ଶରଦ ପାୱାର-ଗଡ଼କରୀଙ୍କ ସାକ୍ଷାତ ଆଲୋଚନା ପରେ ନୂତନ ସମୀକରଣ ନେଇ ଚର୍ଚ୍ଚା
ପୁଣେ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାୱାର ଏବଂ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ମଧ୍ୟରେ ନିକଟରେ ସାକ୍ଷାତ ଆଲୋଚନାକୁ ନେଇ ମହାରାଷ୍ଟ୍ରରେ ନୂତନ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ନେଇ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏନ୍ସିପି ଓ ବିଜେପି ମଧ୍ୟରେ କୌଣସି ବୁଝାମଣା ନାହିଁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କେତେ ଥର ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ପ୍ରଶଂସା କରିଛନ୍ତି। ତେଣୁ ଏହି ସାକ୍ଷାତକାରକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦେଖାଦେଇଛି। ଅପରପକ୍ଷରେ ଉଭୟ ଦଳ ବିକାଶ ପ୍ରସଙ୍ଗକୁ ନେଇ ଏହି ସାକ୍ଷାତ ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଦଳ ଶିବସେନା ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଛି। ୨୦୧୯ ଲୋକସଭା ନିର୍ବାଚନ ଏକାକୀ ଲଢିବ ବୋଲି ଶିବସେନା ଘୋଷଣା କରିସାରିଛି। ଏହି ସମୟରେ ବିଜେପି ନୂଆ ସହଯୋଗୀ ଭାବେ ଏନ୍ସିପି ସହ ମେଣ୍ଟ କରିପାରେ ବୋଲି କୁହାଯାଉଛି। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଉପଲଷକ୍ଷ ପୁଣେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ଏହି ଅବସରରେ ମହାରାଷ୍ଟ୍ରର ବିଧାୟକ ଏବଂ ମନ୍ତ୍ରୀଙ୍କ ସହ ବୈଠକ କରି ଆଲୋଚନା କରିଥିଲେ। ସନ୍ଧ୍ୟାରେ ଗଡ଼କରୀ ଏବଂ ଶରଦ ପାୱାରଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଉଭୟ ନେତା କେବଳ ପରସ୍ପର ସହ ୧୫ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ। ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଆଲୋଚନା କରିଥିଲେ।