ଶଙ୍ଖଯୋର ସଫେଇ କାର୍ଯ୍ୟକ୍ରମ
ଗୁରୁଡିଝାଟିଆ : ସ୍ଥାନୀୟ କୈବର୍ତ୍ତ ସମାଜର ମୁଖ୍ୟ ରୋଜଗାର ଉତ୍ସ ଶଙ୍ଖଯୋର । ପ୍ରାୟ ୬୦ ପରିବାର ଏଥିରୁ ମାଛମାରି ପରିବାର ପୋଷଣ କରିଥାନ୍ତି । ଦୀର୍ଘଦିନ ଧରି ଯୋରଟି ବୋରଝାଞ୍ଜି ଦଳରେ ପରିପୂର୍ଣ୍ଣ ହୋଇପଡିଥିଲା। ଫଳରେ ମତ୍ସ୍ୟଜୀବି କୈବର୍ତ୍ତ ସମାଜର ଯୁବକମାନେ ଜାଲ ଓ ଖାଳେଇ ଘରେ ଥୋଇ ମୂଲ ଲାଗିବାକୁ ଯାଉଥିଲେ । ଏ ସଂପର୍କରେ ‘ସମାଜ’ରେ ସଚିତ୍ର ଖବର ମଧ୍ୟ ପ୍ରକାଶ ପାଇଥିଲା। ଶନିବାର ଡ୍ରେନେଜ ବିଭାଗ ପକ୍ଷରୁ ଦଳଭର୍ତ୍ତି ଶଙ୍ଖଯୋର ସଫେଇ ପାଇଁ ପଦକ୍ଷେପ ନିଆଯିବା ସହ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଫଳରେ ମତ୍ସ୍ୟଜୀବୀଙ୍କ ମନରେ ଏକପ୍ରକାର ଖୁସି ଦେଖାଦେଇଛି । ଅପରପକ୍ଷରେ କଖଡିର ଶଙ୍ଖଯୋର କେତେଦୂର ପର୍ଯ୍ୟନ୍ତ ସଫେଇ ହେବ ସେ ସଂପର୍କରେ ନିର୍ଦ୍ଧିଷ୍ଟ କୌଣସି ସୂଚନା ନାହିଁ । ବିଶେଷତଃ ଯୋରରେ ଅଧିକ ପାଣି ଥିବାରୁ ସଫେଇ କାର୍ଯ୍ୟ ମଧ୍ୟ ସଠିକ ଢଙ୍ଗରେ ହୋଇପାରୁନାହିଁ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ମତ୍ସ୍ୟଜୀବୀମାନଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ସଫେଇ କାର୍ଯ୍ୟକୁ ତ୍ୱରିତ ବେଗରେ କଲେ ସେମାନଙ୍କ ରେଜଗାରର ସମ୍ଭାବନା ପୁଣି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି।
Comments are closed.