ଥାନା ମଧ୍ୟରେ ମାରପିଟ୍‌ ଅଭିଯୋଗରେ ପୂର୍ବତନ ଏସଡିଏ ଅଧ୍ୟକ୍ଷ ଜୟବ୍ରତ ଦେଙ୍କ ସମେତ ୬ ଗିରଫ

ସମ୍ବଲପୁର – ସମ୍ବଲପୁର ଉନ୍ନୟନ ଏଜେନ୍ସିର ପୂର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଙ୍କୁ ପୁଲିସ ଥାନା ମଧ୍ୟରେ ମାରପିଟ କରିବା ଅଭିଯୋଗରେ ଗିରଫ କରିଛି । ଧନୁପାଲି ପୁଲିସର ସୂଚନାନୁଯାୟୀ, ଜୟବ୍ରତ ଦେ ଙ୍କ ପୁତ୍ର ରୋଚିତ ଦେ, ତାଙ୍କର ସାଙ୍ଗ ମହମ୍ମଦ ସୋହେଲ ଓ ସାଦିକ ଅହମଦ ରଜା ରବିବାର ରାତ୍ର ପ୍ରାୟ ୧୧ଟା ୪୦ରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଉପହାର ପେଲେସ ହୋଟେଲ ସମ୍ମୁଖରେ ସେମାନଙ୍କର କାର ଛିଡା କରି ବସିଥିଲେ । ସେମାନେ ଗାଡି ମଧ୍ୟରେ ବସି ଟଙ୍କା ଦିଆ ନିଆ କରୁଥିବା ବେଳେ ସେହି ଅଞ୍ଚଳର ଶେଖ ମୁଜିବ, ମୋହସିନ ଅକତର ଓରଫ ବିଟ୍ଟୁ ଓ ସୁଶାନ୍ତ ହରୋ ଏବଂ ୩ – ୪ ଜଣ ବ୍ୟକ୍ତି ଆସି ସେମାନେ କଣ କରୁଛନ୍ତି ବୋଲି ପଚରାଉଚୁରା କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେହି ସମୟରେ ରୋଚିତ ଙ୍କ କଲର ଧରି ତାଙ୍କର ମୋବାଇଲ ଲୁଟ କରିବାକୁ ଅପର ଗୋଷ୍ଠୀ ଉଦ୍ୟମ କରିଥିଲେ । ଏଣୁ ରୋଚିତ ଦେ ବର୍ତ୍ତି ପଳାଇ ଯିବା ପାଇଁ କାରକୁ ଦ୍ରୁତଗତିରେ ଚଳାଇଥିଲେ । ଫଳରେ ମୋହସିମ ଅକତର ଓରଫ ବିଟ୍ଟୁ ତଳେ ପଡି ଯାଇ ସାମାନ୍ୟ ଆହତ ହୋଇଥିଲେ ।

prayash

ଏହା ପରେ ରୋଚିତ ଦେ ତାଙ୍କ ପିତା ଜୟବ୍ରତ ଦେ ଙ୍କୁ ଫୋନ କରି ଘଟଣାସ୍ଥଳକୁ ଡକାଇଥିଲେ । ଏଣୁ ଜୟବ୍ରତ ଦେ ଘଟଣାସ୍ଥଳକୁ ଅନ୍ୟ କିଛି ବ୍ୟକ୍ତିଙ୍କ ସହିତ ପହୁଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଖବର ମିଳିବା ପରେ ତୁରନ୍ତ ପୁଲିସର ପିସିଆର ଭ୍ୟାନ ଘଟଣାସ୍ଥଳକୁ ପହୁଞ୍ଚି ଶେଖ ମୁଜିବ, ମୋସିମ ଅକତର ଓ ସୁଶାନ୍ତ ହରୋ ଙ୍କୁ ସାଥିରେ ନେଇ ପୁଲିସ ଥାନାକୁ ଚାଲି ଯାଇଥିଲା । ତେବେ ଅଚାନକ ଜୟବ୍ରତ ଦେ, ରୋଚିତ ଦେ, ସୋହେଲ ସାଦିକ ଏବଂ ଅହମଦ ରଜା ଏବଂ ୩ – ୪ ଜଣ ବ୍ୟକ୍ତି ହକି ଷ୍ଟିକ ଓ ଲାଠି ନେଇ ଧନୁପାଲି ଥାନାରେ ପହୁଞ୍ଚି ଯାଇଥିଲେ । ପୁଲିସର ଉପସ୍ଥିତିରେ ମନା କରିବା ସତ୍ୱେ ଜୟବ୍ରତ ଦେ, ତାଙ୍କର ପୁତ୍ର ରୋଚିତ ଏବଂ ସାଥି ମାନେ ଶେଖ ମୁଜିବ, ମୋସିମ ଅକତର ଓ ସୁଶାନ୍ତ ହରୋ ଙ୍କୁ ଆକ୍ରମଣ କରି ମାଡ ମାରିଥିଲେ । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ବିପକ୍ଷ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ ଜୟବ୍ରତ ଦେ ଓ ଗୋଷ୍ଠୀ କରିଥିଲେ । ଥାନା ମଧ୍ୟରେ ମାରପିଟ ପାଇଁ ଧନୁପାଲି ପୁଲିସ ୮୯/୨୦୨୨ ରୁଜୁ କରିଛି ।

