ବଢ଼ିଲା ଛୁଟି, ୨୬ରେ ଖୋଲିବ ସ୍କୁଲ୍
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ଲହରି ଯୋଗୁଁ ସ୍କୁଲ୍ ଖରା ଛୁଟି ଆଉ ୫ ଦିନ ବଢ଼ିଛି। ଏଣୁ ଆସନ୍ତା ୨୧ ତାରିଖ ବଦଳରେ ୨୬ ତାରିଖରେ ସ୍କୁଲ୍ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ସ୍କୁଲ୍ ଛୁଟି ଅବଧି ବୃଦ୍ଧି କରାଯାଇଛି।
ହଠାତ୍ ଅସ୍ୱାଭାବିକ ଭାବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍ ଛୁଟି ଅବଧିକୁ ଦୁଇଟି ପର୍ଯ୍ୟାୟରେ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଖରାଛୁଟି ଜୁନ୍ ୧୭ ତାରିଖରେ ସରୁଥିବା ବେଳେ ଜୁନ୍ ୧୮ ତାରିଖରେ ସ୍କୁଲ୍ ଖୋଲିଥାନ୍ତା। କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ସ୍କୁଲ୍ ଛୁଟି ଅବଧିକୁ ତିନି ଦିନ ବୃଦ୍ଧି କରିଥିଲେ। ଏହାପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଛୁଟି ଆଉ ୫ ଦିନ ବୃଦ୍ଧି କରିଛନ୍ତି।