ଆଜିଠୁ ସମ୍ବଲପୁର ଦୁଇ ପର୍ଯ୍ୟାୟରେ ୧୦ଦିନିଆ ସଟ୍ଡାଉନ
-୨୨ରୁ ୨୫ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବା -୨୬ରୁ ୩୧ ପର୍ଯ୍ୟନ୍ତ ସକାଳ ୬ଟାରୁ ୧ଟା ପର୍ଯ୍ୟନ୍ତ ଖୋଲିବ ପନିପରିବା ଓ ରାସନ ଦୋକାନ
![](https://samajalive.in/wp-content/uploads/2020/06/NO_shutdown-336x200-1-750x430.png)
ସମ୍ବଲପୁର : ସମ୍ବଲପୁର ଜିଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବା ସହ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆସନ୍ତାକାଲି ବୁଧବାରଠାରୁ ଦୁଇଟି ପର୍ଯ୍ୟାୟରେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ସଟ୍ଡାଉନ ଘୋଷଣା କରିଛନ୍ତି। ଏନେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ବିଜ୍ଞପ୍ତି ଜାରି ହୋଇଥିଲା। ଏହି ଅନୁଯାୟୀ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ ପ୍ରଥମ ପର୍ଯ୍ୟାୟ ସଟ୍ଡାଉନରେ ଜରୁରୀ ଓ ଅତ୍ୟାବଶ୍ୟକ ସେବା (ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ଔଷଧ େଦାକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, କ୍ଷୀର ବୁଥ୍, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ଗଣମାଧ୍ୟମ, ବିଦ୍ୟୁତ ଓ ଜଳଯୋଗାଣ, ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟ, ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ) ବ୍ୟତୀତ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ, ପ୍ରଶାସନ ଅନୁମତିରେ ବିବାହ ଓ ଅେନ୍ତ୍ୟଷ୍ଟିକ୍ରିୟା ତଥା ଏଟିଏମ ସେବାକୁ ମଧ୍ୟ ସଟ୍ଡାଉନ କଟକଣାମୁକ୍ତ ରଖାଯାଇଛି। ତେବେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଟ୍ଡାଉନ ସମୟରେ ପନପରିବା ରାସନ ଆଦି ଆବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ସଟ୍ଡାଉନ କଟକଣା ଉଲ୍ଲଂଘନ କଲେ ପାନଡେମିକ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲାପାଳ ଶ୍ରୀ ସାକ୍ସେନା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲାବାସୀଙ୍କୁ ଏହି ଦୁଇ ପର୍ଯ୍ୟାୟ ସଟ୍ଡାଉନର ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଏହି ସଟ୍ଡାଉନ ଅବଧିରେ ସଂକ୍ରମିତ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ, ସ୍ବାବ ସଂଗ୍ରହ କାର୍ଯ୍ୟକୁ ତ୍ବାରନ୍ବିତ କରାଯିବ ବୋଲି ଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ଆକ୍ରାନ୍ତ ବୃଦ୍ଧି ପରିପ୍ରେକ୍ଷୀରେ ପୂର୍ବରୁ ସମ୍ବଲପୁର ଜିଲାରେ ଜୁଲାଇ ୫ ପରେ ଉଭୟ ସପ୍ତାହର ଶନିବାର ଓ ରବିବାର ୧୧, ୧୨ ଓ ୧୮, ୧୯ ତାରିଖ ସମଗ୍ର ଜିଲାକୁ ସଟ୍ଡାଉନ ରଖାଯାଇଥିଲା।
ଉଭୟ ପର୍ଯ୍ୟାୟ ସଟ୍ଡାଉନ ଅବଧିରେ ଜରୁରୀ ସେବା ବ୍ୟତୀତ ଜିଲା ଭିତରେ କୌଣସି ପ୍ରକାର ଯାନବାହନ ଚଳାଚଳ କରିପାରିବ ନାହିଁ। କେବଳ ଏୟାରପୋର୍ଟ ଓ ରେଳଷ୍ଟେସନରୁ ଲୋକଙ୍କୁ ନେବାଆଣିବାରେ ଗାଡ଼ି ଚାଲିପାରିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, କମସଂଖ୍ୟକ କର୍ମଚାରୀଙ୍କୁ ନେଇ କୋଷାଗାର, ଜରୁରୀକାଳୀନ ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ଡାକଘର, ନ୍ୟାସନାଲ ଇନଫର୍ମମେଟିକ ସେଂଟର, ଭାରତୀୟ ପାଣିପାଗ ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ଆର୍ଥିକ କାରବାର ଓ ବ୍ୟବସ୍ଥା ଆଦି ସର୍ବନିମ୍ନ ସଂଖ୍ୟକ କର୍ମଚାରୀ ନେଇ କାର୍ଯ୍ୟ କରିବ। ସେହିପରି ବ୍ୟାଙ୍କ, ବୀମା, ଆର୍ଥିକ ପ୍ରତିଷ୍ଠାନ, କାରବାର ଓ ଏଟିଏମରେ ଟଙ୍କା ଭର୍ତ୍ତି ଆଦି କାର୍ଯ୍ୟ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିେବ। ସଟ୍ଡାଉନ କଟକଣା କାର୍ଯ୍ୟକାରୀ କରିବା ପାଇଁ ଉପଜିଲାପାଳ ତଥା ଏସଡିଏମ, ତହସିଲଦାର, ବିଡିଓ, ମ୍ୟୁନିସିପାଲ କମିଶନର ତଥା କୁଚିଣ୍ଡା ଓ ରେଢ଼ାଖୋଲ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସମ୍ବଲପୁର ଓ ବୁର୍ଲାରେ ୮ଟି କଣ୍ଟେନମେଣ୍ଟ ଜୋନ୍ ଓ ବଫର ଜୋନ୍ କଟକଣା ବଳବତ୍ତର ରହିଥିବାବେଳେ ଜିଲାର ରେଢ଼ାଖୋଲ ସହରରେ ୩ଟି କଣ୍ଟେନମେଣ୍ଟ ଜୋନ ଏବଂ କୁଚିଣ୍ଡା ବ୍ଲକ ତିଲେଇମାଲ ପଞ୍ଚାୟତ ରାମଝାଲି ଗ୍ରାମରେ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ କରାଯାଇଛି।
Comments are closed.