ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥାର ମାର୍ଗଦର୍ଶିକା ଜାରି

୧୬ରୁ ପୁରୀବାସିନ୍ଦା, ୨୩ରୁ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳି ବୁଧବାର ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଦୁଇଟି କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ଘଣ୍ଟା ପୂର୍ବର ସଂକ୍ରମିତ ହୋଇ ନ ଥିବା ବିବରଣୀ(ରିପୋର୍ଟ) ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସକାଳ ୭ରୁ ଦାରୁବ୍ରହ୍ମଙ୍କ ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଇବା ନିଷେଧ କରାଯାଇଛି। ଶ୍ରଦ୍ଧାଳୁମାନେ ମହାପ୍ରସାଦ କିଣିପାରିବେ।

ସେବକ ପରିବାର ସଦସ୍ୟଙ୍କ ପାଇଁ ଗୁରୁବାର ଠାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ୧୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଚିରୁକୁଟି ଦେଖାଇ ଦର୍ଶନ ପାଇଁ ଯିବେ। ଚଳିତମାସ ୨୩ ତାରିଖରୁ ସମସ୍ତଙ୍କ ପାଇଁ ଖୋଲିବ କାଳିଆ ଠାକୁରଙ୍କ ଦୁଆର। ରାଜ୍ୟ ତଥା ରାଜ୍ୟ ବାହାର ଲୋକେ କରୋନା କଟକଣା ସହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରତ୍ୟେକ ଶନି ଓ ରବିବାର କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ ଏବଂ ଦୀପନେବା ପାଇଁ ଅନୁମତି ଦିଆଯିବ ନାହିଁ। ଠାକୁରଙ୍କ ମୂର୍ତ୍ତି ସ୍ପର୍ଶ କରିବା ନିଷେଧ କରାଯାଇଛି। ପାନ ଏବଂ ଗୁଟ୍‌ଖା ଖାଇ ମନ୍ଦିରରେ ପ୍ରବେଶ କଲେ କିମ୍ବା ଛେପ ପକାଇଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଶ୍ରୀମନ୍ଦିର ପରିସରରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି ପଲିଥିନ ବ୍ୟବହାର। ଉଲ୍ଲଙ୍ଘନକାରୀଙ୍କଠାରୁ ୧୦୦ ଟଙ୍କା ଜୋରିମାନା ଆଦାୟ ପାଇଁ ସ୍ଥିର କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। ତୁଣ୍ଡିପିନ୍ଧିବା, ସାମାଜିକ ଦୂରତ୍ବ ଏବଂ ବିଶୋଧକ ମାଧ୍ୟମରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି, ଶିଶୁ, ଗର୍ଭବତୀ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ସ୍ଥିତିରେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦେଇଛି ମନ୍ଦିର ପ୍ରଶାସନ।

ପୁରୀ ସହରବାସୀଙ୍କ ପାଇଁ ପୌରସଂସ୍ଥାର ଚିରୁକୁଟି, ଭୋଟ୍‌ ପରିଚୟପତ୍ର କିମ୍ବା ଆଧାରକାର୍ଡ ଦେଖାଇବାକୁ ପଡ଼ିବ। ଦର୍ଶନାର୍ଥୀମାନେ ସିଂହଦ୍ବାର ସମ୍ମୁଖ ବାଡ଼ (ବ୍ୟାରିକେଡ୍‌) ଦେଇ ଭିତରେ ପ୍ରବେଶ କରିବେ। ଠାକୁରଙ୍କୁ ଦର୍ଶନ କରିବା ପରେ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ। ପ୍ରତ୍ୟେକ ଶନି ଏବଂ ରବିବାର ଶ୍ରୀମନ୍ଦିର ଭିତର ଏବଂ ବାହାର ବିଶୋଧନ କରାଯିବାକୁ ସ୍ଥିର ହୋଇଛି। ଗତ ୪ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ କରୋନା କଟକଣା ସହ ଭକ୍ତଙ୍କୁ ଦର୍ଶନ ଅନୁମତି ଦେବାପାଇଁ ସ୍ଥିର କରାଯାଇଛି। ତାହାକୁ ଭିତ୍ତିକରି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାବଳି ଜାରି କରିଛି ମନ୍ଦିର ପ୍ରଶାସନ। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି।

Comments are closed.