ରେଳ ସେକ୍ସନ ନିରୀକ୍ଷଣ, ଯାତ୍ରୀ ସୁବିଧାକୁ ପ୍ରାଥମିକତା

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର ମଣ୍ଡଳ ଗସ୍ତ

ସମ୍ବଲପୁର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଦୁଇଦିନିଆ ସମ୍ବଲପୁର ରେଳ ମଣ୍ଡଳ ଗସ୍ତରେ ଯାଇ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନ ନିରୀକ୍ଷଣ କରିବା ସହିତ ଏହି ଅଞ୍ଚଳରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର‌୍ୟ୍ୟର ସମୀକ୍ଷା କରିଥିଲେ । ଶ୍ରୀ ଫୁଙ୍କୱାଲ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ରେଳ ସେକ୍ସନର ମୁନିଗୁଡା, କେସିଙ୍ଗା, ଟିଟିଲାଗଡ, ବଲାଙ୍ଗୀର, ବରପାଲି ଏବଂ ସମ୍ବଲପୁରର ରେଳ ଷ୍ଟେସନ ପରିଦର୍ଶନ ସହିତ ବିଭିନ୍ନ କାର‌୍ୟ୍ୟର ନିରୀକ୍ଷଣ କରିଥିବାବେଳେ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନର ଝାରସୁଗୁଡା ରୋଡ଼, ସରଲା, ସମ୍ବଲପୁର ସିଟି-ଜରପଡା ରେଳ ଷ୍ଟେସନ ଗୁଡିକର ନିରୀକ୍ଷଣ କରି ଭିତ୍ତିଭୂମି ବିକାଶ ଓ ଯାତ୍ରୀ ସୁବିଧା କାର‌୍ୟ୍ୟ ଗୁଡିକର ନିରୀକ୍ଷଣ କରିଥିଲେ ।

ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ସରଲା ଠାରେ ମାଲବାହୀ ଟ୍ରେନ୍ ପରୀକ୍ଷଣ ସୁବିଧା ଓ ଆରଓଏଚ (ରୁଟିନ୍ ଓଭରହେଲ୍), ଟିଟିଲାଗଡ଼ ଓ ସମ୍ବଲପୁର ରେଳ ଷ୍ଟେସନ ଠାରେ କୃ-ଲବି ଏବଂ ସମ୍ବଲପୁର ଷ୍ଟେସନରେ ରନିଙ୍ଗ ରୁମ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଯାଞ୍ଚ କରିଥିଲେ । ଶ୍ରୀ ଫୁଙ୍କୱାଲ ମଧ୍ୟ ବିଭିନ୍ନ ରେଳ ସାଇଡିଙ୍ଗରେ ପରିବହନ ସେବା ସହିତ ଜଡିତ ଟ୍ରାଫିକ୍ ସୁବିଧା ଯାଞ୍ଚ କରିଥିଲେ । ବୃନ୍ଦାମାଲ ଏବଂ ଆମ୍ବୋଡୋଲା ଠାରେ ବେଦାନ୍ତ ଲିମିଟେଡ଼, ଲପଙ୍ଗା ଥ୍ରେବ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ଼ ଓ ଆଦିତ୍ୟ ଅଲୁମୁନିୟମ ଶିଳ୍ପ ସଂସ୍ଥା ଗୁଡିକୁ ପରିବହନ ଜନିତ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ ଏହା ସହିତ ଶ୍ରୀ ଫୁଙ୍କୱାଲ କାର‌୍ୟ୍ୟକ୍ଷମ ଆବଶ୍ୟକତା ଏବଂ ଭବିଷ୍ୟତର ସହଯୋଗକୁ ସମାଧାନ କରିବା ପାଇଁ ଶିଳ୍ପଗୁଡିକର ପ୍ରତିନିଧୀଙ୍କ ସହ ଆଲୋଚନାରେ ମଧ୍ୟ ନିୟୋଜିତ ହୋଇଥିଲେ ।

ଶ୍ରୀ ଫୁଙ୍କୱାଲ ଷ୍ଟେସନ ମାନଙ୍କରେ ଉପଲବ୍ଧ ଯାତ୍ରୀ ସୁବିଧା ଉପରେ ବିଶେଷ ଧ୍ୟାନ ଦେଇଥିଲେ ଏବଂ ରେଳ ବିଭାଗରେ ଚାଲିଥିବା ବିକାଶମୂଳକ କାର‌୍ୟ୍ୟକଳାପ ଏବଂ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିଥିଲେ । ଯାତ୍ରୀ ସେବା ବୃଦ୍ଧି ପାଇଁ ଅନ୍ତର୍ନିହିତ ତଥା ପରାମର୍ଶ ସଂଗ୍ରହ କରିବାକୁ ସେ କର୍ମଚାରୀ ଏବଂ ଅଧିକାରୀଙ୍କ ସହ ସକ୍ରିୟ ଭାବରେ ଯୋଗାଯୋଗ କରିଥିଲେ ଏବଂ ଭବିଷ୍ୟତର ଉନ୍ନତି ପାଇଁ ବିଭିନ୍ନ ପରିବର୍ତ୍ତନର ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏଥିସହ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲଙ୍କ ଉପସ୍ଥିତିରେ ସମ୍ବଲପୁର ରେଳ ଷ୍ଟେସନରେ ଏକ ଜରୁରୀକାଳୀନ ଚିକିତ୍ସା ସେବା ସୁବିଧା କେନ୍ଦ୍ର ଉଦ୍ଘାଟନ କରାଯାଇଥିଲା ।

ଏଥି ସହ ମହାପ୍ରବନ୍ଧକ ମଧ୍ୟ ଅମୃତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନର ପୁନର୍ବିକାଶର ସମୀକ୍ଷା କରିଥିଲେ ଏବଂ ସଠିକ ସମୟରେ କାର‌୍ୟ୍ୟ ଶେଷ କରାଇବାପାଇଁ ନିର୍ମାଣ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଫୁଙ୍କୱାଲଙ୍କ ନିରୀକ୍ଷଣ ସମୟରେ ନିରାପତ୍ତା, ସୁରକ୍ଷା, ପରିଚାଳନା, ଗତିଶୀଳତା, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସୁବିଧା ସହିତ ଅମୃତ ଷ୍ଟେସନ ଅଧୀନରେ ଚାଲୁରହିଥିବା ଷ୍ଟେସନ ପୁନର୍ବିକାଶ କୁ ପ୍ରାଥମିକତା ଦିଆଯାଇଥିଲା । ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ତୁଷାର କାନ୍ତ ପାଣ୍ଡେ ଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲଙ୍କୁ ସହାୟତା କରିଥିଲେ ।

Comments are closed.