ପୁରୀରେ ବିମାନବନ୍ଦରକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ
ପୁରୀ: ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନିଷ୍ପତିକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ବିରୋଧ କରିଛନ୍ତି। ସରକାର ଯଦି ଏହି ନିଷ୍ପତି ପ୍ରତ୍ୟାହାର ନକରନ୍ତି ତାହେଲେ ସେ ଜନ ଆନ୍ଦୋଳନର ନେତୃତ୍ୱ ନେବେ ବୋଲି ଶଙ୍କରାଚାର୍ଯ୍ୟ ଚେତାବନୀ ଦେଇଛନ୍ତି। ଶନିବାର ରାତିରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଭୁବନେଶ୍ଵରରେ ବିମାନବନ୍ଦର ରହିଥିବାରୁ ମାତ୍ର ୫୫ କିଲୋମିଟର ଦୂର ପୁରୀରେ ଆଉ ଏକ ବିମାନବନ୍ଦରର ଆବଶ୍ୟକତା ନାହିଁ। ଏହାଦ୍ବାରା ଗୋ ବଂଶ ସୁରକ୍ଷା ପାଇଁ ଆଉ ଚାରଣ ଭୂମି ରହିବ ନାହିଁ। ତୀର୍ଥକ୍ଷେତ୍ର ପୁରୀକୁ ରାଜ୍ୟ ସରକାର ପର୍ଯ୍ୟଟନ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ବିକାଶର ସ୍ୱରୂପ ସରକାର୍ ଭଲଭାବେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି।
ଧର୍ମ ଓ ପରମ୍ପରାକୁ ନଷ୍ଟ ପାଇଁ ସରକାର୍ ଉଦ୍ୟମ କରୁଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।ସେ କହିଲେ ପୁରୀରେ ବିମାନବନ୍ଦର ନିର୍ମାଣର ଆବଶ୍ୟକତା ସଂପର୍କରେ ସରକାର ମୋ ସହ ଆଲୋଚନା କରନ୍ତୁ। ପୁରୀରେ ବିମାନବନ୍ଦରକୁ ମୁଁ କେବେହେଲେ ସମର୍ଥନ କରିବି ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ହୁଅନ୍ତୁ ଅଥବା ରାଜ୍ୟ ସରକାର ଯିଏ ପୁରୀରେ ବିମାନବନ୍ଦର ନିର୍ମାଣ କରିବ ସେ ତାହାକୁ ବିରୋଧ କରିବେ ବୋଲି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରକାଶ କରିଛନ୍ତି।
Comments are closed.