ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ପାଇଁ ଅଭିନବ ପ୍ରୟାସ

ସମ୍ବଲପୁର: ଶନିବାର ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ଖେଳ ପଡ଼ିଆ ଠାରେ ଏକ ନିଆରା ଫୁଟବଲ ମ୍ୟାଚ୍ “ସମତା କପ୍-୨୦୨୪” ଅନୁଷ୍ଠିତ ହୋଇଯାଇଛି। ଏହା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବିବିଏସବାଇ ଜଟୁପଡା ଓ ୟୁନାଇଟେଡ଼ ବରଗଡ଼ କ୍ଲବ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଉଭୟ ପୁଅ ଓ ଝିଅ ଖେଳାଳୀ ସାମିଲ୍ ହୋଇ ସମାନତାର ବାର୍ତା ଦେଇଥିଲେ। ବର୍ତମାନ ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ନେଇ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି। ଲିଙ୍ଗଗତ ଭେଦଭାବରୁ କେବଳ ଝିଅ ନୁହେଁ ପୁଅ ମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି। ଏହି ପ୍ରକ୍ରିୟାରେ କେବଳ ବ୍ୟକ୍ତିଗତ ଚିନ୍ତାଧାରାରେ ପରିବର୍ତନ ଆଣିଲେ ଯେ ସମାନତା ଆସିବ ତାହା ନୁହେଁ, ବରଂ ବ୍ୟବହାରିକ ପରିବର୍ତନ, ସାମାଜିକ ଚାଲିଚଳଣରେ ପରିବର୍ତନ ଓ ନୂତନ ଉଦାହରଣ ଦ୍ୱାରା ହିଁ ଲିଙ୍ଗଗତ ସମାନତାର ଗତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ “ପତଙ୍ଗ” ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସମତା କପ-୨ ର ଆୟୋଜନ କରାଯାଇଛି। ଆଜି ମ୍ୟାଚ୍ରେ ଉଭୟ ଦଳ ସମୟସୀମା ମଧ୍ୟରେ ଖେଳି ୩-୦ ଗୋଲ୍ରେ ଜଟୁପଡା ଦଳ “ସମତା କପ୍-୨୦୨୪ ” ର ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଜାଫର ଇକ୍ୱାବାଲ (ଦୃଷ୍ଟିବାଧିତ ଭାରତୀୟ କ୍ରିକେଟ ଦଳ ଖେଳାଳି) ଯୋଗ ଦେଇଥିଲେ ଓ ଡ଼. ରିତା ମିଶ୍ର (ପତଙ୍ଗର ସିଇଓ, ଟ୍ରଷ୍ଟି ଓ ପ୍ରତିଷ୍ଠାତା) ଖେଳର ଶୁଭାରମ୍ଭ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ‘ପତଙ୍ଗ’ର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ୫ ଟି ଜିଲାର ୨୦ଟି ଦଳର ୩୪୦ ଜଣ ଉଭୟ ପୁଅ ଓ ଝିଅ ଖେଳାଳି ଉପସ୍ଥିତ ଥିଲେ। ହଜାରରୁ ଅଧିକ ଦର୍ଶକ ଉପସ୍ଥିତରେ ସମ୍ବଲପୁର ଓ ଆଖପାଖ ଅଞ୍ଚଳର ୭ ଜଣ ପୂର୍ବତନ ଫୁଟବଲ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରୋହିଣୀ ନିଲେକାନୀ ଫିଲାନଥ୍ରୋପିଷ୍ଟ ଏସ୍.କେ.ଏନ୍. ଓ କେ. ଏନ୍.ଏଚ୍. ସହଯୋଗ କରିଥିଲେ।

kalyan agarbati

Comments are closed.