ଟିଟିଲାଗଡ଼: କୃଷିପ୍ରଧାନ ଦେଶ ଭାରତବର୍ଷର ମୂଳଦୁଆ କୁହାଯାଉଥିବା ଚାଷୀକୂଳ କେବେ ରାହା ପାଉନାହାନ୍ତି। ବନ୍ୟା ମରୁଡି ଚାଷୀଙ୍କୁ ତଳିତଳାନ୍ତ କରିଚାଲିଛି। ମରୁଡି ସହାୟତା, ବୀମା ସହାୟତା ଧୁଆଁବାଣ ପାଲଟିଛି। ଏପରିକି ଚାଷ କାର୍ୟ୍ୟ ପାଇଁ ନିତାନ୍ତ ଅପରିହାର୍ୟ୍ୟ ସାରଔଷଧ ପାଇଁ ସମ୍ପ୍ରତି ଚାଷୀ ହାହାକାର ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏବେ ଆବଶ୍ୟକ ସମୟରେ ଟିଟିଲାଗଡ ଉପଖଣ୍ଡ ଚାଷୀଙ୍କ ପାଖରେ ୟୁରିଆ ସାର ନାହିଁ। ସରକାର ରାଜ୍ୟରେ ୟୁରିଆ ସାର ଅଭାବ ନଥିବା କହୁଥିବା ବେଳେ ଗ୍ରାମାଞ୍ଚଳରେ କଳାବଜାର ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ୟୁରିଆ ବସ୍ତାକୁ ୨୬୬.୫୦ ଦର ଧାର୍ୟ୍ୟ ରହିଥିବା ବେଳେ ୪୦୦ ଟଙ୍କା ପର୍ୟ୍ୟନ୍ତ କଳାବଜାରରେ ଉପଲବ୍ଧ ହେଉଛି। ପରିବହନ ଖର୍ଚ୍ଚ ଦର୍ଶାଇ ବେପାରି ୟୁରିଆର ଦର ମନଇଚ୍ଛା ବୃଦ୍ଧି କରୁଛନ୍ତି। ଗ୍ରାମାଞ୍ଚଳରେ ରହିଥିବା ସରକାରୀ ସଂସ୍ଥା ପ୍ରାଥମିକ କୃଷି ସେବା ସମବାୟ ସମିତିଙ୍କ ପାଖରେ ସାର ମହଜୁଦ ରହିଲେ ଚାଷୀ ପ୍ରକୃତ ଦରରେ ସାର ପାଇପାରନ୍ତେ। ହେଲେ ପ୍ରଶାସନର ଘରୋଇ ପ୍ରୀତି ଚାଷୀଙ୍କୁ ଶୋଷିତ କରିଛି। ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା ବ୍ଲକରେ ସମବାୟ ସମିତି ଗୁଡିକୁ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ ହୋଇନି। ଫଳରେ ସେଠାକାର ଚାଷୀ ସାର ପାଇଁ ଡହଳବିକଳ ହୋଇପଡ଼ିଛନ୍ତି। ସାର ଆସିଲେ ସିନା ଦିଆଯିବ ବୋଲି ଏନେଇ ସଇଁନ୍ତଲା ସମବାୟ ସମିତି ସହକାରୀ ସମ୍ପାଦକ ରୋହିତ ସାହୁ କହିଛନ୍ତି। ଅପରପକ୍ଷରେ ପ୍ରତ୍ୟେହ ସାର ପାଇଁ ଧାଇଁ ନୟାନ୍ତ ହୋଇପଡ଼ିଥିବା ଶ୍ୟାମ ପ୍ରଧାନ, ଇଶ୍ୱର ଭୋଇ, ନାରାୟଣ ପଧାନ, ସକେତ ମଲ୍ଲିକ, ଜନାର୍ଦ୍ଦନ ପଧାନ ପ୍ରମୁଖ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଦଲାଲଙ୍କ ପାଖରେ ଗୋଦାମ ଭର୍ତି ସାର ଥିବା ବେଳେ ସରକାରୀ ସମବାୟ ସମିତି ପାଖରୁ କିଭଳି ଉଭାନ ହେଲା ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ସୂଚନା ଯେ, ଗତ ବର୍ଷ ଖରିଫରେ ସଇଁନ୍ତଲା ସହର ଉପକଣ୍ଠ ଏକ ଗୋଦାମରୁ ଟ୍ରକ ଟ୍ରକ ୟୁରିଆ ଜବତ ହେବା ସେ ସମୟରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଟିଟିଲାଗଡ ବ୍ଲକ ଅଞ୍ଚଳରେ ସାର କଳାବଜାରି ହେଉଥିବା ବିଜେଡି ଯୁବ ନେତା ନରେଶ ଅଗ୍ରୱାଲ ଅଭିଯୋଗ କରିଛନ୍ତି। ଚାଷୀଙ୍କଠାରୁ ବସ୍ତାଏ ସାର ପାଇଁ ୪୫୦ ଟଙ୍କା ପର୍ୟ୍ୟନ୍ତ ଅସୁଲି କରାଯାଉଥିବା ଶ୍ରୀ ଅଗ୍ରୱାଲ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଠାରେ ଅଭିଯୋଗ କରିଥିବା କହିଛନ୍ତି। ସେହିପରି ଅନେକ ଚାଷୀ ବଲାଙ୍ଗିର ସାଂସଦ ପ୍ରତିନିଧି ଗୁଲାବ ସୋନିଙ୍କ ଠାରେ ଫେରାଦ ହୋଇଥିବା ଜଣାଯାଇଛି। ଏନେଇ ସାଂସଦ ସଙ୍ଗିତା ସିଂଦେଓଙ୍କୁ ଜଣାଇବା ସହ କୃଷି ଅଧିକାରୀଙ୍କ ସହ ସେ କଥା ହୋଇଥିବା ଶ୍ରୀ ସୋନି କହିଛନ୍ତି। ଅପରପକ୍ଷରେ ଟେକନିକାଲ ଫଲ୍ଟ ଯୋଗୁଁ ବଲାଙ୍ଗିର ଜିଲାକୁ ୟୁରିଆ ଆସିପାରୁନଥିବା ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡ ନିରାଶ ପ୍ରକଟ କରିଛନ୍ତି। ପିଓଏସରେ ବଲାଙ୍ଗିର ଜିଲାକୁ ଅଧିକ ୟୁରିଆ ଆସିଥିବା ପ୍ରଦର୍ଶିତ ହୋଇଛି। ହେଲେ ଫିଜିକାଲି ସାର ଆସିନାହିଁ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ଉପରୁ ପହଞ୍ଚିଲେ ହିଁ ଚାଷୀଙ୍କୁ ଉପଲବ୍ଧ କରିହେବ ବୋଲି ଶ୍ରୀ ଗୌଡ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ବଲାଙ୍ଗିର ଜିଲାରେ କେତେ ଚାଷ ଜମି ଅଛି ଓ କେତେ ୟୁରିଆ ସାରର ଆବଶ୍ୟକତା ରହିଛି ପ୍ରଶାସନ କିଭଳି ପ୍ରତିବର୍ଷ ହେଜ କରିପାରୁନାହିଁ ଏବଂ ଚାଷୀ କଳାବଜାରିଙ୍କ ଶିକାର ହେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଏନେଇ ଚାଷୀନେତା ମହଲରେ ପ୍ରଶ୍ନ ହୋଇଛି।



