ମହିଳାଙ୍କ ଠାରୁ ସିରିଜ ସୁନା ଚେନ ଲୁଟ ଘଟଣା : ୨୪ ଘଣ୍ଟା ପରେ ମଧ୍ୟ ଅନ୍ଧାରରେ ପୁଲିସ
ସମ୍ବଲପୁର : ସମ୍ବଲପୁର ସହରରେ ପୁନର୍ବାର ସୁନା ଚେନ ଲୁଟେରା ମାନଙ୍କର ପ୍ରାର୍ଦୁଭାବ ବୃଦ୍ଧି ପାଇଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗୁରୁବାର ସନ୍ଧ୍ୟାରେ ସମ୍ବଲପୁରର ରିଙ୍ଗ ରୋଡ ଏବଂ ବୁର୍ଲା ଠାରେ ସିରିଜ ଭାବରେ ମହିଳା ମାନଙ୍କୁ ଲକ୍ଷ୍ୟ କରାଯାଇ ସିରିଜ ସୁନା ଚେନ ଲୁଟ ଘଟଣାର ୨୪ ଘଣ୍ଟା ବିତିଯିବା ସତ୍ୱେ କିନ୍ତୁ ପୁଲିସର ହାତ ସମ୍ପୁର୍ଣ୍ଣ ଖାଲି ରହିଛି । ପୁଲିସ କେବଳ ଅନ୍ଧାରରେ ବାଡି ବୁଲାଉଥିବା ବେଳେ ଲୁଟିଆ ମାନଙ୍କ ଟେର ସୁଦ୍ଧା ପାଇ ପାରି ନାହିଁ। ଅପରପକ୍ଷରେ ପୁଲିସ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବେସରକାରୀ ସ୍ଥାନରେ ଲାଗିଥିବା ସିସିଟିଭି ଗୁଡିକୁ ଦିନତମାମ ଅଣ୍ଡାଳୁଥିବାର ଜଣାପଡିଛି। ରିଂ ରୋଡରେ ଥିବା କିଛିଟା ସିସିଟିଭିରେ ଲୁଟିଆ ମାନେ ଫେରାର ହେଉଥିବାର ଘଟଣା ଜଣାପଡୁଥିବା ବେଳେ କେବଳ ସେମାନେ ଏକ ନୀଳ ରଙ୍ଗର ବାଇକ ଏବଂ ମୁହଁରେ ମାସ୍କ ପିନ୍ଧିଥିବାର ଜଣାପଡୁଥିବାର ବହୁ କଷ୍ଟରେ ଜାଣିବାକୁ ପାଇଛି । ଅନ୍ଧାର ସମୟ ହୋଇଥିବାରୁ ସିସିଟିଭି ଗୁଡିକରେ ସ୍ପଷ୍ଟ ଜଣା ପଡୁ ନ ଥିବାରୁ ପୁଲିସ ପାଇଁ ଏହା ଏବେ ଏକ ମୁଣ୍ଡ ବ୍ୟଥାର କାରଣ ସାଜିଛି । ସୂଚନାଯୋଗ୍ୟ ଯେ, ଗତକାଲି ବୁର୍ଲା ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ ମହିଳାଙ୍କ ସୁନାଚେନ ଲୁଟର କିଛି ସମୟ ପରେ ପ୍ରାୟ ୭ଟାରେ ଲୁଟିଆ ମାନେ ଝାଡୁଆପଡା ଠାରେ ରିଂ ରୋଡରେ ଛିଡା ହୋଇଥିବା ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରି ଏସପିଙ୍କ କାର୍ଯ୍ୟାଳୟ ପଟକୁ ଦ୍ରୁତଗିତରେ ଫେରାର ମାରିଥିଲେ। ଏହି ଘଟଣାର କିଛି ସମୟ ପରେ ପ୍ରାୟ ୭ଟା ୫୦ ମିନିଟରେ ପୁର୍ନବାର ଲୁଟିଆ ମାନେ ଦଲେଇପଡା ଠାରେ ରିଂ ରୋଡରେ (ଡିଆଇଜିଙ୍କ ବଙ୍ଗଳା ପଛ ପାଖ) ଅନ୍ୟ ଜଣେ ମହିଳାଙ୍କର ସୁନା ଚେନ ଲୁଟ କରି ବାଲିବନ୍ଧା ପଟକୁ ଫେରାର ମାରିଥିଲେ। ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୂର୍ବରୁ ମଧ୍ୟ ରିଂ ରୋଡ, ଜିଲାପାଳ କାର୍ଯ୍ୟାଳୟ, ଏସପିଙ୍କ କାର୍ଯ୍ୟାଳୟ, ଡିଆଇଜିଙ୍କ ବାସଭବନ ଆଦି ସମେତ ବିଭିନ୍ନ ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ ଲୁଟିଆ ମାନେ ଲୁଟ କରିଥିବା ବେଳେ କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଲୁଟିଆ ମାନଙ୍କୁ ଧରିବାରେ ସମ୍ପୁର୍ଣ୍ଣ ବିଫଳ ରହିଛି।
ଶୋଇଛି ସରକାରୀ ସିସିଟିଭି, ବେସରକାରୀ ଭରସାରେ ପୁଲିସ
ଆଜିର ହାଇଟେକ ଯୁଗରେ ଅପରାଧ ଓ ଅପରାଧି ମାନଙ୍କ ଉପରେ ଲଗାମ ଲଗାଇବା ନିମନ୍ତେ ସିସିଟିଭିର ଆବଶ୍ୟକତା ଓ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମ୍ବଲପୁର ପୁଲିସ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକୁ ସିସିଟିଭିରେ ଛନ୍ଦି ଦିଆଯାଇଛି । କିନ୍ତୁ ବାରମ୍ବାର ଦେଖାଯାଉଛି ଯେ, ଅନେକ ସମୟରେ ସରକାରୀ ସିସିଟିଭି ଗୁଡିକ ଅଚଳ ରହୁଛି କିମ୍ବା ସେ ଗୁଡିକରେ ସ୍ପଷ୍ଟ ଚିତ୍ର ଉତ୍ତୋଳିତ ହୋଇ ପାରୁ ନାହିଁ । ଗତକାଲି ବୁର୍ଲା ଠାରେ ଲୁଟ ହୋଇଥିବା ସୁନା ଚେନ ଘଟଣା ପରେ ଲୁଟିଆ ମାନେ ପ୍ଲାନିଟୋରିମ ପଟକୁ ଫେରାର ମାରିଥିବା ବେଳେ ପ୍ଲାନିଟୋରିୟମର ସିସିଟିଭି ଗୁଡିକ ଖରାପ ଥିବାରୁ ପୁଲିସ ସେଠାରୁ ଯାଇ କାନମୁଣ୍ଡା ଆଉଁସି ଚାଲି ଆସିଛି। ସେହିଭଳି ସମ୍ବଲପୁରର ରିଂରୋଡରେ ହୋଇଥିବା ଲୁଟ ମାମଲା ଗୁଡିକରେ ମଧ୍ୟ ପୁଲିସକୁ ଅନୁରୂପ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆବଶ୍ୟକ ସମୟରେ ସରକାରୀ ସିସିଟିଭି ଗୁଡିକ ଶୋଇ ରହୁଥିବା ବେଳେ ପୁଲିସ ବେସରକାରୀ ସିସିଟିଭି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି।
Comments are closed.