ଆରମ୍ଭ ହେଲା ସମ୍ବଲପୁର ମହୋତ୍ସବ; ୧୦ଦିନ ପର୍ଯ୍ୟନ୍ତ ଜମିବ କଳା, ସଂସ୍କୃତିର ମେଳା           

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ୫ମ ‘ସମ୍ବଲପୁର ମହୋତ୍ସବ’ ରବିବାର ମହାଆଡମ୍ବରେ ଆରମ୍ଭ ହୋଇଯାଇଛି । କୋଭିଡ ସଙ୍କଟର ୨ ବର୍ଷ ପରେ ଆୟୋଜିତ ହେଉଥିବା ଏହି ଭବ୍ୟ ସାଂସ୍କୃତିକ ମେଳାରେ ଆୟୋଜକ, କଳାକାର ଓ ଜନତା ବେଶ ଉତ୍ସାହିତ । ସକାଳ ୮ଟାରେ ମା’ ସମଲେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ମହୋତ୍ସବର ଶୁଭାରମ୍ଭ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ପଡିଆରେ ଆରମ୍ଭ ହୋଇଯାଇଛି । ମହୋତ୍ସବର ପ୍ରାରମ୍ଭରେ ମା’ ଭଉଣୀ ମାନଙ୍କୁ ନେଇ ଝୋଟି, ଅଲପିନା ଓ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏଥିରେ ମହିଳା ଓ ଯୁବତୀ ମାନେ ଉତ୍ସାହର ସହିତ ଭାଗ ନେଇ ମନମୋହକ ଝୁଟି, ଅଲପିନା ଓ ରଙ୍ଗୋଲି ଆଙ୍କି ନିଜସ୍ୱ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହା ପରେ ଦିନ ୧୧ଟା ସମୟରେ ମନହରି ହାଟ ଏବଂ ସମ୍ବଲପୁରୀ ସମେତ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ଷ୍ଟଲ ଗୁଡିକୁ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେଓ ଜୟସ୍ୱାଲ ଉଦଘାଟନ କରିଥିଲେ । ସେହିଭଳି ଚିତ୍ର ଓ କଳାକୃତି ପ୍ରଦର୍ଶନୀକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଏନ. ନାଗରାଜୁ, ଫଟୋଗ୍ରାଫି ପ୍ରଦର୍ଶନୀକୁ ବୁର୍ଲା ଭିଏସଏସୟୁଟିର କୁଳପତି ପ୍ର. ବଂଶୀଧର ମାଝୀ ଉଦଘାଟନ କରିଥିଲେ ।

ଚଳିତ ବର୍ଷର ସମ୍ବଲପୁର ଲୋକ ମହୋତ୍ସବ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲାକୁ ଏକତ୍ରିତ କରିବାର ପ୍ରୟାସକୁ ନେଇ ନିର୍ମିତ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ନାମରେ ନାମିତ କରାଯାଇଛି । ଏଥିରେ ୧୧ଟି ଜିଲାରେ ସ୍ଥାପିତ ଦେବୀ ମାନଙ୍କ ପ୍ରତିମୂର୍ତ୍ତି ସହିତ ପଞ୍ଚ ବାଦ୍ୟ ସମ୍ମଳିତ ମହୋତ୍ସବର ଲୋଗୋ ଚିତ୍ତାକର୍ଷକ ହୋଇଛି । ସନ୍ଧ୍ୟା ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପଦ୍ମଶ୍ରୀ ହଳଧର ନାଗ ଏହି ମୁକ୍ତ ମଞ୍ଚକୁ ଉଦଘାଟନ କରିଥିଲେ । ଏହା ପରେ ସର୍ବ ଧର୍ମ ପ୍ରାର୍ଥନା ମଞ୍ଚରେ ଆୟୋଜିତ ହୋଇଥିଲା । କରୋନା କାଳରେ ଦିବଙ୍ଗତ କଳାକାର, ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କର ସ୍ମରଣରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଉଦଘାଟନୀ ଉତ୍ସବରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ପ୍ର. ସାଧୁଚରଣ ପଣ୍ଡା, ଡା. ବିନୋଦ ବିହାରୀ ନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଖ୍ୟାତନାମା ଗାୟିକା ନୁର ବେଗମଙ୍କୁ ସମ୍ମାନୀତ କରାଯାଇଥିଲା । ବକ୍ତା ମାନେ ଲୋକ କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଆଗେଇ ନେବାର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହା ପରେ ପଶ୍ଚିମାଞ୍ଚଳର ବିଲୁପ୍ତପ୍ରାୟ ଲୋକ ନୃତ୍ୟ ଓ କଳାର ପ୍ରଦର୍ଶନ ସହିତ ଜାତୀୟ, ରାଜ୍ୟସ୍ତରୀୟ ନୃତ୍ୟ ଦଳ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥି ସହ ସମ୍ବଲପୁରୀ ପୋଷାକ ପରିଧାନ ସହିତ ର‌୍ୟାମ୍ପ ସୋ ଆୟୋଜନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ୨୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ମହୋତ୍ସବ ୨ଟି ପର୍ଯ୍ୟାୟରେ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟ ତଥା ମୁଖ୍ୟ ଉତ୍ସବ ୨୦ ରୁ ୨୪ ତାରିଖ ୫ ଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ ଲୋକ କଳା, ନୃତ୍ୟ, ସଙ୍ଗୀତ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ସମେତ ସମ୍ବଲପୁରୀ ଲୋକ କଳା, ନୃତ୍ୟ, ସଙ୍ଗୀତ ସର୍ମ୍ପକୀତ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ହାଟ (ବଜାର) ର ଆୟୋଜନ ନିମନ୍ତେ ୩ ଶହଟି ଅସ୍ଥାୟୀ ଦୋକାନ ନିର୍ମାଣ କରାଯାଇଛି । ଏହି ଦୋକାନ ଗୁଡିକ ଜରିଆରେ ସ୍ଥାନୀୟ ବ୍ୟଞ୍ଜନ, ସ୍ୱାଦ, ମିଷ୍ଟାନ୍ନ ଆଦି ସହିତ ସମ୍ବଲପୁରୀ ଚିତ୍ରକଳା, ହସ୍ତଶିଳ୍ପ, ବସ୍ତ୍ର, ଜର୍ମାନ ସିଲଭର ଆଭୂଷଣ ସମେତ ବିଭିନ୍ନ ସ୍ଥାନୀୟ ପାରମ୍ପରିକ ସାମଗ୍ରୀ ଗୁଡିକର ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା କରାଯାଇ ସ୍ଥାନୀୟ କଳା ଓ କଳାକାର ମାନଙ୍କୁ  ପ୍ରୋତ୍ସାହିତ କରାଯାଉଛି ।

Comments are closed.