ରାଜ୍ୟରେ ସ୍ବାସ୍ଥ୍ୟ ସମ୍ବଳ ଅଭାବ : ୪.୫ କୋଟି ଲୋକଙ୍କୁ ୨୭୦୦ ଫାର୍ମାସିଷ୍ଟ
୭ ବର୍ଷରେ ୯୮୦ ନିଯୁକ୍ତି,ପ୍ରତି ଭେଷଜ ମହାବିଦ୍ୟାଳୟରେ ଅଧାରୁ କମ୍
ଭୁବନେଶ୍ୱର : ରାଜ୍ୟରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି। ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଢେର ପଦେକ୍ଷପ ଗ୍ରହଣ କରୁଛନ୍ତି ହେଲେ ମାନବସମ୍ବଳ ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଯାହାର ନଗ୍ନ ଉଦାହରଣ ହେଉଛି ଫାର୍ମାସିଷ୍ଟ। ମୋଟ ୩୪୩୬ ଫାର୍ମାସିଷ୍ଟ ପଦବୀରୁ ୨୭୦୦ କାର୍ଯ୍ୟ କରୁଛନ୍ତି। ପ୍ରାୟ ୬୩୬ ପଦବୀ ଫାଙ୍କା ରହିଛି। କେବଳ ଏତିକି ନୁହେଁ ନୂଆ ପଦବୀ ମଧ୍ୟ ସୃଷ୍ଟି ହେଉନାହିଁ। ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ବିତରଣ କେନ୍ଦ୍ର ନିରାମୟ ଖୋଲିଥିଲେ ହେଁ ଫାର୍ମାସିଷ୍ଟଙ୍କ ଅଭାବ ଯୋଗୁ ଅନେକ ଅସୁବିଧା ହେଉଛି। ୨୦୧୬ରୁ ନିରାମୟ ଆରମ୍ଭ ହେବା ପରେ ଅଧିକ ୨୭୦୦ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ହେଁ ଗତ ୭ ବର୍ଷରେ ୯୮୦ ଫାର୍ମାସିଷ୍ଟ ନିଯୁକ୍ତି ପାଇଛନ୍ତି। ଏହାସହିତ ପ୍ରାୟ ୫୦୦ରୁ ଅଧିକ ଫାର୍ମାସିଷ୍ଟ ଅବସର ନେଇଥିବା ଜଣାପଡ଼ିଛି। ରାଜ୍ୟରେ ଜନସଂଖ୍ୟା ପ୍ରାୟ ସାଢେ ଚାରି କୋଟି। ସ୍ବାସ୍ଥ୍ୟସେବା ନିମନ୍ତେ ୧୨୩୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସହିତ ୩୭୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୮ ଭେଷଜ ମହାବିଦ୍ୟାଳୟ ସହିିତ ରାଉରକେଲା ଓ ରାଜଧାନୀ ଚିକିତ୍ସାଳୟକୁ ମିଶାଇ ମୋଟ ୩୨ଟି ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଏହାଛଡା ପ୍ରଶିକ୍ଷଣ କେନ୍ଦ୍ର ସହିତ ପ୍ରାୟ ୧୮୧୪ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏଠାରେ ସେବା ଯୋଗାଇବା ପାଇଁ ଫାର୍ମାସିଷ୍ଟଙ୍କ ଅଭାବ ରହିଛି। ପ୍ରତି ଚିକିତ୍ସାଳୟରେ ଔଷଧ ବିତରଣ କେନ୍ଦ୍ର ଖୋଲିଥିଲେ ହେଁ କାର୍ଯ୍ୟ କରିବାକୁ ଫାର୍ମାସିଷ୍ଟ ନାହାନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ବହିର୍ବିଭାଗ ସମୟରେ ନିରାୟମ କେନ୍ଦ୍ର ଖୋଲା ରହୁଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସେବା ପ୍ରଦାନ କରାଯାଇପାରୁ ନାହିଁ। ଏହାଛଡା ଜିଲା ମୁଖ୍ୟ ଚିକିତ୍ସାଳୟ, ଭେଷଜ ମହାବିଦ୍ୟାଳୟରେ କ୍ଷମତାର ଅଧାରୁ କମ୍ ଫାର୍ମାସିଷ୍ଟ ରହିଛନ୍ତି। ଏହାଦ୍ବାରା ସେବା ପ୍ରଦାନରେ ବିଳମ୍ବ ହେଉଥିବାବେଳେ ନିରାମୟ କେନ୍ଦ୍ରରେ ଲମ୍ବା ଧାଡି ଲାଗୁଛି। ପ୍ରତି ନିରାମୟ କେନ୍ଦ୍ର ପାଇଁ ଅତିକମ୍ରେ ୪ ଫାର୍ମାସିଷ୍ଟଙ୍କ ଆବଶ୍ୟକତା ରହିଥିବାବେଳେ ୨ ଜଣରେ କାମ ଚଳୁଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ନିରାମୟ କେନ୍ଦ୍ର ଖୋଲି ପାରୁନାହିଁ। ଯଦି କୌଣସି ଫାର୍ମାସିଷ୍ଟ ଛୁଟିରେ ରହୁଛନ୍ତି ତେବେ କଥା ସରିଲା। ସେ ଦିନ ରୋଗୀ ହଟହଟା ହେଉଛନ୍ତି। ଏହି ସବୁ ସମସ୍ୟାରେ ଛନ୍ଦି ହୋଇପଡିଛି ସ୍ବାସ୍ଥ୍ୟସେବା। ଗୋଟିଏ ପଟେ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଭିତ୍ତିଭୂମି ଓ ମାନବସମ୍ବଳ ସେବାରେ ବାଧକ ସୃଷ୍ଟି କରୁଛି। ଏନେଇ ଫାର୍ମାସିଷ୍ଟ ସଂଘର ସଭାପତି ଚିନ୍ମୟ ସିହ୍ନା କହିଛନ୍ତି ବର୍ତ୍ତମାନ ଯେତିକି ଫାର୍ମାସିଷ୍ଟ ଅଛନ୍ତି କାମ ଚଳିଲା ଭଳି। ଅଧିକ ସଂଖ୍ୟାରେ ଫାର୍ମାସିଷ୍ଟ ନିଯୁକ୍ତ ହେଲେ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ରୋଗୀ ଉପକୃତ ହେବ। ବର୍ତ୍ତମାନ ୨୭୦୦ ଫାର୍ମାସିଷ୍ଟ ରହିଥିବାବେଳେ ଆଉ ୩ ହଜାର କାର୍ଯ୍ୟରେ ଯୋଗ ଦେଲେ ସେବା ତ୍ବରାନ୍ବିତ ହୋଇପାରିବ।
Comments are closed.