ଶ୍ରୀକ୍ଷେତ୍ରରେ ଆଜି ସ୍ନାନଯାତ୍ରା : ହାତୀ ବେଶ ହେବେ ଦାରୁବ୍ରହ୍ମ

ସନ୍ଧ୍ୟା ୬ରୁ ରାତି ୯.୩୦ ସାହାଣମେଲା ଦର୍ଶନ

ପୁରୀ : ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ହୋଇଛି ଚଳଚଞ୍ଚଳ। ରତ୍ନସିଂହାସନ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବେ ଦାରୁବ୍ରହ୍ମ। ଆକର୍ଷଣୀୟ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପୁରୀରେ ଆଜିଠାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ମଙ୍ଗଳବାର ଭୋର୍‌ ୪ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏବେ ସ୍ନାନମଣ୍ଡପକୁ ବିଜେ କରୁଛନ୍ତି। ସ୍ନାନବେଦୀରେ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି, ଅବକାଶ ଏବଂ ବେଶ ଅନୁଷ୍ଠିତ ହେବ। ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରିବେ ପରଂବ୍ରହ୍ମ। ଦିନ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଏବଂ ସ୍ନାନନୀତି ସମ୍ପନ୍ନ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୧୫ରେ ସ୍ନାନମଣ୍ଡପକୁ ଯାଇ ଛେରାପହଁରା କରିବେ। ଏହାପରେ ଦିନ ୧୨ଟା ୪୫ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ହାତୀବେଶ କରାଯିବ। ସନ୍ଧ୍ୟା ୬ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ। ସ୍ନାନମଣ୍ଡପ ଉପରକୁ ଯାଇ ଅତି ନିକଟରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ଏହାଛଡ଼ା ବଡ଼ଦାଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ରାତି ୧୦ଟାରେ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ରାତି ୧ଟା ସୁଦ୍ଧା ଶ୍ରୀଜୀଉ ଅଣସର ଘରକୁ ବିଜେ କରିବେ। ଦୁଇବର୍ଷ ପରେ ଭକ୍ତଙ୍କ ମେଳରେ ସ୍ନାନଯାତ୍ରା କରିବେ ମହାପ୍ରଭୁ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ୫୦ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କରିଥିବାବେଳେ କୌଣସି ସେବାୟତ ଆଗରେ ଛିଡ଼ା ନ ହେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ପରାମର୍ଶ (ଆଡଭାଇଜରୀ) ଜାରି କରାଯାଇଛି। କଟକ, ଭୁବନେଶ୍ବର ଏବଂ କୋଣାର୍କରୁ ଆସିବାକୁ ଥିବା ନିୟମିତ ଯାତ୍ରୀବାହୀ ବସ୍‌ଗୁଡ଼ିକ ପୂର୍ବପରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ପୌର ବସ୍‌ଷ୍ଟାଣ୍ଡକୁ ଯାତାୟାତ କରିବେ। ରାଜ୍ୟ ବାହାର ବସ୍‌ ପାଇଁ ମାଳତୀପାଟପୁର ବସ୍‌ ଟର୍ମିନାଲରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଟାଉନ ବସ୍‌ଗୁଡିକୁ ବଡ଼ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଯିବାପାଇଁ ଅନୁମତି ଦିଆଯିବ। ଦୁଇଚକିଆ ଗାଡ଼ି ଗୁଡିକ ବଡ଼ଦାଣ୍ଡ ଦୁଇପାର୍ଶ୍ବ ସମେତ ସହରର ବିଭିନ୍ନ ସ୍ଥାନରେ ପାର୍କିଂ କରି​‌େ​‌ବ। ଚାରିକିଆ ଗାଡ଼ିଗୁଡ଼ିକ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ଶରଧାବାଲି, ଯାତ୍ରୀକା, ବ୍ଲୁ-ଫ୍ଲାଗ ବେଳାଭୂମି ଏବଂ ଦିଗବାରେଣୀ ଖୁଣ୍ଟି ନିକଟରେ ପାର୍କିଂଷ୍ଟାଣ୍ଡ କରାଯାଇଛି। ୧୩ ରାତି ୧୨ରୁ ୧୪ତାରିଖ ରାତି ୧୨ଟା (ସ୍ନାନଯାତ୍ରା ଶେଷ ପର୍ଯ୍ୟନ୍ତ) ପୁରୀରେ ଟ୍ରାଫିକ୍‌ କଟକଣା ବଳବତ୍ତର ରହିବ। ମରିଚିକୋଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଅଞ୍ଚଳକୁ ଯାନବାହନ ଚଳାଚଳ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ପୁଲିସ ସହାୟତା ପାଇଁ ୬୩୭୦୯୬୭୧୦୦ ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ଆରକ୍ଷୀ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି।

kalyan agarbati

Comments are closed.