ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ, ଗ୍ରାମସଭାରେ ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ଡ। ଲିଖିତ ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ଆଶାୟୀ ହୋଇପାରିବ ସରପଞ୍ଚ। ଏଭଳି ନିଷ୍ପତ୍ତି ନେଇଛନ୍ତି କୁତ୍ରା ପଞ୍ଚାୟତବାସୀନ୍ଦା। ୯ଜଣ ସରପଞ୍ଚ ପ୍ରାର୍ଥୀଙ୍କୁ ସରପଞ୍ଚ ଭାବେ ମନୋନୀତ ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ଦେବାକୁ ଡକାଯାଇଥିଲା। ଜଣେ ଅନୁପସ୍ଥିତ ଥିବାବେଳେ ୮ଜଣ ପରୀକ୍ଷା ଦେଇଥିଲେ। ଏହି ପ୍ରକ୍ରିୟାକୁ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସମର୍ଥନ କରିଥିବା କୁହାଯାଉଛି। ତେବେ ସରପଞ୍ଚ ପ୍ରାର୍ଥୀଙ୍କ ପରୀକ୍ଷାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ କୁତ୍ରା ପଞ୍ଚାୟତରେ ଲିଖିତ ପରୀକ୍ଷା ସରପଞ୍ଚ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି। କୁତ୍ରା ପଞ୍ଚାୟତରେ ମୋଟ ୯ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ପକ୍ଷରୁ ୮ଜଣ ସରପଞ୍ଚ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ୩ ଜଣ ସରପଞ୍ଚ ପ୍ରାର୍ଥୀ ପାସ କରିଥିବାବୋଳ ୫ଜଣ ସରପଞ୍ଚ ପ୍ରାର୍ଥୀ ଫେଲ ହୋଇଛନ୍ତି ବୋଲି କୁହାଯାଇଛି। ତେବେ ପ୍ରକୃତ ଫଳାଫଳ ବାହାରି ନାହିଁ।
ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲିଖିତ ଓ ମୌଖିକ ପରୀକ୍ଷା ସୁନ୍ଦରଗଡ଼ ମାଲୁପଡ଼ା ଗାଁରେ ଅନୁଷ୍ଠିତ ହୋଇଥିଲା। ଗାଁ ଲୋକେ ପ୍ରସ୍ତୁତ କରିଥିବା ସ୍ବତନ୍ତ୍ର ପ୍ରଶ୍ନପତ୍ରର ଉତ୍ତର ରଖିଲେ ପ୍ରାର୍ଥୀ। ଆସନ୍ତା ଗୁରୁବାର ମାଲୁପଡ଼ା ଗାଁରେ ବସିବାକୁ ଯାଉଛି ଗ୍ରାମସଭା। ଏହିସଭାରେ ହିଁ ପ୍ରକାଶ ପାଇବ ପାସଫେଲର ଫଳାଫଳ। ଯିଏ ସର୍ବାଧିକ ନମ୍ବର ରଖିଥିବା ତାଙ୍କୁ ପଞ୍ଚାୟତର ସରପଞ୍ଚ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଆପଣ ସରପଞ୍ଚ ହେବାର ଉଦେଶ୍ୟ କ’ଣ? ଯଦି ନିର୍ବାଚିତ ହେବେ ୫ବର୍ଷ ପାଇଁ ଆପଣଙ୍କ ଲକ୍ଷ୍ୟ କ’ଣ? ଆପଣଙ୍କ ସ୍ବପ୍ନର ପଞ୍ଚାୟତ କିଭଳି ହେବା ଆବଶ୍ୟକ। ସରପଞ୍ଚ ନିର୍ବାଚନ ଜିତିଲେ କ’ଣ କାମ କରିବେ ବୋଲି ପ୍ରଶ୍ନ। ପୂର୍ବରୁ କରିଥିବା ସମାଜସେବା ବାବଦରେ ସମାଜସେବା ବାବଦରେ ପ୍ରଶ୍ନ ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ପଚରାଯାଇଥିଲା ଏବଂ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ ଆଶାୟୀ ସରପଞ୍ଚ ପ୍ରାର୍ଥୀ।
କୁତ୍ରା ବ୍ଲକ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ସେଠୀ କହିଛନ୍ତି ଯେ ଏବେ ଆଚାରଣ ବିଧି ଲାଗୁ ହୋଇଥିବାରୁ ଏଭଳି ପରୀକ୍ଷା ଆୟୋଜନ ଠିକ ନୁହେଁ ଏବଂ ଏଭଳି ପରୀକ୍ଷାର ଅଭିଯୋଗ ହେଲେ ତଦନ୍ତ ହେବ।
ଅପରପକ୍ଷରେ ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ପ୍ରକ୍ରିୟାକୁ କେହି କେହି ସମର୍ଥନ କରୁଥିବାବେଳେ ଆଉ କିଛି ବ୍ୟକ୍ତି ବିରୋଧ କରୁଛନ୍ତି। ଗଣତନ୍ତ୍ର ପ୍ରକ୍ରିୟାରେ ଜନ ପ୍ରତିନିଧିଙ୍କୁ ନିର୍ବାଚିତ କରିବା ପ୍ରକ୍ରିୟା ନିୟମକୁ ଏହା ଉଲ୍ଲଙ୍ଘନ କରୁଛି ବୋଲି ଆଉ କେତେକ ବ୍ୟକ୍ତି କହିଛନ୍ତି। ତେବେ ସାଂସଦ, ବିଧାୟକ କିମ୍ବା ଅନ୍ୟ କୌଣସି ଜନ ପ୍ରତିନିଧି ପଦ ଆଶାୟୀଙ୍କ ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ବ୍ୟବସ୍ଥା ବ୍ୟବସ୍ଥା ନ ଥିବାବେଳେ ଏଭଳି ଆୟୋଜନ ଠିକ ନୁହେଁ ବୋଲି ମତ ପ୍ରକାଶ ପାଇଛି।

Comments are closed.