ଯୁବବର୍ଗ ହେଉଛନ୍ତି ଆମ ରାଜ୍ୟର ଆଶା ଏବଂ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ଆଧାର

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରଠାରେ “ଦକ୍ଷତା ବିକାଶ : ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା” ଶୀର୍ଷକ ସଂସ୍କୃତି ଚର୍ଚ୍ଚା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ଶ୍ରୀ ସେଠୀ ଓଡିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରତି ମାସରେ ଅନୁଷ୍ଠିତ ହେଉଥିବା ସଂସ୍କୃତି ଚର୍ଚ୍ଚା ସମାରୋହ କାର୍ଯ୍ୟକ୍ରମ ଏବଂ ସାମାଜିକ ଗଣମାଧ୍ୟମରେ ଏହାର ପ୍ରସାର, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ମତପ୍ରକାଶ କରିଥିଲେ।

ସେ କହିଥିଲେ ଯେ, ଜଣେ ଯୁବକ ହିଁ ସେହି ପରିବର୍ତ୍ତନର ଏକ ମାଧ୍ୟମ, ଯାହା ସମାଜକୁ ଏକ ନୂତନ ଦିଗରେ ନେଇଯାଇପାରିବ। ଯୁବବର୍ଗ ହେଉଛନ୍ତି ଆମ ରାଜ୍ୟର ଆଶା ଏବଂ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ଆଧାର। ଯୁବକ ମାନଙ୍କର ଦକ୍ଷତା ବିକାଶ ହେବା ଫଳରେ ସେମାନେ ରୋଜଗାରକ୍ଷମ ହୋଇପାରିବେ। ଯୁବକ ମାନଙ୍କର ଦକ୍ଷତା ବିକାଶ ଉପରେ ହିଁ ଦେଶର ଅର୍ଥନୀତିର ବିକାଶ ହେଇପାରିବ। ତେଣୁ ଯୁବବର୍ଗମାନେ ଉଚ୍ଚଶିକ୍ଷା ଲାଭ କରି ନିଜକୁ ସଶକ୍ତ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ରାଜସ୍ୱ ସେବା ଅଧିକାରୀ, ଲାଇଭଲିହୁଡ ଅଲଟରନେଟିଭ ତଥା ପେସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସମ୍ବିତ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ।

ସେ କହିଥିଲେ ଯେ, ଯୁବବର୍ଗ ହେଉଛି ସୃଜନାତ୍ମକତା ଏବଂ ଉତ୍ସାହର ଏକ ସଙ୍ଗମ। ଯୁବକମାନେ ନିଜ ମଧ୍ୟରେ ଆତ୍ମବିଶ୍ୱାସ ରଖିବା ଉଚିତ। ଉଚ୍ଚଶିକ୍ଷା ଲାଭକକରି ନିଜକୁ ସଶକ୍ତ ଏବଂ ରୋଜଗାରକ୍ଷମ କରାଇବା ହିଁ ପ୍ରତ୍ୟୋକ ଯୁବକଙ୍କର ଲକ୍ଷ୍ୟ ହେବା ଉଚିତ। ଏଥିସହ ନିଜର ଉଦ୍ୟୋଗ ସ୍ଥାପନ ତଥା ଷ୍ଟାର୍ଟଅପ୍ ମାଧ୍ୟମରେ ଦେଶର ଅର୍ଥନୀତିର ବିକାଶରେ ମଧ୍ୟ ନିଜର ଯୋଗଦାନ କରିବା ପାଇଁ ସମସ୍ତେ ପ୍ରେରିତ ହେବା ଆବଶ୍ୟକ। ଓଡ଼ିଶା ରାଜ୍ୟ ହେଉଛି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ।

ହସ୍ତକଳା, ବୟନ ଶିଳ୍ପ, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପାଇଁ ଆମ ରାଜ୍ୟ ଆଜି ବିଶ୍ୱ ଦରବାରରେ ପରିଚିତ। ଆମର ଯୁବବର୍ଗ ନିଜର କୌଶଳ, ଦକ୍ଷତା ଏବଂ ପ୍ରତିଭା ଦ୍ୱାରା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ସହ ଆମ ରାଜ୍ୟ ଓ ଦେଶପାଇଁ ନିଶ୍ଚିତ ରୂପେ ଗୌରବ ହାସଲ କରିବେ ବୋଲି ମୁଁ କାମନା କରୁଛି। ଆମେ ସମସ୍ତେ ହେଉଛେ ଧର୍ମପଦ ଏବଂ ଆମେ ସମସ୍ତେ କୋଣାର୍କ ପରି ବିଶ୍ୱକୀର୍ତ୍ତିମାନ ପ୍ରତିଷ୍ଠା କରିପାରିବା ଏହି ଆତ୍ମବିଶ୍ୱାସ ଆମ ମଧ୍ୟରେ ରହିବା ଆବଶ୍ୟକ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିପ୍ରେମୀଙ୍କ ସହ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖ ସୋଲେମାନ୍ ଅଲ୍ଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.