ଆଜିଠୁ ୧୦ଦିନ ବ୍ୟାପି ସମ୍ବଲପୁର ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ‘ସମ୍ବଲପୁର ମହୋତ୍ସବ’ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏ ସର୍ମ୍ପକରେ ଶନିବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ମାନେ ମହୋତ୍ସବ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ମହୋତ୍ସବ ସମୁଦାୟ ୧୧ ଦିନ ଧରି ହେବାକୁ ଥିବା ବେଳେ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ତଥା ମୁଖ୍ୟ ଉତ୍ସବ ଆଜିଠୁ ୨୪ ତାରିଖ ୫ଦିନ ଧରି ଅନୁଷ୍ଠିତ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ । ଆଜି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ ପରେ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ମଇଦାନ (ପିଏଚଡି ପଡିଆ) ଠାରେ ଆରମ୍ଭ ହେବ । ଏହି ମହୋତ୍ସବର ଆୟୋଜକ କମିଟିର ଚେୟାରମେନ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲୋକ କଳା, ନୃତ୍ୟ, ସଙ୍ଗୀତ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏଥି ସହ ସମ୍ବଲପୁରୀ ଲୋକ କଳା, ନୃତ୍ୟ, ସଙ୍ଗୀତ ସର୍ମ୍ପକୀତ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯିବ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହେବେ ।

ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ହାଟ (ବଜାର) ଆୟୋଜିତ ହେବ । ଏଥିରେ ବିଭିନ୍ନ ସଙ୍ଗଠନ ତରଫରୁ ମହୋତ୍ସବ ସ୍ଥଳରେ ୩ ଶହଟି ଅସ୍ଥାୟୀ ଦୋକାନ ନିର୍ମାଣ କରାଯାଇଛି । ଏହି ଦୋକାନ ଗୁଡିକରେ ସ୍ଥାନୀୟ ବ୍ୟଞ୍ଜନ, ସ୍ୱାଦ, ମିଷ୍ଟାନ୍ନ ଆଦି ବିକ୍ରି କରାଯିବ । ଏହା ସହିତ ସମ୍ବଲପୁରୀ ଚିତ୍ରକଳା, ହସ୍ତଶିଳ୍ପ, ବସ୍ତ୍ର, ଜର୍ମାନ ସିଲଭର ଆଭୂଷଣ ସମେତ ବିଭିନ୍ନ ସ୍ଥାନୀୟ ପାରମ୍ପରିକ ସାମଗ୍ରୀ ଗୁଡିକର ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା କରାଯାଇ ସ୍ଥାନୀୟ କଳା ଓ କଳାକାର ମାନଙ୍କୁ  ପ୍ରୋତ୍ସାହିତ କରାଯିବ ।

ଏହି ମହୋତ୍ସବ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲାକୁ ଏକତ୍ରିତ କରିବାର ପ୍ରୟାସ କରାଯାଉଛି । ସମସ୍ତ ଜିଲା ଗୁଡିକର ମୂଳ ତଥା ପାରମ୍ପରିକ ଲୋକ କଳା, ନୃତ୍ୟ, ସଙ୍ଗୀତ ଆଦି ବିଷୟ ଗୁଡିକୁ ସାମିଲ କରାଯାଇଛି । ଏତଦ୍‌ ବ୍ୟତିତ ଝୋଟି, ଅଲ୍ପନା, ରଙ୍ଗୋଲି, ଚିତ୍ରାଙ୍କନ, ଫଟୋଗ୍ରାଫି, ଚିତ୍ର ପ୍ରଦର୍ଶନୀ ଆଦି ବିଭିନ୍ନ ବିଷୟକୁ ନେଇ ପ୍ରତିଯୋଗିତା ମାନ ଆୟୋଜିତ ହେବ । ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମହୋତ୍ସବରେ ପୁରସ୍କୃତ କରାଯିବ । ପଶ୍ଚିମାଞ୍ଚଳର ଲୋକ କଳା, ନୃତ୍ୟ, ସଙ୍ଗୀତ ଆଦିକୁ ଏକତ୍ରିତ କରି ଏକ ପ୍ଲାଟଫର୍ମ ଜରିଆରେ ପ୍ରଚାର ପ୍ରସାର କରିବା ପାଇଁ ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ପରିଷଦର ଭକ୍ତ ପ୍ରସାଦ ନନ୍ଦ, ସପନ ମିଶ୍ର, ଗୋଲ ବିହାରୀ ମିଶ୍ର, ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ, ଦୁର୍ଗାପ୍ରସାଦ ଦାଶ, ବନ୍ଦନା ପଣ୍ଡା, ଶିଶିର କର ଓ ସଦାନନ୍ଦ ପଣ୍ଡା ଉପସ୍ଥିତ ରହିଥିଲେ ।

Comments are closed.