ଭୁବନେଶ୍ବର : ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି/ଏସ୍ଟି) ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ୍ ସ୍କଲାରସିପ୍ (ମେଧାବୃତ୍ତି) ରାଶିକୁ ବୃଦ୍ଧି କରାଯାଇଛି। ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଏହାର ସୁବିଧା ପାଇବେ। ଉଭୟ ଛାତ୍ରାବାସ ଅନ୍ତେବାସୀ ଓ ଦିବାଧ୍ୟାୟୀ (ଡେ-ସ୍କଲାର) ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରସିପ୍ ପରିମାଣକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ଲାଗୁ ହେବ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ସ୍କଲାରସିପ୍ ଅର୍ଥରେ ୧୦୦ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରସିପ୍ ୧୦ ମାସ ପର୍ଯ୍ୟନ୍ତ ମିଳିବ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦିବାଧ୍ୟାୟୀ ଛାତ୍ରଛାତ୍ର(ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରସିପ୍ ମିଳିବ। ଏବେ ଏହା ପୁଅଙ୍କ ପାଇଁ ୧୮୦ଟଙ୍କା ଓ ଝିଅଙ୍କ ପାଇଁ ୨୪୦ଟଙ୍କା ରହିଛି। ମାତ୍ର ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ପୁଅ ଓ ଝିଅ ସମାନ ଭାବେ ୫୦୦ଟଙ୍କା ପାଇବେ। ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ (ହଷ୍ଟେଲରେ ରହୁଥିବା)ଙ୍କ ସ୍କଲାରସିପ୍ ପରିମାଣରେ ୧୦୦ଟଙ୍କା ବୃଦ୍ଧି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ବାର୍ଷିକ ସ୍କଲାରସିପ୍ ୫୦୦ଟଙ୍କା ଲେଖାଏଁ ମିଳିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ହଷ୍ଟେଲରେ ରହୁଥିବା ଝିଅଙ୍କୁ ହାତ ଖର୍ଚ୍ଚ (ସାନିଟାରୀ ନାପକିନ୍ ବାବଦରେ) ପାଇଁ ୫୦ଟଙ୍କା ମିଳିବ।
ଏସ୍ସି-ଏସ୍ଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ରାଶି ବୃଦ୍ଧି
Popular Categories



