ଲିଭୁନି ଶିମିଳିପାଳର ନିଆଁ… ନାକେଦମ ବନବିଭାଗ

ଠାକୁରମୁଣ୍ଡା : କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଲାଣି। ଜଙ୍ଗଲରୁ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି । ବନ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି, ମଙ୍ଗଳବାର ଶିମିଳିପାଳ ଅଭୟାରଣ୍ୟର  ୭୭ ଟି ପଏଣ୍ଟରେ ନିଆଁ ଲାଗିଛି । ଉତ୍ତର ଶିମିଳିପାଳରେ ୬୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୧୫ଟି ପଏଣ୍ଟରେ ନିଆଁ  ଲାଗିଛି । ନିଆଁ  ଲାଗିବା ଦ୍ଵାରା ଚାରି ଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ସ୍ଥାନରୁ ନିଆଁ ଲିଭାଇ ଫେରିବା ବେଳକୁ , ଆଉ ଗୋଟିଏ ସ୍ଥାନରେ ଲାଗୁଛି  ନିଆଁ ଯାହା ଫଳରେ ନିଆଁ ଲିଭାଇବା ପାଇଁ ନାକେଦମ ହେଲାଣି ବନବିଭାଗ।  ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ଧୂଆଁମୟ ହୋଇଯାଇଛି  । ଅନେକ ଗାଁରେ ଧୂଆଁ ଯୋଗୁଁ ଆଖି ଜଳାପୋଡା ହେଉଥିବା ଅଭିଯୋଗ ଆସିଛି ।  ଶିମିଳିପାଳରେ  ନିଆଁ ଲାଗିବା ଯୋଗୁଁ ବିପଦରେ ବନ୍ୟଜନ୍ତୁ । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି  । ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀ ମାନେ ନିୟୋଜିତ ଥିଲେ ବି ନିଆଁକୁ ଆୟତ୍ତ କରିପାରି ନାହିଁନ୍ତି । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଶହଶହ ଗାଁରେ ସଚେତନତା କାର୍ଯ୍ୟକ୍ରମ କରିଥିଲା ବନବିଭାଗ ତଥାପି ଏଇ ମନୁଷ୍ୟକୃତ  ନିଆଁ ଲିଭାଇ ପାରୁନି ବନବିଭାଗ। ସମନ୍ୱୟର ଅଭାଵ ରହିଥିବା ବୁଦ୍ଧିଜୀବିଙ୍କ ମତ । ବିଗତ ବର୍ଷରେ ଶିମିଳିପାଳରେ ନିଆଁ ଲାଗିଲେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମକୁ ନିୟୋଜିତ କରିଥାନ୍ତି କିନ୍ତୁ ଏପର୍ଯ୍ୟନ୍ତ କାହିଁକି ନିୟୋଜିତ କରାଯାଉ ନାହଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଶିମିଳିପାଳ ସୁରକ୍ଷା ଏବଂ ସଚେତନତା  ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି  ହେଲେ ଏହାର ସୁରକ୍ଷା ତ’ ଦୂରର କଥା ଲାଗି ଥିବା ନିଆକୁ ବର୍ତ୍ତମାନ ସୁଦ୍ଧା ଆୟତ୍ତ ମଧ୍ୟ କରାଯାଇପାରିନି। ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ୫୭୦ଜଣ ନିଆଁ ଲିଭା କାର୍ଯ୍ୟ କରୁଥିବା ବେଳେ  ୭୦୦ଟି ନିଆଁ ଲିଭା ମେସିନ  ବ୍ୟବହାର କରାଯାଉଛି, ତେବେ ଏ ସମ୍ପର୍କରେ ଶିମିଳିପାଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି। ତେବେ ଦେଖିବା ପାଇଁ ବାକି ରହିଲା କେବେ ଏହି ଶିମିଳିପାଳ ନିଆଁ ଲିଭା ଯାଉଛି ନା ଭଗବାନଙ୍କ ଭରସାରେ ଛାଡି ଦିଆଯାଉଛି।

Comments are closed.