ଅପରପକ୍ଷରେ ଉପହାର ପେଲେସ ହୋଟେଲ ସମ୍ମୁଖରେ ହୋଇଥିବା ମାରପିଟ ଘଟଣାରେ ରୋଚିତ ଦେ ଙ୍କ ଅଭିଯୋଗ କ୍ରମେ ଧନୁପାଲି ପୁଲିସ ୯୦/୨୦୨୨ ଏବଂ ମୋସିମ ଅକତର ଙ୍କ ଅଭିଯୋଗ କ୍ରମେ ମାମଲା ସଂଖ୍ୟା ୯୧/୨୦୨୨ ରୁଜୁ କରାଯାଇଛି । ଧନୁପାଲି ମାମଲା ସଂଖ୍ୟା ୮୯/୨୦୨୨ ଏବଂ ୯୧/୨୦୨୨ ଅନୁଯାୟୀ ଅଭିଯୁକ୍ତ ପୂର୍ବତନ ଏସଡିଏ ଅଧ୍ୟକ୍ଷ ତଥା ସାକ୍ଷୀପଡା ନିବାସୀ ଜୟବ୍ରତ ଦେ (୫୪), ରୋଚିତ ଦେ (୨୨), କୁମ୍ଭାରପଡା ନିବାସୀ ମହମ୍ମଦ ସୋହେଲ ସାଦିକ (୨୫) ଏବଂ ଭୂତାପଡା ନିବାସୀ ଅହମଦ ରଜା (୨୨) ଙ୍କୁ ଗିରଫ କରିଛି । ସେହିଭଳି ମାମଲା ସଂଖ୍ୟା ୯୦/୨୦୨୨ ଅନୁଯାୟୀ ଅଭିଯୁକ୍ତ କୁମ୍ଭାରପଡା ନିବାସୀ ଏସକେ ମୁଜିବଦ୍ଦିନ ଓରଫ ମୁଜିବ (୩୫), ମହମ୍ମଦ ମୋହସିନ ଅକତର ଓରଫ ବିଟ୍ଟୁ ଏବଂ ସୁଶାନ୍ତ ହରୋ (୩୦) ଙ୍କୁ ଗିରଫ କରିଛି । ପୁଲିସ ଅଭିଯୁକ୍ତ ଙ୍କ ନିକଟରୁ ୨ଟି ହକି ଷ୍ଟିକ, ୩ଟି ଲାଠି, ୬ଟି ମୋବାଇଲ ଫୋନ ଏବଂ ଏକ ନମ୍ବର ବିହୀନ ବଲେନୋ କାର ଜବତ କରିଛି । ଏହି ମାମଲା ଗୁଡିକର ସମସ୍ତ ଅଭିଯୁକ୍ତଙ୍କୁ ଧନୁପାଲି ପୁଲିସ ଗିରଫ କରି ଅଦାଲତକୁ ସୋମବାର ଚାଲଣ କରିଛି ବୋଲି ଜଣାଇଛି । ସୂଚନାଯୋଗ୍ୟ ଯେ, ଜୟବ୍ରତ ଦେ ଙ୍କୁ ସରକାରୀ କର୍ମଚାରୀ ଙ୍କୁ ଦୁର୍ବବ୍ୟହାର ମାମଲାରେ ଅକ୍ଟୋବର ୨୦୦୯ ମସିହାରେ ପୁଲିସ ଗିରଫ କରିଥିବା ବେଳେ ଅପର ଗୋଷ୍ଠୀର ମହମ୍ମଦ ମୋହସିନ ଅକତର ଓରଫ ବିଟ୍ଟୁ ଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରହିଛି ।

 

kalyan agarbati

Comments are closed.