀୟ ଏକ ନଳାରୁ ଉଦ୍ଧାର କରାଯାଇଛି। ଗତ ଶନିବାରଠାରୁ ସେ ନିଖୋଜ ଥିଲେ। ତେବେ ପୁଲିସ ସୂତ୍ରରୁ ମିଳିଥିବା ତାଙ୍କ ମୃତ୍ୟୁ ପଛର କାହାଣୀ ବଡ଼ ରୋମାଞ୍ଚକର। ଅଣଷଠି ବର୍ଷ ବୟସ୍କ ମେହରବାନଙ୍କୁ ତାଙ୍କ ପତ୍ନୀ ଦୁଇ ଜଣ ଭଡ଼ାଟିଆ ଗୁଣ୍ଡା ଲଗାଇ ହତ୍ୟା କରିଥିଲେ। କେବଳ ସେତିକି ନୁହେଁ; ୪ ଝିଅଙ୍କ ସହିତ ମୃତଦେହକୁ ସେ ପ୍ରାୟ ୧୨ଘଣ୍ଟା କାଳ ଜଗି ରହିଥିଲେ। ମେହରବାନଙ୍କ ଅପରାଧ ଥିଲା ଯେ ସେ ପତ୍ନୀଙ୍କ ପରପୁରୁଷଙ୍କ ସହିତ ସମ୍ପର୍କକୁ ବିରୋଧ କରୁଥିଲେ। ପତ୍ନୀଙ୍କର ନିଜ ଭିଣୋଇଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା। ଏହାଛଡ଼ା ମେହରବାନ ତାଙ୍କର ୪ ଝିଅଙ୍କ ଜୀବନଶୈଳୀକୁ ଆଦୌ ପସନ୍ଦ କରୁନଥିଲେ। ଫଳରେ ପତ୍ନୀ ଓ ଝିଅମାନେ ମିଶି ମୁଜାଫର ନଗର ଅଞ୍ଚଳର ତେହସିନ ଓ କ୍ୱାସିମ ନାମକ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମେହରବାନଙ୍କୁ ହତ୍ୟା ପାଇଁ ୫୦ହଜାର ଟଙ୍କା ଦେଇଥିଲେ। ଚୁକ୍ତି ଅନୁସାରେ ସେମାନେ ମେହରବାନଙ୍କୁ ତାଙ୍କ ଘରେ ପିଟିପିଟି ହତ୍ୟା କରିଥିଲେ। ବାରମ୍ବାର ତାଙ୍କ ମୁଣ୍ଡକୁ କାନ୍ଥରେ ପିଟିବା ଫଳରେ ମେହରବାନଙ୍କର ମୃତ୍ୟୁ ହୋଇଥିଲା। ଦିନ ତମାମ ପତ୍ନୀ ଓ ଝିଅମାନେ ମୃତଦେହକୁ ଘରେ ଜଗି ରହିବା ପରେ ରାତିରେ ଘର ପାଖ ନଳାରେ ଫିଙ୍ଗି ଦେଇଥିଲେ। ପୁଲିସ ମା’ଝିଅଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତ ଦୁଇଜଣଙ୍କୁ ଖୋଜୁଛି।